ଆଖଡ଼ା ଘର

 

 

 

 

 

 

 

 

 

ଆଖଡ଼ା ଘର

ଗୌରହରି ଦାସ

 

ସୂଚୀପତ୍ର

 

୧.

ରକ୍ତାକ୍ତ ଅଭିଷେକ

୨.

ଚିଡ଼ିଆଖାନା

୩.

କଙ୍କାଳର ଅଭିମାନ

୪.

ମଧ୍ୟରାତ୍ରର ଇନ୍ଦ୍ରଧନୁ

୫.

କାର୍ଟୁନ

୬.

ହାରି ଯାଇଥିବା ମଣିଷ

୭.

ଆଖଡ଼ା ଘର

୮.

ସଂଳାପ ଭୁଲିଥିବା ନାୟକଟିର ଅସହାୟତାରେ

୯.

ସେଇ ଭାଦ୍ରବର ସ୍ମୃତି

୧୦.

ଆଉ ଜଣେ ଭୀଷ୍ମ

୧୧.

ପରେ କଥା ହେବା

୧୨.

ହସ୍ତାକ୍ଷର

୧୩.

ସୁଦୃଶ୍ୟ ମରୀଚିକା

୧୪.

ବିଶ୍ୱାସ

୧୫.

ପିପିଲିର ପିପୀଲିକା

Image

 

ନିଜକଥା

 

‘ଆଖଡ଼ା ଘର’ ମୋର ଦ୍ୱିତୀୟ ଗଳ୍ପ ସଙ୍କଳନ, ମୋର ନଙ୍ଗଳା ଶୈଶବର ସ୍ମୃତି-ଆଲବମ୍‌-। ଏସବୁ ଗପ ଲେଖାଯାଇଥିଲା ବହୁ ଦିନ ତଳେ, ପ୍ରାୟ ଆଠ ଦଶ ବର୍ଷ ତଳ କଲେଜ ଦିନମାନଙ୍କରେ । ଗପଗୁଡ଼ିକର ରଚନାକାଳ ଓ ପ୍ରକାଶକାଳ ଭିତରେ ଏହି ଦୀର୍ଘ ବ୍ୟବଧାନ ଯୋଗୁ ଗପଗୁଡ଼ିକ ଯେ ମୋ ପାଖରୁ ସେମାନଙ୍କର ଆକର୍ଷଣ ହରେଇଛନ୍ତି, ସେତିକି ନୁହେଁ; ଗଳ୍ପଗୁଡ଼ିକର ଚରିତ୍ର ଓ ଚେହେରା ନେଇ ମୋର ଧାରଣା ମଧ୍ୟ ଅନେକାଂଶରେ ବଦଳି ଯାଇଛି । ଆଜି ତେଣୁ ସେଇ ଗପଗୁଡ଼ିକୁ ଆଉଥରେ ପଢ଼ିଲାବେଳେ ଏକ ନିପାରିଲାପଣିଆ ଓ ନୈରାଶ୍ୟ ମୋତେ ଆଚ୍ଛନ୍ନ କରି ରଖେ । ଶରତଚନ୍ଦ୍ର ଠିକ୍‌ କହିଥିଲେ, ପାଦ ଥିଲେ ସମସ୍ତେ ଚାଲିପାରନ୍ତି ସିନା କିନ୍ତୁ ହାତ ଥିଲେ ସମସ୍ତେ ଲେଖିପାରନ୍ତି ନାହିଁ ।

 

ତେବେ ଏଇସବୁ ନୈରାଶ୍ୟ ଓ ନିପାରିଲାପଣିଆ ଭିତରେ ଶୈଶବ ଓ କୈଶୋରର କିଛି ସ୍ମୃତି, କିଛି ଅନୁଭବ ଏବଂ କିଛି ଅଭିଜ୍ଞତାକୁ ଧରି ରଖିପାରିବାର ଆତ୍ମସନ୍ତୋଷ ମୋତେ ଅନେକଟା ସାନ୍ତ୍ୱନା ଦିଏ । ଗାଆଁ ପାଖ ମନ୍ତେଇ ନଈର ସ୍ମୃତି, ବଣିଆସାହି ପଦାର ମହାର୍ଘ ଅନୁଭବ ଓ ଦୀର୍ଘ ଫୁଟ୍‌ପାଥ୍‌-ଜୀବନର ବହୁ ଚରିତ୍ର ଓ ଘଟଣା ଏ ଗଳ୍ପଗୁଡ଼ିକର ପୃଷ୍ଠଭୂମି । ଏ ସଂକଳନ ମୋର ପାରିହେଇ ଆସିଥିବା ଗତକାଲିର ନିର୍ଭୁଲ ଉଚ୍ଚାରଣ, ଯେତେ ସୀମାବଦ୍ଧ ହେଉ ପଛେ ତାର ଭାବପ୍ରକାଶର ପରିସର ।

 

ଆଠ ଦଶ ବର୍ଷ ତଳର ଏଇ ଗପଗୁଡ଼ିକ ହୁଏତ ଏଠି ସେଠି ପଡ଼ି ପଡ଼ି ଏଇମିତି ନଷ୍ଟ ହେଇଯାଇଥାନ୍ତା । ଦିନେ କିନ୍ତୁ ସନ୍ତୋଷ ପବ୍ଲିକେଶନ୍‌ସ୍‌ର ସ୍ୱତ୍ୱାଧିକାରୀ ଶ୍ରୀ ଉମେଶପ୍ରସାଦ ସାହୁ ତାଙ୍କ ଆଡ଼ୁ ପ୍ରସ୍ତାବ ଦେଲେ ସଂକଳନଟିଏ ପ୍ରକାଶ ପାଇଁ । ମୋ ପରି ଜଣେ ଅର୍ବାଚୀନ ଲେଖକର ଗଳ୍ପ ସଂକଳନ ପ୍ରକାଶ ଦିଗରେ ସେ ଯେଉଁ ଅକପଟ ସ୍ନେହ, ଶ୍ରଦ୍ଧା ଓ ଅକୃତ୍ରିମ ନିଷ୍ଠା ଦେଖାଇଛନ୍ତି ତାହା ମୋର ଚିରକାଳ ସ୍ମରଣ ରହିବ । ମୁଁ ତାଙ୍କୁ ମୋର କୃତଜ୍ଞତା ଜଣାଉଛି ।

 

ଏହି ଅବସରରେ ମୋର ଗଳ୍ପ ସଂକଳନ ପ୍ରକାଶନରେ ସବୁଠୁ ବେଶି ଖୁସି ଦି ଜଣଙ୍କ ନାମୋଲ୍ଲେଖ ନ କରି ରହିପାରୁ ନାହିଁ । ଜଣେ ମୋର ସହଧର୍ମିଣୀ ସଂଯୁକ୍ତା ଓ ଆରଜଣକ ସାନଭାଇ ଟିକିଲି । ସେ ଦୁହେଁ ସବୁଦିନ ମୋତେ ଗୋଟାଏ ଉଚ୍ଚଦରର ସାହିତ୍ୟିକ ବୋଲି ଅଯଥା ଗୁରୁତ୍ୱ ଦେଇଆସିଛନ୍ତି ଓ ମୋର ସମସ୍ତ ମନମୁଖୀ କାର୍ଯ୍ୟକଳାପକୁ ସାହିତ୍ୟିକ ସୁଲଭ ଢଙ୍ଗରଙ୍ଗ ବୋଲି ଭାବିଆସିଛନ୍ତି । ସେ ଦୁହିଙ୍କର ଏହି ସରଳ ବିଶ୍ୱାସ ମୋତେ ବାରମ୍ବାର ଗଳ୍ପ ଲେଖିବାକୁ ପ୍ରେରଣା ଯୋଗାଇଛି । ସାନଭାଇ ଭକ୍ତହରି କିଛି ବର୍ଷ ତଳେ ମୋର କେତୋଟି ଗପକୁ ନେଇ ବହିଟିଏ ପ୍ରକାଶ କରିବାକୁ ଯତ୍ନବାନ ହେଇଥିଲା । ବେଶ୍‌ କିଛି ପୃଷ୍ଠା ଛପାହେବା ପରେ ଆବିଷ୍କାର କଲି ଯେ, ଛପା ଫର୍ମାଗୁଡ଼ିକରେ ଠିକ୍‌ ଶବ୍ଦ ଅପେକ୍ଷା ଭୁଲ୍‌ ଶବ୍ଦମାନଙ୍କର ହିଁ ସଂଖ୍ୟା ଅଧିକ । ତାପରେ ତାକୁ ଏ ବହି ପ୍ରକାଶନର କାର୍ଯ୍ୟରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲି । ‘ଆଖଡ଼ା ଘର’ର ଏହି ଶୋଭନୀୟ ସଂସ୍କରଣ ପ୍ରକାଶ ଅବସରରେ ମୁଁ ସହଧର୍ମିଣୀ ସଂଯୁକ୍ତା ଓ ମୋର ସାନ ଦୁଇ ଭାଇଙ୍କୁ ସେମାନଙ୍କର ଶ୍ରଦ୍ଧା ଓ ଅନୁରାଗ ପାଇଁ ଆନ୍ତରିକ ଶ୍ରଦ୍ଧା ଜଣାଉଛି ।

 

ମୋର ସାରସ୍ୱତ ପୁନର୍ଜନ୍ମର ଅନ୍ୟତମ ଉଦ୍‌ଗାତା ସତୀର୍ଥ ଅଗ୍ରଜ କବି ଗିରିଜା କୁମାର ବଳୀୟାରସିଂହଙ୍କ ପରାମର୍ଶ ଓ ପ୍ରେରଣା ଭୁଲିବାର ନୁହେଁ । ଏହି ଅବସରରେ ମୁଁ ତାଙ୍କୁ ଓ ମୋର ଶୁଭେଚ୍ଛୁ ସାହିତ୍ୟାନୁରାଗୀ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଉଛି ।

 

‘ଆଖଡ଼ା ଘର’ ମୋର ଗାଳ୍ପିକ ଜୀବନ ପାଇଁ, ମଞ୍ଚ-ଅଭିନୟ ପୂର୍ବର ଆଖଡ଼ା ଘର-ପ୍ରସ୍ତୁତି-। ତା ସତ୍ତ୍ୱେ ସଂକଳନର କିଛି ଗପ ଯଦି ପାଠକମାନଙ୍କୁ ଭଲ ଲାଗିପାରେ, ମୁଁ ମୋର ଶ୍ରମ ସାର୍ଥକ ହେଇଛି ବୋଲି ବିଚାରିବି ।

 

ଗୌରହରି ଦାସ

Image

 

ରକ୍ତାକ୍ତ ଅଭିଷେକ

ଏକ

 

ସେଇମାତ୍ର ରାଜଧାନୀରେ ପାଦ ଦେଇଥିବା ଆଗନ୍ତୁକଟି ପାଇଁ ଏପରି ଉତ୍ସବମୁଖର ପରିବେଶର ହେତୁ ଥିଲା ଦୁର୍ବୋଧ୍ୟ ଓ ରହସ୍ୟମୟ । ଉଜ୍ଜ୍ୱଳ ଆଲୋକମାଳାରେ ସୁସଜ୍ଜିତ ରାଜଧାନୀର ପ୍ରାସାଦମାନ ଦିଶୁଥିଲା ଅତ୍ୟନ୍ତ ସୁନ୍ଦର ଓ ଲୋଭନୀୟ । ବିଭିନ୍ନ ରଙ୍ଗର, ବିଭିନ୍ନ ଆକୃତିର ଆଲୋକସଜ୍ଜା ଦେଖିଲେ ବହିରାଗତ ଯେ କେହି ପରିଦର୍ଶକ ମନରେ ଭ୍ରାନ୍ତି ସୃଷ୍ଟି ହେବ ଯେ, ବୋଧହୁଏ କେହି ବହୁମୂଲ୍ୟ ହୀରା, ନୀଳା, ମୋତି, ମାଣିକ୍ୟ ଓ ବୈଦୂର୍ଯ୍ୟର ମଣିମାଳାମାନଙ୍କୁ ଲମ୍ବେଇଦେଇଛି ପ୍ରାସାଦମାନଙ୍କ ଶିଖରରୁ । ଚନ୍ଦ୍ରିକା ଚର୍ଚ୍ଚିତ ରାତ୍ରିର ସୁଷମା ମଧ୍ୟ ଏହି ଆଲୋକସଜ୍ଜା ପାଖରେ ମନେ ହେଉଥିଲା ନିରର୍ଥକ, ନିଷ୍ପ୍ରଭ ।

 

ଆଗନ୍ତୁକଟି ପଥପ୍ରାନ୍ତରେ ଯାହାକୁ ଦେଖୁଥିଲା, ତା ପାଖେ କ୍ଷଣକାଳ ଅଟକି ସେଇ ଏକା ପ୍ରଶ୍ନ ପଚାରୁଥିଲା, “ରାଜଧାନୀର ଏ ଆୟୋଜନ କେଉଁ ଉପଲକ୍ଷେ ?” ମାତ୍ର ପଥଚାରୀ ରାଜଧାନୀବାସୀଏ ମୁହଁ ଟେକି ଏହି ବହିରାଗତ ଲୋକଟିକୁ ଥରୁଟିଏ କେବଳ ଚାହିଁବା ବ୍ୟତୀତ ଅନ୍ୟ କିଛି କରୁ ନ ଥିଲେ ବା କହୁ ନ ଥିଲେ । ସେମାନଙ୍କର ଏହି ଅହେତୁକ ନିରବତା ଆଗନ୍ତୁକଙ୍କୁ କରୁଥିଲା ଅଧିକ ବିସ୍ମିତ ଓ ହତବାକ୍‌ ।

 

ସେ ଦେଖୁଥିଲା...

 

ପଥପ୍ରାନ୍ତରେ ସ୍ଥାନେ ସ୍ଥାନେ ଶୋଭା ପାଉଛି ସବୁଜ କଦଳୀ ଗଛର ତୋରଣ । ପାଟକନାରେ ଗୁଡ଼ା ହୋଇଛି ସୁଉଚ୍ଚ ଖମ୍ବମାନ ଧାଡ଼ି ଧାଡ଼ି ହୋଇ । ପଥଚାରୀଏ ଚାଲିଛନ୍ତି ନିଜ ନିଜ ଗୃହ ଅଭିମୁଖେ ନିରବରେ, ସନ୍ତର୍ପଣରେ । ନୂଆ ବୋହୂମାନେ ନିଜ ନିଜ ଘର ଭିତରେ ସାଜିସୁଜି ବସିଛନ୍ତି କେଉଁ ଏକ ପ୍ରତୀକ୍ଷିତ ମୁହୂର୍ତ୍ତପାଇଁ । ସମସ୍ତେ ନିରବ । ଗୋଟିଏ ନିସ୍ତବ୍‌ଧ କୋଳାହଳର ଚିତ୍ର ସାଜିଛି ରାଜଧାନୀ ।

 

ବହୁ ପଥ ଅତିକ୍ରମ ପରେ ଜନୈକା ଭଦ୍ରମହିଳାଙ୍କୁ ପଥପାଶ୍ୱର୍ରେ ଦେଖି ଆଗନ୍ତୁକ ପଚାରିଲା, “ଭଦ୍ରେ, କହିପାରିବେ କି, ରାଜଧାନୀର ଏ ଯେଉଁ ଉତ୍ସବର ଆୟୋଜନ, କେଉଁ ଉପଲକ୍ଷେ ?”

 

ଆସନ୍ନପ୍ରସବା ପରି ପ୍ରତୀୟମାନା ସେହି ଭଦ୍ରମହିଳା ଇଙ୍ଗିତରେ କେବଳ ସୂଚେଇ ଦେଲେ ଯେ, କାହାକୁ କିଛି ନ ପଚାରି ସେ ବରଂ ଅପେକ୍ଷା କରିବା ଉଚିତ । ସମୟ ଆସିଲେ ବଳେ ସିଏ ସବୁ କିଛି ଜାଣିପାରିବେ ।

 

ପରିବେଶ ବର୍ତ୍ତମାନ ଲାଗୁଥିଲା କିଛି ପରିମାଣରେ ଭୌତିକ । ତେବେ କଣ କୌଣସି ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି ଏ ରାଜ୍ୟରେ ? ସମସ୍ତେ ଏପରି ଗମ୍ଭୀର, ନିରବ ଓ ବିଷଣ୍ଣ ଦିଶୁଛନ୍ତି କାହିଁକି ? ଜନପଦ, ସହର ଓ ରାଜପଥ ସବୁ ଏପରି ନିରବ ଓ କୋଳାହଳଶୂନ୍ୟ କାହିଁକି-?

 

ଅନନ୍ୟୋପାୟ ଆଗନ୍ତୁକ ସେଦିନ ବାଧ୍ୟ ହୋଇ ରାତ୍ରିଯାପନ କଲେ ଏକ ପରିତ୍ୟକ୍ତ ପାନ୍ଥଶାଳାରେ ।

 

“ରାତ୍ରଭୋଜନ ପାଇଁ କିଛି ଜାଳେଣି ଓ ଖାଦ୍ୟଦ୍ରବ୍ୟର ବ୍ୟବସ୍ଥା ହୋଇପାରିବ କି ମହାଶୟ ?” - ପାନ୍ଥଶାଳା ଦାୟିତ୍ୱରେ ଥିବା ପ୍ରୌଢ଼ଙ୍କୁ ପଚାରିଲେ ଆଗନ୍ତୁକ ।

 

“ଆପଣ ନିଶ୍ଚୟ ଏ ରାଜଧାନୀର ବାସିନ୍ଦା ନୁହଁନ୍ତି” - ଉତ୍ତର ଦେଇଥିଲେ ପ୍ରୌଢ଼ ଜଣକ ।

 

“ନା, ମୁଁ ଏକ ବିଶେଷ କାର୍ଯ୍ୟରେ ଆସିଥିଲି ରାଜଧାନୀକୁ । କାଲି ସକାଳେ ରାଜାଙ୍କୁ ସାକ୍ଷାତ୍‌ କରି ଫେରିଯିବି । ମାତ୍ର ଆଜି ବୋଧହୁଏ କୌଣସି ରାଷ୍ଟ୍ରୀୟ ପର୍ବ ପାଳନ କରାଯାଉଛି ରାଜଧାନୀରେ । ତେଣୁ, ନିରୁପାୟ ହୋଇ ଏହିଠାରେ ରାତ୍ରଯାପନ କରିବାକୁ ଇଚ୍ଛା କରିଛି ।”

 

“ଆପଣ ଜାଣିନାହାନ୍ତି ଆଗନ୍ତୁକ, ମହାରାଣୀ ଆସନ୍ନପ୍ରସବା । ଅପୁତ୍ରକ ମହାରାଜ ବହୁ କାଳ ପରେ ପିତୃତ୍ୱର ଗୌରବଲାଭ କରିବାକୁ ଯାଉଛନ୍ତି । କାଲି ସନ୍ଧ୍ୟାରୁ ମହାରାଣୀ ପ୍ରସବ ବେଦନା ଅନୁଭବ କରିଥିବା ସମ୍ବାଦ ପାଇଛୁ । ଏ ରାଜ୍ୟର ମହାରାଣୀ ଯେତେବେଳେ କଷ୍ଟ ଭୋଗୁଛନ୍ତି ସେତେବେଳେ ରାଜ୍ୟବାସୀ ସାଧାରଣ ଭାବରେ ଜୀବନଯାପନ କରିବା କଣ ହାସ୍ୟାସ୍ପଦ ନୁହେଁ ? ସେଥିପାଇଁ ଗତକାଲି ସନ୍ଧ୍ୟାରେ ପ୍ରକାଶିତ ରାଜସଭା ବିଶେଷ ବିଜ୍ଞପ୍ତିରେ ଦୁଇ ଦିନ ଧରି ରାଷ୍ଟ୍ରୀୟ ‘ବେଦନାନୁଭବ ଦିବସ’ ପାଳନ କରିବା ପାଇଁ ଆଦେଶ ଦିଆଯାଇଛି । ଏହି ଦୁଇ ଦିନ କାଳ କୌଣସି ପର୍ବପର୍ବାଣି ବା ସଭା ସମିତି ହୋଇପାରିବ ନାହିଁ । ସମସ୍ତେ ଯଥେଷ୍ଟ ବେଦନା ଅନୁଭବ କରିବା ପରି ଗମ୍ଭୀର ଓ ବିଷଣ୍ଣ ରହିବେ । କୁଳବଧୂଏ ପ୍ରସବ ବେଦନା ଭୋଗ କଲାପରି ନିଜ ନିଜ ଅନ୍ତଃପୁରରେ ନିରବରେ ବସି ରହିବେ । କୌଣସି ଯାନବାହନ ରାଜପଥ ଦେଇ ଚଳାଚଳ କରିପାରିବ ନାହିଁ ।”

 

“ମାତ୍ର ରାଜକୁମାରଙ୍କ ଜନ୍ମଲାଭ ସମ୍ବାଦ ଏମାନେ ବା ଜାଣିବେ କିପରି ?”

 

“ସେ ସମ୍ବାଦ ପରିବେଷଣ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ଆଗନ୍ତୁକ ! ରାଜପ୍ରାସାଦ ଉପରେ ଝୁଲୁଥିବା ନାଲି ଆଲୋକଟି ହଠାତ୍‌ ସବୁଜ ପାଲଟି ଯିବ । ସେଇ ମୁହୂର୍ତ୍ତରେ ନବଜାତ ରାଜପୁତ୍ରଙ୍କ କୁଆଁ କୁଆଁ ରାବ ସହ ତାଳ ଦେଇ ଶହେ ଏକ ସାହାନାଇର ସ୍ୱର ଝଙ୍କୃତ ହୋଇଉଠିବ । ସେ ସମୟରେ ଏକ ସହସ୍ର ହାବେଳି ରାଜପ୍ରାସାଦର ମୁଖ୍ୟ ଫାଟକ ପାଖରୁ ଆକାଶମାର୍ଗକୁ ପ୍ରେରଣ କରାଯିବ । ଆଉ ତାପରେ ରାଜ୍ୟବାସୀଏ ପୂର୍ବ ନିର୍ଦ୍ଦେଶମତେ ଆସନ୍ତା ଛଅ ମାସ ପାଇଁ ‘ରାଷ୍ଟ୍ରୀୟ ଆନନ୍ଦ ଉତ୍ସବ’ ପାଳନ କରିବାକୁ ପ୍ରସ୍ତୁତ ହୋଇଯିବେ । ରାଜପୁତ୍ର କୁନି କୁନି ଶବ୍ଦ ଉଚ୍ଚାରଣ କରିବା ପର୍ଯ୍ୟନ୍ତ ଏହି ଉତ୍ସବ ଅବ୍ୟାହତ ରହିବ ।”

 

ଆଗନ୍ତୁକ ଆଉ କିଛି ପ୍ରଶ୍ନ ପଚାରିବାକୁ ଯାଉଥିଲେ ହୁଏତ, ହଠାତ୍‌ ଘଣ୍ଟା, କାହାଳୀ, ହାବେଳି ଶବ୍ଦରେ ତାଙ୍କ କାନ ତାବଦା ହୋଇଗଲା । ସେ କଣଟାଏ ହେଉଛି ବୋଲି ସଚେତନ ହେବା ପୂର୍ବରୁ ପାନ୍ଥଶାଳାର ସେଇ ପ୍ରୌଢ଼ ଜଣକ ତାଙ୍କୁ କୋଳେଇ ନେଇ ନାଚିଉଠିଲେ ।

 

“ରାଜପୁତ୍ର ବିଜେ ହେଲେ, ରାଜପୁତ୍ର ବିଜେ ହେଲେ... !!”

 

ସ୍ୱପ୍ନଉତ୍‌ଥିତ ବାଚାଳଙ୍କ ପରି ସେ ନାଚିଗଲେ କେଇ ଘେରା । ଆଗନ୍ତୁକ ଚାହିଁଲେ ଦୂରରୁ ସେଇ ରାଜପ୍ରାସାଦ ଆଡ଼େ । ସତକୁ ସତ ଉଆସ ଶୀର୍ଷର ନାଲି ଆଲୋକଟି ପାଲଟି ଯାଇଥିଲା ସବୁଜ । ସେ ଉତ୍କଣ୍ଠା ଦମନ କରି ନ ପାରି ଅନ୍ଧାର ଭିତରେ ମାଡ଼ି ଚାଲିଲେ ଆଗକୁ ଆଗକୁ ।

 

ରାଜପ୍ରାସାଦ ସମ୍ମୁଖ ଲୋକାରଣ୍ୟ । ସମସ୍ତଙ୍କ ଭିତରେ ଗୋଟାଏ ଉତ୍କଣ୍ଠା- ରାଜକୁମାରଙ୍କୁ ଦର୍ଶନ କରିବେ । ମାତ୍ର ଏବେ ସୁଦ୍ଧା ନବଜାତ ରାଜକୁମାରଙ୍କ ପ୍ରଥମ ସ୍ନାନ ସରିନାହିଁ । ସେଥିପାଇଁ ଅନ୍ତଃପୁର ମଧ୍ୟରେ ମହଜୁଦ ଅଛନ୍ତି ପାଞ୍ଚ ଶହ ଧାଈ ଓ ପରିଚାରିକା । ନବଜାତ ରାଜକୁମାରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଦୁଇ ଶହ ଶିକ୍ଷିତ ଚିକିତ୍ସକ ଓ କବିରାଜ ମଧ୍ୟ ପ୍ରସ୍ତୁତ ଅଛନ୍ତି । ସେମାନଙ୍କ ସାଙ୍ଗରେ ମଧ୍ୟ ଅଛନ୍ତି ଦେଶର ଖ୍ୟାତନାମା ଗଣନାକାର ଓ ବିଦ୍ୱାନ୍‌ ପଣ୍ଡିତ । ରାଜପ୍ରାସାଦର ଫାଟକ ପାଖରେ ରକ୍ଷୀ ଓ ପ୍ରହରୀ । ମାଛିଟାଏ ପଶିବାକୁ ବାଟ ନାହିଁ । ଅଥଚ ରାସ୍ତା ଉପରେ ଲୋକମାନେ ରାଜକୁମାରଙ୍କୁ ଦେଖିବା ପାଇଁ ଅସ୍ଥିର !

 

ରାଜକୁମାର ରତ୍ନଖଚିତ ଦୁଗ୍‌ଧ ଫେନନିଭ କୋମଳ ଶଯ୍ୟାରେ ହସ୍ତପଦ ପ୍ରସାରଣ କଲେଣି ।

 

ରାଜପୁତ୍ରଙ୍କ ଜନ୍ମଲଗ୍ନ ସମୟରେ ଆକାଶରେ ଅଦ୍ଭୁତ ଭାବରେ ଉଜ୍ଜ୍ୱଳ ତାରାଟିଏ ଉଇଁଥିଲା ।

 

ରାଜପୁତ୍ର ଦିଗ୍‌ବିଜୟୀ ହେବାର ସମସ୍ତ ଶୁଭ ଲକ୍ଷଣ ଧରି ଆସିଛନ୍ତି । ଖୋଦ୍‌ ରାଜଜ୍ୟୋତିଷ ଏ କଥା କହିବାର ମୁଁ ଶୁଣିଛି ।

 

ଗହଳିଚହଳି ଭିତରେ ଏସବୁ ଥିଲା ରାଜ୍ୟର ସାଧାରଣ ଜନତାଙ୍କ ଆଲୋଚନା । ରାଜପୁତ୍ର ବିଜେ କରିଛନ୍ତି ।

 

ଦୀର୍ଘ ଛଅ ମାସ ପାଇଁ ଲିବ ରାଷ୍ଟ୍ରୀୟ ଆନନ୍ଦ ଉତ୍ସବ । ମହାମନ୍ତ୍ରୀ ନିର୍ଦ୍ଦେଶ ଜାରି କରି ସାରିଲେଣି । ଜନତାର ଆନନ୍ଦର ସୀମା ନାହିଁ ।

 

ଦୁଇ

 

ସିଏ ଥିଲା ରାଜଧାନୀଠାରୁ ବହୁ ଦୂରରେ, ଶୀର୍ଣ୍ଣକାୟ ନଈ ଧାରରେ ଏକ ମଫସଲ ଗାଁ । ସେ ଗାଁର ସ୍ଥିତି ଯଦି ଥାଏ କେଉଁଠି, ତାହେଲେ ରାଜାଙ୍କର ରାଜସ୍ୱ ଆଦାୟ ମାନଚିତ୍ରରେ ଥିବ । ଅନ୍ୟଥା ତାର ଯେ ଅନ୍ୟ କିଛି ସ୍ଥିତି ନାହିଁ, ଏ ସମ୍ପର୍କରେ ସେ ଗାଁର ଲୋକମାନେ ବିଶେଷ ଭାବରେ ସଚେତନ ।

ନଖଣ ମଳିକ ଗାଁର ଆଉ ଚାଷୀମାନଙ୍କ ସହ ବାସ କରି ଆସୁଛି ସେହି ତିନି ପୁରୁଷର ଭିଟାମାଟିକୁ ଜାବୁଡ଼ି ଧରି । ସିଏ ଜନ୍ମ ହେଇଥିଲା ଏହି ନାଳ ଗୋହିରି ଘେରା ଗାଁଟିରେ, ମରିବ ବି ଦିନେ ଏଇଠି ।

ଏ ଗାଁରେ ଦୁର୍ଭିକ୍ଷ ଆସେ, ଆସେ ମରୁଡ଼ି । ଦୁରାରୋଗ୍ୟ ହଇଜା, ମିଳିମିଳା ତ ଆସେ ନିୟମିତ ଭାବରେ । ଅନାହାର ମୃତ୍ୟୁ ମଝିରେ ମଝିରେ ହାତ ବୁଲେଇ ନିଏ ଏ ଗାଆଁ ଉପରେ ଅନ୍ଧାର ରାତିରେ ପହରିକିଆ ବିଲୁଆ ରଡ଼ିବା ପରି । ନଖଣ ମଳିକ ପରି ଥୋକେ ଲୋକ ଅତର୍ଚ୍ଛାରେ ରଡ଼ି ହୁଅନ୍ତି । ଦେଖୁ ଦେଖୁ କାନ୍ଦବୋବାଳି ପଡ଼ିଯାଏ ଗାଆଁସାରା । ଠାକୁରାଣୀ ମନ୍ଦିର ଆଗରେ ମାଜଣା ଚାଲେ, ମାତ୍ର କିଛି ହୁଏ ନାହିଁ । ଅଧରାତିରେ ପାଞ୍ଚ ସାତଟି କୋକେଇ ଉଠେ ମଶାଣି ଅଭିମୁଖେ ।

ମଶାଣି ଘୁଞ୍ଚି ଘୁଞ୍ଚି ଆସେ ଗାଁ ପାଖକୁ ।

ସେ ରାଜ୍ୟର ରାଜାଙ୍କ ପାଇଁ ଏ ଗାଁର ଲୋକମାନେ ବଞ୍ôଚଥାଆନ୍ତି ରାଜସ୍ୱ ଆଦାୟ ତାଲିକାରେ । ଫସଲ ଅମଳ ବେଳ ହେଲେ ରାଜସ୍ୱ ଆଦାୟର ପରୱାନା ଧରି ବହୁ ଶ୍ରମ ସ୍ୱୀକାର କରି ପହଞ୍ଚନ୍ତି ରାଜାଙ୍କର ନିଷ୍ଠାପର କର୍ମଚାରୀଏ । ଗାଁ ଲୋକଙ୍କ ଟାଳଟୁଳ ନୀତିକୁ ଭଲକରି ଜାଣନ୍ତି ସେମାନେ । ରାଜସ୍ୱ ଆଦାୟରେ ସାମାନ୍ୟତମ ଅବହେଳା ତେଣୁ ସେମାନଙ୍କୁ କଷ୍ଟ ଦିଏ । ପ୍ରଭୁଭକ୍ତ କର୍ମଚାରୀ ବଡ଼ କୁଣ୍ଠିତ ଚିତ୍ତରେ କାହା ଖଳାରେ ଧାନଗଦା ଜାଳି ଅଗ୍ନ୍ୟୁତ୍ସବ ମନାନ୍ତି ତ କାହା ଅଭିଆଡ଼ୀ ଯୁବତୀ ଝିଅକୁ ରାତି ଅନ୍ଧାରରେ ବହୁପୁରୁଷ ସଙ୍ଗ ଲାଭ କରିବାର ସୁଯୋଗ ଦିଅନ୍ତି । ଗାଆଁର ଅବାଧ୍ୟ କେହି ଯୁବକ ଏ କଥାକୁ ଭଲପାଇ ନ ପାରିଲେ ସେମାନଙ୍କ ହାତ, ଗୋଡ଼ ଅବା ନାକ କାଟିବାପରି ଅନୁଚିତ କର୍ମମାନ କରିବାକୁ ବେଳେବେଳେ ବାଧ୍ୟ ହୁଅନ୍ତି ସେମାନେ । ସେତିକିରେ ସେମାନଙ୍କ କାର୍ଯ୍ୟ ସହଜ ହୋଇଯାଏ । କେହି ଆଉ ପ୍ରତିବାଦ କରନ୍ତି ନାହିଁ । ଆପଣା ଘରକୁ ଶୂନ୍ୟ କରି ଧାନ, ମୁଗ, ବିରିର ବସ୍ତା ସଜାଡ଼ି ଦିଅନ୍ତି ଶଗଡ଼ ପିଠିରେ । ରାଜାଘର କର୍ମଚାରୀଏଁ ଚାଲିଯାଆନ୍ତି ଏ ଗାଁକୁ ପିଠି କରି । ତାପରେ ଶୂନ୍‌ଶାନ୍‌ ପଡ଼ିରହେ ସେ ଗାଆଁ ।

ନଖଣ ମଳିକ ଦିନମଜୁରିଆ । ରାତିଠାରୁ ସ୍ୱପ୍ନ ତାର ବଡ଼ - ସବୁବେଳେ ।

ବିବାହର ସାତ ବର୍ଷ ପରେ ଘରଣୀ ତାର ଫଳ ଧରିଛି । ପହିଲେ ଏ ଖବର ଯେଉଁଦିନ ଜାଣିଲା ନଖଣ, ଆନନ୍ଦରେ ଛାତି ତାର ଫୁଲି ଉଠିଥିଲା । କାଲିଠୁ କଷ୍ଟ ପାଇଲାଣି ଗୁରେଇ । ନାହାକ କହିଛି ତାର ପୁଅ ହେବ । ଅନ୍ଧାର ଘର କୋଣଟାରେ ଛିଣ୍ଡା କନ୍ଥାଟିଏ ପାରି ମୁହଁ ମାଡ଼ି ଶୋଇ ରହିଛି ଗୁରେଇ । ହାତଗୋଡ଼ ଛାଟି ହେଉଛି । ସ୍ଥିର ହୋଇ ରହିପାରୁ ନାହିଁ । ଥରକୁ ଥର ହୋଇ ତିନିଥର ମୂର୍ଚ୍ଛା ଗଲାଣି କାଲିଠାରୁ ।

କିଛି ଗୋଟାଏ କରିବାକୁ ହେବ । ମୂଲିଆ ମୁଣ୍ଡ ନଖଣ ମଳିକ । ପିତୃତ୍ୱର ଗୌରବ ତା ପାଇଁ ହାତୀମୁଣ୍ଡର ସୁନା କଳସୀ । ମାତ୍ର ପିତୃତ୍ୱର ଦାୟ ସିଏ ବୁଝିନାହିଁ । ଏହାପାଇଁ ଯେ ବିରାଟ ମୂଲ୍ୟ ବେଳେବେଳେ ଦେବାକୁ ପଡ଼େ ସେ କଥା ମଧ୍ୟ କେହି କହିନାହିଁ ତାକୁ ।

 

କାଲିଠାରୁ ନଖଣ ମଳିକର ମୁଣ୍ଡ କିଛି କାମ କରୁନାହିଁ । ତା ଗାଆଁର ସବୁଠୁ ପୋଖତ ଧାଈଠାରୁ ନିରାଶ ବାଣୀ ଶୁଣିବା ପରେ ସିଏ ଆଉ ଥୟ ଧରି ରହିପାରୁ ନାହିଁ ।

 

ଶେଷକୁ ସେ ସ୍ଥିର କଲା, ରାଜାଘର ହାସପାତାଳକୁ ଯିବ । ଆଗରୁ ଶୁଣିଛି ବଡ଼ ବଡ଼ ବେମାରୀ ହେଲେ ଲୋକେ ସେଠାକୁ ଯାଆନ୍ତି । ସେଠିକା ଡାକ୍ତରମାନେ ବିଲାତ ଫେରନ୍ତା । ସାକ୍ଷାତ ଧନ୍ୱନ୍ତରୀ । ସେମାନଙ୍କ ପାଇଁ ଗୁରେଇର ପିଲା ଜନ୍ମ କଥା ତ ବାଁ ହାତର ଖେଳ । ଆଉ ଅଧିକ ଡେରି ନ କରି ନଖଣ ଶଗଡ଼ ଯୋଚିଲା ହାସପାତାଳ ଅଭିମୁଖେ ।

 

ମୁହଁ ଅନ୍ଧାର ଭିତରେ ରାସ୍ତାଘାଟ ସଫା ଦିଶୁ ନାହିଁ ନଖଣ ମଳିକକୁ । ତଥାପି ସେ ବଳଦ ଯୋଡ଼ିକ ପିଠିରେ ପିଟି ଚାଲିଛି ତା ପାଞ୍ଚଣ ନିର୍ଦ୍ଦୟ ଭାବରେ । ଗାଡ଼ି ଭିତରେ ନିର୍ଜୀବ ହୋଇ ପଡ଼ିରହିଛି ଗୁରେଇ । ମଝିରେ ମଝିରେ ଦାନ୍ତ କାମୁଡ଼ି ହଉଛି, ଅସ୍ପଷ୍ଟ ଚିତ୍କାର କରୁଛି ପ୍ରସୂତି ଯନ୍ତ୍ରଣାରେ । ଶିରାପ୍ରଶିରା ତାର ଦୁହିଁ ହୋଇଯାଉଛି । ମୁଣ୍ଡ ବୁଲେଇ ଦେଉଛି, ଶଗଡ଼ର ଧକଡ଼ଚକଡ଼ରେ ।

 

ଅଣନିଃଶ୍ୱାସୀ ହୋଇ ଶଗଡ଼ ଦଉଡ଼ଉଛି ନଖଣ ମଳିକ । ଆଉ ମାତ୍ର ଅଳ୍ପ ଦୂର ରାଜାଘର ହାସପାତାଳ । ଆଲୁଅ ଦିଶିଲାଣି । ସାନ୍ତ୍ୱନାର ବାଣୀ ଶୁଣାଉଛି ଗୁରେଇକୁ ତାର- “ଧଇର୍ଯ୍ୟ ଧର, ବ୍ୟସ୍ତ ହଅନା । ଏଇ ଆମେ ପହଞ୍ଚିଗଲେଣି ହାସପାତାଳରେ ।”

 

ହାସପାତାଳରେ ପହଞ୍ଚିବାକ୍ଷଣି ନଖଣ ମଳିକ ମୁଣ୍ଡରୁ ଗାମୁଛାଟା ଖୋଲି କପାଳ, ବେକ ଓ ମୁହଁ କଷିକରି ପୋଛି ହେଇପଡ଼ିଲା । ଧୀରେ ଧୀରେ ସେ ଗୁରେଇକି ଧରି ଓହ୍ଲେଇ ଆଣିଲା ଶଗଡ଼ରୁ ।

 

ମାତ୍ର ହାସପାତାଳଟା ଏତେ ଖାଁ ଖାଁ ଲାଗୁଥିଲା ଯେ ନଖଣ ମଳିକ ପ୍ରଥମରୁ ହିଁ କେମିତି ଅସ୍ୱସ୍ତି ଅନୁଭବ କଲା । ଲମ୍ବା ବାରଣ୍ଡା ଦେଇ ସେ ଭିତରକୁ ପଶିବା ବେଳେ ଦୁଇପଟ ଘରମାନଙ୍କରେ ଖଟିଆ ଉପରେ ଶୋଇ ରହିଥିବା ରୋଗୀ ଓ ରୋଗିଣୀଙ୍କୁ ଦେଖିଲା । କାହାର ମୁଣ୍ଡ ଫାଟିଯାଇଛି ତ କାହାର ଗୋଡ଼ ଭାଙ୍ଗିଯାଇଛି । କେହି ଅବା ଆସନ୍ନ ମୃତ୍ୟୁକୁ ଅପେକ୍ଷା କରି କୁନ୍ଥେଇ ହେଉଛି ବିକଳ ଭାବରେ । ପାଖରେ କେହି ନାହିଁ । ଶୋଷ ବିକଳରେ ସୁରେଇ ଆଡ଼େ ହାତ ବଢ଼େଇ କେହି ଅବା ଆତୁର ହେଉଛି । ହାତ ପାଉନାହିଁ ସୁରେଇ ପର୍ଯ୍ୟନ୍ତ । କୋଣ ପାଖ ରୋଗୀଟିଏ ଅନବରତ କାଶି ହେଉଛି ଖୁଁ ଖୁଁ ହେଇ । ଅସ୍ଥିର ଯନ୍ତ୍ରଣାରେ ଛାଟିପିଟି ହଉଚି, ପିଠି ଆଉଁଶି ଦେବାକୁ ପାଖରେ କେହି ନାହିଁ । ଲମ୍ବା ଘରଟା ନଖଣ ମଳିକକୁ ମନେହେଲା ଯମପୁରୀ ପରି । ଚାରିଆଡ଼େ ଯନ୍ତ୍ରଣା, ଚିତ୍କାର । ଆଠ ଦଶଟା ବୁଲାକୁକୁର ରୋଗୀରୋଗିଣୀଙ୍କ ଖଟତଳ ଶୁଂଘି ଶୁଂଘି ବୁଲୁଛନ୍ତି । ବିଛଣା ଅଭାବରୁ ଛିଣ୍ଡା କନ୍ଥା ଖଣ୍ଡେ ପାରି ଶୋଇଥିବା ରୋଗୀଟି ପାଖରେ ବିରାଡ଼ିଟାଏ ଶୋଇଯାଇଛି । ନଖଣ ମଳିକର ମୁଣ୍ଡ ବୁଲେଇ ଦେଲା ଏସବୁ ଦେଖି । ଡାକ୍ତର କାହାନ୍ତି ? ଧାଈ କାହାନ୍ତି ? ତା ଗୁରେଇର କଣ ହେବ ?

 

ନଖଣ ମଳିକର ମୋହ ନିମିଷକେ ଭାଙ୍ଗିଗଲା । ରାଜାଘର ହାସପାତାଳ ସମ୍ପର୍କରେ ତାର ଯେଉଁ ଧାରଣା ତାହା ନିମିଷକେ ଦୂର ହୋଇଗଲା ।

 

ସେ ନିଜର ସବୁ ଶକ୍ତି ପ୍ରୟୋଗ କରି ଚିତ୍କାର କଲା:

 

ଡାକ୍ତର ବାବୁ...

 

ଡାକ୍ତର ବାବୁ...

 

ନଖଣ ମଳିକର ଏ ଚିତ୍କାର ରାତି ଅନ୍ଧାରର ନିର୍ଜନ ହାସପାତାଳର ସେଇ ଲମ୍ବା ଲମ୍ବା ଘରର ଉଚ୍ଚା କାନ୍ଥମାନଙ୍କରେ ପିଟିହୋଇ ଫେରି ଆସିଲା ତା ପାଖକୁ । ଅନ୍ୟ ଘରମାନଙ୍କରେ ଶୋଇଥିବା ରୋଗୀ ଓ ରୋଗିଣୀମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ ଏପରି ଏକ ପାଗଳର ଅନୁପ୍ରବେଶରେ ।

 

ନଖଣ ମଳିକ ଚାହିଁଲା ଗୁରେଇ ଆଡ଼କୁ । ବିପର୍ଯ୍ୟସ୍ତ ଗୁରେଇ ଗୋଟିଏ ଖୁଣ୍ଟକୁ ଧରି ଅଚେତ ହୋଇପଡ଼ିଛି । ପାଟିଧାରରୁ ବୋହି ଆସିଛି ଲାଳମିଶା ରକ୍ତ । ଦାନ୍ତ ଜାବ ପଡ଼ିଯାଇଛି ଗୁରେଇର । ଗୁରେଇ ଦିଶୁଛି ପେତିନୀଟେ ପରି ।

 

ନଖଣ ମଳିକ ପାଗଳ ହୋଇଗଲା । ଉଦ୍‌ବାସ୍ତୁ ପାଗଳ । ସିଏ ଧାଇଁ ଧାଇଁ ବୁଲିଲା ଏ କୋଣରୁ ସେ କୋଣ । ଏ ପ୍ରାନ୍ତରୁ ସେ ପ୍ରାନ୍ତ । ରାଜାଘର ହାସପାତାଳ ବାରଣ୍ଡାରେ ଘୂରି ଘୂରି ଖଣ୍ଡିଆ ଭୂତଟେ ପରି ଅନେକ ବେଳ ଧରି ଧାଉଁଥିଲା ନଖଣ ମଳିକ, ସେଇ ବିସ୍ତୀର୍ଣ୍ଣ ହାସପାତାଳ ହତା ଭିତରେ ବାଇଆଟେ ପରି । ଆଖିରେ ନାଚିଯାଉଛି ଗୁରେଇର ରକ୍ତାକ୍ତ ଚେହେରା, ବିକୃତ ମୁହଁ, ମୃତ୍ୟୁ ସହ ଯୁଝୁଥିବା ଗୁରେଇ । କଙ୍କାଳସାର ତାର ଦେହ, ବିପର୍ଯ୍ୟସ୍ତ କେଶବାସ, ଯିଏ ଟିକେ ଆଗରୁ ସପନ ଦେଖୁଥିଲା ତାର ଅନାଗତ ପୁଅଟି ବିଷୟରେ ।

 

ମାତ୍ର ଡାକ୍ତରଙ୍କୁ ପାଉନାହିଁ ନଖଣ । ସେ ଅଣ୍ଡାଳି ଅଣ୍ଡାଳି ପଢ଼ିବାକୁ ଚେଷ୍ଟା କଲା ଡାକ୍ତରଙ୍କ ବସାଘର ଗେଟ୍‌ ପାଖେ ଝୁଲୁଥିବା ନାମଫଳକକୁ । ବାହାରେ ଝୁଲୁଥିଲା ବଡ଼ ତାଲାଟିଏ, ଖତେଇ ହେବାପରି । ସେ ପୁଣିଥରେ ଚିତ୍କାର କଲା; ଡାକ... ତ... ର ବାବୁ...

 

ଭୋ-ଭୋ କରି ମାଡ଼ି ଆସିଲେ ବାଘ ପରି କୁକୁର ଯୋଡ଼ାକ ନଖଣ ମଳିକ ଆଡ଼େ । ନଖଣ ମଳିକ ଅତର୍ଚ୍ଛାରେ ଚିରିଚିରେଇ ଦଉଡ଼ିଲା ହାତପାତାଳକୁ ।

 

ଗେଟ୍‌ ପାଖେ କୁକୁରଟିଏ କଣ ଗୋଟେ ପାଟିରେ ଧରି ଘୋଷାରି ଘୋଷାରି ରାସ୍ତା ପାର ହୋଇଗଲା । ମଲା ପିଲାଟିଏ କି କଣ ! ଟୋପା ଟୋପା ରକ୍ତ ପଡ଼ିଛି ବାଟସାରା । ନଖଣ ମଳିକ ଭୟରେ ଆଖି ବୁଜିଦେଲା ।

 

ଅଚେତ ଗୁରେଇ ମୁହଁ ମାଡ଼ି ପଡ଼ିଥିଲା ସେପର୍ଯ୍ୟନ୍ତ । ଗୁରେଇ ପିନ୍ଧା ଲୁଗାରେ ରକ୍ତର ଲହଡ଼ି । ଚେତା ଫେରିନାହିଁ ତାର । ଗୁରେଇର ଅଣ୍ଟା ପାଖରୁ କିଛି ଦୂର ଯାଏ ଘୋଷରା ଦାଗ ଉପରେ ଟୋପା ଟୋପା ରକ୍ତ । କଅଁଳ ଛୁଆଟିର ଅନ୍ତବୁଜୁଳା ଲମ୍ବିଯାଇଛି ଫାଟକ ପର୍ଯ୍ୟନ୍ତ । ନଖଣ ମଳିକକୁ ବୁଝିବାକୁ ଆଉ କିଛି ବାକି ରହିଲା ନାହିଁ ।

 

ସେ ଗୁମ୍‌ ହେଇ ଠିଆ ହେଇଗଲା । ତା ସାମ୍ନାରେ ଗୁରେଇର ରକ୍ତାକ୍ତ ଦେହ । ମରିଛି କି ଜିଇଁଛି ଜାଣିନାହିଁ ସିଏ । ଚଳତ୍‌ଶକ୍ତିବିହୀନ ପଥର ଖଣ୍ଡେ ପାଲଟି ଯାଇଛି ତା •ରିପାଖର ପୃଥିବୀ - ରାଜାଘର ଡାକ୍ତରଖାନା, ରାସ୍ତା, ଗଛ, ବୁଲାକୁକୁର ଓ ରୋଗୀ ରୋଗିଣୀ ସମସ୍ତେ ଘୂରୁଛନ୍ତି ।

 

ମଟରଗାଡ଼ିର ଆଖି ଝଲସା ଆଲୁଅରେ ଚେତା ଫେରି ପାଉଛି ନଖଣ ମଳିକ । ଡାକ୍ତର ବାବୁ ଫେରୁଛନ୍ତି ବୋଧହୁଏ । ତାଙ୍କ ବସାଘର ସାମନାରେ ଅଟକୁଛି ଗାଡ଼ି । ଡାକ୍ତର ବାବୁ ହଲି ଦୋହଲି ଗେଟ୍‌ ମେଲେଇ ପଶିଯାଉଛନ୍ତି ଭିତରକୁ । ତାଙ୍କ ପଛେ ପଛେ ଡାକ୍ତରାଣୀ । ଗେଟ୍‌ ବନ୍ଦ ହେଇଯାଉଛି । ଭାରି ଥକି ପଡ଼ିଛନ୍ତି ସେମାନେ । ରାଜାଘର ଉତ୍ସବରେ ଯୋଗ ଦେବାଲାଗି କଷ୍ଟ ସହି ସେମାନେ ଯାଇଥିଲେ ରାଜଧାନୀ ।

 

ନଖଣ ମଳିକ ତା ଶଗଡ଼ ଆଡ଼କୁ ଚାହିଁଲା ।

 

ରାସ୍ତା ଅନ୍ଧାର ।

Image

 

ଚିଡ଼ିଆଖାନା

 

ସକାଳେ ଯେଉଁଠି ଅପ୍ରେଲର ଖରା ଚିକ୍‌ଚିକ୍‌ କରୁଥିଲା ଏଇନେ ସେଠୁ ଖାଲି କୁହୁଳା ଧୂଆଁ କୁଣ୍ଡଳୀ ମୋଡ଼ି ଉପରକୁ ଉଠୁଛି । ନଡ଼ିଆ ଗଛର ବାହୁଙ୍ଗା ଉପରେ ଯେଉଁଠି ସକାଳେ ହଳଦୀବସନ୍ତଟିଏ ବସି ଚଞ୍ଚୁ ଘଷୁଥିଲା, ଶାଗୁଣାଟାଏ ଏଇନେ ସେଠି ଚିର୍‌ଚିରେଇ ଉଠୁଛି । ଚାରିଆଡ଼େ ଖାଲି ପୋଡ଼ା ଗନ୍ଧ । ସେ ଗନ୍ଧ ରବରର, କାଗଜର, ମସିଣାର, କୁଲା, ଟୋକେଇ, ଧାନ, ଚାଉଳ ଆଉ ସିଝା ମଣିଷ ମାଂସର । ରାତି ଅଧଟାରେ ବି ଗାଁଟାର ହାୱା ଦିପହରର ଝାଞ୍ଜି ପରି ଫୋଡ଼ି ହୋଇଯାଉଛି । ମଝିରେ ମଝିରେ ଗାଆଁ ଦାଣ୍ଡରେ ମୁଣ୍ଡ କୋଡ଼ି ହେଉଥିବା ମାଇପିମାନଙ୍କର ନିଷ୍ଫଳ ଚିତ୍କାର ଅମେଇସା ରାତିର କିଳିକିଳା ପେତିନୀ ରାବ ପରି ହାଡ଼ ଥରେଇ ଦଉଛି । ସକାଳେ ଯାହା ଥିଲା ସବୁଜ ସୁନ୍ଦର ତାଳତମାଳ ଘେରା ଗୋଟାଏ ବିରାଟ ଜନବସ୍ତି, ଏବେ ସେଇଟା ପାଲଟି ଯାଇଛି ଏକ ବିରାଟ ମଶାଣି ।

 

ହରି ନାହାକ ଆଉ ଥରେ ପଛକୁ ଫେରି ଚାହିଁଲା । ଛାତି ଥରେଇ ଦୀର୍ଘଶ୍ୱାସଟିଏ ବାହାରି ଆସିଲା ତା ଭିତରୁ । ସେ ଭୋ’କିନା କାନ୍ଦିଉଠି ନିଜ ମୁଣ୍ଡ ବାଳକୁ ଦୁଇ ହାତ ମୁଠାରେ ଝିଙ୍କିଦେଲା-। ଦୁଇ ଆଣ୍ଠୁ ସନ୍ଧିରେ ମୁହଁ ଲୁଚେଇ ନିଃଶବ୍ଦରେ ଲୁହ ଢାଳିଲା । ତାର ସବୁ ସ୍ୱପ୍ନ, ସବୁ ବାସ୍ତବତା, ସବୁ ଯୋଜନା, ସବୁ କଳ୍ପନା, ତାର ଇତିହାସ ଓ ଭବିଷ୍ୟତ ସବୁ କିଛି ପୋଡ଼ିଜଳି ପାଉଁଶ ହୋଇ ଉଡ଼ିଯାଇଛି । ସେ ଉନ୍ମାଦ ପରି ଘରର ପୋଡ଼ା ପାଉଁଶକୁ ଦୁଇ ହାତରେ ମୁଠା ମୁଠା କରି ଗୋଟେଇ ନିଜ ଦେହ ମୁଣ୍ଡରେ ବୋଳି ହୋଇପଡ଼ିଲା ଓ ବଡ଼ ପାଟିରେ ଡାକି ଉଠିଲା, “ବା...ଲୋ...ବା... ।’’

 

କାଲି ସଞ୍ଜବେଳେ ତା ବାପା ତାକୁ ପିଣ୍ଡାରେ ବସି ପାଳଦଉଡ଼ି ତିଆରି କରୁ କରୁ କହୁଥିଲା, “ବୁଝିଲୁ ହରି, ତୁ ଯାହା କହ ପଛେ, ଆଉ ଡେରି ନୁହେଁ । ମୋ କଥା ମୁଁ କହୁନାହିଁ । ତୋ ବୋଉର ଧିଅ ମୁଣ୍ଡକୁ ଅନା । ବୁଢ଼ୀ ଲୋକ, ଘରବାଡ଼ି କାମକୁ ପାରୁନାହିଁ । ଆମ ଅଭାବ କଣ ଆଉ କେଉଁଦିନ ମେଣ୍ଟିବ ? ସବୁଦିନେ ଏଇ ଏକା ଦଶା । ଆଇଲା ବଇଶାଖରେ ବାହାଘର ଝାମେଲାଟା ସାରିଦେଲେ ଯାଏ ।” ହରିଆର ଠିକ୍‌ ମନେ ପଡ଼ୁଛି ବୋଉ ତାର ସେତେବେଳେ ହାଣ୍ଡିଶାଳେ ବସି ଚୁଲିକୁ ଜାଳ ମୁହଁଉଥିଲା ଓ ଦାଣ୍ଡ ପିଣ୍ଡାକୁ ଅନେଇ ବାପ ପୁଅଙ୍କ କଥା ଶୁଣୁଥିଲା-। ଆଗରୁ ଢେର୍‌ ଥର ତା ବାହାଘର କଥା ବୋଉ କହିଚି । ଘର ଅଭାବରୁ ଚାହିଁ ଆଉ ଗୋଟାଏ ପେଟ ବଢ଼ାଇବା ପାଇଁ ହରିଆ କିନ୍ତୁ ଚାହିଁନାହିଁ ।

 

ପିନ୍ଧା କାନିରେ ଆଖି ପୋଛି ଠିଆହେଲା ହରିଆ । ଜହ୍ନ ଆଲୁଅରେ ପାଉଁଶବୋଳା ଦେହଟା ତାର ଦିଶୁଥିଲା ବାବନାଭୂତ ପରି । ତା ବଂଶରୁ ସେଇ ଏକା ବଞ୍ଚି ରହିଛି ଏତେ ସୁଖ, ଦୁଃଖ, କଷ୍ଟ ଓ ଯମଦଶା ଭୋଗ କରିବା ପାଇଁ, ମୁଣ୍ଡ କୋଡ଼ି ହେବାପାଇଁ । ତା ମନ ଭିତରୁ କିଏ ଯେମିତି କହି ଉଠୁଥିଲା- ତୁ’ଟା ବଂଶମରା ଡାହୁକ । ବୁଢ଼ାବୁଢ଼ୀ ଦିଟାଙ୍କୁ ଖାଇଲୁ, ଅଭିଆଡ଼ା ରହିବୁ ତ ଏଣିକି ସବୁଦିନ । ତୋ ବଂଶରେ କେହି ଆଉ ରହିବେ ନାହିଁ ପିତୃପୁରୁଷକୁ ପାଣିଦେବା ପାଇଁ । ହରିଆ ଉଠିପଡ଼ି ନିଜକୁ ପ୍ରବୋଧିଲା- ଯା’ ହେବାର ହେଇଗଲା । ପଛ କଥାକୁ ଭାବି ହେଲେ କି ତା ପାଇଁ ମୁଣ୍ଡ କଚାଡ଼ି କାନ୍ଦି କାନ୍ଦି ନଈ ବାଲିକୁ ତିନ୍ତେଇ ଦେଲେ ମଲା ମଣିଷ ଜୀବନ ଫେରି ପାଇବନି । ଉଜୁଡ଼ା ଘର ସଜାଡ଼ି ହେଇ ଯିବନି । ତାରି ତ ଏକା ଏଇ ଦଶା ହେଇନି । ଏତେ ବଡ଼ ଗାଁଟା ଗୋଟାଏ ଦିନରେ ଜଳିପୋଡ଼ି ପାଉଁଶ ହୋଇଗଲା । ତା ବାପାମା’ଙ୍କୁ ଛାଡ଼ିଦେଲେ ଗାଁରେ ଚାରିଜଣ ଏମିତି ପୋଡ଼ି ହୋଇ ମରିଛନ୍ତି । ସିଏ ଏକୁଟିଆ ନିଜକୁ ଏତେ ଧିକ୍କାରୁଛି କାହିଁକି ? ନିଆଁ ଲାଗିବାବେଳେ ସେ କଣ ଗାଁରେ ଥିଲା ?

 

ନିଜର ବ୍ୟକ୍ତିଗତ ଦୁଃଖକୁ ସାମୂହିକ ଦୁଃଖ ଭିତରେ ହଜେଇ ଦେଇ ହରିଆ ଟିକିଏ ସାହସ ଖୋଜୁଥିଲା ।

 

ସେ ଏଥର ତା ବାପା ବୋଉଙ୍କ ମଡ଼ା ପାଖକୁ ଗଲା । ନିଆଁରେ ପୋଡ଼ିହୋଇ ବୀଭତ୍ସ ଦିଶୁଥିଲା ସେ ଦୁହିଙ୍କର ଚେହେରା । ମଣିଷର ରୂପ ପୁଣି ଇମିତି ବିକୃତ ହୋଇପାରେ ? ନିଜର ଗାମୁଛାଟାକୁ ଦୁହିଁଙ୍କ ଉପରେ ଢାଙ୍କିଦେଲା ହରିଆ । ଚାରିହାତି ଗାମୁଛାଟାରେ ଦି ଦିଟା ମଣିଷଙ୍କର ମଡ଼ା ଘୋଡ଼ାଇ ହଉଛି ବା କେମିତି ? ସଞ୍ଜବେଳେ ସରକାରୀ ଜିପ୍‌ରେ ଏସ୍‌.ଡି.ଓ. ଆସିଥିଲେ । ଦି ଖଣ୍ଡ ଧଳା ଥାନ ଦେଇ ଯାଇଥିଲେ ତାକୁ । ତା ମୁଣ୍ଡ ତ ସେତେବେଳେ ଠିକ୍‌ ନ ଥିଲା । କେଉଁଠି ରଖିଛି ଥାନ ଦିଖଣ୍ଡ ଯେ ରାତିଟାରେ ଖୋଜି ହେବ ?

 

ହରିଆ ଭାବୁଥିଲା କୌଣସିମତେ ଗାଁମୁଣ୍ଡ ମଶାଣି ଯାଏ ମଡ଼ା ଦିଟିକି ନେଇଗଲେ ସେ ନିଜେ ସେମାନଙ୍କ ଶବଦାହ କରିପାରନ୍ତା । କିନ୍ତୁ ଏକାକୀ ବା ସେ ସେମାନଙ୍କୁ ନେବ କିମିତି ? ମଝିସାହିକି ଦଉଡ଼ି ଯାଇ କାହାକୁ ଡାକି ଆଣନ୍ତା । ହେଲେ କୁକୁର ଶିଆଳଙ୍କୁ ଭରସା ନାହିଁ । ମଣିଷର ଇମିତିକା ସର୍ବନାଶ ବେଳେ ପଶୁଗୁଡ଼ାଙ୍କର ଦରଦ ଆସେ ନାହିଁ । ତଥାପି ସେ ମଝିସାହି ଆଡ଼େ ମୁହାଁଇଲା । ଦୁଇପାଦ ଯାଇଛି କି ନାହିଁ ଜିପ୍‌ର ଉଜ୍ଜ୍ୱଳ ଆଲୁଅ ତା ମୁହଁ ଉପରେ ପଡ଼ିଲା । ସେ ଆଖି ଦିଟାକୁ ନିଜ ହାତରେ ଢାଙ୍କି ପକାଇଲା । ଜିପ୍‌ରୁ ଜଣେ ବାବୁ ଓହ୍ଲେଇ ପଡ଼ି କହିଲେ, “ତମେ ସରକାରଙ୍କ ରିଲିଫ୍‌ ପାଇଲଣି ?” ହରିଆ କିଛି କହିବା ପୂର୍ବରୁ ଜିପ୍‌ରେ ବସିଥିବା ଗାଁ ସରପଞ୍ଚ ତାକୁ ସାନ୍ତ୍ୱନା ଦେଇ କହିଲେ, “ଏବେଳେ ଏତେ ଅଧୈର୍ଯ୍ୟ ହେଲେ ହେବ ହରି ? ମଣିଷ ଜନମ ତ ଏଇଆ । ଯିଏ ଗଲେ ସିଏ ଗଲେ । ଏସ୍‌.ଡି.ଓ. ସାହେବ ପୁଣି ଆସିଛନ୍ତି ରିଲିଫ୍‌ ବାଣ୍ଟିବାକୁ, ନେ । କଣ କରିବି ? ଦିନସାରା ଏକୁଟିଆ ଦଉଡ଼ି ଦଉଡ଼ି ଧନ୍ଦି ହଉଛି । ଆଜି ରାତିରେ କଲେକ୍ଟର ଆସିବେ । କାଲି ସକାଳେ ମନ୍ତ୍ରୀ । ହଉ ତୁ ନେ । ଗାଆଁ ସାରା ବୁଲି ରିଲିଫ୍‌ ବାଣ୍ଟିବାର ଅଛି । ଯା, ଜାଗା ଆଣ ବେଇଗି ।” ଆଖିଲୁହକୁ ସେ ଡେବିରି ହାତରେ ପୋଛିଆଣି ସରପଞ୍ଚ ବଢ଼ାଇଥିବା କାଗଜ ଉପରେ ଟିପ ମାଡ଼ିଦେଲା । ଚୁଡ଼ାଚାଉଳତକ ସେଇ ଘରଡ଼ିହ ଉପରେ ଥୋଇଦେଇ ହରିଆ ଚାଲିଲା ମଝିସାହିକୁ । କିଏ ଜଣେ ବଡ଼ପାଟିରେ କହୁଥିଲା, ‘ସରପଞ୍ଚଟା ପକ୍‌କା ହାରାମୀ । ଏସ୍‌.ଡି.ଓ. ବି କିଛି କମ୍‌ ନୁହେଁ... ରିଲିଫ୍‌ ସବୁ ବାଟମାରଣା ହୋଇଯାଇଛି । ଆମର ସର୍ବନାଶକୁ ତାଙ୍କର ପୁଷମାସ । ହେଲେ ଏଥର ସହଜେ ଛାଡ଼ିବୁନି ତାଙ୍କୁ ।’

 

ହରିଆ ଜାଣିଲା ଏସବୁ ତୁଚ୍ଛା କଥା । କିଛି ଗୋଟାଏ କାମ ହେଲେ ଏମିତିକା ଦଳେ ଲୋକ କହନ୍ତି । ସରପଞ୍ଚଟା ଖରାପ, ହେଲେ ତମେ କେଉଁ ଭଲ ଲୋକ ? ତମେ ବି ତା ଜାଗାରେ ଥିଲେ ସେୟା କରିଥାଆନ୍ତ । ତମ ଅସାବଧାନତାରୁ ତମ ଘର ପୋଡ଼ିଗଲା । ସରକାର ସେପାଇଁ ଦାୟୀ ହେବ କାହିଁକି ? ଯା’ହେଉ, ସରପଞ୍ଚ ତ ତାକୁ ଦିଖଣ୍ଡ ଥାନ ଓ ଚୁଡ଼ାଚାଉଳ ଦେଲେ ? ଏତେ ଦୌଡ଼ାଦୌଡ଼ିରେ ତାଙ୍କର ବି ପଇସା ଖର୍ଚ୍ଚ ହେଇଥିବ । ଏସବୁ ତୁଚ୍ଛା ବିତଣ୍ଡା; ଏଥିରେ ଶାଗ ଶିଝେ ନାହିଁ । ପାଖରେ ଛିଡ଼ା ହେଇଥିବା ପହଲିକି ସେ ଡାକିଲା- “ପହଲି ଭାଇ, ତେମେ ଟିକେ ଆସନ୍ତ କି, ବାପା ବୋଉଙ୍କୁ ମଶାଣି ଯାଏ ନେଇ ଯାଆନ୍ତେ ।”

 

ହରିଆର ଏକଥା ଶୁଣି ପହଲି ଖିଙ୍କାରି ଗୋଡ଼େଇ ଆସିଲା- “ଚୁପ୍‌ ବେ ଓଲୁ । କିଛି ହେଇନି, କହୁଛି ମଡ଼ା ନେଇ ପୋଡ଼ି ଆସିବ । ଆରେ ଅବିକା ପୋଡ଼ିବୁ ଯାହା କାଲି ସଞ୍ଜବେଳେ ପୋଡ଼ିବୁ ସେୟା ।” ପହଲି ଏତିକି କହି ଗରମାଗରମ ଭାଷଣ ଦେଉଥିବା କୁଶୁନି ନାହାକକୁ ଶୁଣେଇ ଶୁଣେଇ କହିଲା, “କୁଶିଆ ଭାଇ, ଶୁଣିଲଣି ନା ହରିଆ କଥା ? କହୁଛି ମଡ଼ା ନେଇ ରାତାରାତି ପୋଡ଼ିଦେଇ ଆସିବ ।”

 

କୁଶୁନି ନାହାକ ଏ ଗାଁର ଯୁବନେତା । ସବୁ କଥାକୁ ସେ ଆଗ । ବେଶିଦିନ ଭୁବନେଶ୍ୱରରେ ଥାଏ କେଉଁ ଏମ୍‌.ଏଲ୍‌.ଏ. ନ ହେଲେ ଠିକାଦାର ବସାରେ । ସେ ହରିଆ ପାଖକୁ ଲାଗିଆସି ତା କାନ ପାଖରେ କହିଲା, “ଖବର୍‌ଦାର ହରି, ସେ ଭୁଲ୍‌ କରିବୁନି । କାଲି ସକାଳେ ମୁଖ୍ୟମନ୍ତ୍ରୀ ଆସିବେ । ମଡ଼ା ଏମିତି ପଡ଼ି ରହିଥିଲେ ପାଇବୁ ଦଶ ହଜାର । ଆଉ ଯଦି ଆମ କଥା ନ ମାନି ରାତିରେ ଯାଇ ପୋଡ଼ିଦେଇ ଆସିବୁ ପଛକୁ ଆମକୁ ଦୋଷ ଦେବୁନି । ତୋର ଘର ଦି ବଖରା ପୋଡ଼ିଯାଇଛି । ପୁଣି ନୂଆ କରି ଘର ତୋଳେଇବୁ ନା ନାହିଁ ? ଅବିକା ରାଜନୀତି ହାଉଆ ବଡ଼ ଗରମ । ଦେଖିବୁ ମୁଖ୍ୟମନ୍ତ୍ରୀ ବସିଲା ଠା’ରୁ ଉଠି ଧାଇଁ ଆସିବେ । ଆମେ ପୁଣି କଟକର ଖବରକାଗଜବାଲାଙ୍କୁ ବି ତାର ପଠେଇ ସାରିଛୁ । ସେମାନେ ଆସି ପହଞ୍ଚିଯିବେ ।” ହରିଆ ବଡ଼ ବଡ଼ ଆଖିରେ କୁଶିଆକୁ ଚାହିଁଥିଲା । ତାର ଆଖି ଦିଟା ବଳଦ ଆଖି ପରି ନିରୀହ, ଡବଡବା । ସେ ଖୁବ୍‌ ଚିନ୍ତାକରି କହିବା ପରି କୁଶିଆକୁ କହିଲା, “ଆମ ବୁଢ଼ାବୁଢ଼ୀ ପୋଡ଼ି ହୋଇ ମରିବା କଥା ତ ଆଉ ମିଛ ନୁହେଁ । ମଡ଼ା ପୋଡ଼ିଦେଇ ସେଇକଥା କାଲି ମନ୍ତ୍ରୀଙ୍କୁ କହିଲେ ସେ କଣ ସାହାଯ୍ୟ କରିବେନି ?” କୁଶିଆ ବୁଝେଇବା ଢଙ୍ଗରେ କହିଲା, “ବୁଝିଲୁ ହରି, ତତେ ମୁଁ କିମିତି ବୁଝେଇବି ବାଟ ପାଉନି । ଶୁଣା କଥା ତ ଦୂରର, ଏ ମନ୍ତ୍ରୀଗୁଡ଼ାକ ଦେଖା କଥା ବି ବିଶ୍ୱାସ କରୁନାହାନ୍ତି । ତୁ ତ ଖବରକାଗଜ ପଢ଼ୁନା । ନ ହେଲେ ଜାଣିଥାଆନ୍ତୁ । କଳାହାଣ୍ଡିରେ ନିତି ପିଲା ଖର୍ଦ୍ଦିବିକ୍ରି ହେଉଛନ୍ତି । ମନ୍ତ୍ରୀ କଣ ସେ କଥା ବିଶ୍ୱାସ କରୁଛନ୍ତି, ଓଲଟି ଦେଖିଲା ମେନ୍ତେ କହୁଛନ୍ତି ଏସବୁ ମିଛ । ସବୁ ଠିକ୍‌ ଚାଲିଛି । ତେଣୁ ତୁ ମୋ କଥା ମାନ । ମହାପାତ୍ର ବାବୁଙ୍କୁ ବି କହିଛି ଗୋଟାଏ କ୍ୟାମେରାମ୍ୟାନ୍‌ ଯୋଗାଡ଼ କରି ଫଟୋ ସବୁ ଉଠେଇ ରଖିବା ପାଇଁ । ଏଥର ସରକାର ସାହାଯ୍ୟ ନ ଦେଇ ଯିବେ କୁଆଡ଼େ ?”

 

ହରିଆ ତଥାପି ପଚାରିଲା, “ହେଲେ ବାସି ମଡ଼ା ଦିଟା ସେମିତି ପକେଇ ରଖିବି କୁଶିଆଇ, ମତେ ନର୍କବାସ ହୋଇଯିବ ନା ନାଇଁ ।”

 

ପହଲି ହଠାତ୍‌ ମଝିରୁ ବାହାରି କହିଲା, “ଆରେ ମଡ଼ାର ପୁଣି ବାସି ସଜ କଣ ? ମଲା ମଣିଷ କଣ ଏସବୁ ଦେଖିବ ନା ବୁଝିବ?”

 

ହରିଆ ବୁଝିଲା, ଏଠି ଆଉ ଛିଡ଼ା ହୋଇ ଲାଭ ନାଇଁ । କୁଶିଆଇ ବି ଠିକ୍‌ କଥା କହୁଛି । ନୂଆ କରି ଘର ଦି ବଖରା ତୋଳିବାକୁ ତାର ତ ଫେର ଟଙ୍କା ଦରକାର । ମଡ଼ା ପୋଡ଼ିଦେଲେ ମନ୍ତ୍ରୀ ଯଦି ତା କଥା ଅବିଶ୍ୱାସ କରି ଟଙ୍କା ନ ଦିଅନ୍ତି ! ସେ ଯେମିତି ଭାରୀ ପାଦରେ ମଝିସାହି ଯାଏ ଯାଇଥିଲା ସେମିତି ଫେରିଆସିଲା ନିଜ ଘର ଡିହକୁ । ତା ଅନୁପସ୍ଥିତିର ସୁଯୋଗ ନେଇ ଦିଟା ବୁଲାକୁକୁର କେଉଁଠୁ ଆସି ମଡ଼ା ଦିଟାର ହାତଗୋଡ଼ ଟାଣିବାରେ ଲାଗିଥାଆନ୍ତି । ସେ ବଡ଼ପାଟିରେ ହେ ହେ କହି କୁକୁର ଆଡ଼କୁ ଧାଇଁଗଲା ।

 

ଏତିକିବେଳେ କଣ ଆଲୁଅଟା ଚକ୍‌ କରି ହଠାତ୍‌ ନିଭିଗଲା । କିଏ ଜଣେ ଝୁଲାଟାଏ କାନ୍ଧରେ ଓହଳେଇ ସେଇ ବାଟ ଦେଇ ଚାଲିଗଲା ।

 

ହରିଆ ଜାଣିପାରିଲା ନାହିଁ । କିନ୍ତୁ ସେ ଜଣକ ଥିଲା ଫଟଉଠାଳି ।

 

ନିଜର ସମ୍ପାଦିତ ଖବରକାଗଜ ଅଫିସ୍‌ ଭିତରେ ଟେବୁଲ୍‌ ଉପରେ ମୁଣ୍ଡ ପୋତି ସମ୍ପାଦକ ଶ୍ରୀଯୁକ୍ତ ଦେଶପାଣ୍ଡେ ବସିଥାନ୍ତି । ଟେବୁଲ ଉପରେ ଅଗ୍ନିକାଣ୍ଡର ବିସ୍ତୃତ ରିପୋର୍ଟ ଓ ରୋମାଞ୍ଚକର ଫଟୋଗ୍ରାଫ୍‌ ସବୁ । ଯୁବ ସାମ୍ବାଦିକ ଜଣକ ଟିକିନିଖି ରିପୋର୍ଟ ଲେଖିଛନ୍ତି । ଦମକଳବାହିନୀ ପହଞ୍ଚିବାରେ ବିଳମ୍ବ, ସରକାରୀ ରିଲିଫ୍‌ ବଣ୍ଟନରେ ହେରଫେର, ଜିଲ୍ଲାପାଳଙ୍କର ସରଜମିନ ତଦନ୍ତରେ ଅବହେଳାଠାରୁ ଆରମ୍ଭ କରି ବିରୋଧୀ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ପର୍ଯ୍ୟନ୍ତ କିଛି ତଥ୍ୟ ସେ ବାଦ୍‌ ଦେଇ ନାହାନ୍ତି । ଷ୍ଟୋରିଟା ବଡ଼ ଚମତ୍କାର ହେଇଚି । ବର୍ତ୍ତମାନର ସରକାରଙ୍କୁ ଆଚ୍ଛା ପାନେ ଦେବା ପାଇଁ ୟା’ଠୁ ଭଲ ମଉକା ଆଉ କେବେ ମିଳି ନ ଥିଲା ।

 

ଦେଶପାଣ୍ଡେଙ୍କ ସମ୍ପାଦିତ କାଗଜଟି ଚାଞ୍ଚଲ୍ୟକର ସମ୍ବାଦ ପରିବେଷଣ ପାଇଁ ବହୁ ଚର୍ଚ୍ଚିତ-। ଏମିତିକା ଖବର ପୁଣି କାଗଜର କାଟତି ପାଇଁ ବେଶ୍‌ ଜରୁରୀ । ସେ ଜାଣନ୍ତି ଯେକୌଣସି ଘଟଣାର ‘ପଜିଟିଭ୍‌’ ଦିଗ ଅପେକ୍ଷା ‘ନେଗେଟିଭ୍‌’ ଦିଗଟି ପାଠକଙ୍କୁ ବେଶି ଆମୋଦିତ କରେ; ଇଏ ଆଜିର ଏକ ବ୍ୟାଧିତ ମାନସିକତା ।

 

ଗତ କିଛି ମାସ ହେବ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କ କାଗଜ ଆଶାଜନକ ବିଜ୍ଞାପନ ପାଉ ନାହିଁ । ପୁଣି ମୁଖ୍ୟମନ୍ତ୍ରୀ ଆଜିକାଲି ତାଙ୍କୁ ଧରାଛୁଆଁ ଦେଉ ନାହାନ୍ତି । ଅଗ୍ନିକାଣ୍ଡ ସଂପର୍କିତ ଯେଉଁ ଫଟୋଗୁଡ଼ାକ ତାଙ୍କ ପାଖେ ପହଞ୍ଚିଛି ସେଗୁଡ଼ିକ ବିନା ‘ହେଡିଂ’ରେ ଛାପିଦେଲେ ବି ବିଧାନସଭାରେ ହଇଚଇ ପଡ଼ିଯିବ । ସେ ଭୁବନେଶ୍ୱର ଟେଲିଫୋନ୍‌ ଲଗେଇଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହ ବେଶ୍‌ କିଛି ସମୟ ଉତ୍ତେଜିତ କଣ୍ଠରେ କଥାବାର୍ତ୍ତା ହେବା ପରେ ଶେଷ ଆଡ଼କୁ ତାଙ୍କ ମୁହଁରେ ଉଲ୍ଲାସର ଚିହ୍ନ ଫୁଟିଉଠିଲା । ମୁଖ୍ୟମନ୍ତ୍ରୀ ତାଙ୍କର ଫୋନ୍‌ କରିବାର ଉଦ୍ଦେଶ୍ୟ ବୁଝିପାରିଛନ୍ତି । ଅଗ୍ନିକାଣ୍ଡ ଓ ତା ପରବର୍ତ୍ତୀ ଅବହେଳା ସମ୍ପର୍କୀୟ ସମସ୍ତ ଅଭିଯୋଗ ତେଣୁ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ଉପରେ ଲଦି ନ ଦେଇ ସବ୍‌ଡିଭିଜନ୍‌ସ୍ତରୀୟ ଓ ବ୍ଲକ୍‌ସ୍ତରୀୟ ଅଧିକାରୀଙ୍କ ଉପରେ ଲଦିଦେବା ଉଚିତ ହେବ । ମୁଖ୍ୟମନ୍ତ୍ରୀ ଏ କଥାର ମଧ୍ୟ ସୂଚନା ଦେଇଛନ୍ତି ଯେ ଦରକାର ହେଲେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଏଇ ଘଟଣା ପରିପ୍ରେକ୍ଷୀରେ ଟ୍ରାନ୍‌ସଫର୍‌ କରିଦେବା ପାଇଁ ସେ ପ୍ରସ୍ତୁତ ଅଛନ୍ତି । କୌଣସି ଖବରକାଗଜ ରିପୋର୍ଟ ଉପରେ କଲେକ୍ଟର ଟ୍ରାନ୍‌ସଫର ହେବା ସେ କାଗଜ ପାଇଁ କିଛି କମ୍‌ କଥା ନୁହେଁ ।

 

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏକଥା ଅବଶ୍ୟ ସମ୍ପାଦକଙ୍କୁ ଜଣେଇବାକୁ ଚାହିଁ ନ ଥିଲେ ଯେ କଲେକ୍ଟରଙ୍କୁ ସ୍ଥାନାନ୍ତରିତ କରାଯାଉଥିବାର ଉଦ୍ଦେଶ୍ୟ ତାଙ୍କ କାଗଜର ରିପୋର୍ଟ ନୁହେଁ-। ସେ ତ କେବଳ ଲୋକଦେଖାଣିଆ ପଦକ୍ଷେପ । ପ୍ରକୃତ ପକ୍ଷେ ସେଠାକାର କଲେକ୍ଟର ଅନେକଦିନ ଧରି ତାଙ୍କର ହୋମ୍‌ ଡିଷ୍ଟ୍ରିକ୍ଟକୁ ବଦଳି ହୋଇ ଯିବାକୁ ଚାହୁଁଥିଲେ । ଏଇ ହେଲା ଗୋଟିଏ ଢେଲାରେ ଦୁଇଟି ଶିକାର ।

 

ଦୁଇ ଦିନ ଦୁଇ ରାତି କାଳ ଅନିଦ୍ରା ହୋଇ ମଶା ଡାଆଁଶ ଓ କୁକୁର ବିଲୁଆଙ୍କ ମେଳରେ ରହି ଦୁର୍ଘଟଣା ସମ୍ବଳିତ ପୁଙ୍ଖାନୁପୁଙ୍ଖ ତଥ୍ୟ ସଂଗ୍ରହ କରିଥିବା ଯୁବସାମ୍ବାଦିକ ଜଣକ ଯେତେବେଳେ ଦେଖିଲେ ଯେ ତାଙ୍କର ସେ ରିପୋର୍ଟଟି କ୍ଷତବିକ୍ଷତ ହୋଇ ଭିନ୍ନ ଉଦ୍ଦେଶ୍ୟ ସାଧନର ଆୟୁଧ ରୂପେ ବ୍ୟବହୃତ ହେବାକୁ ଯାଉଛି, ସେ ତାର ପ୍ରତିବାଦ କରିବାଲାଗି ସମ୍ପାଦକଙ୍କୁ ତୁରନ୍ତ ସାକ୍ଷାତ୍‌ କଲେ । ସମ୍ପାଦକ ଯୁବ ସାମ୍ବାଦିକଙ୍କର ଏ ପ୍ରକାର ଆଚରଣରେ ତିଳେମାତ୍ର ଆଶ୍ଚର୍ଯ୍ୟ ନ ହୋଇ ତାଙ୍କୁ ବୁଝିବା ପାଇଁ ବାଧ୍ୟ କଲେ ଯେ ସେ ଯାହା ନିଷ୍ପତ୍ତି ନେଇଛନ୍ତି ତାହା ସମ୍ବାଦପତ୍ରର ସ୍ୱାର୍ଥ ଦୃଷ୍ଟିରୁ ସର୍ବୋତ୍ତମ । ସୁତରାଂ “ଭୟାବହ ଅଗ୍ନିକାଣ୍ଡରେ ଦୁଇ ଶହ ଘର ଭସ୍ମୀଭୂତ, ଲକ୍ଷାଧିକ ଟଙ୍କାର ଧନଜୀବନ ନଷ୍ଟ, ସରକାରଙ୍କ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍‌ ବଣ୍ଟନ ଓ ଅଗ୍ନିକାଣ୍ଡ ଘଟିବାର ଆଠଘଣ୍ଟା ଭିତରେ ଜିଲ୍ଲାପାଳ ଉପସ୍ଥିତ ନ ହେବାରୁ ତାଙ୍କର ବଦଳି ଆଦେଶ” ଇତ୍ୟାଦି ଛୋଟ ବଡ଼ ହେଡ୍‌ଲାଇନ୍‌ ଥିବା ସମ୍ବାଦ ପ୍ରକାଶ କଲେ କିଛି ଗୁରୁତର ତ୍ରୁଟି ହେବ ନାହିଁ ବୋଲି ସେ ବୁଝାଇ ଦେଲେ । ସେ ଚାହିଁଲେ ପ୍ରସ୍ତୁତ ରିପୋର୍ଟଟି ପରବର୍ତ୍ତୀ ସମୟରେ କୌଣସି ବାହାର କାଗଜରେ ଛାପି ନିଜର ପରିଶ୍ରମ ସାର୍ଥକ କରିପାରିବେ । ମାତ୍ର ସେଥିରେ ସରକାରଙ୍କୁ ଦୋଷାରୋପ ପ୍ରସଙ୍ଗଟି ବାଦ ଦିଆଯିବା ଉଚିତ ହେବ; ଯେହେତୁ ସାମ୍ବାଦିକ ଜଣଙ୍କ ଅଦ୍ୟାବଧି ଭୁବନେଶ୍ୱରରେ ଖଣ୍ଡିଏ ସରକାରୀ କ୍ୱାର୍ଟର ପାଇଁ ଆବେଦନପ୍ରାର୍ଥୀ । ସାମ୍ବାଦିକ ଜଣକ ତାଙ୍କର ଅଭିଜ୍ଞ ଓ ବୟସ୍କ ସମ୍ପାଦକଙ୍କ ଆଡ଼କୁ ଚାହିଁଲେ । ନିଜର କ୍ଷଣିକ ଉତ୍ତେଜନା ଏବଂ ଭାବପ୍ରବଣତା ପାଇଁ ସଙ୍କୁଚିତ ହେଲେ ଓ ସମ୍ପାଦକଙ୍କ ପରାମର୍ଶ ଅନୁଯାୟୀ ଖବରଟି ଛାପିବା ପାଇଁ ନିଜେ ସଂପୃକ୍ତ ବିଭାଗରେ ସେଇଟି ପହଞ୍ଚାଇ ଦେଲେ ।

 

ଅଗ୍ନିକାଣ୍ଡ ଘଟିବାର ସାତଦିନ ହୋଇଗଲାଣି । ହରିଆ ନାହାକ ଉଦ୍‌ବାସ୍ତୁଙ୍କ ପରି ପୋଡ଼ା ଘର ଡିହ ଉପରେ ବସି ରହିଥାଏ । ସେଦିନ ରାତିରୁ ସେ ଗାଁ ନେତାଙ୍କ କଥା ମାନି ବାପା ବୋଉଙ୍କ ମଡ଼ା ପକେଇ ରଖିଥିଲା । ପରଦିନ ମୁଖ୍ୟମନ୍ତ୍ରୀ ଆସିଥିଲେ । ସବୁରକମ ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଗରେ ମଡ଼ାଗୁଡ଼ାକ ଉପରୁ ଲୁଗା ଟେକି କୁଶିଆ ଦେଖେଇଥିଲା । ସେଇ ଅବସ୍ଥାରେ ହରିଆର ୨୫/୩୦ଟା ଫଟୋ ବି ଉଠିଥିଲା । ଅଠେଇଶ ବର୍ଷ ଜୀବନକାଳ ଭିତରେ ଏତେଥର ଫଟୋ ତାର କେବେ ଉଠି ନ ଥିଲା । କିନ୍ତୁ ମନ୍ତ୍ରୀ ତାଙ୍କ ନାଲି ନାଇଟ୍‌ ଲଗା ଧଳା ଗାଡ଼ିରେ ଚାଲିଯିବା ପରଠାରୁ କୁଶିଆ କି ପହଲି ଧରାଛୁଆଁ ଦେଉନାହାନ୍ତି । ସରପଞ୍ଚ ଓଲଟି ରାଗି ଖପ୍‌ପା । ତାଙ୍କ କହିବା କଥା ହେଉଛି, ସେ ଘରପୋଡ଼ି ଦିନ ରାତିରେ ତାକୁ ରିଲିଫ୍‌ ଦେବା ସତ୍ତ୍ୱେ ସେ ମଡ଼ାଗୁଡ଼ାକ ପୋଡ଼ି ନ ଦେଇ କାହିଁକି ପକେଇ ରଖିଲା ? ଏଥିରେ ତାର ଶାସକ ଦଳର ଓ ମୁଖ୍ୟମନ୍ତ୍ରୀଙ୍କର ବଦ୍‌ନାମ ହୋଇଛି । ଅବଶ୍ୟ ମୁଖ୍ୟମନ୍ତ୍ରୀ ଏପରି ଘଟଣା ସରକାରଙ୍କୁ ବଦନାମ କରିବା ପାଇଁ ବିରୋଧୀଦଳର ହୀନ ଚକ୍ରାନ୍ତ ବୋଲି ବିବୃତି ଦେବା ପରେ ସରପଞ୍ଚ ନିଜକୁ ଯଥେଷ୍ଟ ନିରାପଦ ମନେ କଲେଣି ।

 

ହରିଆ ଆକାଶକୁ ଅନେଇଲା । ସେ ବୁଝିପାରୁ ନ ଥିଲା ଏସବୁ କଣ ତା ଚାରିପଟେ ଘଟିଯାଉଛି । ଗୋଟିଏ କଥା ସେ ବୁଝିପାରୁଥିଲା ଯେ, ଏଇ ଯେଉଁମାନେ ଚାଲିଗଲେ ସେମାନେ କେହି ଆଉ ତା ପାଖକୁ ଆସିବେ ନାହିଁ । ତା ଉଜୁଡ଼ା ଘରକୁ ସଜାଡ଼ି ଦେବାପାଇଁ କେହି ତାକୁ କିଛି ଦେଇ ଯିବେ ନାହିଁ । ଏହି ସପ୍ତାହକ ଭିତରେ ଭଳିକି ଭଳି ଲୋକ ତା ପାଖକୁ ଆସି ଗଲେଣି । ସମସ୍ତଙ୍କର ଅଲଗା ଅଲଗା ମତଲବ । କିଏ କହିଛି ସେ ସରକାରୀ ସାହାଯ୍ୟ କିଛି ପାଇନାହିଁ ବୋଲି କହୁ, କିଏ କହିଛି ସେ ଶହେ ଜାଗାରେ ହଜାରେ ପାଇଛି ବୋଲି କହୁ । କିଏ କହିଛି ନିଜ ଜାଣତରେ ସେ ଭାଇବନ୍ଧୁଙ୍କୁ ଅପେକ୍ଷା କରି ବାସିମଡ଼ା ପକେଇ ରଖିଥିଲା ବୋଲି ଲେଖୁ, କିଏ କହୁଛି ପଇସା ଅଭାବରୁ ସେ ମଡ଼ା ପୋଡ଼ି ପାରୁନଥିଲା ବୋଲି ଲେଖିଦେଉ । ତାଙ୍କ ଭିତରୁ କେତେକ ତାକୁ କେତେ ବାଗରେ ବସେଇ, ଛିଡ଼ା କରେଇ ଭିନ୍ନ ଭିନ୍ନ ଫଟୋ ଉଠେଇ ନେଇଛନ୍ତି । କିଏ କେତେଖଣ୍ଡ କାଗଜରେ ଟିପଚିହ୍ନ ବି ନେଇଯାଇଛନ୍ତି । ସେତେବେଳେ ହରିଆ ନିଜକୁ ଚିଡ଼ିଆଖାନାର ଜୀବଟେ ପରି ଭାବୁଥିଲେ ବି କାଳେ ସତକୁ ସତ ଏ ପାଇଁ ତାର କିଛି ଲାଭ ହେବ, ଏଇ ଭରସାରେ କିଛି ପ୍ରତିବାଦ କରିପାରି ନାହିଁ ।

 

ମାତ୍ର ସେମାନେ ସବୁ ଗଲେ କୁଆଡ଼େ?

 

ହରିଆର ଖାଲି ଦୁଃଖ ହେଉଥିଲା, ଶେଷ ବେଳେ ସେ ତା ବୁଢ଼ା ବାପା ମା’କୁ ଶାନ୍ତି ତ ଟିକେ ଦେଇପାରିଲା ନାହିଁ, ତାଙ୍କ ମଡ଼ାକୁ ବି ବିଲୁଆ କୁକୁରଙ୍କ ଠାରୁ ଦୂରେଇ ପାରିଲା ନାହିଁ । ଏଇ କଥା ପଦକ ରହି ରହି ତା ଭିତରୁ ତାକୁ ଧିକ୍କାରୁ ଥିଲା । ତାକୁ ଲାଗୁଥିଲା ଏ ଗାଁ ଛାଡ଼ି ସେ ତୁରନ୍ତ ପଳେଇ ନ ଗଲେ ତାକୁ ଏ ଦିଗୋଡ଼ିଆ ବିଲୁଆ କୁକୁରମାନେ ଶାନ୍ତିରେ ଟିକେ ବଞ୍ଚିବାକୁ ଦେବେ ନାହିଁ ।

 

ସେ ଉଠିଲା । ଶେଷଥର ପାଇଁ ତାର ପୋଡ଼ା ଡିହକୁ ଚାହିଁ ଗୋଟାଏ ଦୀର୍ଘଶ୍ୱାସ ନେଲା ଓ ସିନ୍ଦୂରା ଫାଟିବା ଆଗରୁ ରାତି ଅନ୍ଧାର ଭିତରେ ମିଶିଗଲା ।

Image

 

କଙ୍କାଳର ଅଭିମାନ

 

ଗାଆଁରେ ପହଞ୍ଚିବା ପରେ ବିଜନ ଜୀବନରେ ପ୍ରଥମ ଥର ପାଇଁ ବନ୍ୟା-ବାତ୍ୟାର ନିର୍ମମ ସ୍ୱାକ୍ଷର ଦେଖିବାର ସୁଯୋଗ ପାଇଲା । ଗାଆଁଟା ତ ଆଉ ଗାଆଁ ହୋଇ ନାହିଁ- ସତେକି ମରୁଭୂମିଟାଏ ! ଏତେବଡ଼ ଗାଆଁଟାରେ ପୁରୁଷ ଲୋକର ପାଟି ଶୁଭୁନାହିଁ ଆଦୌ । କିଏ କୁଆଡ଼େ ପଳେଇଛନ୍ତି ପେଟ ବିକଳରେ କଲିକତା, ଆସାମ, ଅନୁଗୁଳ କି କୋରାପୁଟ । ଗାଆଁମୁଣ୍ଡର ସ୍କୁଲ୍‌ ଘରଟା ସଂପୂର୍ଣ୍ଣ ଭାଙ୍ଗିଯାଇଛି । ବିଜନର ଆଖିରେ ଲୁହ ଜକେଇ ଆସିଲା ।

 

ଗାଆଁରେ ତାର ପ୍ରଥମ ଦିନଟି କେମିତି ବିତିଲା ତାହା ସେ ନିଜେ ବି ଜାଣିପାରିଲାନି । ଗାଆଁଯାକର ପିଲା, ମାଇପେ ତାଙ୍କ ଘର ଆଗରେ ଭିଡ଼ ଲଗେଇଥିଲେ । ଗାଆଁଟା ଭିତରେ ତାଙ୍କରି ଏକା କୋଠାଘର । ମହାପାତ୍ର ଘରର ଆଜବେଷ୍ଟସ୍‌ ଘର ଓ ଖୁଣ୍ଟିଆ ଘରର ଟାଇଲ ଘର ଛାଡ଼ିଦେଲେ ସବୁଯାକ ଘର ନଡ଼ା ଛାଉଣି । ସେସବୁ ଏ ବର୍ଷ ଛପର ହେଇନି କି ହେବାର ସମ୍ଭାବନା ମଧ୍ୟ ନାହିଁ । ବିଲବାଡ଼ିରେ ଲୁଣା ମାଡ଼ିଯାଇଛି । ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ସେଥିରେ ଫସଲ ଫଳିବ କି ନାହିଁ କିଏ ଜାଣେ ! ଗାଆଁ ପୋଖରୀଟାର ପାଣି ଲୁଣିଆ । ଏକମାତ୍ର ଟ୍ୟୁବ୍‌ୱେଲ୍‌ଟି ଏତେଗୁଡ଼ାକ ଲୋକଙ୍କର ଚାହିଦା ସହି ନପାରି ଅଥର୍ବ ପାଲଟି ଯାଇଛି ଅନେକ ଦିନୁ-

 

ମନ୍ତେଇରେ ଜୁଆର ଆସିଛି, ପୁଣି ଯାଇଛି ।

 

ମଗୁଶିର ଓ ମାଘର କେତେ ବାହାଲଗ୍ନ ଆସିଛି ପୁଣି ଯାଇଛି ।

 

ରଘୁ ସାମଲଙ୍କ ଝିଅ ରୀନା ବାହା ହୋଇପାରିନି ।

 

କୁଆଁରୀ କନିଆଁ ବୁଢ଼ୀ ହୋଇଛି ।

 

ନାୟକ ଘରର କୁଳଲକ୍ଷ୍ମୀ ଶୋଭା ଭାଉଜ ମଧ୍ୟ ଆଜି ହତଲକ୍ଷ୍ମୀ ।

 

ପାଞ୍ଚ ବର୍ଷର କୋଳ ଛୁଆଟାକୁ ଛାଡ଼ିଦେଲେ ଶୋଭା ଭାଉଜର ନିଜର ବୋଲି ଆଉ କେହି ନାହିଁ । ଶାଶୂ ଶ୍ୱଶୁର ଚାଲିଯାଇଛନ୍ତି ଆରପୁରକୁ ଜଣକ ପରେ ଜଣେ ହୋଇ । ବୈକୁଣ୍ଠ ପଳେଇଛି କୋରାପୁଟ । ଦି ବର୍ଷ ବିତିଗଲାଣି ଅଥଚ ତାର ଚିଠି ଖଣ୍ଡିଏର ଦେଖା ଦର୍ଶନ ନାହିଁ । ନାଲ୍‌କୋରେ ଚାକିରି ପାଇଯିବାର ଆଶାରଖି ଯାଇଥିବା ବୈକୁଣ୍ଠ ଆଜି ନିଜର ପୈତୃକ ପ୍ରାଣଟି ଧରି ବଞ୍ଚି ରହିଛି କି ନା ସେ ସମ୍ପର୍କରେ ଏ ଗାଆଁର ଅଧିକାଂଶ ଲୋକ ଏବେ ସନ୍ଦିହାନ ।

 

ବିଜନର ଆଜି ବି ମନେଅଛି ସେଦିନର କଥା, ଯେଉଁଦିନ ଶୋଭା ଭାଉଜଙ୍କ ବାପା ତା ଘରକୁ ବିବାହ ପ୍ରସ୍ତାବ ନେଇ ଆସିଥିଲେ । କିନ୍ତୁ ବିଜନର ବାପା ପୁଅର ପାଠପଢ଼ା ବାକି ଅଛି ବୋଲି କହି ଯେତିକି ଅନିଚ୍ଛା ପ୍ରକାଶ କରିଥିଲେ ଏ ପ୍ରସ୍ତାବରେ, ବିଜନର ମାଆ ମଧ୍ୟ ତାହାଠାରୁ ବେଶୀ ଅରାଜି ହୋଇଥିଲେ କନ୍ୟାପକ୍ଷ ଭଲ ଯୌତୁକ ଦେଇ ପାରିବାର ଅସାମର୍ଥ୍ୟ ଉପଲବ୍‌ଧି କରି । ତା ନ ହୋଇଥିଲେ ଆଜି ହୁଏତ ଛନ୍ଦା ସ୍ଥାନରେ ଶୋଭା ହିଁ ଥାଆନ୍ତା ।

 

ଥରେ ବୈକୁଣ୍ଠ ଘରକୁ ବିଜନ ଆମନ୍ତ୍ରିତ ଅତିଥି ରୂପେ ଯାଇଥାଏ । ଶୋଭା ଭାଉଜ ଲାଜ ଲାଜ ହୋଇ ଖାଇବା ପରଶୁ ଥାଆନ୍ତି । ବୈକୁଣ୍ଠ ସବୁବେଳେ ରସିକପଣିଆ କରିବାକୁ ମଜାପାଏ । ସେଦିନ ସେ କହିଥିଲା, “ଏମିତି ଲାଜ ଲାଜ କଣ ହେଉଛ ବିଜନ ସାମ୍ନାରେ । ଭଗବାନ ଚାହିଁଥିଲେ ଆଜି ତ ତମେ ବିଜନର ସ୍ତ୍ରୀ ହୋଇଥାଆନ୍ତ ।” ବାସ୍‌, ତାପରେ ଶୋଭା ଭାଉଜ ମୁହଁଟାକୁ ଗମ୍ଭୀର କରି ଚାଲିଯାଇଥିଲେ ରୋଷେଇ ଘରକୁ ଯେ ଏମାନଙ୍କ ଖାଇବା ଶେଷ ପର୍ଯ୍ୟନ୍ତ ଆଉ ସାମ୍ନାକୁ ଆସି ନ ଥିଲେ ।

 

“ଶୁଣୁଛ- କଣ ଶୁଣୁଛ ନା ନାହିଁ ମ ?” - ଛନ୍ଦାଙ୍କ କଣ୍ଠରେ ବ୍ୟଗ୍ରତା । “ଏଇ ଦେଖିଲ, କିଏ ଆସିଛି ।”

 

“କିଏ ?” ବିଜନ ପଚାରିଲା ।

 

“ତମେ ଆଗେ ଚିହ୍ନିଲ ।”

 

ବିଜନ ଚାହିଁଲା ସାମ୍ନାକୁ । ଚାରି ପାଞ୍ଚ ବର୍ଷର ପିଲାଟିଏ ଛୋଟ ଛୋଟ ପାଦ ପକେଇ ଆସୁଛି ତା ଆଡ଼େ । କାଲି ବୋଧହୁଏ ପିଲାଙ୍କଠାରୁ ବିଜନ ବିସ୍କୁଟ୍‌ ଓ ଚକୋଲେଟ୍‌ ଦେଇଥିବା କଥା ସେ ଶୁଣିଛି ।

 

ବିଜନ ଛନ୍ଦାଙ୍କ ଉଦ୍ଦେଶ୍ୟରେ ପଚାରିଲା, “କିଏ ଏ ପିଲାଟି? କାହା ପୁଅ?”

 

“ଆଗେ ତମେ ଚିହ୍ନି କହିଲ ।”

 

“ନା- ମୁଁ ତ ୟାକୁ ଚିହ୍ନିପାରୁନି ।”

 

“ଆରେ, ଏ ପରା ତମ ବୈକୁଣ୍ଠ ମାନେ ବଇଭାଇଙ୍କ ପୁଅ ।”

 

“ସତେ ! ଏ ଶୋଭା ଭାଉଜଙ୍କ ପୁଅ ମୁନା ?”

 

ବିଜନ ମୁନାକୁ ଚାହିଁଲା । ଗୋରା ତକତକ ଚେହେରା ଅଭାବର ମାଡ଼ରେ ମହଳଣ ପଡ଼ିଯାଇଛି । ଦେହରେ ଚିରାଗଞ୍ଜିଟେ ବ୍ୟତୀତ ଆଉ କିଛି ବେହରଣ ନାହିଁ । ବିଜନର ମନଟା ନରମି ଗଲା । ସେ ଆଦରରେ କୋଳେଇ ନେଲା ମୁନାକୁ ।

 

ପାଖରେ ଛନ୍ଦା, ଆଉ ଛନ୍ଦା କୋଳରେ ବିଜନର ପୁଅ ବବୁଲୁ । ତା ଦେହରେ ନାଲି ସ୍ୱେଟର, ମୁଣ୍ଡରେ ସବୁଜ ଟୋପି, ଗୋଡ଼ରେ ମୋଜା ଓ ହାତରେ ଉଲେନ୍‌ ଗ୍ଲୋଭ୍‌ସ । ଶୀତର ଚାରା ନାହିଁ ବବୁଲୁର ଛାଇ ମାଡ଼ିବାକୁ ।

 

ଅଥଚ ମୁନା?

 

ବିଜନ ଡାକିଲା, “ଛନ୍ଦା, ବବୁଲୁର ସେ ଛୋଟ ଚାଦରଟା ମୁନାକୁ ଘୋଡ଼େଇ ଦେଲ ! ପିଲାଟା ଶୀତରେ କିମିତି ଥରୁଛି । ବିସ୍କୁଟ୍‌ ଚକୋଲେଟ୍‌ ଆଣି ତାକୁ ଦିଅ । ସେ ଖାଉ!”

 

ପର ପିଲା ପ୍ରତି ଜଣେ ନାରୀର ଯେତିକି ସ୍ନେହଶ୍ରଦ୍ଧା ରହିବା କଥା ତାଠାରୁ ଊଣା ସ୍ନେହଶ୍ରଦ୍ଧା ମୁନା ପ୍ରତି ନ ଥିଲେ ବି ନିଜ ପୁଅର ଦାମୀ ଶାଲ୍‌ଟା ତାକୁ ଦେଇଦେବାକୁ ଛନ୍ଦାର ମନ ବଳୁ ନଥିଲା । ତାର ଏଇ ନାରାଜ ଭାବକୁ ବିଜନ ବୁଝିପାରିଲା । ସେ ନିଜେ ଉଠିଯାଇ ଆଲଣାରୁ ଚାଦରଟା ଆଣି ମୁନାକୁ ଘୋଡ଼େଇ ଦେଲା । ହାତରେ ତାର ଧରେଇଦେଲା ବିସ୍କୁଟ୍‌ ପ୍ୟାକେଟ୍‌ଟିଏ-

 

ମୁନା ଅମୂଲ୍ୟ ନିଧି ପାଇବା ପରି ତରତର ହୋଇ ଦାଣ୍ଡ ଅଗଣାକୁ ବାହାରି ଯାଇଥିଲା । ବବୁଲୁର ଶାଗୁଆ ଚାଦରଟା ତାକୁ ବେଶ୍‌ ମାନୁଥିଲା ।

 

ବିଜନ ସାମ୍ନାରେ ଆଇନାଟାକୁ ମୁହଁସଳଖ କରି ଦାଢ଼ିଖିଅର ହେବାରେ ଲାଗିଲା । ଛନ୍ଦା ଚାଲିଯାଇଥିଲା ବାଡ଼ିପଟକୁ ବବୁଲୁକୁ ସାଙ୍ଗରେ ନେଇ ।

 

ମାତ୍ର ପାଞ୍ଚ ଦଶ ମିନିଟ୍‌ ଯାଇଛି କି ନାହିଁ ବାଡ଼ିପଟୁ ଛନ୍ଦାର ବିକଳ ଚିତ୍କାର ଶୁଣି ବିଜନ ଉଠିପଡ଼ିଲା । ଛନ୍ଦା ବି ସେତିକିବେଳେ ଭିତରକୁ ପଶିଆସି କହିଲା, “ଶୁଣୁଛ, ଏଆଡ଼େ ଟିକେ ଆସିଲ!”

 

ତା କଣ୍ଠରେ ବ୍ୟଗ୍ରତା ଯୋଗୁ କଣ ହୋଇଛି ବୋଲି ପଚାରିବାକୁ ବିଜନ ଭରସି ପାରିଲା ନାହିଁ । ସେ ତତ୍‌କ୍ଷଣାତ୍‌ ଟାୱେଲଟା ଦେହରେ ପକେଇ ବାଡ଼ିପଟକୁ ବାହାରିଗଲା ।

 

ପାଖଘରୁ ଛୁଆଟିଏ ରାହାଧରି କାନ୍ଦୁଥିଲା ବିକଳରେ । କେହି ଜଣେ ତା ପିଠି ଉପରେ ନିର୍ଧୁର୍ମ ମାଡ଼ ମାରି ଚାଲିଥିଲା । କିଏ ମାରୁଛି ଓ କିଏ ମାଡ଼ ଖାଉଛି ଏସବୁ ଅବାନ୍ତର ପ୍ରଶ୍ନକୁ ଅପେକ୍ଷା ନ ରଖି ସେ ପାଟିକରି ଉଠିଲା, “ଆରେ ଆରେ - କିଏ ସେଠି ? କଣ ଛୁଆଟାକୁ ମାରିପକେଇବ ନା କଣ ?”

 

ଛନ୍ଦା କହିଲା, “ଦେଖିଲ, ଶୋଭା ଭାଉଜ କେମିତି ମୁନାକୁ ପିଟି ପକାଉଛନ୍ତି । ତମେ ଭଲା ଟିକେ ଯାଇ ତାଙ୍କ ହାତରୁ ପିଲାଟାକୁ ଛଡ଼େଇ ଆଣ... ।”

 

ବିଜନ ଠିକ୍‌ ସେଇଆ ଭାବୁଥିଲା । ଛନ୍ଦାର କଥା ଶେଷ ହେବାକୁ ନ ଦେଇ ସେ ବାଡ଼ିପଟ ଦେଇ ଧାଇଁଗଲା । ଦାଣ୍ଡ ଆଗରେ ଚାରି ପାଞ୍ଚ ଜଣ ସ୍ତ୍ରୀ ଲୋକ ନିଜ ନିଜ ଭିତରେ ଗପସପ କରିବାରେ ବ୍ୟସ୍ତ ।

 

ବିଜନ ଝଡ଼ବେଗରେ ଘର ଭିତରକୁ ପଶିଗଲା । ଲମ୍ବ ହେଇ ଅଗଣାଟା, ସଂପୂର୍ଣ୍ଣ ଶୂନ୍‌ଶାନ୍‌ । ଘରଟାର ଛପର ଉଡ଼ିଯାଇଛି । ହାଣ୍ଡିଶାଳରୁ କାନ୍ଥ ପଡ଼ି ସେଇଟା ଅଧକାନ୍ଥି ପରି ଦିଶୁଛି-। ନିୟମିତ ଖରା ଓ ବର୍ଷା ଯୋଗୁ ସେଠି ବଣୁଆ ଗଛଲଟା ମାଡ଼ିଗଲେଣି । ତାରି ଗୋଟିଏ ପାଖକୁ ଛିଡ଼ା ହୋଇଛନ୍ତି ଶୋଭା ଭାଉଜ । ଦାରିଦ୍ର୍ୟର ତୀବ୍ର ଆଘାତରେ ଯୌବନ ତାଙ୍କର ଅପହୃତା । କଙ୍କାଳସାର ଦେହଟାରେ ଗୁଡ଼ାହେଇଛି ଖଣ୍ଡିଏ ଆଠହାତୀ ଖୋର୍ଦ୍ଧା ଶାଢ଼ି । ମୁଣ୍ଡର ବାଳ ଉଡ଼ୁଛି ଫୁରୁଫୁରୁ ହୋଇ । ନିଃଶ୍ୱାସ ନେଉଛନ୍ତି ଫଁ ଫଁ ।

 

ତାଙ୍କରି ପାଖରେ ମୁନା ଅଗଣାରେ ଗଡ଼ି ରାହା ଧରି କାନ୍ଦୁଛି । ଆଖିଯୋଡ଼ାକ ଫୁଲିଛି ଅସ୍ୱାଭାବିକ ଭାବରେ । ତାର ଫୁଙ୍ଗୁଳା ଦେହ ଓ ମୁହଁ ଉପରେ ଶୋଭା ଭାଉଜଙ୍କ ପାଞ୍ଚଆଙ୍ଗୁଳିଆ ଚାପଡ଼ାର ସ୍ପଷ୍ଟ ସ୍ୱାକ୍ଷର ।

 

ବିଜନ ଅସ୍ୱାଭାବିକ ଭାବରେ ଚିତ୍କାର କରିଉଠିଲା, “ଏ କଣ କରୁଛ ଶୋଭା ଭାଉଜ ?”

 

ବିଜନର ପାଟିଶୁଣି ମୁନା ଭୂଇଁରୁ ଉଠିପଡ଼ି ତା ପାଖକୁ ଧାଇଁଗଲା । ବାଘ ହାବୁଡ଼ରୁ ଖସି ଆସିଥିବା ନିରାଶ୍ରୟ ଠେକୁଆ ଛୁଆଟି ପରି ବିଜନ ତାକୁ କୋଳେଇ ନେଉ ନେଉ କହିଲା, “କଣ ହେଇଛି ତମର ଆଜି ? ପିଲାଟାକୁ ଏମିତି ମାଡ଼ ମାରୁଛ କାହିଁକି ? ସେ ପିଲାଲୋକ କଣ ଜାଣିଛି-?”

 

ମୁନା ପାଟିର ଦରଖିଆ ବିସ୍କୁଟ୍‌ର ଗୁଣ୍ଡ ଲାଳରେ ମିଶି ଅଠା ହୋଇଯାଇଛି । ବିସ୍କୁଟ୍‌ ପ୍ୟାକେଟ୍‌ଟା ଖିନ୍‌ଭିନ୍‌ ହୋଇ ପଡ଼ିଛି ଅଗଣାରେ । ବବୁଲୁର ଯେଉଁ ଚାଦରଟା ସେ ମୁନାକୁ ଘୋଡ଼େଇ ଦେଇଥିଲା, ସେଇଟା ବି ଲୋଚାକୋଚା ହୋଇ ପଡ଼ିଥିଲା ସେଇଠି । ବିଜନ ଏସବୁ ଦେଖି କିଛି ବୁଝିପାରୁନଥିଲା । ଶୋଭ ଭାଉଜଙ୍କର କଣ ହୋଇଛି ?

 

“ତୁମେ ଯାଅ ବିଜନ ବାବୁ, ପରଘର କଥାରେ ମୁଣ୍ଡ ଖେଳାଇବା କିଛି ଦରକାର ନାହିଁ । ମୁନା ଗରିବ ପିଲା, ସେ ଗରିବ ହୋଇ ବଞ୍ଚିବ । ଯଦି ତା ନ ହୋଇପାରେ, ତାହାହେଲେ ମୋତେ କନିଅର ମଞ୍ଜିର ଅଭାବ ହେବ ନାହିଁ ଏ ଗାଆଁରେ । ତମଠୁ ବିସ୍କୁଟ୍‌ ପକେଟଟିଏ କି ଚାଦର ଖଣ୍ଡିଏ ନେଇ ଆସିଲେ ତା ଦୁଃଖ ତ ଘୁଞ୍ଚିଯିବ ନାହିଁ ବରଂ ବଢ଼ିଯିବ ।”

 

- ଭାଉଜ !

 

- ତୁମେ ଏଠୁ ଚାଲିଯାଅ ।

 

ମୁନାକୁ କୋଳରୁ ଓହ୍ଲେଇଦେବାକୁ ସମୟ ନ ଦେଇ ଶୋଭା ଭାଉଜ ତାକୁ ଏକରକମର ଘୋଷାଡ଼ିନେଲେ ବିଜନ ପାଖରୁ ।

 

ବିଜନର ଆଉ ଧୈର୍ଯ୍ୟ ନ ଥିଲା । ଯେମିତି ଝଡ଼ବେଗରେ ସେଠିକି ଯାଇଥିଲା ସେମିତି ଝଡ଼ବେଗରେ ସେ ଚାଲି ଆସିଲା ।

 

ଘର ସାମ୍ନାରେ ଛିଡ଼ା ହୋଇଥିଲା ଛନ୍ଦା । ବିଜନକୁ ଦେଖିବା ମାତ୍ରକେ ପଚାରିଲା, “କଣ ହେଇଥିଲା, କିଛି ଶୁଣିଲ ?”

 

: ନା ।

 

: କିନ୍ତୁ ମୁଁ ଶୁଣିଛି । ସେସବୁ ତମକୁ କିମିତି କହିବି ମୁଁ ବୁଝିପାରୁ ନାହିଁ ।

 

କୌତୂହଳୀ ବିଜନ ଚାହିଁଲା ଛନ୍ଦାଆଡ଼େ । ପଚାରିଲା, “କଣ ଶୁଣିଲ କୁହ ।”

 

“ଶୋଭା ଭାଉଜର ଅଭିମାନ ହିଁ ହେଇଛି ମୁନାର କାଳ । ଏଇ ଯେଉଁ ବିସ୍କୁଟ୍‌ ପକେଟଟିଏ ତମେ ତାକୁ ଦେଲ ଆଉ ବବୁଲୁର ଚାଦରଟା - ବାସ୍‌ ସେଇଠି ରହିଛି ସବୁକଥା । କାଲି ରାତିରେ କୁଆଡ଼େ ମାଆପୁଅ କିଛି ଖାଇନଥିଲେ । ନିରୋଳା ପାଣି ମୁନ୍ଦାକ ପିଇ ଶୋଇଯାଇଥିଲେ । ରାତିରେ ବହୁତ ବେଳଯାଏ ଶୋଭା ଭାଉଜ ଚେଇଁଥିଲା । ସମସ୍ତେ ଶୋଇବା ପରେ ସେ ତମ ବାଡ଼ିରୁ ସଜନା ଶାଗ ପୁଳାଏ ତୋଳୁଥିଲା । ଆଉ ସେକଥା ଦେଖିଥିଲା ଗୋଟେ ବୁଢ଼ୀ । ଆଜି ସକାଳେ ସେ ସମସ୍ତଙ୍କୁ ଶୁଣେଇ ପଚାରିଲା, କିଲୋ, କାଲି ରାତିରେ କୁଆଡ଼େ ଅନ୍ଧାରି ବିଜେ କରିଥିଲୁ କି ? ବାସ୍‌ ତାପରର ଘଟଣା ତ ତୁମେ ଜାଣ ।”

 

: ବାସ୍‌, ବାସ୍‌ - ଚୁପ୍‌କର ଛନ୍ଦା । ତମକୁ ଏକଥା କିଏ କହିଲା ?

 

: ମଲା, ସାହିସାରା କୁହାକୁହି ହେଉଛନ୍ତି । ତମେ ପଚାରୁଛ କିଏ କହିଲା ? ରୀନାଠୁ ତ ମୁଁ ଏଇନେ ଶୁଣିଆସିଲି । ଛିଃ, ଛିଃ, ଏଡ଼େ ସଂକୀର୍ଣ୍ଣ ଏ ଲୋକଗୁଡ଼ାକ । ସଜ ମାଛରେ ପୋକ ପକେଇ ଦେବେ ।

 

ବିଜନକୁ ଲାଗୁଥିଲା ତା ପାଦତଳର ପୃଥିବୀଟା ଯେପରି ତଳକୁ ତଳ ଦବିଯାଉଛି । ସେ ନିଜ ଆଖିକୁ ଅଥବା କାନକୁ କାହାରିକୁ ବିଶ୍ୱାସ କରିବାକୁ ଚାହୁଁ ନ ଥିଲା । ଯେଉଁ ଗାଆଁରେ ଶାଗଖିଆକୁ ପେଜଖିଆ ଦେଖିପାରୁନି ସେ ଗାଆଁରେ କେହି ମଣିଷ ସୁସ୍ଥ ମନ ନେଇ ରହିପାରିବ କେମିତି ?

 

ବିଜନର ଆଉ ଗୋଟାଏ ମୁହୂର୍ତ୍ତ ବି ଗାଆଁରେ ରହିବାକୁ ଇଚ୍ଛା ହେଉ ନ ଥିଲା । ମୁନା ମାଡ଼ ଖାଇନି ଯେ ସେ ନିଜେ ଯେମିତି ଗାଲରେ, ପିଠିରେ ବିଧାଚାପୁଡ଼ା ଖାଇଛି ଶୋଭା ଭାଉଜଙ୍କ ହାତରୁ ।

 

ସେ ଛନ୍ଦା ଉଦ୍ଦେଶ୍ୟରେ କହିଲା, “ଛନ୍ଦା, ଆମେ ଆଜି ଫେରିଯିବା ।”

 

“କିନ୍ତୁ ଆମର ପରା ପଅରିଦିନ ଯିବା କଥା ।”

 

“ଥାଉ, ଆଜି ଫେରିଯିବା । ଆଉ ଗୋଟାଏ ମୁହୂର୍ତ୍ତ ବି ଏଠାରେ ରହିବାକୁ ମନ ହେଉନି-।”

 

ସେଦିନ ଅପରାହ୍‌ଣରେ ବିଜନ, ଛନ୍ଦା ଓ ବବୁଲୁକୁ ଧରି ବାହାରି ପଡ଼ିଲା ଗାଆଁରୁ । ଇଚ୍ଛା ଥିଲା ସବୁଥର ପରି ଏଥର ମଧ୍ୟ ସେ ଗାଁରେ ସପ୍ତାହେ ରହିଥାଆନ୍ତା । କିନ୍ତୁ ନା, ଆଉ ନୁହେଁ । ତାର ମନେପଡ଼ିଲା ମୁନାର କଥା । ଦିଦିନ ହେଲା ପିଲାଟା ଉପାସ । ସଜନା ଶାଗ, ପାଣି ପିଇ ସେ ବଞ୍ଚିବେ କେମିତି ? ପୁଣି ମନେ ପଡ଼ୁଥିଲା ନିଜ ପିଲାଦିନର କଥା । ଦିନକ ଭିତରେ ଗଣି ଗଣି ତାକୁ ପାଞ୍ଚ ଥର ଖାଇବାକୁ ପଡ଼ୁଥିଲା ବୋଉର ତାଗିଦ୍‌ ଯୋଗୁ । ସେଥିରୁ ଥରଟିଏ ଊଣା ହୋଇଗଲେ ବୋଉ ଦେହ ଖରାପର ଆଶଙ୍କା କରୁଥିଲା ।

 

ଫେରିବା ବାଟରେ ସେମାନେ ଭେଟିଲେ ଗୋଟାଏ ଭିକାରୁଣୀ ଓ ତାର ଦୁଇଟି ପିଲାଙ୍କୁ । ପାଖ ଗାଆଁରୁ ସେମାନେ ଫେରୁଥିଲେ । ବଡ଼ଟି ଦଶ ବାର ବର୍ଷର ଓ ସାନଟି ସାତ ଆଠ ବର୍ଷର ହେବ । ବଡ଼ ପିଲାଟି ହାତରେ ଖଣ୍ଡିଏ ରୁଟି । ସାନପିଲାଟି ତା ଭାଇ ହାତରୁ ସେତକ ଝିଙ୍କିନେବା ପାଇଁ ଓର ଉଣ୍ଡାଳୁଥିବା ଅବସରରେ ହିଁ ମାଆ ଭିକାରୁଣୀଟି ମଝିରେ ଆସି ଝାମ୍ପିନେଲା ଓ ନିର୍ବିକାର ଭାବରେ ପାଟିରେ ପୂରେଇ ଚାପିଦେଲା । ଉଭୟ ବଡ଼ ଓ ସାନ ପିଲା ଯୋଡ଼ିକ ମାଆ ମୁହଁକୁ ଚାହିଁଥାଆନ୍ତି । ଏ ଦୃଶ୍ୟ ଦେଖି ଛନ୍ଦା ଆଖି ଫେରେଇ ଆଣିଲା । ବିଜନ ମଧ୍ୟ କ୍ଷଣିକ ପାଇଁ ଦାରୁଭୂତମୁରାରୀ ପାଲଟି ଗଲା ।

 

ବିଜନ କହିଲା, “ଛନ୍ଦା ଦେଖିଲ?”

 

: କଣ ?

 

: ଭୋକ ।

 

“ହୁଁ, ଏଠି ଛୁଆ ହାତରୁ ରୁଟି ଛଡ଼େଇ ନେଇ ମାଆ ଖାଇଦେଇଛି । ଯୁବତୀ ସ୍ତ୍ରୀକୁ ଏକାକୀ ଛାଡ଼ିଦେଇ ସ୍ୱାମୀ ପଳାଉଛି ବିଦେଶ । ଟଙ୍କା କେଇଟା ଅଭାବରୁ ତିରିଶ ବର୍ଷର ଝିଅ ବାପଘର ହାଣ୍ଡିଶାଳରେ ପଶି ନିରବରେ ଅଶ୍ରୁପାତ କରୁଛି । କେବଳ ସେଇ ଭୋକ ପାଇଁ ତ !”

 

ନିଜ ସହରକୁ ଫେରିଆସିବା ପରେ ଦିନେ କଟକରୁ ପ୍ରକାଶିତ ଏକ ବହୁଳ ପ୍ରସାରିତ ଖବରକାଗଜରେ ସେଦିନ ସମ୍ବାଦଟିଏ ପଢ଼ିଲା ବିଜନ । ସମ୍ବାଦଟିର ଶିରୋନାମା ଥିଲା “ମାଆର ନାରକୀୟ କାଣ୍ଡ ।” ଘଣ୍ଟେଶ୍ୱର ପାଖ ନରେନ୍ଦ୍ରପୁର ଗାଆଁର ଜଣେ ମହିଳା ତାର ପାଞ୍ଚ ଛଅ ବର୍ଷର ପୁଅକୁ ବିଷ ଦେଇ ମାରିଦେବା ପରେ ନିଜେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛି । ସ୍ଥାନୀୟ ଲୋକମାନେ ଏହାକୁ ଅନାହାର ମୃତ୍ୟୁ ବୋଲି ଦାବି କରୁଥିବା ବେଳେ କେତେକ ଏହି ଘଟଣାକୁ ପ୍ରେମଜନିତ ବ୍ୟାପାର ବୋଲି କହୁଛନ୍ତି । ଘଟଣାଟି ଘଣ୍ଟେଶ୍ୱର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

 

ସଂବାଦଟି ପଢ଼ିସାରିବା ବେଳକୁ ବିଜନର ଆଖିଯୋଡ଼ାକ ଜାଲିଜାଲିଆ ହୋଇଯାଇଥିଲା-। ପୁଣିଥରେ ସେ ସମ୍ବାଦଟି ପଢ଼ିଲା । ନା, କାହାରି ନାଁ ଲେଖା ନାହିଁ । ମାମୁଲି ଲୋକଗୁଡ଼ାକଙ୍କର ନାଆଁ ଖୋଜି ବାହାର କରିବାକୁ ସାମ୍ବାଦିକଙ୍କର ବେଳ ନ ଥିବ । ତାହେଲେ ସେମାନେ କଣ ଥିଲେ ମୁନା ଓ ଶୋଭା ଭାଉଜ ?

 

ନା, ସେମାନେ ଆଉ କେହି ହୋଇପାରନ୍ତି । ନରେନ୍ଦ୍ରପୁର ଗାଆଁଟା ତ କିଛି ଛୋଟ ଗାଆଁ ନୁହେଁ କି ସେଠି ଶୋଭା ଭାଉଜ ଗୋଟିଏ ମାଆ ନୁହେଁ !

Image

 

ମଧ୍ୟରାତ୍ରର ଇନ୍ଦ୍ରଧନୁ

 

“ଯୋଗିନୀଖିଆ, ବାଡ଼ିପଶା, ଅଳପେଇସା, ତୁ ଜିଇଁ ଯାହା ରହିଛୁ ମତେ ହନ୍ତସନ୍ତ କରି ମାରିବୁ ବୋଲି । ନ ହେଲେ ତୋ ମୁହଁ ଚାହାଁନ୍ତା କିଏ ? ଏଇଠି ଏମିତି ପଡ଼ି ପଡ଼ି ତୁ ମରିବୁ । ତତେ ନ ହେଲା ନାହିଁ, ମୋତେ ଭଲା ମରଣ ହୁଅନ୍ତା ! ଏତେ କଷ୍ଟରୁ ତ୍ରାହି ପାଇଯାଆନ୍ତି । ବିଧାତା ଭଲା ଶୁଣୁଛି ମୋ କଥା !”

 

ଓ.ଏମ୍‌.ପି. ଛକରୁ କଲେଜଛକ ଯାଆ ଆସ କରୁଥିବା ପ୍ରାୟ ବାଟୋଇ ଏମିତି ଅବିଶ୍ରାନ୍ତ, ଅଶ୍ରାବ୍ୟ ଗାଳିର ଲହରୀ ଶୁଣିଥିବେ ଅଧିକାଂଶ ଦିନ । ବରଗଛ ପାଖରେ ଛୋଟିଆ ଦେଉଳଟିଏ ଓ ତାରି ବେଢ଼ା ପାଖରେ ଶୋଇରହିଥିବା ମୁମୂର୍ଷୁ ଭିକାରିଟିଏ - ତାରି ପାଇଁ ଅଭିପ୍ରେତ ଏତେ ସବୁ ରୁକ୍ଷ, କଠୋର ଶବ୍ଦ । ମାତ୍ର ଏଇଠି ସରେ ନାହିଁ ନାଟକୀୟ ପର୍ବଟି । ସମ୍ଭବତଃ ଅନେକ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ଚାହୁଁ ନ ଥିବେ ଦ୍ୱିତୀୟ ପର୍ବ ଦେଖିବା ପାଇଁ । ମୁଁ ଦେଖିଛି ଥରେ ଦିଥର । ସଂପୂର୍ଣ୍ଣ ବିପରୀତ, ଅଦ୍ଭୁତ ପାଲଟିଯାଏ ସେହି ସ୍ତ୍ରୀଲୋକଟିର ପରବର୍ତ୍ତୀ କଥାବାର୍ତ୍ତା ଓ ଢଙ୍ଗରଙ୍ଗ । ରୁକ୍ଷ ଶବ୍ଦ ସବୁ ମିଳେଇଯାଏ କ୍ରମେ । ଅବିଶ୍ରାନ୍ତ ଗାଳିଗୁଲଜ ପରେ ସ୍ତ୍ରୀଲୋକଟି କ୍ରମେ ପାଲଟିଯାଏ ସାଧାରଣ ନାରୀ ଓ ଆବେଗରେ ଜଡ଼େଇ ଧରେ ଭିକାରିଟିକୁ । ତାକୁ କୋଳ କରେ, ଗେଲ କରେ । ଚୁପ୍‌ଚାପ୍‌ ଆକାଶକୁ ଉଦାସ ଆଖିରେ ଚାହିଁ ରହି କେତେକଥା ଗପିଯାଏ ।

 

ଦୀର୍ଘଦିନ ପର୍ଯ୍ୟନ୍ତ ଏହି ଘଟଣାଟି ଅତି ସ୍ୱାଭାବିକ ଭାବରେ ଘଟୁଥିଲେ ମଧ୍ୟ ମୁଁ ସେ ଦୁହିଁଙ୍କର ଓ ସେ ଦୁହେଁ ମୋର ଥିଲେ ସଂପୂର୍ଣ୍ଣ ଅପରିଚିତ ।

 

ମୋର ଏ ସ୍ଥାନକୁ ବଦଳି ହୋଇ ଆସିବା ତିନି ମାସରୁ ଊର୍ଦ୍ଧ୍ୱ ହୋଇଗଲାଣି । ସ୍ଥାନ ପରିବର୍ତ୍ତନଜନିତ ମାନସିକ ଅପ୍ରସ୍ତୁତ ଭାବ ମଧ୍ୟ ଅନେକଟା କଟିଗଲାଣି ଇତିମଧ୍ୟରେ । ଠିକ୍‌ ସେହି ସମୟରେ ଆରବ୍ୟ ରଜନୀର କାହାଣୀ ପରି ପୂର୍ବୋକ୍ତ ଘଟଣାଟି ମୋ ନଜରରେ ପଡ଼ିଥିଲା ।

 

କଳାରଙ୍ଗର ସେ ସ୍ତ୍ରୀଲୋକଟିର ବୟସ ତିରିଶରୁ ଊର୍ଦ୍ଧ୍ୱ ହେବ ନାହିଁ । କୁନ୍ଦି ଦେଲାପରି ଚେହେରା । ମଳିନ ସାତସିଆଁ ଗଇଁଠା ଶାଢ଼ିଖଣ୍ଡିକ ଅନ୍ତରାଳରୁ ବି ବାରିହୋଇପଡ଼େ ତାର ଅଯତ୍ନବର୍ଦ୍ଧିତ ସୁନ୍ଦର ଚେହେରା । ଠିକ୍‌ ପାଞ୍ଚଟା ବେଳକୁ ସେ ଏଇବାଟେ ଫେରେ । ଚୁପ୍‌ଚାପ୍‌ ମନ୍ଦିର ବେଢ଼ା ଉପରକୁ ଉଠିଯାଇ ସେପର୍ଯ୍ୟନ୍ତ ଶୋଇ ରହିଥିବା ରୋଗୀଟିକୁ ଉଠାଇ ବସାଏ । ତା ସାଙ୍ଗରେ ଏଆଡ଼ୁ ସେଆଡ଼ୁ ଗୁଡ଼ାଏ ବକେ । ବେଳେବେଳେ ଅକଥ୍ୟ ଭାଷାରେ ଗାଳିଗୁଲଜ କରେ-। ଦେଖଣାହାରି ଭିକାରିମାନେ ନିର୍ଲିପ୍ତ ପ୍ରତିକ୍ରିୟାହୀନ ଭାବରେ ଏସବୁ ଦେଖୁଥିଲେ ବି କେହି କିଛି କହନ୍ତି ନାହିଁ । କିଛି ସମୟ ଧରି ଏ ଘଟଣା ଚାଲୁରହେ ଓ ଶେଷରେ ଚୁପ୍‌ଚାପ୍‌ ବସିପଡ଼ି ଶୂନ୍ୟ ଆକାଶକୁ ଚାହେଁ ସ୍ତ୍ରୀଲୋକଟି । କାନିରେ ବାନ୍ଧି ଆଣିଥିବା ପୁଡ଼ିଆଟିକୁ ଖୋଲି ଭିକାରିଟିକୁ ଖାଇବାକୁ ଦିଏ ସେ ! ତାପରେ ତାର ମୁଣ୍ଡ ପିଠି ଆଉଁଶି ଦିଏ, ଗେଲ କରେ, ମୁଣ୍ଡବାଳ ସାଉଁଳେଇ ଶୁଆଇ ପକାଏ ଆଦରର କୋଳଛୁଆ ପରି । ରୋଗୀଣା ମଣିଷଟା ଶୋଇଲା ପରେ ସେ ଚୁପ୍‌ଚାପ୍‌ ଉଠି ସେଠୁ ଚାଲିଯାଏ ।

 

ମୁଁ ବୁଝିପାରେନି ଗୋଟିଏ କଥା, ଏ ଭିକାରି ସହିତ ସ୍ତ୍ରୀଲୋଟିର ସଂପର୍କ କଣ ? ସେ ତାକୁ ଗାଳିଗୁଲଜ କରେ କାହିଁକି ଓ ପୁଣି ଆପେ ଆପେ ତାକୁ ସ୍ନେହ ଆଦର କରି ନିଜ ହାତରେ ଶୁଆଇଦିଏ କେମିତି ? ମନେପଡ଼େ ‘ଆରବ୍ୟ ରଜନୀ’ର କାହାଣୀ । ବାଦଶାହୀ ଏମିତି କୁକୁରଟିକୁ ଆଣି ପ୍ରଥମେ ଚାବୁକ୍‌ରେ ନିସ୍ତୁକ ପିଟେ ଓ ଶେଷରେ ତା ପାଖରେ ରତିଭିକ୍ଷା କରେ ପ୍ରେମିକ ପରି-

 

ଲଗାତର ଭାବରେ ମୁଁ ଏସବୁ ଦେଖୁଥିଲି ଓ ମନେ ମନେ ଅନେକ ଲୋଡ଼ା, ଅଲୋଡ଼ା ସଂପର୍କର ଖିଅ ତିଆରି କରୁଥିଲି କଳ୍ପନାରେ । ଦିନସାରା ଭିକାରିଟି ସେଇଠି ପଡ଼ିଥାଏ । ଗୋଡ଼ଯୋଡ଼ିକ ଫାଇଲେରିଆରେ ଆକ୍ରାନ୍ତ । ଘୁଷୁରି ଘୁଷୁରି ସେଇ ମନ୍ଦିର ବେଢ଼ାର ଏପଟ ସେପଟ ହେଉଥାଏ । ସଞ୍ଜବୁଡ଼େ ସେହି ଯୁବତୀଟି ତା ପାଖକୁ ଆସିବାଯାଏ ଚାହିଁ ରହିଥାଏ ।

 

ସେଦିନ ସଞ୍ଜବେଳେ ମୁଁ ଫେରୁଥାଏ ସାଇକେଲ୍‌ରେ । କୌତୂହଳବଶତଃ ମନ୍ଦିର ପାଖରେ ଓହ୍ଲାଇ ପଡ଼ିଲି । ସ୍ତ୍ରୀଲୋକଟି ସେଯାଏ ସେଇଠି ବସିରହିଥିଲା । ମନେ ମନେ ଟିକିଏ ବିସ୍ମିତ ହେଲି । କେବେ ତ ଏମିତି ହୁଏନା । ନିର୍ଦ୍ଧାରିତ ସମୟ କେବେଠୁ ଗଡ଼ିଗଲାଣି । ଏତେ ସମୟ ଯାଏ ଇଏ ଏଠି କାହିଁକି ?

 

ମୁଁ ସେମାନଙ୍କର ପାଖକୁ ଯାଇ ଘଟଣାଟି ସଂପର୍କରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କଲି । ମୋତେ ଦେଖି ସ୍ତ୍ରୀଲୋକଟି ଆଣ୍ଠୁ ଉପରୁ ମୁହଁଟେକି ଚାହିଁଲା ।

 

“କଣ ହୋଇଛି ? ତୁମେ ଏମିତି ବସିରହିଛ କାହିଁକି ?” ମୁଁ ପଚାରିଲି ।

 

ସାନ୍ତ୍ୱନାର ପ୍ରତିଶ୍ରୁତି ପାଇ ସେ କାନ୍ଦିଉଠିଲା ଫୁଲିଫୁଲି । ହାତ ବଢ଼େଇ ପାଖରେ ଶୋଇଥିବା ଭିକାରିଟିକୁ ମୋତେ ଦେଖେଇ ଦେଲା ।

 

ଜୀବନରେ କେବେ ଆଉ କୌଣସି ଭିକାରି ଦମ୍ପତିର ଏପ୍ରକାର ସାହାଯ୍ୟରେ ମୁଁ ଆସିଥିବା ମୋର ମନେପଡ଼ୁନି । ଭିକାରିର ହାତଛୁଇଁ ଦେଖିଥିଲି, ଅସମ୍ଭବ ଜ୍ୱର । ଦେହରେ ଖଇ ଫୁଟୁଛି । ତାକୁ ରିକ୍‌ସାରେ ଧରି ସିଟି ହସ୍‌ପିଟାଲ୍‌ ନେଇ ଯାଇଥିଲି ଓ ଡାକ୍ତରମାନଙ୍କୁ କୁହାବୋଲା କରି ତାର ଯତ୍ନ ନେବାକୁ ଅନୁରୋଧ କରିଥିଲି ।

 

ସେଇ ଅବସରରେ ମୁଁ ଜାଣିପାରିଲି ଯେ ସ୍ତ୍ରୀଲୋକଟିର ନା ପାର୍ବତୀ ଓ ତା ସ୍ୱାମୀ ସେହି ଭିକାରିର ନା ମଙ୍ଗୁଳିଆ । ହସ୍‌ପିଟାଲ୍‌ରେ ସେମାନଙ୍କୁ ରଖେଇ ଦେଇ ଆସିବା ବେଳକୁ ପାର୍ବତୀ ହାତରେ ଦଶଟି ଟଙ୍କା ଧରେଇଦେଇ ଆସିଥିଲି । ଗଭୀର ଅନିଚ୍ଛା ସତ୍ତ୍ୱେ ସେ ଟଙ୍କା ଦଶଟା ରଖିଥିଲା ।

 

ଠିକ୍‌ ସମୟରେ ଚିକିତ୍ସା ହେତୁ ମଙ୍ଗୁଳିଆ ସପ୍ତାହକରେ ଭଲ ହୋଇଗଲା । ପୂର୍ବପରି ସେ ଆସି ରହିଲା ସେଇ ମନ୍ଦିର ବେଢ଼ାରେ ।

 

କୃତଜ୍ଞତାରେ ଜୁଡ଼ୁବୁଡ଼ୁ ପାର୍ବତୀ ମୋତେ କହିଲା, “ବାବୁ ! ତମେ ଆପଣ କେଡ଼େ ଉପକାର କଲ ମୋର । ନ ହେଲେ ମଙ୍ଗୁଳିଆ ମରି ଯାଇଥାଆନ୍ତା । ଠାକୁରେ ତମକୁ ଭଲରେ ରଖନ୍ତୁ । ଆମ ଗରିବଙ୍କର ତମେ ସାହାଭରସା ।”

 

ତାପରେ ପାର୍ବତୀ କହିଥିଲା ତା କାହାଣୀ ।

 

ପାର୍ବତୀ ସହ ମଙ୍ଗୁଳିଆର ପରିଚୟ ବାର ବର୍ଷ ତଳେ । ସେତେବେଳେ ପାର୍ବତୀକୁ ସତର ପୂରି ଅଠର ଚାଲିଥାଏ । କାମ କରୁଥାଏ ଜଣେ କଣ୍ଟ୍ରାକ୍ଟରଙ୍କ ଘରେ । ତାଙ୍କରି ରିକ୍‌ସା ଚଳଉଥିଲା ପଚିଶ ବର୍ଷର ଭେଣ୍ଡିଆ ଯୁବକ ମଙ୍ଗୁଳିଆ । ଦୁହେଁ ସେଇଠି ପରସ୍ପରକୁ ଭଲପାଇବସିଥିଲେ । ଦିନେ ପାର୍ବତୀକୁ ନିରୋଳାରେ ପାଇ ମଙ୍ଗୁଳିଆ ବାଢ଼ି ବସିଥିଲା ବିବାହ ପ୍ରସ୍ତାବ । ପାର୍ବତୀ ଏ କଥାରେ ଗୋଟାଏ ସର୍ତ୍ତ ରଖିଥିଲା । ସେ ସର୍ତ୍ତ ଥିଲା ଯେ ମଙ୍ଗୁଳିଆ ଓ ପାର୍ବତୀ ଦୁହେଁ ତାଙ୍କ ମାସକୁରା ଦରମା ପଇସାରୁ ସଞ୍ଚୟ କରି ନିଜର ଗୋଟିଏ ରିକ୍‌ସା କିଣିବେ । ତାହେଲେ ସେମାନଙ୍କୁ ଆଉ ପରଘରେ କାମ କରିବାକୁ ପଡ଼ିବ ନାହିଁ ।

 

ଚାରି ପାଞ୍ଚ ମାସ ଯାଏ ମଙ୍ଗୁଳିଆ ଏ କଥା ମାନି ଚଳୁଥିଲା । ତାର ଚରମ ବଦଭ୍ୟାସ ମଦପିଆ ସେ ପ୍ରାୟ ଛାଡ଼ି ଦେଇଥିଲା । ଖୁସିର ଦିନ ଗଣି ବସୁଥିଲା ପାର୍ବତୀ । ବାହାଘର କଥା ଭାବି ତା ମନ କୁଣ୍ଢେମୋଟ ହୋଇଯାଉଥିଲା ।

 

ଦିନେ କିନ୍ତୁ ମଙ୍ଗୁଳିଆ ତାର ପୁରୁଣା ସାଙ୍ଗଙ୍କ ପାଲରେ ପଡ଼ିଗଲା । ଷ୍ଟେସନ୍‌ରୁ ଫେରୁ ଫେରୁ ଜବରଦସ୍ତି ତାକୁ ଦେଶୀ ମଦରୁ ଥୋଡ଼ାଏ ପିଆଇ ଦେଇଥିଲେ ପୁରୁଣା ସାଙ୍ଗମାନେ । ସେଇ ନାଲିପାଣିର କରାମତି ଭୁଲେଇ ଦେଇଥିଲା ସବୁ ସ୍ୱପ୍ନ, ସବୁ ସଂକଳ୍ପ । ମଙ୍ଗୁଳିଆ ତାର ସବୁ ସଞ୍ଚିତ ଅର୍ଥ ନେଇ ଦିଦିନ ଉତ୍ସବ ପାଳିଥିଲା ଦେଶୀ ମଦଭାଟି ଓ ବେଶ୍ୟାପଡ଼ାରେ ।

 

ସ୍ୱପ୍ନ ଅଧୁରା ରହିଗଲା ପାର୍ବତୀର । ସେ ମଙ୍ଗୁଳିଆକୁ ଧିକ୍କାରିଲା, ଅଭିଶାପ ଦେଲା । କିନ୍ତୁ କିଛି ଲାଭ ହେଲା ନାହିଁ । ମଙ୍ଗୁଳିଆ ଏଇମିତିକା ଅମଙ୍ଗୁଳିଆଟେ ।

 

ପାର୍ବତୀ ଯେମିତି ଚାହିଁଥିଲା ସେମିତି କିନ୍ତୁ ବାହାଘର ତାର ହେଲା ନାହିଁ । ମଙ୍ଗୁଳିଆ ସାଥିରେ ଦିନେ ସେ ଚୁପ୍‌ଚାପ୍‌ ବାହାରି ଆସିଲା । ଏ କଥାକୁ ଖାଉନ୍ଦ ବରଦାସ୍ତ କରି ନ ପାରି କାମରୁ ନିକାଲିଦେଲେ ଦୁହିଁଙ୍କୁ ।

 

ବାହାଘର ପରେ ପରେ ମଙ୍ଗୁଳିଆ କୋଢ଼ିଆ ପାଲଟିଗଲା । ଘର କୋଣରେ ପଡ଼ିରହିଥାଏ ସବୁବେଳେ । କୁଆଡ଼େ ଯାଏନି କି ଆସେନି । ନୂଆ ଖାଉନ୍ଦ ଘର ଖୋଜିନେଲା ପାର୍ବତୀ । ଖାଇପିଇ ପଚିଶ ଟଙ୍କା ଆଣେ । ସେଥିରେ କି ଘର ଚଳନ୍ତା ? କେତେଥର ମର୍ଦ୍ଦଟାକୁ କହିବ ଯାଇ କାମ କର୍‌ । କହି କହି ଚିଡ଼ିଗଲା ପାର୍ବତୀ । ଆଉ କହେ ନାହିଁ ।

 

ଦିନେ ସକାଳୁ ମଙ୍ଗୁଳିଆ ଅତି ସୋହାଗରେ ପାର୍ବତୀକୁ ଡାକି କହିଲା, “ଚାଲ ତୋତେ ଆଜି ବଜାର ବୁଲେଇ ଆଣିବି । ମୁଁ ଏବେ ଆଉ ଗୋଟାଏ ମାଲିକର ରିକ୍‌ସା ଟାଣିବି । କାଲିଠୁ କାମକୁ ଯିବି । ଆଜି ଦିନଟା ମଉଜ କରିବା ।”

 

ନିଭିଆସୁଥିବା ସ୍ୱପ୍ନର ମହମବତି ପୁଣିଥରେ ଜଳିଉଠିଲା ଦପ୍‌କରି ପାର୍ବତୀର ଛାତି ଭିତରେ । ସତରେ ସେ ମଙ୍ଗୁଳିଆକୁ କେତେ ଖରାପ ଭାବିବସି ନ ଥିଲା ? କିନ୍ତୁ ମଙ୍ଗୁଳିଆ ପୁଣି ଭଲ ହୋଇଗଲାଣି । ଠାକୁରେ ତାକୁ ସୁବୁଦ୍ଧି ଦିଅନ୍ତୁ । କିନ୍ତୁ ଅନେକ ପଚରାଉଚରା ପରେ ଯାଇ ପାର୍ବତୀ ଜାଣିଲା ଯେ, ସେଦିନ ମଙ୍ଗୁଳିଆ ତାକୁ କାହିଁକି ସରାଗରେ ବୁଲେଇ ନେବାକୁ କହୁଥିଲା । ସେ ମଧ୍ୟ ଜାଣିପାରିଲା ଯେ କୋଡ଼ିଏଟି ଟଙ୍କା ଲୋଭରେ ମଙ୍ଗୁଳିଆ ସବୁଦିନ ପାଇଁ ବାପ ହେବାର କ୍ଷମତା ହରେଇ ବସିଛି । ସରକାରଙ୍କ ପରିବାର ନିୟନ୍ତ୍ରଣ ଯୋଜନା ପରିସଂଖ୍ୟାନର ଅଙ୍କ ଆଉ ଗୋଟିଏ ବଢ଼ିଯାଇଛି ।

 

ପାର୍ବତୀ କୌଣସି ଦିନ ମା ହୋଇପାରିବ ନାହିଁ । କୁନି ଛୁଆଟେ ଆସିବ ନାହିଁ କୁଆଁ କୁଆଁ ରାହା ମେଲେଇ । ମଦ ଟିକିଏର ନିଶା ମଙ୍ଗୁଳିଆ ଲାଗି ଏତେ ବଡ଼ ହେଲା ? ପାର୍ବତୀର ମାଆପଣ ଠାରୁ ବି ବଡ଼ ?

 

ସେଇ ପାର୍ବତୀ ଆଜି ଛିଡ଼ା ହୋଇଛି ମୋ ଆଖି ସାମ୍ନାରେ । ମଦ ଓ ଗଞ୍ଜେଇର ଭକ୍ତ ମଙ୍ଗୁଳିଆ ଦୁରାରୋଗ୍ୟ ରୋଗର ଶିକାର ହେବା ପରଠାରୁ ପାଦରେ ଚାଲିବା ତା ପକ୍ଷେ ସମ୍ଭବ ହେଉ ନାହିଁ । ସେହିଦିନଠାରୁ ସେ ଏଇ ମନ୍ଦିର ବେଢ଼ା ଭିତରେ ପଡ଼ିରହିଥାଏ । ମନ୍ଦିରକୁ ଆସୁଥିବା ଲୋକଙ୍କ ଭିତରୁ କେହି କେବେ ଦୟାକରି ଦଶପଇସି କି ପାଞ୍ଚପଇସିଟିଏ ଦେଇ ଗଲେ ସେଥିରେ ସେ କିଛି ଖାଇନିଏ । ନ ହେଲେ ସଞ୍ଜବୁଡ଼କୁ ପାର୍ବତୀ ତା ଖାଇବାରୁ କାଟି ଯାହା କାନିରେ ବାନ୍ଧି ଆଣିଥାଏ ତାହା ହିଁ ତାର ସମ୍ବଳ ।

 

ପାର୍ବତୀର କଥା ସରିଲାବେଳକୁ ମୋ ଆଖିରେ ଲୁହ ଭରିଯାଇଥିଲା । ଗୋଟେ ସାଧାରଣ ଦରିଦ୍ର ସ୍ତ୍ରୀଲୋକଟି ଭିତରେ ଥିବା ଦାୟିତ୍ୱବୋଧ ମୋର ମଞ୍ଜ ଥରେଇ ଦେଉଥିଲା ।

Image

 

କାର୍ଟୁନ

 

ଅପ୍ରତ୍ୟାଶିତ ଖରାଦିନିଆ ଝଡ଼ ପରି ଶ୍ୱଶୁରଙ୍କ ଗାଆଁରୁ ଦୁଇଜଣ ଅତିଥି କାଲି ରାତିରେ ଆସି ପହଞ୍ଚି ଯାଇଥିବାରୁ ସନାତନକୁ ଅଗତ୍ୟା ବାହାର ପିଣ୍ଡାରେ ଶୋଇବାକୁ ପଡ଼ିଥିଲା । ତେବେ ଅତିଥି ଦ୍ୱୟ ଗୃହସ୍ୱାମୀର ଏତାଦୃଶ ଦୟନୀୟ ଅବସ୍ଥା ପ୍ରତି ଆଦୌ ଦୃଷ୍ଟିପାତ ନ କରି ନିଦକ ନିଦରେ ଘୁଙ୍ଗୁଡ଼ି ମାରୁଥିଲେ । ସନାତନକୁ ଖରାଦିନେ ଘର ଭିତରଟାରେ ଶୋଇବାକୁ ଭଲ ଲାଗୁନଥିବାରୁ ସେ ଏଇ ଅସୁବିଧାଟିକୁ ଏତେ ବେଶୀ ଗୁରୁତ୍ୱ ଦେଉ ନ ଥିଲା । ଏକେ ତ ତାର ସେକେଣ୍ଡହ୍ୟାଣ୍ଡ ଟେବୁଲ୍‌ ଫ୍ୟାନ୍‌ଟା ଯଥେଷ୍ଟ ପବନ ଦେବାକୁ ଅକ୍ଷମ । ତା ସାଙ୍ଗକୁ ପୁଣି ଆଜିକାଲିର ବିରକ୍ତିକର ଲୋଡ୍‌ସେଡିଂ । ଏ ଦୁଇଟିଯାକ ଅସୁବିଧାର ସୁବିଧା ନିଅନ୍ତି ବୃହତ୍‌କାୟ ମଶା । ତେବେ ଘରଟା ଖାଲିରଖି ସେ ବାରଣ୍ଡାରେ ଶୋଇଥିଲେ ତା ଭିତରେ ଅସହାୟତାର ଏମିତି ଖାଇଟିଏ ସୃଷ୍ଟି ହୋଇ ନ ଥାଆନ୍ତା । ଘର ଅଭାବରୁ ଅତିଥି ସତ୍କାର ପାଇଁ ତାକୁ ନିଜର ରୁମ୍‌ଟି ଛାଡ଼ି ପିଣ୍ଡାରେ ଶୋଇବାକୁ ପଡ଼ିଛି - ଏଇ କଥାଟି ତାକୁ ବେଶୀ ଅସହାୟ କରି ଦେଉଥିଲା-

 

ଧ୍ୟାତ୍‌, ୟା ନାଆଁ ଗୋଟାଏ ଜୀବନ !

 

ଅଚାନକ ବର୍ଷା ବର୍ଷିବାରୁ ସନାତନ ତିନ୍ତିଗଲା । ଘରର ଦୁଆର ଖଟ୍‌ଖଟ୍‌ କଲା । ମାତ୍ର ଦୁଆର ବାଡ଼େଇବା ଶବ୍ଦର ପ୍ରତିଧ୍ୱନି ପରି ଫେରିଆସିଲା ଅତିଥିଦ୍ୱୟଙ୍କ ଘୁଙ୍ଗୁଡ଼ି । ହଠାତ୍‌ ତାର ମନେପଡ଼ିଗଲା ଯେ ଘର ଭିତରୁ ଶିକୁଳି ଲଗାଇବା ନିମନ୍ତେ ପ୍ରବର୍ତ୍ତେଇଥିବା ଲୋକଟି ଅନ୍ୟ କେହି ନୁହେଁ, ସେ ନିଜେ । ନିଜର ଅପରିଣାମଦର୍ଶିତାକୁ ଯଥେଷ୍ଟ ଧିକ୍କାର ଓ ତାଚ୍ଛଲ୍ୟ କରି ସେ ଅଶେଷ ଧୈର୍ଯ୍ୟର ସହ ପୁନର୍ବାର ଦୁଆର ଖଟ୍‌ଖଟ୍‌ କଲା । ପରିଣାମ ତ ଆଶାନୁରୂପ ହେଲା ନାହିଁ; ବରଂ ପଡ଼ିଶାଘରର ସେଇ ମୁଖରା ସ୍ତ୍ରୀ ଲୋକଟା, ବାହାରକୁ କାହିଁକି କେଜାଣି ଆସିଥିଲା, ସନାତନର ଏତାଦୃଶ କାର୍ଯ୍ୟକଳାପକୁ ଉପଲକ୍ଷ୍ୟ କରି ମନ୍ତବ୍ୟ ଦେଲା, “ମଲା ମୋର ! ଲୋକଟା ନିଜେ ଶୋଉନାହିଁ କି କାହାରିକୁ ରାତିରେ ଶୁଆଇ ଦେଉ ନାହିଁ ।” ତାର ଲଘୁ ମନ୍ତବ୍ୟ ସନାତନକୁ ଏପରି ଗୁରୁତର ଆଘାତ ଦେଲା, ଯାହା ଯୋଗୁ ସେ ଅଦିନିଆ ବର୍ଷା, ବୁଲାକୁକୁରଙ୍କ ଦୌରାତ୍ମ୍ୟ, ଅନିମନ୍ତ୍ରିତ ଅତିଥିଦ୍ୱୟଙ୍କ ଦାୟିତ୍ୱଶୂନ୍ୟତା ଏବଂ ନିଜର ଅପରିଣାମଦର୍ଶିତା ସବୁକୁ ଭୁଲିଯାଇ ମୁଖରା ସ୍ତ୍ରୀଟି ସଂପର୍କରେ କାହାର କିଛି ଅଭିଯୋଗ ଅଛି କି ନାହିଁ ଖୋଜିହେଲା ।

 

ଭାଗ୍ୟ ଭଲ, ମୁଖରା ସ୍ତ୍ରୀଲୋକଟି ଆଉ କିଛି ନ କହି ଚାଲିଗଲା । ତା ନ ହୋଇଥିଲେ ସନାତନର ଅବଶିଷ୍ଟ ରାତ୍ରିଟି ଅଭିଧାନ-ବହିର୍ଭୂତ ଶବ୍ଦ ଶ୍ରବଣରେ ଉଦ୍‌ଯାପିତ ହୋଇଥାଆନ୍ତା, ଏହା କହିବା ବାହୁଲ୍ୟ ମାତ୍ର ।

 

ବର୍ତ୍ତମାନ ସୁଦ୍ଧା ଘରର କବାଟ ଖୋଲିନଥିଲା । ସନାତନ ନିଜ ବିଛଣା ପାଖକୁ ଫେରି ଆସିଲା ଓ ପିଣ୍ଡା ଉପରେ ଦୁଇ ଆଣ୍ଠୁ ମଝିରେ ମୁଣ୍ଡଟିକୁ ଓହଳେଇ ଚୁପ୍‌ଚାପ୍‌ ବୁଢ଼ାଙ୍କ ପରି ବସିରହିଲା । ଦାଣ୍ଡ ଉପର ଦେଇ ସର୍‌ ସର୍‌ କରି କଣଟାଏ ଚାଲିଗଲା ବୋଧହୁଏ ! ସନାତନ ତକିଆତଳୁ ଟର୍ଚ୍ଚ ଲାଇଟ୍‌ଟା ବାହାର କରି ଜଳେଇ ଦେଖିଲା, ଦୁଇଟା କୁକୁର ପରସ୍ପର ଦେହର ଉତ୍ତାପ ପ୍ରଶମିତ ପାଇଁ ଯତ୍‌ପରୋନାସ୍ତି ଉଦ୍ୟମ ଚଳାଇଛନ୍ତି ।

 

ସେଇ ମୁହୂର୍ତ୍ତରେ ସନାତନର ଫାଙ୍କା ବିଛଣାଟା ତାକୁ ଆହୁରି ଫାଙ୍କା ବୋଧ ହେଲା ଓ ଅପ୍ରତ୍ୟାଶିତ ଭାବରେ ତା ମନ ଭିତରେ ଜମାଟ ବାନ୍ଧିବସିଲା ଲଳିତାର ଅନୁପସ୍ଥିତି ।

 

କିଏ ଜାଣେ, ଲଳିତା ଏଇନେ କଣ କରୁଥିବ ? ହୁଏତ ମୁନାକୁ କୋଳେଇ ଶୋଇ ଯାଇଥିବ ଅଥବା ସିଏ ବି ସନାତନର ଉପସ୍ଥିତିକୁ ଏଇମିତି ଝୁରି ହେଉଥିବ ।

 

କିନ୍ତୁ ସନାତନ ଆଉ କଣ କରିପାରିଥାଆନ୍ତା ?

 

ତାକୁ କଣ ଭଲ ଲାଗୁଛି ଫାଙ୍କା ବିଛଣାର ଶୂନ୍ୟତା ? ଅଥବା ସେଇ ଅପଖ୍ୟାତ ‘ହିନ୍ଦୁ ହୋଟେଲ’ଟାର ଗୋଡ଼ିମିଶା ଭାତ ଓ ପାଣିମିଶା ଡାଲମା ? ତାକୁ ମଧ୍ୟ ଭଲ ଲାଗୁନି ଅଫିସ୍‌ ଫେରନ୍ତା ଅପରାହ୍‌ଣର ଏଇ ନିଃସଙ୍ଗ ପରିବେଶ । ଗୋଠଖଣ୍ଡିଆ ବଳଦଟିଏ ପରି ଚାହା ଦୋକାନରୁ ପାନ ଦୋକାନ, ତାପରେ ସେଇ ଅପ୍ରଖ୍ୟାତ ହିନ୍ଦୁ ହୋଟେଲ ଓ ଶେଷରେ ଏ ବଖୁରିକିଆ ବସାଘର ?

 

କିନ୍ତୁ ସେ ବା କେମିତି ଲଳିତାକୁ ଆଣି ଏ ପରିବେଶରେ ରହିପାରିବ ? ଘର କହିଲେ ଗୋଟାଏ ଦଶ ଫୁଟ ଲମ୍ବ ଓ ଆଠ ଫୁଟ ଓସାରର ରୁମ୍‌ । ସେଇଠି ବସିବା, ଖାଇବା, ଶୋଇବା ଓ ଅତିଥି ସତ୍କାର । ସେ ସିନା ପୁରୁଷଟେ ବୋଲି ଚଳିଯାଇ ପାରୁଛି । ହେଲେ ଲଳିତାକୁ ଅଡ଼ୁଆ ଲାଗିବ । ତାଛଡ଼ା ପାଣି ବାଲ୍‌ଟିଏ ପାଇଁ ତାକୁ ଯିବାକୁ ପଡ଼ିବ ‘ଆଦର୍ଶ ପାନଦୋକାନ’ କଡ଼ର ସେଇ ପାଇପ୍‌ ପର୍ଯ୍ୟନ୍ତ ଯେଉଁଠି ସକାଳ ପାଞ୍ଚଟାରୁ ପୁଣି ରାତି ସାଢ଼େ ଦଶଟା ଯାଏ ସଦ୍ୟ କଲେଜ ହତା ମାଡ଼ିଥିବା ପଞ୍ଝାଏ ଟୋକାଙ୍କ ଆଡ୍‌ଡ଼ା ସରଗରମ ରହିଥାଏ ।

 

ତାପରେ ପୁଣି ଗାଧୁଆ-ପାଧୁଆ ।

 

ରନ୍ଧାବଢ଼ା ।

 

ନା ନା - ସଂପୂର୍ଣ୍ଣ ଅସମ୍ଭବ । ବିଲ୍‌କୁଲ ଅସମ୍ଭବ ।

 

ଏ ସହରରେ ଘରର ଅଭାବ ସର୍ବଜନବିଦିତ ହେଲେ ବି ଘରଟାଏ ଯେ ଖୋଜିଲାବାଲାକୁ ନ ମିଳୁଛି ତା ନୁହେଁ । ମାତ୍ର ସନାତନ ପରି ଷ୍ଟେଟ୍‌ ଗଭର୍ଣ୍ଣମେଣ୍ଟ୍‌ ଏଲ୍‌.ଡି. କ୍ଲର୍କ ପକ୍ଷେ ସେପରି ଘରର କଥା ଭାବିବସିବା ତୁଚ୍ଛା ସ୍ୱପ୍ନ । ବର୍ତ୍ତମାନ ରହୁଥିବା ଘରଟିର ମାସିକ ଭଡ଼ା ଅଶୀ ଟଙ୍କା ନିୟମିତ ଦେବା ତା ପକ୍ଷେ ଅସମ୍ଭବ ହୋଇପଡ଼ୁଛି ।

 

ସନାତନ କାନ୍ଥକୁ ଆଉଜି ବସିଲା ।

 

ଟିକେ ଆଗରୁ ଉଠେଇ ଆସିଥିବା ମେଘ ବର୍ତ୍ତମାନ ସଂପୂର୍ଣ୍ଣ ଛାଡ଼ିଯାଇଥିଲା ଓ ଜହ୍ନଟା ଆକାଶରେ ତୋଫା ଦିଶୁଥିଲା । ପରଦିନ ରବିବାର । ସକାଳୁଆ ଅଫିସ୍‌ ଯାତ୍ରାର ବ୍ୟସ୍ତତା ନ ଥିବାରୁ ସେ ଆଉ ଟିକିଏ ଶୋଇ ପଡ଼ିବାକୁ ଚାହୁଁଥିଲା । ମାତ୍ର ପୂର୍ବପରି ତାକୁ ଆଉ ନିଦ ଲାଗୁନଥିଲା ଓ ସମୟ ପ୍ରାୟ ସକାଳ ପାଖାପାଖି ହୋଇଯାଇଥିବାରୁ ବାହାର ରାସ୍ତାଘାଟ ଅରାଏ ଅରାଏ ଫର୍ଚ୍ଚା ପଡ଼ିଯାଇଥିଲା ।

 

ସବୁଦିନ ପରି ଆଜି ମଧ୍ୟ ‘ଆଦର୍ଶ ପାନଦୋକାନ’ ପାଖ ପାଣି ପାଇପ୍‌ରୁ ସେ ତାର ଅତିଥିଦ୍ୱୟଙ୍କ ସାଙ୍ଗରେ ଗାଧୋଇ ଆସିବା ପରେ ଦୁଇ ଦୁଇଟି ବରା ଓ କପେ ଲେଖାଏଁ ଚା’ ପିଇଥିଲା ଏବଂ ଦିନ ଏଗାରଟା ବେଳକୁ ସେଇ ଅପ୍ରଖ୍ୟାତ ହିନ୍ଦୁ ହୋଟେଲଟିକୁ ଯାଇଥିଲା ଭୋଜନ ଉଦ୍ଦେଶ୍ୟରେ । ଖାଇବା ସମୟରେ ସନାତନ ତାର ଅତିଥିଦ୍ୱୟଙ୍କ ତୁଳନାରେ ଯଥାସମ୍ଭବ ଧୀରେ ଧୀରେ ହାତ ଚଳେଇବାକୁ ଚେଷ୍ଟା କରୁଥିଲା ଏଇଆ ଆଶା ରଖି ଯେ, ତାର ବିଳମ୍ବ ଭୋଜନକୁ ସ୍ୱାଭାବିକ ରୂପେ ଗ୍ରହଣ କରିନେଇ ସେ ଦୁଇଜଣ ଉଠିଯିବେ ଓ ନିଜ ନିଜର ଦେୟ ଦେଇଦେବେ କାଉଣ୍ଟର ପାଖରେ । ମାତ୍ର ଅତିଥିଦ୍ୱୟଙ୍କ ମସ୍ତିଷ୍କରେ ମଧ୍ୟ ତଦନୁରୂପ ଖଳବୁଦ୍ଧି ସଂକ୍ରମିତ ହୋଇସାରିଥାଏ ଅନେକ ପୂର୍ବରୁ । ସୁତରାଂ ନିରାମିଷ ମିଲ୍‌ଟାମାନ ସମାପ୍ତ କରିବା ନିମନ୍ତେ ସେମାନଙ୍କୁ କାହାରିକୁ ଅଧଘଣ୍ଟାଏରୁ ଊଣା ସମୟ ଲାଗିଲା ନାହିଁ । ତିନିଜଣଯାକ ଏକାଠି ଉଠିଲେ ଓ ଏକାଠି କାଉଣ୍ଟର ପାଖରେ ଆସି ଛିଡ଼ାହେଲେ । ହିନ୍ଦୁ ହୋଟେଲର କୁକ୍‌-କମ୍‌-ମ୍ୟାନେଜର ଓରଫ ରଘୁନାଥ ସନାତନକୁ ଚାହିଁ ସାଦା ହସଟିଏ ହସିଲା ଓ ସନାତନ ପକେଟ୍‌ରେ ଥିବା ସର୍ବମୋଟ ଦଶଟଙ୍କିଆଟି ବାହାର କରି ତା ହାତକୁ ବଢ଼େଇଦେଲା । ତିନିଜଣଙ୍କର ମିଲ୍‌ର ଦାମ୍‌ ସାତଟି ଟଙ୍କା ରଖି ଅବଶିଷ୍ଟ ତିନି ଟଙ୍କା ଫେରାଇଦେଲା ରଘୁନାଥ ।

 

ଉପରଓଳି ତିନିଟା ବେଳକୁ ଯାଇ ସନାତନ ନିଷ୍କୃତି ପାଇଲା ଅନିମନ୍ତ୍ରିତ ଅତିଥିଦ୍ୱୟଙ୍କ ଜ୍ୱାଳାରୁ । କହିବା ନିଷ୍ପ୍ରୟୋଜନ ଯେ ନିଷ୍କୃତିର ସେଇ ଚରମ ମୁହୂର୍ତ୍ତଟି ପାଇଁ ତାକୁ ତାର ପୁରୁଣା ହରକୁଲେସ୍‌ ସାଇକେଲ୍‌ଟିର ଆଗ ରଡ୍‌ ଓ ପଛ କ୍ୟାରିଅର୍‌ ଉପରେ ଦୁଇଜଣଙ୍କୁ ବସେଇ ବୋହି ନେବାକୁ ପଡ଼ିଥିଲା ବସ୍‌ଷ୍ଟାଣ୍ଡ୍‌ ପର୍ଯ୍ୟନ୍ତ । ଅନିଚ୍ଛା ସତ୍ତ୍ୱେ ମଧ୍ୟ ସେମାନେ ବସ୍‌କୁ ଉଠିବାବେଳେ ସନାତନ ପଚାରିଥିଲା, “ପୁଣି କେବେ ଆସିବେ?” ପ୍ରତ୍ୟୁତ୍ତରରେ ସେ ଶୁଣିଥିଲା ଏକ ବିଶ୍ୱସ୍ତ ପ୍ରତିଶ୍ରୁତି “ହଁ, ହଁ ଆର ସପ୍ତାହରେ କଚେରି ତାରିଖ ଅଛି, ଆସିବୁ ।”

 

ଅତିଥିଦ୍ୱୟଙ୍କ ଜଞ୍ଜାଳରୁ ମୁକ୍ତ ସନାତନ ପାଇଁ ଦୁର୍ମୂଲ୍ୟ ରବିବାରର ଅବଶିଷ୍ଟ କେଇ ଘଣ୍ଟା ଥିଲା ମୂଲ୍ୟବାନ । ସବୁଦିନିଆ ଅପରାହ୍‌ଣ ପରି ସେ ଆଜିର ଅପରାହ୍‌ଣକୁ ଏମିତି ବିତେଇ ଦେବାକୁ ଚାହୁଁ ନ ଥିଲା । ତା ପାଖରେ ସର୍ବମୋଟ ଦୁଇ ଟଙ୍କା ଚାଳିଶ ପଇସା ଥିଲା ଓ ଏତିକି ପଇସାରେ କୌଣସି ସିନେମା ହଲ୍‌କୁ ଯାଇ ସିନେମା ସୋ’ଟିଏ ଯେ ଦେଖାଯାଇପାରିବ ନାହିଁ ତାହା ସେ ଭଲ ଭାବରେ ଜାଣିଥିଲା । ତେବେ ଅବଶିଷ୍ଟ ଦୁର୍ମୂଲ୍ୟ ସମୟତକ ଆଦର୍ଶ ପାନଦୋକାନ ପାଖରେ ବିତେଇବାକୁ ସେ ଆଦୌ ଚାହୁଁ ନ ଥିଲା ।

 

ହଠାତ୍‌ ତା ମୁଣ୍ଡକୁ ବୁଦ୍ଧିଟିଏ ଢୁକିଲା ଓ ସେ ଆଦର୍ଶ ପାନଦୋକାନର ସ୍ୱତ୍ୱାଧିକାରୀ କୈଳାସକୁ ଦଶଟି ଟଙ୍କା ଉଧାର ମାଗିଲା । ତାପରି ଜଣେ ସରକାରୀ ଚାକିରିଆ ଦଶଟି ଟଙ୍କା ଉଧାର ମାଗିବା ପ୍ରସଙ୍ଗ କୈଳାସକୁ ପ୍ରଥମେ ହାସ୍ୟାସ୍ପଦ ମନେହେଲେ ବି ସନାତନର ଗମ୍ଭୀର ଭାବ ଓ ଭଙ୍ଗୀରୁ ସେ କଣ ଠଉରେଇଲା କେଜାଣି ଚଟ୍‌କରି ଦଶଟି ଟଙ୍କା ବଢ଼େଇ ଦେଲା । ସନାତନ ନିଃଶବ୍ଦ ଧନ୍ୟବାଦଟିଏ ଜଣାଇ ତୁରନ୍ତ ସିନେମା ହଲ୍‌ ଅଭିମୁଖେ ସାଇକେଲ୍‌ଟିକୁ ଗଡ଼ାଇଦେଲା ।

 

ସିନେମା ହଲ୍‌ ପାଖରେ ପହଞ୍ଚି ସନାତନ ଦେଖିଲା ଯେ ପରିସ୍ଥିତି ଉଦ୍‌ବେଗଜନକ । ଦେଖଣାହାରିଙ୍କ ଭିଡ଼ ସାଙ୍ଗକୁ ବ୍ଲାକର୍‌ ଓ ପୋଲିସ୍‌ଙ୍କ ଭିଡ଼ ଦେଖି ସେ ଭାବିଲା ବରଂ ସିନେମା ଦେଖି ନ ଆସିଥିଲେ ଭଲ ହୋଇଥାଆନ୍ତା । ତେବେ ବହୁ ସାହସ ସଞ୍ଚୟ କରି ସେ ପବ୍ଲିକ୍‌ ୟୁରିନାଲ୍‌ ପଛ ବ୍ଲାକର୍‌ ଗୋଷ୍ଠୀ ପାଖକୁ ଗଲା ଓ ଯଥାସମ୍ଭବ ସତର୍କତାର ସହ ଜଣକୁ ପଚାରିଲା, “ଟିକେଟ୍‌ ଅଛି କି ? ଫାଷ୍ଟକ୍ଲାସ୍‌ ?”

 

: ହଁ - କେତେଟା ଦରକାର ?

 

: କଣ ନେବ ଗୋଟାକୁ ?

 

: ପଚିଶ ଟଙ୍କା !

 

ୟା ପରେ ସନାତନର କିଛି କହିବାର ନ ଥିଲା । ସେ ଅତ୍ୟନ୍ତ କାକୁସ୍ଥ ଭାବରେ ସେଠାରୁ ପୃଷ୍ଠଭଙ୍ଗ ଦେଲା । ଚାଟ୍‌ଦୋକାନ କଡ଼ରୁ ସାଇକେଲ୍‌ଟି ବାହାର କରି ସିଟ୍‌ରେ ବସିବା ମୁହୂର୍ତ୍ତରେ ସେ ପୁଣିଥରେ ହଲ୍‌ ଆଡ଼କୁ ଚାହିଁଲା । ଟିକେଟ୍‌ର ଅଭାବ ଓ ପରିବେଶର ଉଷ୍ମତାକୁ ଗଭୀର ଅନୁଧ୍ୟାନ କରିବା ପରେ ସେ ବେଶୀକ୍ଷଣ ଆଉ ସେଠାରେ ରହିବାକୁ ଚାହୁଁ ନ ଥିଲା । ଖରାଟାରେ ଏତେବାଟ ଆସି ପୁଣି ଫେରିଯିବା କେତେଦୂର ଯୁକ୍ତିସଙ୍ଗତ ଓ ଔଚିତ୍ୟବୋଧର ପରିଚାୟକ ତାହା ଚିନ୍ତା କରୁ କରୁ ସେ ସାଇକେଲ୍‌ର ପ୍ୟାଡଲ୍‌ ଉପରେ ଚାପ ଦେଲା । ଠିକ୍‌ ସେତିକିବେଳେ ଏକ ଅସ୍ୱାଭାବିକ ଶବ୍ଦ କରି ତା ପ୍ୟାଣ୍ଟ୍‌ର ସିଟ୍‌ଟା ଫାଟିଗଲା ଓ ସନାତନ ନିଜର ଏବଂବିଧ ଅସହାୟତା ସମ୍ପର୍କରେ ଅବଗତ ହେବାକ୍ଷଣି ସେଠାରୁ ଅନ୍ତର୍ଦ୍ଧାନ ହୋଇଯିବାକୁ ଶ୍ରେୟ ମଣିଲା । ତା ପଛରେ ସିନେମା ହଲ୍‌ ପାଖର ହୋ-ହଲ୍ଲା, ରଙ୍ଗିନ ପୃଥିବୀ, ଅସଂଖ୍ୟ ସୁନ୍ଦରୀ ତରୁଣୀଙ୍କ ଭିଡ଼ । ମାତ୍ର ଏଇ ରଙ୍ଗମୟ ଇଲାକାର କୌଣସି ଆକର୍ଷଣ ସେଇ ମୂହୂର୍ତ୍ତରେ ତାକୁ ଆକୃଷ୍ଟ କରିପାରୁ ନଥିଲା । ବସା ପାଖରେ ପହଞ୍ଚିବା ପୂର୍ବରୁ ବାଟରେ ତାର ଦୁଇଜଣ ଅଫିସ୍‌ ସାଙ୍ଗଙ୍କ ସହ ଦେଖା ହୋଇଥିଲା ଓ ସେମାନଙ୍କୁ ମିଛ ଉତ୍ତର ‘ମୁଁ ନୁନ୍‌-ସୋ’ ଦେଖି ଫେରୁଛି’ ବୋଲି ଉତ୍ତର ଦେଇଥିଲା ।

 

ସନାତନ ଯଥାସମ୍ଭବ ଦ୍ରୁତ ବେଗରେ ପୁରୁଣା ସାଇକେଲ୍‌ଟିକୁ ଗଡ଼ଉଥିଲା ଓ ସମୟେ ସମୟେ ଦୁଇକଡ଼କୁ ଚାହିଁ ତାର ଏ ପୃଷ୍ଠଭଙ୍ଗ ଦୃଶ୍ୟଟିକୁ ଅନ୍ୟ କେହି ଅବଲୋକନ କରୁଛନ୍ତି କି ନାହିଁ ଜାଣିବାକୁ ଇଚ୍ଛା କରୁଥିଲା । ହଠାତ୍‌ ଜେଲ୍‌ରୋଡ୍‌ ମୋଡ଼ ପାଖରେ ସେଆଡ଼ୁ ମାଡ଼ି ଆସୁଥିବା ରିକ୍‌ସାଟି ସହିତ ତାର ଧକ୍‌କା ହେଲା । ସେ ସାଇକେଲ୍‌ରୁ ଛିଟିକି ତଳେ ପଡ଼ିଗଲା ଏବଂ ତାର ଏପ୍ରକାର ଅସହାୟତାକୁ ଏକ ପ୍ରକାର ଚକ୍ଷୁରୋଚକ ଦୃଶ୍ୟ ରୂପେ ଗ୍ରହଣ କରି ରିକ୍‌ସାରୋହୀ ତରୁଣୀଦ୍ୱୟ ଫିକ୍‌କରି ହସିଦେଲେ ।

 

ସବୁ ସରିଗଲା!

 

ମାନ, ମହତ ଓ ଇଜ୍ଜତ ।

 

ସେ ରିକ୍‌ସାବାଲା ଉପରକୁ ଉହୁଁକି ଯିବାକୁ ଚାହୁଁଥିଲା, ମାତ୍ର କଣ ଭାବି କେଜାଣି ସେ ସେଥିରୁ ନିବୃତ୍ତ ହେଲା । ସାଇକେଲ୍‌ଟିକୁ ତଳୁ ଉଠେଇ ସେ ଝାଡ଼ିଝୁଡ଼ି ହେଲା ଓ କାନମୁଣ୍ଡ ଆଉଁଶି ବସାଭିମୁଖେ ଚାଲିଲା ।

 

କହିବା ନିଷ୍ପ୍ରୟୋଜନ ଯେ ରବିବାସରୀୟ ଅପରାହ୍‌ଣଟିର ଅବଶିଷ୍ଟ ମୁହୂର୍ତ୍ତଗୁଡ଼ିକ ତାର ପ୍ୟାଣ୍ଟ ସିଲେଇ କାର୍ଯ୍ୟରେ ହିଁ ଅତିବାହିତ ହେବାକୁ ଲାଗିଲା । ସନ୍ଧ୍ୟାବେଳକୁ ତାର ଆଉ ବାହାରକୁ ଯିବାର ମୁଡ୍‌ ନ ଥାଏ । ସେଥିପାଇଁ ସେ ଦୁଃଖ ପ୍ରକାଶ ନ କରି ନିଜକୁ ‘ଯା ହେଉ- ଦଶଟା ଟଙ୍କା ରହିଗଲା’ ପରି ଏକ ସାନ୍ତ୍ୱନାମୂଳକ ମନ୍ତବ୍ୟ ଶୁଣାଇ ଚୁପ୍‌ଚାପ୍‌ ରହିଲା ।

 

ପରଦିନ ସକାଳ ଦଶଟାବେଳେ ଗାଧୋଇ ପାଧୋଇ ମୁଣ୍ଡ କୁଣ୍ଡଉଥିବା ବେଳେ ଘର ମାଲିକର ଅଷ୍ଟମବର୍ଷୀୟ ପୁତ୍ର ତାକୁ ଆଣି ଦୁଇଖଣ୍ଡି ଚିଠି ଓ ରବିବାରର ଇଂରେଜୀ ଖବରକାଗଜଟି ଦେଇଗଲା । ଚିଠି ଦୁଇଟିରୁ ପ୍ରଥମଟି ଖୋଲି ସେ ପଢ଼ିବସିଲା ସାଙ୍ଗେ ସାଙ୍ଗେ । ସେଇଟି ଥିଲା ଲଳିତାର ଚିଠି । ପ୍ରଥମେ ଆଦର ସମ୍ଭାଷଣ, ଚଟୁଳ ସମ୍ବୋଧନ, ତା ପଛକୁ ମୃଦୁ ଭର୍ତ୍ସନା, ତୃତୀୟ ପାରାରେ ଘରକୁ ଯିବାପାଇଁ ସଶ୍ରଦ୍ଧ ଆମନ୍ତ୍ରଣ ଓ ଅନ୍ତିମ ପାରାଗ୍ରାଫ୍‌ରେ ଶାଢ଼ି, କାଚ, ଖେଳଣା, ବଟୁଆ, ଟିଫିନ୍‌ କ୍ୟାରିଅର ଇତ୍ୟାଦି ଜିନିଷର ସଂକ୍ଷିପ୍ତ ତାଲିକା ସହ ସେସବୁର ଜରୁରୀ ଆବଶ୍ୟକତା ଦର୍ଶାଇ କଡ଼ା ତାଗିଦ । ଏସବୁ ବ୍ୟତିରେକେ ତାକୁ ସେ ଗାଆଁଟାରେ ପଶୁଠାରୁ ନିକୃଷ୍ଟ ଜୀବନ ଜିଇଁବାକୁ ପଡ଼ୁଛି ବୋଲି ଅନାବଶ୍ୟକ ଓ ବିଶେଷ ଦ୍ରଷ୍ଟବ୍ୟସୂଚକ ଧାଡ଼ିଟିଏ ଶେଷକୁ ଥିଲା ।

 

ସନାତନର ବର୍ତ୍ତମାନ ହସିବାକୁ ଇଚ୍ଛା ହେଲା । ସେ ହସିଲା ଏଇଥିପାଇଁ ଯେ ସେଇ ମୁହୂର୍ତ୍ତରେ ତାଠୁ ଅଧିକା ଆଉ କିଛି ସେ କରିପାରି ନ ଥାଆନ୍ତା ।

 

ଆରଟି ସଦ୍ୟ ମାଟ୍ରିକ୍‌ ପରୀକ୍ଷା ଦେଇଥିବା ସାନଭାଇ ଟୁକୁନାର ଚିଠି । “ପରୀକ୍ଷା ଯେମିତି ହେବା କଥା ହେଇଛି । ବର୍ତ୍ତମାନ ତାର ହାଫ୍‌ ପ୍ୟାଣ୍ଟ୍‌ ପିନ୍ଧିବାର ବୟସ ନିଶ୍ଚିତ ଭାବରେ ଉତ୍ତୀର୍ଣ୍ଣ ଓ ସେଇ କାରଣରୁ ତା ପାଇଁ ଫୁଲ୍‌ପ୍ୟାଣ୍ଟ୍‌ଟିଏ କରିଦେବାର ଆବଶ୍ୟକତା ଯଥେଷ୍ଟ ଜରୁରୀ-।” ପୋଷ୍ଟକାର୍ଡଟିର ଆରପାଖରେ ବୋଉ ଭାଷାରେ ଦୁଇଧାଡ଼ିଆ ଚିଠି । “ରଜକୁ ଆସିବୁ । ଆସିଲାବେଳେ ତୋ ବାପାଙ୍କ ପାଇଁ ଖଦଡ଼ ଲୁଗା ଖଣ୍ଡିଏ ଓ ମୋ ପାଇଁ ନିତିପିନ୍ଧା ହ୍ୟାଣ୍ଡଲୁମ୍‌ ଶାଢ଼ିଟିଏ ଆଣିବୁ ।”

 

ସନାତନ କାନ୍ଥ କ୍ୟାଲେଣ୍ଡରଟିକୁ ଚାହିଁଲା । ରଜସଂକ୍ରାନ୍ତି ଆରମାସ ପନ୍ଦର ତାରିଖରେ । ଆଜି ଅଠେଇଶି ତାରିଖ । ପହିଲାରେ ଦରମା ମିଳିବ ଆଠ ଶହ ଶତାଅଶୀ ଟଙ୍କା ଚଉତିରିଶି ପଇସା । କ୍ୟାଣ୍ଟିନ୍‌ ବାକୀ ପଇଁଚାଳିଶ ଟଙ୍କା ଷାଠିଏ ପଇସା, ଆଦର୍ଶ ପାନଦୋକାନ ବାକି ଓ ଧାର ମିଶି ଚଉତିରିଶ ଟଙ୍କା, ଘରଭଡ଼ା ଅଶୀ ଟଙ୍କା, ଖବରକାଗଜ ଅଠର ଟଙ୍କା, ଘର ପାଇଁ ଚାଉଳ, ଅଟା କିଣିବା ବାବଦକୁ ଦୁଇଶହ ସତୁରି ଟଙ୍କା, ମାସକର ହୋଟେଲ ଖର୍ଚ୍ଚ ଶହେ ଷାଠିଏ ଟଙ୍କା- ଏମିତି ପ୍ରାୟ ଛଅଶହ ସାତ ଟଙ୍କାର ଧରାବନ୍ଧା ଖର୍ଚ୍ଚ ତାଲିକା । ତା ସାଙ୍ଗକୁ ଅପ୍ରତ୍ୟାଶିତ ଅତିଥି ଅଭ୍ୟାଗତ ଖର୍ଚ୍ଚ ଅଛି । ୟା’ ଭିତରେ ପୁଣି ସେ ମୁନା ପରି ପୁଅଟିର ବାପା ହୋଇସାରିଥିବାରୁ ସେଇ ଖୁସିରେ ଅନ୍ୟୂନ ଦଶଟି ଟଙ୍କାର ମିଠା ଖର୍ଚ୍ଚ ପାଇଁ ବଡ଼ବାବୁଙ୍କ ସମେତ ତା ସେକ୍‌ସନ୍‌ର ସମସ୍ତ ସହକର୍ମୀଙ୍କର ତାଗିଦ ଦୁଇ ମାସର ପୁରୁଣା ହୋଇଗଲାଣି ।

 

କଣ କରିବ ସେ ?

 

ଘରକୁ ଟଙ୍କା ନ ପଠେଇ ଜିନିଷତକ କିଣି ନେବା କଥା ଭାବିଲାବେଳକୁ ତା ମୁଣ୍ଡ ଝାଇଁଝାଇଁ ହୋଇଗଲା । ତା ଘରର ଶୋଚନୀୟ ଅବସ୍ଥା, ବାପାଙ୍କ ଦୁର୍ବଳ ସ୍ୱାସ୍ଥ୍ୟ, ଅବିବାହିତା ଭଉଣୀର ଉଦାସିଆ ଆଖି, ନିଜ ସ୍ତ୍ରୀ ଓ ପୁଅଙ୍କର କାନ୍ଦୁରା ମୁହଁ ତା ଆଖି ଆଗରେ ନାଚିଗଲା । ଏହି ପାଞ୍ଚପାଞ୍ଚଟି ମହାପ୍ରାଣୀଙ୍କ ସକାଶେ ସନାତନ ହିଁ ଏକମାତ୍ର ସାହା ଓ ଭରସା - ଅନ୍ତତଃ ଆସନ୍ତା ମାର୍ଗଶିର ପର୍ଯ୍ୟନ୍ତ ।

 

ସନାତନ ଆଲଣାକୁ ଚାହିଁଲା । ଦୁଇଗୋଡ଼ ଫରକଟା କରି ପ୍ୟାଣ୍ଟ୍‌ଟା ଝୁଲୁଛି । ଯେକୌଣସି ମୁହୂର୍ତ୍ତରେ ଯେକୌଣସି ସ୍ଥାନରୁ ଚିରିଯାଇପାରେ । ପ୍ୟାଣ୍ଟ୍‌ ଖଣ୍ଡିଏ ତାର ନିହାତି ଆବଶ୍ୟକ । ସ୍ଲିପରଟାର ବି ତଦନୁରୂପ ଅବସ୍ଥା । ଟିକିଏ ଅସାବଧାନ ହେଲେ ସେ ବିଚ୍‌ବଜାରରେ ବି ଅପଦସ୍ତ କରିବାକୁ ପଛେଇବ ନାହିଁ ।

 

ପୁଣି ମନେପଡ଼ିଲା ତାର ପୂର୍ବ ଯୋଜନା । ଘରଟିଏ ଯୋଗାଡ଼ କରିବ, ସ୍ତ୍ରୀକୁ ଆଣିବ ସହରକୁ । ପୁଅକୁ ପଢ଼େଇବ ପବ୍ଲିକ୍‌ ସ୍କୁଲ୍‌ରେ । ଏ ଅସହଣୀ ପରିବେଶ ପୁନଶ୍ଚ ପ୍ରୀତିମଧୁର ଓ ଗୀତିମୟ ପାଲଟିଯିବ ସମସ୍ତଙ୍କ ଖୁସିରେ ।

 

ତାକୁ ଏଥର ଖୁବ୍‌ ଜୋର୍‌ରେ ହସ ମାଡ଼ିଲା ଓ ହସୁ ହସୁ ତା ଆଖିରୁ ଦିବୁନ୍ଦା ଲୁଣିଆ ଉଷୁମ ଲୁହ ଗଡ଼ି ଆସିଲା ।

 

ସେ କାନ୍ଦୁଥିଲା ଅସହାୟ ଭାବରେ - ଏକାନ୍ତ ଅସହାୟ ଭାବରେ ।

 

ଏକଦା ହାକିମ ହେବାକୁ ମନସ୍ଥ କରିଥିବା ସ୍କୁଲ୍‌ର ସର୍ବୋତ୍ତମ ଛାତ୍ର ସନାତନ ମହାନ୍ତି ନିଃଶବ୍ଦରେ କାନ୍ଦୁଥିଲା ।

 

କଲେଜ ତର୍କ ପ୍ରତିଯୋଗିତାରେ ‘ଆମର ସାମାଜିକ ଦାୟିତ୍ୱ’ ଶୀର୍ଷକ ଆଲୋଚନା ସଂପର୍କରେ ଖୁବ୍‌ ଗରମାଗରମ ବକ୍ତୃତା ଦେଉଥିବା ସନାତନ ନିଜର ଦାୟିତ୍ୱ କିପରି ନିର୍ବାହ କରିବ ବୁଝିନପାରି କାନ୍ଦୁଥିଲା ।

 

କାନ୍ଥ ଆଇନାଟିରେ ସେ ତା ମୁହଁର ପ୍ରତିଫଳନକୁ ଲକ୍ଷ୍ୟ କଲା । ନିଜ ପ୍ରତି ନିଜର ଅଭିମାନ ହେଲା, ରାଗ ବି । ପୁରୁଷ ହୋଇ କାନ୍ଦିବା ପରି ନିହାତି ନାରୀସୁଲଭ କାର୍ଯ୍ୟଟିଏ କାହିଁକି ସେ କରିବାକୁ ଗଲା ଭାବି ନିଜକୁ ଯଥେଷ୍ଟ ଧିକ୍କାର କଲା । ସେ ଏକା ସବୁ ଦୁଶ୍ଚିନ୍ତାକୁ ମୁଣ୍ଡ ଭିତରକୁ ନେବ କାହିଁକି ? ସେ ଖାଲି ତା କାମ କରିଯିବ । ସମସ୍ତଙ୍କୁ ଖୁସି କରାଇବାର ଠିକା ତ ସେ ନେଇ ନାହିଁ ?

 

ଇଂରେଜୀ ଖବରକାଗଜର ପ୍ରଥମ ପୃଷ୍ଠାରେ କେଉଁ ଅଜ୍ଞାତ ବ୍ୟକ୍ତିଟିର କାର୍ଟୁନ । ସେଇଟି ପୁଣି ହସୁଛି କି କାନ୍ଦୁଛି ତାହା ଜାଣିବାର ଯୁ ନାହିଁ । ତେବେ ଏକଥା ସତ୍ୟ ଯେ ସେ କିଛି କରୁଛି । ଅଲକ୍ଷ୍ୟରେ ସନାତନ ଡଟ୍‌ପେନ୍‌ଟି ନେଇ କାର୍ଟୁନଟିର ଚେହେରା ପରିବର୍ତ୍ତନରେ ଲାଗିପଡ଼ିଥିଲା ।

 

ସନାତନ ଖବରକାଗଜଟି ନେଇ ଆଇନା ପାଖକୁ ଗଲା । ବାଁ ହାତରେ କାର୍ଟୁନଟିକୁ ଧରି ନିଜ ମୁହଁର ଆକୃତିକୁ ତଦନୁରୂପ କରିବାକୁ ଚେଷ୍ଟାକଲା । ସେ ହସିଲା, ଦାନ୍ତ ନେଫଡ଼ିଲା, ଆଖି ଉପରକୁ କଲା ଓ ଡିମା ଡିମା କରି ସାମ୍‌ନାକୁ ଚାହିଁଲା । ଆଶ୍ଚର୍ଯ୍ୟ ହେଲେ ବି ସତ୍ୟ ଯେ ତା ମୁହଁର ସମସ୍ତ ପ୍ରକାର ଆକୃତି ଓ ଭଙ୍ଗୀ ସହ କାର୍ଟୁନଟିର ବେଶ୍‌ ସାମଞ୍ଜସ୍ୟ ରହୁଥିଲା ।

Image

 

ହାରି ଯାଇଥିବା ମଣିଷ

 

ପାଚେରି ସେପଟେ ଯେ ଏତେ ବଡ଼ ଅଘଟଣଟିଏ ଘଟିଗଲା ତାହା ପାଚେରି ଏପଟ ଲୋକମାନଙ୍କୁ ଜଣାପଡ଼ିଲା ନାହିଁ । ପ୍ରଥମେ ପ୍ରଥମେ ଚାପା ଗୁଞ୍ଜରଣ ଓ ପରେ ଉଡ଼ାଖବର ଭାବରେ ସେ ଦିନ ମଧ୍ୟାହ୍ନ ବେଳକୁ ଯେଉଁ କଥାଟି ସହରରେ ପ୍ରଚାରିତ ହେଲା, ତାହା ଥିଲା “ପାଗଳଟିଏ ଜେଲ୍‌ ଭିତରେ ଆତ୍ମହତ୍ୟା କରିଦେଇଛି ।” ‘ପାଗଳଟିଏ’ ବୋଲି ଜାଣିବା ପରେ ସେ ବିଷୟରେ ବେଶି ଖୋଳିତାଡ଼ି ପଚାରିବାକୁ କେହି ଚାହାନ୍ତି ନାହିଁ । ଖବରକାଗଜବାଲାଏ ଦେଖନ୍ତି, ଏହା ଭିତରେ କିଛି ମାଲ, ମସଲା ନାହିଁ । ନିହାତି ମାମୁଲି ଖବର । ତେଣୁ ସେ ସବୁରେ ମୁଣ୍ଡ ଭର୍ତ୍ତିକରି ଲାଭ ନାହିଁ ।

 

କିନ୍ତୁ ସ୍ୱାଭାବିକ ହେଉ ବା ଅସ୍ୱାଭାବିକ ହେଉ, ସବୁ ମୃତ୍ୟୁ ପଛରେ ପଡ଼ିରହେ ଗୋଟାଏ ବ୍ୟକ୍ତି ଜୀବନର ଇତିହାସ । ସେହିପରି ଇଏ ଯେଉଁ ଜୀବନର ପୂର୍ଣ୍ଣଚ୍ଛେଦ ପଡ଼ିଗଲା ଜେଲ୍‌ର ଚାରିକାନ୍ଥ ଭିତରେ, ତା ପଛରେ ବି ପଡ଼ିରହିଲା ଗୋଟାଏ ଅଲୋଡ଼ା ଇତିହାସ ।

 

ଜେଲ୍‌ର ସାଙ୍ଗ କଏଦୀମାନେ ପ୍ରଥମେ ଏକଥା ଶୁଣି ତଟସ୍ଥ ହୋଇଗଲେ ! ବଦ୍ଧପାଗଳ ରାମୁଲୁ ନାଇଡ଼ୁ ମଧ୍ୟ ମନଦୁଃଖରେ ସେଦିନ କିଛି ଖାଇଲା ନାହିଁ କି ପିଇଲା ନାହିଁ । ପିକାଟାଏ ବି ଟାଣିଲା ନାହିଁ ସେ ସେଦିନ । ତାର ଦୁଃଖ, ବୁଦ୍ଧିଆ ମରିଗଲା ପରେ ଏ ଜେଲ୍‌ଟା ଏକାଥରକେ ଶ୍ରୀହୀନ ହୋଇଗଲା । ଖାସା ଟୋକାଟାଏ ଥିଲା ସେ । କେଡ଼େ ମଜ୍ଜା ମଜ୍ଜା ଗପ କହୁଥିଲା । ତାପରି କିଏ କହିବ ଆଉ ? ବିଚରା ! ଦିନ ଚାରିଟା ଯାଇଥିଲେ ମୁକୁଳିଥାନ୍ତା । ନୂଆ ଜୀବନ ଗଢ଼ିଥାଆନ୍ତା । ତର ସହିଲା ନାହିଁ । ବିଷ ଖାଇଦେଲା ।

 

ଜେଲର୍‌ ସାହେବ ଏକଥା ଶୁଣିବା ମାତ୍ରକେ ଦଉଡ଼ି ଆସିଲେ । ଖବରଟା କଣ ବୁଝିବାକୁ ହେବ । ଆବଶ୍ୟକ ହେଲେ ପ୍ରେସ୍‌-ରିଲିଜ୍‌ଟାଏ ଇସ୍ୟୁ କରିବାକୁ ହେବ । ନ ହେଲେ ଆଗରୁ ଯଦି କେଉଁ ଖବରକାଗଜବାଲା ଘଟଣାକୁ ଭିନ୍ନ ରୂପ ଦେଇ ଛାପିଦିଅନ୍ତି ତେବେ ନାନା ଅନର୍ଥ ସୃଷ୍ଟି ହେବ ।

 

ନିଜର ସେଇ ପରିଚିତ ଜାଗାଟି ଉପରେ ମୁହଁମାଡ଼ି ଶୋଇଥିଲା ୧୨୭ ନମ୍ବର କଏଦୀ ଓରଫ୍‌ ବୁଦ୍ଧଦେବ । ଶୋଇଯାଇଥିଲା ମହାନିଦ୍ରାରେ । ମୁହଁରୁ ଫେଣ ବାହାରି ଶୁଖିଯାଇଥିଲା । ଆଖି ଦୁଇଟା କିନ୍ତୁ ପୂର୍ବପରି ମେଲା ରହିଛି ନିର୍ବାକ୍‌ ନିଃସ୍ପନ୍ଦ ଭଙ୍ଗୀରେ । ହାତ ଦୁଇଟା ମୁଠା ମୁଠା ହୋଇ ବିଛେଇ ପଡ଼ିଛି । ଜେଲର୍‌ ଡାହାଣ ହାତମୁଠାଟିକୁ ଖୋଲିଦେଲେ । ତା ଭିତରେ କାଗଜ ଟୁକୁରାଟାଏ । ପେନ୍‌ସିଲ୍‌ରେ ବେଶ୍‌ ସୁନ୍ଦର ହସ୍ତାକ୍ଷରରେ ଲେଖାଅଛି “ମୁଁ ଆତ୍ମହତ୍ୟା କରୁ ନାହିଁ, ବରଂ ଏଇ ନଷ୍ଟ ସମାଜର ଗୋଟାଏ ମଣିଷକୁ ହତ୍ୟା କରୁଛି ।”

 

ଜେଲର୍‌ ସାହେବ କାଗଜ ଖଣ୍ଡକୁ ସାଙ୍ଗେ ସାଙ୍ଗେ ପକେଟ୍‌ରେ ଭର୍ତ୍ତକରି ଡାକ୍ତରଙ୍କୁ ଡକେଇ ପଠେଇଲେ । ବୁଦ୍ଧଦେବର ମୃତ ଶରୀର ଉପରେ ଢାଙ୍କିଦେବାକୁ ନିର୍ଦ୍ଦେଶ ଦେଲେ ଧଳା ଚାଦରଟିଏ । ତାର ଅଧଘଣ୍ଟା ପରେ ରିପୋର୍ଟ ଦେଲେ ଡାକ୍ତର, “ବୁଦ୍ଧିଆର ମାନସିକ ବିକୃତି ଘଟିଥିଲା । ସେ ବିଷ ଖାଇ ଆତ୍ମହତ୍ୟା କରିଛି ।”

 

ଆପାତତଃ ଏଇଠି ହିଁ ବୁଦ୍ଧଦେବ କାହାଣୀର ପରିସମାପ୍ତି ଘଟିବା କଥା । ମାତ୍ର କୌତୂହଳୀ ପାଠକମାନେ ହୁଏତ ବେଶିକିଛି ଜାଣିବାକୁ ଚାହିଁବେ ବୁଦ୍ଧିଆର ସେଇ ଚିଠିଟି ସମ୍ପର୍କରେ । ଏଥିପାଇଁ ସେମାନଙ୍କୁ କିନ୍ତୁ ଯିବାକୁ ପଡ଼ିବ ଗୋଟାଏ ଛୋଟ ଗାଆଁକୁ, ବୁଦ୍ଧିଆର ଗାଆଁକୁ...

 

ବର୍ଷକ ତଳର କଥା ।

 

ଜାଙ୍ଗୁଲୁ ଜାଙ୍ଗୁଲୁ ଅନ୍ଧାର ଭିତରେ ବହୁତ ଗୁଡ଼ାଏ ବାଟ ଊଦ୍ଧ୍ୱର୍ଶ୍ୱାସ ହୋଇ ଧାଇଁ ଆସିଛି ବୁଦ୍ଧଦେବ । ଗୋଡ଼ନଖ ଗୁଡ଼ାକ ଝୁଣ୍ଟିପଡ଼ି ଖଣ୍ଡିଆ ହୋଇଯାଇଥିଲେ ବି ସେଆଡ଼କୁ ନିଘା ନାହିଁ ତାର । କାଲି ମାଈ-ସଞ୍ଜବେଳେ ଖବର ପାଇଲା, ବାପା ଦେହ ଭୀଷଣ ଖରାପ । ବସିଲା ଠାଆରୁ ଉଠିଆସିବୁ । ବୁଦ୍ଧଦେବ ସତକୁ ସତ ବସିଲା ଠାଆରୁ ଉଠି ଧାଇଁଛି । ଗାଡ଼ିଘୋଡ଼ା କିଛି ନାହିଁ । ସେ ଚାଲି ଚାଲି ପନ୍ଦର ମାଇଲ ବାଟ ଧାଇଁ ଆସିଛି, ରାତି ଅନ୍ଧାରରେ । ମନ ଭିତରେ ବାରମ୍ବାର ଆଶଙ୍କାଟାଏ ଉଙ୍କି ମାରିଛି । ବୁଢ଼ା ବାପା ଦେହ କାହିଁକି ଖରାପ ହୋଇପଡ଼ିଲା ? ସେ ଆଉ ତା ବାପକୁ ଦେଖିପାରିବ ନାହିଁ କି ?

 

ଅବଶେଷରେ ବୁଦ୍ଧଦେବ ତା ଘର ପାଖରେ ପହଞ୍ଚିଲା ବେଳକୁ ତାଙ୍କ ପିଣ୍ଡାରେ ପଡ଼ିଶା ଘରର ଲୋକମାନେ ଘେରିଯାଇଥିଲେ । ଏହି ଅସ୍ୱାଭାବିକ ଭିଡ଼ରୁ ସେ ଠଉରେଇ ନେଇଥିଲା ଯେ କିଛି ଗୋଟାଏ ଅଘଟଣ ଘଟିଛି । ସେ ଆଉ ସେଠି ଛିଡ଼ା ନ ହୋଇ ଘର ଭିତରକୁ ପଶିଗଲା । ଅଗଣାରେ ଗୋଟାଏ ଖୁଣ୍ଟକୁ ଆଉଜି ଛିଡ଼ା ହୋଇଛି ମଞ୍ଜୁ । ତା ସାନ ଭଉଣୀ । ବୁଦ୍ଧଦେବକୁ ଦେଖି ସେ ମୁହଁ ଟେକି ଚାହିଁଲା ଟିକିଏ । ତାପରେ ଧାଇଁଆସି ବୁଦ୍ଧଦେବର ଛାତି ଉପରେ ମୁଣ୍ଡ କୋଡ଼ିଦେଲା ଓ କାନ୍ଦିଉଠିଲା ଭୋ-ଭୋ ହୋଇ । ବାସ୍‌, ସେଇ ଯେ ସେ କାନ୍ଦିବାକୁ ଆରମ୍ଭ କଲା ତାର ଆଉ ଶେଷ ନାହିଁ । ମନେହେଉଥିଲା ଯେପରି ସେ ବହୁ ବର୍ଷ ହେଲା କାନ୍ଦିନାହିଁ । ବୁଦ୍ଧଦେବକୁ ଆଉ କିଛି ବାକି ରହିଲା ନାହିଁ ବୁଝିବାକୁ । ସେ ନିଶ୍ଚିତ ହୋଇଯାଇଥିଲା ଯେ ତା ବାପା ଆଉ ନାହିଁ । ବର୍ତ୍ତମାନ ଧୈର୍ଯ୍ୟ ହରେଇବା ବେଳ ନୁହେଁ । ମଞ୍ଜୁକୁ ସେ ପ୍ରବୋଧନା ଦେଲା । ଉଠ୍‌ ଉଠ୍‌ ବାୟାଣୀଙ୍କ ପରି କଣ ହେଉଛୁ ?

 

ମଞ୍ଜୁର କାନ୍ଦ ସେ ବୁଦ୍ଧଦେବ ଭିତରକୁ ସଂକ୍ରମି ଆସୁ ନ ଥିଲା ତା ନୁହେଁ; ମାତ୍ର ପୁରୁଷପିଲା ସେ । ଝିଅଟିଏ କାନ୍ଦିଲେ ଆଖିର ଲୁହ ବାହାରକୁ ଦିଶେ, ପୁରୁଷ ପିଲାର ଲୁହ ବାହାରକୁ ଦିଶେ ନାହିଁ । ସେ କାନ୍ଦେ ଭିତରେ ଭିତରେ । ଲୁହ ଆଉ କୋହ ଏକାକାର ହୋଇଯାଆନ୍ତି ଛାତି ଭିତରେ । ରକ୍ତ ସେଠି ଲୁହ ହୋଇ ଝରେ ।

 

ବୁଦ୍ଧଦେବ ଚାହିଁଲା ନିଜ ବାପର ନିର୍ଜୀବ ଦେହ ଆଡ଼େ । ଏଇ ତାର ବାପ - ଯିଏ ତା ଲାଗି ପିଠି ପତେଇ ଦେଇଛି ସବୁ ପ୍ରକାର ଦୁଃଖ କଷ୍ଟ ଆଗରେ । ଆହା ବିଚରା ! କେତେ ଆଶା ଭରସା କରିନଥିଲା ତା ପୁଅଟି ଉପରେ ! କିନ୍ତୁ ମଲାବେଳକୁ ପାଟିରେ ମୁନ୍ଦେ ପାଣି ବି ଦେଇପାରିଲାନି ସେ ।

 

ଯାଉ, ମରିଯାଉ । ଗରିବ ଗୁରୁବାଙ୍କ ଘରେ ଯିଏ ମରିଗଲା ସିଏ ଜାଣିବ ତରିଗଲା । ରହିଗଲେ ଯେଉଁମାନେ ପଛରେ, ତାଙ୍କରି ପାଇଁ ହିଁ ଦୁଃଖର ଦିନ ହୁ ହୁ ହୋଇ ମାଡ଼ିଆସେ, ଅନହୁତି ଅଣଚାଶ ପବନ ପରି ।

 

ବୁଦ୍ଧଦେବ ସାହିଭାଇଙ୍କି ଡାକି ଶବ ସତ୍କାର କଲା । ଶୁଦ୍ଧିକ୍ରିୟା ପାଇଁ ଅଣ୍ଟାଭିଡ଼ିଲା ସେ । ବାପର ପୁଅ ବୁଦ୍ଧଦେବ, ଯେମିତି ହେଲେ କ୍ରିୟାକର୍ମାଣି ତ ସମ୍ପାଦିବାକୁ ହେବ । ବ୍ରାହ୍ମଣ ପୁରୋହିତ ବହୁ ଶାସ୍ତ୍ର ପୁରାଣ ବ୍ୟାଖ୍ୟା କରି ଆତ୍ମାର ସଦ୍‌ଗତି ନିମନ୍ତେ ଯାହା ଯାହା ବିଧିବିଧାନ ଅଛି ସେସବୁ ବତେଇ ଦେଲେ । ତାକୁ ଶେଷକୁ ଏକଥା ବି କହିବାକୁ ଭୁଲିଲେ ନାହିଁ ରାଧୁ ପଣ୍ଡିତେ, “ଦେଖ ବାବା ବୁଦ୍ଧଦେବ, ତମେ ତ ପିଲାଲୋକ, କିଛି ଜାଣିନ । ବାପର ଶୁଦ୍ଧିକ୍ରିୟାଟି ଭଲରେ ଭଲରେ କରିବ । ନ ହେଲେ ବିଚରା ବୁଢ଼ାଟାର ଆତ୍ମା ଶାନ୍ତି ପାଇବ ନାହିଁ । ଅଶାନ୍ତ ଆତ୍ମା ରାକ୍ଷସ ହୁଏ । ତାକୁ ଆଉ ତିନି ଭୁବନରେ କେଉଁଠି ବାସ ମିଳେ ନାହିଁ । ତା ବ୍ୟତୀତ ତମର ତ ଆଉ ପାଞ୍ଚ କି ସାତ ବାପ ନାହାନ୍ତି । ଯାହା ଖର୍ଚ୍ଚାନ୍ତ ହବାର ଥରୁଟେ ହେବ ସିନା ! ବାପର ଆତ୍ମା ତ ଶାନ୍ତି ପାଇବ ।”

 

ବୁଦ୍ଧଦେବ ଜାଣେନା ଆତ୍ମାର ଲୋଡ଼ା କି କି ଚିଜ ବା ଆତ୍ମା ଶାନ୍ତ ନ ହେଲେ ରାକ୍ଷସ ପାଲଟେ କି ବ୍ରହ୍ମରାକ୍ଷସ ପାଲଟେ । ଖାଲି ଗୋଟିଏ କଥା ସେ ବୁଝିଥିଲା ଯେ ବଞ୍ଚିଥିବା ଯାକେ ସେ ବାପ ପାଇଁ କିଛି କରିପାରି ନାହିଁ, ତାକୁ ଶାନ୍ତିରେ ଗଣ୍ଡିଏ ଖୁଆଇ ପିଆଇ ପାରିନାହିଁ । ତେଣୁ ତାର ଶେଷ କର୍ମତକ ସେ ମରୁ କି ବଞ୍ଚୁ ଭଲ କରି କରିବ ।

 

ବୁଦ୍ଧଦେବର ସମ୍ବଳ କହିଲେ ଗହିରି ପାଖର ଦିପା ଜମି, ଘରଡ଼ିହ ଖଣ୍ଡେ, ଗୋଟାଏ ଛେଳି ଓ ଦିଇଟା କୁକୁଡ଼ା । ଏତକକୁ ଛାଡ଼ିଦେଲେ ଏତେ ବଡ଼ ସଂସାରରେ ତାର ଆଉ କିଛି ନାହିଁ । ସେତକ ଜମି ପୁଣି ବାପଗୋସାଇଁ ଜମି । ସବୁ ଯାଇ ଯାଇ ଦିପା ପଡ଼ିଛି, ଏକ ବିରାଟ ହରଣ ଅଙ୍କର ନଗଣ୍ୟ ଭାଗଶେଷ ପରି ।

 

ସବୁ ରାଜ୍ୟରେ, ସବୁ ଗାଆଁରେ ଦୁଇ କିସମର ଲୋକ ଥାଆନ୍ତି; କେହି ଜଣେ ବିପଦରେ ପଡ଼ିଲେ ତା ପାଖକୁ ଧାଇଁ ଆସନ୍ତି । ଥୋକେ ଆସନ୍ତି ଦୁଃଖରେ ସମବେଦନା ଜଣେଇବାକୁ, ସମ୍ବଳମତେ ସାହାଯ୍ୟ କରିବାକୁ; ଆଉ ଥୋକେ ଆସନ୍ତି ବିପଦରେ ପଡ଼ିଥିବାବେଳେ ଯାହା କିଛି ତାର ଅଛି ଲୁଟିନେବାକୁ, ସାଧ୍ୟମତେ ତାର ଗୋଡ଼ ଟାଣି ଖାଲରେ ପକେଇ ଦେବାକୁ । ବୁଦ୍ଧଦେବର ଦୁର୍ଭାଗ୍ୟ ତା ପାଇଁ ପ୍ରଥମ କିସମର ଲୋକ ଗୋଟିଏ ବି ଜୁଟିଲେ ନାହିଁ । କିନ୍ତୁ ଆର କିସମର ଲୋକ ବାହାରି ଆସିଲେ ଚାରି, ପାଞ୍ଚ । କାହ୍ନୁ ସାହୁ କହିଲା, “ବାପାଟା ପରା ବ୍ୟସ୍ତ ହଅନା । ତୋ ବାପ ସିନା ମରିଗଲା, ହେଲେ ଆମେମାନେ ତ ଅଛୁ । କାମ ଅଟକିବ ନାହିଁ । ନିଶ୍ଚେ ସବୁ ଠିକ୍‌ ହୋଇଯିବ । ତୁ ଖାଲି ଧୈର୍ଯ୍ୟ ଧର ।” ତାପରେ ସେ ଟଙ୍କା ବିଡ଼ାଟାଏ ବାହାର କରି ନଥ୍‌କରି ଥୋଇଦେଲା ବୁଦ୍ଧଦେବର ଆଗରେ । ବୁଦ୍ଧଦେବ ଏତେଗୁଡ଼ାଏ ଟଙ୍କା ଏକାଥରକେ କେବେ ଦେଖି ନ ଥିଲା ଆଗରୁ । କାହ୍ନୁ ସାହୁ କହିଲା, “ନେ ଧର, ଏଥିରେ ପୂରା ଦେଢ଼ ହଜାର ଅଛି । ଆଉ ଦରକାର ହେଲେ ମାଗିନେବୁ । ହଁ, ଗଣିନେ । କଥାରେ ଅଛି, ପାଣି ପିଇବ ଛାଣି, ପଇସା ନବ ଗଣି । ବୁଝିଲୁ ?”

 

ବୁଦ୍ଧଦେବ କାହ୍ନୁ ସାହୁର ମୁହଁକୁ ଚାହିଁଲା । ଏଇ ବାଙ୍ଗରା ହେଇ କାଳିଆ ଲୋକଟାକୁ ସେ କେତେ ଅବିଶ୍ୱାସ କରୁନଥିଲା ସତରେ ! ଅଥଚ ଲୋକଟାର ମୁହଁକୁ ଚାହିଁଲେ ସେମିତି ତ ଲାଗୁ ନାହିଁ । ବରଂ କେମିତି ଆତ୍ମୀୟ ଲାଗୁଛି ତାର ଉପସ୍ଥିତି । ହେଲା ଏବେ ସେ ସୁଧଖୋର ମହାଜନଟେ । କଣ ହେଇଗଲା ସେଇଠୁ ? ଟଙ୍କାକୁ ସେଇମାନେ ଘୃଣା କରନ୍ତି, ଯେଉଁମାନଙ୍କ ପାଖରେ ଟଙ୍କା ନାହିଁ । ସେଇଥିପାଇଁ ତ ତାଙ୍କ ପାଖେ ଟଙ୍କା ରହିପାରେ ନାହିଁ । ସେ ଟଙ୍କା ବିଡ଼ାଟା ଧରି ଧୀରେ ଧୀରେ ସେଠୁ ଉଠିଲା । କାହ୍ନୁ ସାହୁଠୁ ‘ପଇସା ନବ ଗଣି’ ଶୁଣିସାରିବା ପରେ ତା ଉପସ୍ଥିତିରେ ସେତକ ଗଣିବାକୁ ତାର ଇଚ୍ଛା ହେଉ ନ ଥିଲା ।

 

ପଛରୁ ଡାକିଲା କାହ୍ନୁ ସାହୁ- “ଶୁଣ ବୁଦ୍ଧଦେବ, ଗୋଟାଏ କାମ ରହିଗଲା ।” ତାପରେ ସେ ଖଣ୍ଡେ କାଗଜ ବାହାର କରି ସେଇଟିକୁ ବଢ଼େଇଦେଲା ବୁଦ୍ଧଦେବକୁ ଓ କହିଲା, “ଏଇଥିରେ ଦସ୍ତଖତ୍‌ଟେ କରିଦେ । ଏସବୁ ଦରକାର ପଡ଼ନ୍ତା ନାହିଁ ଯେ, ହେଲେ ତୁ ତ ଜାଣିନୁ । ଏଇନା ଏତେ ଟାଣ୍‌ଟୁଣ୍‌ ପଡ଼ିଛି । ଖାଲି ତୋ କାମ ବୋଲି ମହାଜନଠାରୁ ଧାର ଆଣିଛି ସୁଧରେ ।”

 

ସେତେବେଳକୁ କାହ୍ନୁ ସାହୁର ଉଦାରପଣିଆରେ ଗୋଟାପଣେ ଭିଜିଯାଇସାରିଲାଣି ବୁଦ୍ଧଦେବ । ସେ ସାଙ୍ଗେ ସାଙ୍ଗେ ଦସ୍ତଖତ୍‌ଟେ କରିଦେଲା କାଗଜ ଉପରେ । ତାକୁ ଭାରି ହାଲୁକା ହାଲୁକା ଲାଗୁଥିଲା ଟଙ୍କା ପାଇଯାଇଥିବା ଯୋଗୁ । ଯେମିତି ଗୋଟାଏ ବଡ଼ ପାହାଡ଼ର ବୋଝ ତା ମୁଣ୍ଡ ଉପରୁ ଓହ୍ଲେଇ ଯାଇଛି ।

 

ଟଙ୍କାଆଣି ଗୋହିରି ବାଟ ଦେଇ ଫେରିବାବେଳେ ସେ ତାର ଜମି ଦିଖଣ୍ଡକୁ ଚାହିଁ ରହିଥିଲା ଢେର୍‌ ସମୟ । ତାକୁ ଲାଗୁଥିଲା ବାପ ସାଙ୍ଗେ ସାଙ୍ଗେ ତାର ସବୁଯାକ ଶିରୀ ସତରେ ତୁଟିଯାଇଛି । ବାପା ଯାଇଛି ଆଉ ଫେରିବ ନାହିଁ । ଜମି ଯାଉଛି ଆଉ ଫେରିବ ନାହିଁ । ଛାତି ଭିତରଟା ଆଉଟି ପାଉଟି ହେଲା କଣଟାଏ ମନ୍ଥି ହୋଇଗଲା ପରି । ଦୀର୍ଘଶ୍ୱାସଟାଏ ନେଲା ସେ ।

 

ଜମି ଖଣ୍ଡିକ ବନ୍ଧା ପଡ଼ୁ ପଛକେ ବାପାର ଶୁଦ୍ଧିକ୍ରିୟା ଯେ ଭଲରେ ଭଲରେ ତୁଟିଗଲା, ସେଇ ଢେର୍‌ ବୁଦ୍ଧଦେବ ପାଇଁ । ବ୍ରାହ୍ମଣମାନେ ଭୂରିଭୋଜନରେ ପ୍ରୀତ ହୋଇ, ହାକୁଟି ମାରି ଫେରୁଥିବାରୁ ବୁଦ୍ଧଦେବ ଅନୁଭବ କରୁଥିଲା ତାର ବୁଢ଼ା ବାପାର ଆତ୍ମା ଶାନ୍ତି ପାଇଛି ।

 

ବୁଦ୍ଧଦେବ ଏବେ ବାସ୍ତୁହରା । ଗୋଟାଏ ଅଦରକାରୀ ଅତୀତ ଓ ସ୍ଥିତିହୀନ ବର୍ତ୍ତମାନକୁ ନେଇ ସେ ଅନିଶ୍ଚିତ ଭବିଷ୍ୟତ ପାଇଁ ଅଣ୍ଟା ଭିଡ଼ିଲାବେଳେ ଏବେ ଦୀର୍ଘଶ୍ୱାସଟାଏ ବାହାରି ଆସେ-। ଘରେ ବଢ଼ିଲା ଭଉଣୀ । ତା ବାହାଘର କଥା ମନେପଡ଼ିଲେ ଡର ଆସେ ବୁଦ୍ଧଦେବର । ଏବେ ତ ଦି ଜଣଙ୍କ ଖାଇବା ପାଇଁ ଦି ଓଳି ଦି ମୁଠା ଯୋଗାଇବା ତା ପକ୍ଷେ ହୋଇପଡ଼ିଲାଣି ମୁସ୍କିଲ !

 

ତେବେ ଭାଇ ସେ, ଘରର ମୁରବି । ତାକୁ ହିଁ ନଇଁପଡ଼ି ପିଠି ଉପରକୁ ଟେକିନେବାକୁ ହେବ ସମସ୍ତ ବୋଝ । ଘରକରଣା କହିଲେ ଗୋଟିଏ ଛେଳି ଓ ଦୁଇଟି କୁକୁଡ଼ା ହିଁ ତାର ସମ୍ପତ୍ତି । ଛେଳିଟା ମଞ୍ଜୁର ଭାରି ପ୍ରିୟ, ଗେଲବସର । ସେମାନଙ୍କୁ ଚାହିଁଲେ ବୁଦ୍ଧଦେବର କଲିଜା ଥରେଇ ଦୀର୍ଘଶ୍ୱାସଟାଏ ବାହାରି ଆସେ । ପଶୁପକ୍ଷୀ ତିନିଟିକୁ ପାଳିବା ଭିତରେ ହିଁ ତ ତା ଭିତରର ଗୋଟାଏ ଖାଁ ଖାଁ ଭାବକୁ ଏଯାଏ ବହଲେଇ ଆସିଛି ମଞ୍ଜୁ ।

 

ଦିନେ ସେ ଶୁଣିଲା ସରକାର ଋଣ ଦେଉଛନ୍ତି, ଛେଳି କୁକୁଡ଼ା ପାଳିବା ପାଇଁ । ବୁଦ୍ଧଦେବର ଆଖି ଉଜ୍ଜ୍ୱଳି ଉଠିଲା । ଭାସିଯାଉଥିବା ଲୋକର କୁଟାଖିଅ ସାହାଭରସା ପରି ବୁଦ୍ଧଦେବର ଏତେବେଳେ ଛେଳି କୁକୁଡ଼ାଙ୍କ ଭିନ୍ନ ଅନ୍ୟ କିଛି ସାହାଭରସା ଦେଖାଯାଉନଥିଲା । ସିଧାସଳଖ ତ ସେ ଯାଇପାରିବନି ବଡ଼ ବାବୁଙ୍କ ପାଖକୁ । ସରପଞ୍ଚଙ୍କ ସାଙ୍ଗରେ ଏ ବିଷୟରେ କଥା ହେଲା ବୁଦ୍ଧଦେବ ଓ ଦୁଇଟି କୁକୁଡ଼ାରୁ ଗୋଟିକୁ ନେଇ ଦିନେ ପହଞ୍ଚିଲା ବଡ଼ ବାବୁଙ୍କ ବସାଘରେ ।

 

ବଡ଼ ବାବୁଙ୍କର ବହୁତ କାମ ପଡ଼ିରହିଥିଲେ ବି ବୁଦ୍ଧଦେବ ଓ କୁକୁଡ଼ା ଉଭୟଙ୍କର ବିକଳ ମୁହଁ ଦେଖି ଏଡ଼ିଯାଇ ପାରିଲେ ନାହିଁ । କୁକୁଡ଼ାଟିକୁ ଭିତର ଖଞ୍ଜାକୁ ପଠେଇ ଦେଇ ବାହାର ଘରେ ବୁଦ୍ଧଦେବକୁ ବସେଇଲେ ଓ ବହୁ ଉପଦେଶ ଦେଲେ । ଶେଷକୁ ସ୍ଥିର ହେଲା ଉପର ହାକିମ ସରଜମିନ ତଦନ୍ତରେ ଯିବେ ବୁଦ୍ଧଦେବର ଘରକୁ । ତାପରେ ଯାଇ ଋଣ ଦେବା କଥା ।

 

ସତକୁ ସତ ଦିନେ ବୁଦ୍ଧଦେବର ଘରେ ପହଞ୍ଚିଗଲେ ବଡ଼ ବାବୁ ଓ ବଡ଼ ହାକିମ । ମଞ୍ଜୁ ବେକରେ ପଣତକାନିକୁ ଗୁଡ଼େଇ ପ୍ରଣାମ କଲା । ବୁଦ୍ଧଦେବକୁ ତ ଏମିତି ଲାଗିଲା ଯେମିତି ଋଣ ପାଇଯାଇଛି । ତା ଦି ଗୋଡ଼ ତଳେ ଲାଗିଲା ନାହିଁ । ଏତେ ବଡ଼ ବଡ଼ ସାଇବମାନେ ତା ଘରକୁ ଆସିଛନ୍ତି, ଏ କଣ କମ୍‌ କଥା ?

ବାରଣ୍ଡାରେ ବନ୍ଧା ହେଇଥିବା ଛେଳିଟା ମେଁ ମେଁ କରୁଥାଏ । କିଛି କଥା କହି ଦେଉ ନ ଥାଏ ସେ । ଯେମିତି ତାର ନିଜର ବହୁତ କିଛି କହିବାର ଅଛି ।

ବଡ଼ ବାବୁ ଓ ବଡ଼ ହାକିମ ସରପଞ୍ଚ ବାବୁଙ୍କୁ ଡାକି ପଠେଇଲେ । ସବୁକଥା ବୁଝିଲେ । ସରପଞ୍ଚ ବାବୁ ଜିପ୍‌ ଆଢୁଆଳକୁ ଯାଇ ଗୁପ୍ତ ଭାବରେ କଣ ସବୁ ରିପୋର୍ଟ ଦେଲେ । ହାକିମଙ୍କ ଆଖି ଝଲସି ଉଠିଲା । ବୁଦ୍ଧଦେବକୁ ଡାକି କହିଲେ, “ତମେ କାଲି ମୋ ଘରଆଡ଼େ ଆସ । ସବୁକଥା ବୁଝିବା । ବ୍ୟସ୍ତ ହେବାର କିଛି ନାହିଁ ।”

ବୁଦ୍ଧଦେବ ପରଦିନ ସକାଳେ ହାକିମଙ୍କ ଘରପାଖେ ପହଞ୍ଚିଲା । ଖାଲି ହାତରେ ତ ଯାଇନଥାନ୍ତା ଆଉ । ଆଠଟି କୁକୁଡ଼ା ଡିମ୍ବ ସାଙ୍ଗରେ ନେଇ ଯାଇଥିଲା । ହାକିମ ତାଙ୍କ ବଗିଚା ଆଡ଼େ ଆଖି ବୁଲେଇ କହିଲେ, “ବୁଝିଲ ବୁଦ୍ଧଦେବ ବାବୁ, ମାଳୀଟିଏ ନ ଥିବାରୁ ମୋର କେଡ଼େ ସୁନ୍ଦର ବଗିଚାଟି କିମିତି ହେଇଗଲାଣି । ଆପଣ ଟିକିଏ ସାହାଯ୍ୟ କରନ୍ତେ ନାହିଁ ମୋତେ ?”

ବୁଦ୍ଧଦେବକୁ ଭାରି ଖୁସି ଖୁସି ଲାଗୁଥିଲା ହାକିମଙ୍କ ମୁହଁରୁ ବୁଦ୍ଧଦେବ ବାବୁ ଡାକ ଶୁଣି । ସେ କହିଲା, “ଆଜ୍ଞା, ଇଏ ଅବା କୋଉକଥା । ଏତକ କାମ ତ ମୋତେ ନିଅଣ୍ଟ । ଆଣିଲେ କୋଡ଼ିଟା, ମୁଁ ଦେଖେ ।” ହାକିମ କହିଲେ, “ନାଇଁ, ନାଇଁ, ତମେ ଆଗେ କଫି ପିଅ । ପରେ ସେସବୁ କାମ । ଏତେ ଜରୁରୀ ନୁହେଁ ତ ସେଗୁଡ଼ା ।” ବୁଦ୍ଧଦେବର ମନେ ନାହିଁ ସେ ଆଗରୁ କେବେ ଏମିତିକା ଅପୂରୁବ ଦ୍ରବ୍ୟ ଚାଖିଥିଲା କି ନାହିଁ । ମାତ୍ର ଏତକ ତାକୁ ଭାରି ଭଲ ଲାଗିଲା । ସେ ସାଙ୍ଗେ ସାଙ୍ଗେ ଉଠିପଡ଼ି ବଗିଚା କାମରେ ଲାଗିଗଲା । ଇମିତିକା ସୁନ୍ଦରିଆ ଫୁଲ ବଗିଚାରେ କାମ କରିବା ପରିଶ୍ରମ ନୁହେଁ ତ ଗୋଟାଏ ମଉଜ । ତାକୁ ଭାରି ଖୁସି ଖୁସି ଲାଗୁଥିଲା ।

କ୍ରମେ ହାକିମଙ୍କ ଘରକୁ ଯିବା, ବଜାର ସଉଦା କରିବା, ବଗିଚା ସଫା କରିବା, ବାଡ଼ ବୁଜିବା ହୋଇପଡ଼ିଲା ବୁଦ୍ଧଦେବର ନିତିଦିନିଆ କାମ । ହାକିମ ବି ବେଳେବେଳେ ବୁଲି ଆସନ୍ତି ବୁଦ୍ଧଦେବ ଘରଆଡ଼େ ବଡ଼ ବାବୁ ଓ ସରପଞ୍ଚଙ୍କ ସାଙ୍ଗରେ । ମଞ୍ଜୁ ହାତର ବିନା କ୍ଷୀର ଚାହା ତାଙ୍କୁ ଭଲ ଲାଗେ । ସେ କହନ୍ତି ଏମାନେ ଗରିବ ହେଲେ କଣ ହେଲା, ଭାରି ଭଲ ଲୋକ । ତାଙ୍କ ମନର ମମତାରେ ଚା’ଟି ମଧୁର ଲାଗେ । କିନ୍ତୁ ଋଣଟା ଯେ ଏଯାଏ ମଞ୍ଜୁର ହେଇନି, ମନେପଡ଼ିଲେ ବୁଦ୍ଧିଆର ମନଟା ଖରାପ ହେଇଯାଏ । ସବୁଦିନ ଅଧାପେଟ ଥାଇ କିମିତି ଯେ ସେ ବଞ୍ଚିବ ? ମଞ୍ଜୁର ବାହାଘର ତ ଫେର କରିବାକୁ ଅଛି !

ସେଦିନ ସଞ୍ଜବେଳ, ବୁଦ୍ଧଦେବକୁ ସାହେବାଣୀ ଧରେଇ ଦେଇଛନ୍ତି ବଜାର ସଉଦାର ଫର୍ଦ୍ଦ । ସେ ବଜାର ଯାଇଛି ତିନି କିଲୋମିଟର ବାଟ ଚାଲି ଚାଲି । ଭୋକ ଲାଗିଲାଣି । ଅନ୍ଧାର ରାତି । ଘରେ ବଢ଼ିଲା ଭଉଣୀଟା ଏକୁଟିଆ । କିରାସିନି ତେଲ ଟୋପେ ନ ଥିଲା । ଅନ୍ଧାରରେ ବିଚାରୀ ହଇରାଣ ହଉଥିବ । ବେଗି ବେଗି ଚାଲିବାକୁ ଲାଗିଲା ବୁଦ୍ଧଦେବ ।

ଚଞ୍ଚଳ ଚଞ୍ଚଳ ବଜାର ସଉଦାତକ ହାକିମଙ୍କ ଘରେ ପହଞ୍ଚେଇ ଦେଇ ଚାଲିଆସିଲା ବୁଦ୍ଧଦେବ । ଘର ପାଖରେ ପହଞ୍ଚିଲା ବେଳକୁ ତାକୁ କିଛିଟା ଅଡ଼ୁଆ ଅଡ଼ୁଆ ଲାଗିଲା । କେଉଁଠୁ ଗୋଟାଏ ଅସ୍ୱାଭାବିକ ଶବ୍ଦ ତାକୁ ବ୍ୟତିବ୍ୟସ୍ତ କରିପକାଇଲା । ପିଣ୍ଡା ଉପରେ ନିତିଦିନ ବନ୍ଧାହେଇଥିବା ଛେଳିଟା କାହିଁକି ସବୁଦିନ ପରି ଆଜି ତାକୁ ଦେଖି ମେଁ ମେଁ ହେଲା ନାହିଁ । ସେ ଧାଇଁଗଲା ଘର ଭିତରକୁ । “ମଞ୍ଜୁ, ମଞ୍ଜୁ” ଡାକି ଘର ବାହାର ଦରାଣ୍ଡି ପକାଇଲା । କିନ୍ତୁ ଘର ଭିତରଟା ଶୂନ୍‌ଶାନ୍‌, ନିସ୍ତବ୍‌ଧ । ମଞ୍ଜୁ କାହିଁ ? ସେ ପୁଣିଥରେ ଚିତ୍କାର କରିଉଠିଲା, “ମଞ୍ଜୁ, ମଞ୍ଜୁ ।”

ନା, କିଛି ଉତ୍ତର ନାହିଁ । ବାହାରକୁ ବୁଲାକୁକୁରଟା ତାର ଅନୁଚିତ ଚିତ୍କାରର ପ୍ରତିବାଦ କରି ଯାହା ଆବାଜ ଦେଲା- ଭୋଅ-ଭୋଅ-ଭୋ- ।

ତେବେ ମଞ୍ଜୁ କଣ ପଡ଼ିଶାଘର ଆଡ଼େ ଚାଲିଗଲା ଧାରଉଧାର ମାଗି ! ଗାଆଁ ଦାଣ୍ଡରେ ଦଉଡ଼ି ଦଉଡ଼ି ସେ ପାଞ୍ଚ ସାତ ଘର ଖୋଜି ଆସିଲା । ନା, ମଞ୍ଜୁ ନାହିଁ ।

କୁଆଡ଼େ ଗଲା ତେବେ ସେ ? ରାତି ହେଲାଣି । କେଉଁଠି ଖୋଜିବ ? ତା ମନକୁ ପାପ ଛୁଇଁଲା । ଧାଇଁ ଧାଇଁ ଗଲା ଗାଁମୁଣ୍ଡ ଗୋହିରି ବନ୍ଧକୁ । ସେଇଠି ଦେଖାହେଲା ମାଗୁଣି ଅଜା ସାଙ୍ଗରେ ତାର । ବୁଦ୍ଧଦେବକୁ ଏମିତି ଚିତ୍କାର କରି ଧାଉଁଥିବାର ଦେଖି ସେ ଠିଆ ହୋଇଗଲା । ବୁଦ୍ଧଦେବ କିଛି ପଚାରିବା ପୂର୍ବରୁ ଓଲଟି ସେ ପଚାରିଲା, “ତୁ ଭଲ ଅଛୁ ତ ? ତୋ ମୁଣ୍ଡ ଫାଟିଯାଇଥିଲା ବୋଲି ଶୁଣିଲି ।” ବୁଦ୍ଧଦେବକୁ ଏକଥା ଅଡ଼ୁଆ ଅଡ଼ୁଆ ଶୁଭିଲା । ସେ କହିଲା, “ନାଇଁ ତ ମୋର କିଛି ହେଇନାହିଁ । କିନ୍ତୁ ମଞ୍ଜୁ ଗଲା କୁଆଡ଼େ?”

“ସଞ୍ଜପହରରେ ତ ସରପଞ୍ଚ ବାବୁ ଗାଡ଼ିନେଇ ଆସିଥିଲା । ସେ କହୁଥିଲେ ତୋର କଣ ଆକ୍‌ସିଡେଣ୍ଟ୍‌ ହେଇ ମୁଣ୍ଡ ଫାଟିଯାଇଛି । ତୁ ଡାକ୍ତରଖାନାରେ ପଡ଼ିଛୁ । ସେଇ ଖବର ଶୁଣି ମଞ୍ଜୁ ତାଙ୍କ ସାଙ୍ଗରେ ତୋତେ ଦେଖିବା ପାଇଁ ବାହାରିଗଲା ।”

ବୁଦ୍ଧଦେବ ବୁଝିଗଲା କଥାଟି କଣ । ସେ ଧାଇଁଲା ସରପଞ୍ଚଙ୍କ ଘରକୁ । ସିଏ ବି ସେଠି ନାହାନ୍ତି । ତେବେ କଣ ସେମାନେ ମଞ୍ଜୁକୁ ଉଠେଇ ନେଇଗଲେ ?

ରାତିସାରା ସେ କେବଳ ଏଣେତେଣେ ଧାଇଁଲା ପାଗଳା କୁକୁର ପରି । ମାତ୍ର ମଞ୍ଜୁର କିଛି ଖବର ଅନ୍ତର ନାହିଁ । ଥକ୍‌କା ମାରି ବାରଣ୍ଡାରେ ବସିପଡ଼ିଲା ବୁଦ୍ଧଦେବ । ରାତିଅଧ ବେଳକୁ ଥଣ୍ଡାପବନରେ କେତେବେଳେ ନିଦ ଲାଗିଯାଇଛି ସେ ଜାଣେନା ।

ହଠାତ୍‌ କାହାର ଡାକରେ ଚାଉଁକିନା ତାର ନିଦ ଭାଙ୍ଗିଗଲା । ସକାଳ ହେଲାଣି । ଆଖି ମଳିମଳି ସେ ଚାହିଁଲା । ଆଗରେ ଛିଡ଼ାହେଇଛି ସପନି । “ଜାଣିଲଣି ବୁଦ୍ଧିଆଇ, ଗାଁ ଠାକୁରାଣୀ ମନ୍ଦିର ପଛରେ ବେକରେ ଦଉଡ଼ି ଦେଇଛି ମଞ୍ଜୁନାନୀ ।” “ଆଁ ଦଉଡ଼ି ଦେଇଦେଇଛି...”, ନିଜ ପାଟିର କଥା ଅଧାରଖି ବୁଦ୍ଧିଆ ଧାଇଁଲା ଗାଁ ମୁଣ୍ଡ ଠାକୁରାଣୀ ମନ୍ଦିରଆଡ଼େ । ଗଛ ପାଖରେ ଗାଁସାରା ଲୋକ ରୁଣ୍ଡ ହୋଇଛନ୍ତି । ରଶି ଦଉଡ଼ିରେ ଲଟକିଛି ମଞ୍ଜୁର ଅଚେତ ଦେହ ।

 

ବୁଦ୍ଧଦେବ ଅଚେତ ହୋଇ ପଡ଼ିଗଲା ସେଇଠି । ତାର ଆଉ ହୋସ୍‌ ନ ଥିଲା । ଗାଁବାଲାଏ ରଶି କାଟିଦେଇ ମଞ୍ଜୁର ନିର୍ଜୀବ ଦେହକୁ ଓହ୍ଲେଇ ଆଣିଥିଲେ ତଳକୁ । କିଏ ଜଣେ ଯାଇ ଖବର ଦେଇ ଆସିଥିଲେ ପୁଲିସକୁ । ପୁଲିସ ପହଞ୍ଚି ନାନା ପ୍ରକାର ପଚରାଉଚରା କଲେ । ପଚରାଉଚରା ନୁହେଁ ତ ଧମକଚମକ । ଶେଷକୁ ରିପୋର୍ଟ ଦେଲେ, ଖାଇବାକୁ ନ ପାଇ ଝିଅଟି ଆତ୍ମହତ୍ୟା କରିଛି ।

 

ବୁଦ୍ଧଦେବ ସବୁ ଦେଖିଲା, ସବୁ ଶୁଣିଲା । ତାର ମୁଣ୍ଡରେ କିଛି ପଶିଲା ନାହିଁ । ସେ କେବଳ ଗୋଟିଏ କଥା ମନେ ମନେ ଚିନ୍ତା କରୁଥିଲା, ମଞ୍ଜୁ ଆତ୍ମହତ୍ୟା କରିନାହିଁ । ତାକୁ ମାରିଦିଆଯାଇଛି । ତାକୁ ମର୍ଡର କରାଯାଇଛି । ସେ ରକ୍ତଚାଉଳ ଚୋବାଇ ହେଲା । ଧାଇଁ ଧାଇଁ ଗଲା ସରପଞ୍ଚର ଘରକୁ । ନେଇଥିବା ଠେଙ୍ଗାରେ ଶକ୍ତ ଏକ ପାହାର ବସେଇଦେଲା ସରପଞ୍ଚ ମୁଣ୍ଡରେ ପଛପଟୁ ।

 

ପୁଣିଥରେ ଆରମ୍ଭ ହେଲା ପାଲା । ପୋଲିସ୍‌ ଆସିଲେ, ଫୌଜଦାରୀ କେସ୍‌ । ଗଳାଫଟେଇ ଚିତ୍କାର କଲା ବୁଦ୍ଧଦେବ - “ଏଇମାନେ ମୋ ଭଉଣୀର ଇଜ୍ଜତ ଲୁଟିଛନ୍ତି । ତାକୁ ଖୁନ୍‌ କରିଛନ୍ତି । ମୋ ଛେଳି ମାରିଛନ୍ତି । କୁକୁଡ଼ା ନେଇଛନ୍ତି । ମୋର ସର୍ବନାଶ କରିଛନ୍ତି । ମୁଁ ସେମାନଙ୍କୁ ଛାଡ଼ିବି ନାହିଁ । ସମସ୍ତଙ୍କଠାରୁ ଗୋଟି ଗୋଟି ପ୍ରତିଶୋଧ ନେବି ।”

 

ଆଖି ଆଗରେ ତାର ନାଚିଗଲା ବଡ଼ସାହେବର ମୁହଁଟା । ଇସ୍‌, ଏତେ ସୁନ୍ଦର ଚେହେରା ଭିତରେ ଏଡ଼େ ରାକ୍ଷସ ରୂପଟା ଲୁଚି ରହିଛି ! ସେଦିନ ସଞ୍ଜବେଳେ ସେ ସ୍ଥିରକଲା ବଡ଼ସାହେବକୁ ଜୀବନରେ ମାରିଦେବ । ତାପରେ ହିଁ ସେ ରାତି ଅନ୍ଧାରରେ ପାଚେରି ଡେଇଁ ପଶିଲା କୋଠି ଭିତରେ । ବିଜୁଳି ଆଲୁଅର ଫାଙ୍କରେ ଚାହିଁଲା । ସାହେବର ବଡ଼ଝିଅ ବହି ପଢୁଛି । ହଠାତ୍‌ ବୁଦ୍ଧଦେବକୁ ଲାଗିଲା ତାରି ଭଉଣୀ ମଞ୍ଜୁ ଭଲ ସଫାସୁତରା ବେଶପୋଷାକ ପିନ୍ଧି ବହି ପଢ଼ୁଛି । ଆହା, କେତେ ସୁନ୍ଦର ପିଲାଟେ ! ସାହେବଟାକୁ ଖତମ୍‌ କରିଦେଲେ ଝିଅଟି ନିଆଶ୍ରୀ ହୋଇଯିବ । ନା, ସେ ସେକଥା କରିପାରିବ ନାହିଁ । ମୁଣ୍ଡକୋଡ଼ି ହେଲା ନିଜର ଦୁର୍ବଳତା କଥା ଚିନ୍ତା କରି ।

 

ବାରଣ୍ଡାର କୁକୁରଟା ବୁଦ୍ଧିଆକୁ ଦେଖି ଭୁକିଉଠିଲା ଭୋ’ ଭୋ’ । ସାହେବ ଉଠିଆସିଲେ ଶୋଇବା ଘରୁ । ବାହାର ଲାଇଟ୍‌ ଜଳେଇଦେଲେ ସାହେବାଣୀ । ଏତେ ରାତିରେ ବୁଦ୍ଧଦେବକୁ ଦେଖି ଚମକିପଡ଼ିଲେ ସେମାନେ । ହତ୍ୟା ଉଦ୍ୟମ ଅଭିଯୋଗରେ ଥାନାକୁ ଗିରଫ ହୋଇ ଗଲା ବୁଦ୍ଧଦେବ ।

 

ଥାନାରୁ କୋର୍ଟ ଓ କୋର୍ଟରୁ ଜେଲ୍‌ ଏବଂ ଜେଲ୍‌ ଭିତରେ ଦଶ ମାସ ଜୀବନ । ନିଷ୍ଫଳ ଅଭିମାନ ଓ ଆକ୍ରୋଶରେ ବୁଦ୍ଧଦେବ ବାରମ୍ବାର ନିଜର ମୁଣ୍ଡବାଳ ଝିଙ୍କିଛି, ଲୁଗାପଟା ଚିରିପକାଇଛି ଓ ନିଜ ଦେହ ହାତକୁ ପୁଳାପୁଳା କାମୁଡ଼ି ପକେଇ କ୍ଷତାକ୍ତ ହୋଇଛି । ସବୁବେଳେ ସେ ଭାବିଆସିଛି ଯେମିତି ଏ ସମାଜ ତା ଉପରେ ଦାଉ ସାଧିଛି, ସେ ବି ସେମିତି ପ୍ରତିଶୋଧ ନେବ । ସେ ସେମାନଙ୍କୁ ହତ୍ୟା କରିବ । ଏ ସମାଜର ହତ୍ୟା କରିବ ।

 

ମାତ୍ର ପର ମୁହୂର୍ତ୍ତରେ ସେ ପୁଣି ଦୁର୍ବଳ ହୋଇ ମୁଣ୍ଡ ଝୁଲେଇ ବସି ରହିଛି । ନିଜର ଦୁର୍ବଳ ଦେହହାତ, ଶୂନ୍ୟ ଖୋଷଣି ଓ ରୁକ୍ଷ ଚେହେରା ଉପରେ ନଜର ବୁଲେଇଆଣି ହତାଶ ହୋଇଛି । ସେମାନେ ଖୁବ୍‌ ବଡ଼ଲୋକ । ତାଙ୍କ ପାଖେ ବନ୍ଧୁକ ଅଛି, ଗାଡ଼ି ଅଛି, ଡାହାଳ କୁକୁର ଅଛନ୍ତି । ଗୁଣ୍ଡା ଅଛନ୍ତି । ତାଙ୍କ ପାଇଁ ଆଇନ ଅଛି, କାନୁନ ଅଛି । ସେଥିପାଇଁ ତ ସେମାନେ ତା ଭଉଣୀକୁ ମାରିଦେଲେ, ତାକୁ ବାସ୍ତୁହରା କରିଦେଲେ । ସେମାନଙ୍କୁ ସେ ପାରିବନି ପରା !

 

ଆଉ ତାପରେ ସେ ସ୍ଥିର କଲା ନିଜକୁ ହିଁ ହତ୍ୟା କରିବ । ଏ ନଷ୍ଟ ସମାଜର ସେ ବି ଗୋଟାଏ ମଣିଷ । ତାର ରାଗ ଏଇ ସମାଜ ଉପରେ । ସେହି ନିଷ୍ଫଳ ଆକ୍ରୋଶର ପରିଣତି ଭିନ୍ନ ଭାବେ ପରିବେଷିତ ହେଇଥିଲା ଖବରକାଗଜମାନଙ୍କରେ ।

Image

 

ଆଖଡ଼ା ଘର

ଆଖଡ଼ା ଘର

 

ଇତିହାସ କଣ ବୋଲି ମୋତେ କେହି ପଚାରିଲେ ଉତ୍ତରରେ ମୁଁ ‘ଏଇ’ କହି ଯାହାକୁ ହାତଠାରି ଦେଖାଇଦେଇ ପାରିବି ସେ ‘ଏଇ’ ଜିନିଷଟି ଆମ ଗାଆଁର ‘ଆଖଡ଼ା ଘର’ ବ୍ୟତୀତ ଅନ୍ୟ କିଛି ନୁହେଁ । ଅତୀତ, ଭବିଷ୍ୟତ ଓ ବର୍ତ୍ତମାନ ମଧ୍ୟରେ ଏକ ଅପୂର୍ବ ସମନ୍ୱୟ ରକ୍ଷାକରି ମହେଞ୍ଜୋଦାରୋ ବା ହରପ୍‌ପାର ଭଗ୍ନାବଶେଷ ପରି ଏଇ ଯେଉଁ ଆଖଡ଼ା ଘରଟି ବହୁ ଗ୍ରୀଷ୍ମ, କାକର ଓ ଉତ୍ତରା ପବନରେ ମୁକାବିଲା କରି ଛିଡ଼ା ହୋଇଛି ତାକୁ ଯଦି ମୁଁ ଇତିହାସ କହେ, ତେବେ ସେଥିରେ ‘ଇତିହାସ’ ଶବ୍ଦର ଗୌରବ ଆଦୌ ହାନି ହେବ ନାହିଁ । କେତେ ସୁଖ-ଦୁଃଖ, ଆନନ୍ଦ-ଉତ୍ସାହ, ଆବେଗ ଅନୁରାଗ ପୁଣି ଆକ୍ରୋଶ ତିତିକ୍ଷାର ଜୀର୍ଣ୍ଣ ସ୍ମୃତିରେ ମୂର୍ତ୍ତିମନ୍ତ ଓ ଇତିହାସର କାଦୁଅଲିପା କାନ୍ଥ ଓ ନଡ଼ାଛାଉଣି ଘର । ଏହାର ପ୍ରତିଟି କୋଣ ଅନୁକୋଣରେ ଦୂର ଅତୀତର ସ୍ମୃତିବହୁଳ ଗାଥା ଗୁମ୍ଫିତ ।

 

ଆଖଡ଼ା ଘର କଥା ମନେପଡ଼ିଲେ ମୋର ସମସ୍ତଙ୍କ ପହିଲେ ମନେପଡ଼େ ମାନୀ ଅପାଙ୍କ କଥା । ତାଙ୍କୁ ମୁଁ ଦେଖିନାହିଁ; ପୁଣି ମୋ ଜନ୍ମର ବହୁ ପୂର୍ବରୁ ସେ ଏ ପୁରରୁ ବିଦାୟ ନେଇଯାଇଥିବାରୁ ଆଉ ଏ ଜୀବନରେ ତାଙ୍କୁ ଦେଖିବାର ଅବକାଶ ମଧ୍ୟ ନାହିଁ । କିନ୍ତୁ ତାଙ୍କର କଳଙ୍କିତ ଜୀବନର ବିସ୍ତୃତ ବୟାନ ଆମ ଗାଆଁର ପିଲାକବିଲାଙ୍କ ଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ, ବିରୋଧୀଦଳ ନେତାଙ୍କ ମୁହଁରେ ସରକାରୀ ଦଳର ଅପାରଗତା ପ୍ରଚାର ପରି ବହୁବାର ପ୍ରସାରିତ । ମାନୀ ଅପାଙ୍କ କଥା ପଡ଼ିଲେ ଏ ଗାଆଁର ଯେକୌଣସି ଲୋକ ଏକ ଅଧଘଣ୍ଟିଆ ଭାଷଣ ଦେଇପାରେ । ସେ ଏ ଜଗତଟା ଭିତରେ ଏକମାତ୍ର ଅପସୃଷ୍ଟି ଥିଲେ - ଏହି ତଥ୍ୟଟିକୁ ଖୁବ୍‌ ସହଜରେ ପ୍ରମାଣିତ କରିବାକୁ କେହି ପଛାନ୍ତି ନାହିଁ । ଏସବୁ ଶୁଣିସାରିବା ପରେ ତାଙ୍କ ବ୍ୟକ୍ତିତ୍ୱ ବା ଚରିତ୍ର ସଂପର୍କରେ ମୋର ଗୋଟାଏ ମୋଟାମୋଟି ଧାରଣା ହୋଇଯାଇଥିଲା ପିଲାଦିନରୁ ।

 

ଏହାପରେ ଗୋଟାଏ ଅଘଟଣ ଘଟିଲା ଆମ ଗାଆଁରେ । ମଧୁ ମିଶ୍ରଙ୍କ ଝିଅ ତୁଳସୀ ଦିନେ ‘ଓଡ଼ିଶା ଅପେରା’ର ରାଜପୁତ୍ର ପାର୍ଟ କରୁଥିବା ଜଣେ ଅଜ୍ଞାତକୁଳଶୀଳ ଯୁବକ ସାଙ୍ଗରେ ପଳାଇଗଲା । ସେଦିନ ହଠାତ୍‌ ତୁଳସୀକୁ ମାନୀ ଅପାଙ୍କର ଦ୍ୱିତୀୟ ସଂସ୍କରଣ ବୋଲି ସମସ୍ତେ କୁହାକୁହି ହେଲେ, ତାପରେ ଯାଇ ମୋର ମାନୀ ଅପାଙ୍କ ଚରିତ୍ର ସମ୍ପର୍କରେ ସ୍ପଷ୍ଟ ଚିତ୍ର ଦୃଷ୍ଟିଗୋଚର ହେଲା । ଏହା ପରଠାରୁ ମୁଁ ଏମିତି ଏକ ନାଁପକା ଝିଅ ସମ୍ପର୍କରେ କିଛି ଭାବିବା ଗର୍ହିତ କାମ ବୋଲି ମନେ ମନେ ସ୍ଥିରକରି ସେ ସମ୍ପର୍କରେ ଅଧିକ ଚିନ୍ତା କରିବା କାମରୁ ସ୍ୱୟଂ ନିବୃତ୍ତ ହେବାକୁ ଚେଷ୍ଟା କଲି । ସେଦିନ ଆଉ ସେହି ଅପରିଣତ ବୟସରେ ମୋ’ଠାରୁ ଆଉ ବେଶୀ କିଛି ଆଶା କରିବା ନିହାତି ଭୁଲ୍‌ ହେବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେତେବେଳେ ମୁଁ ହାଇସ୍କୁଲ୍‌ ପାଠ ଶେଷ କରିନଥିଲି ଏବଂ ମୋର ନିଜର ବୋଲି ଗୋଟାଏ କିଛି ସ୍ୱତନ୍ତ୍ରତା ଅଛି - ଏ ସମ୍ପର୍କରେ ଧାରଣା ଜନ୍ମି ନଥିଲା । କୌଣସି ଅବାଧ୍ୟ ଝିଅ ଯଦି କାହା ସାଙ୍ଗରେ ଚାଲିଯାଉଥିଲା, ମୁଁ ତାକୁ ଖୁବ୍‌ ସହଜରେ ଏକ ଦୁଷ୍କର୍ମ ବୋଲି ଗ୍ରହଣ କରିନେଉଥିଲି ।

 

ମାତ୍ର ବହୁଦିନ ପରେ କାହିଁକି କେଜାଣି ଥରେ ମୁଁ ମାନୀ ଅପାଙ୍କର ପ୍ରକୃତ ସ୍ୱରୂପ ଉଦ୍‌ଘାଟନ ପାଇଁ ବେଶ୍‌ ବ୍ୟାକୁଳ ହୋଇପଡ଼ିଥିଲି । ମାନୀ ଅପାଙ୍କ ସହିତ ମୋର କୌଣସି ପରିଚୟ ନ ଥିଲେ ବି ଏ ଗାଆଁର ଝିଅ ହିସାବରେ ତାଙ୍କର ପରଲୋକଗତା ଆତ୍ମା ପ୍ରତି ଏକ ଉଦାର ମନୋଭାବ ରହିଥିଲା । ବିଶେଷତଃ ବହୁ ବିବାଦୀୟ ‘ଆଖଡ଼ା ଘର’ଟା ପ୍ରତି ମୋର ମାତ୍ରାଧିକ ଦୁର୍ବଳତା ତାଙ୍କ ସହ ଏକ ଅଲୋଡ଼ା ସଂପର୍କ ରକ୍ଷା କରିପାରିଥିଲା ଅନେକ ଦିନ ପର୍ଯ୍ୟନ୍ତ-

 

ମାନୀ ଅପାଙ୍କ କଥା କହିବାକୁ ଗଲାବେଳେ ମୋର ଆଉ କେତେଜଣଙ୍କ କଥା କହିରଖିବା ନିହାତି ଉଚିତ ହେବ । ସେହିମାନେ ମାନୀ ଅପାକୁ କେନ୍ଦ୍ର କରି ତା ଚାରିପାଖରେ ଘୂରି ବୁଲୁଥିଲେ । ଏଇ ମୁଷ୍ଟିମେୟ ଚରିତ୍ରଗୁଡ଼ିକ ହେଲେ କଣ୍ଡୁରୀ ମଉସା, ହାଉଡ଼ା ଦାଦା, ଦାମ ଅଜା, ପାଣୁ ସାମଲ ଓ ଘୁଣ୍ଡ ନାୟକ । ଏମାନଙ୍କୁ ନେଇ ମାନୀଅପା ତା ଶାଶୂଘର ଯିବା ବଅସରେ ବି ଲାଜସରମ ଛାଡ଼ି ଆଖଡ଼ା ଘରେ ଆସର ଜମେଇଥିଲା ଏବଂ ସବୁଦିନ ପାଇଁ ରଖିଯାଇଥିଲା ଏକ କଳଙ୍କିତ ଇତିହାସ ।

 

କଣ୍ଡୁରୀ ମଉସା ଏମାନଙ୍କ ଭିତରୁ ଥିଲେ ବୟସରେ ବଡ଼ । କେବଳ ସାମାଜିକ ନାଟକଗୁଡ଼ିକୁ ବାଦ୍‌ଦେଲେ କି ଐତିହାସିକ, କି ପୌରାଣିକ ସବୁ ପ୍ରକାର ନାଟକରେ ସେ ନାୟକ ଭୂମିକାରେ ହିଁ ଅବତୀର୍ଣ୍ଣ ହେଉଥିଲେ । ତାଙ୍କର ଯୁଆଳିଆ ନିଶ ହଳକ ଓ ଗାଲମୁଛା ଲମ୍ବା କଲି ଦେଖି ତାଙ୍କର ଧର୍ମପତ୍ନୀ ପିତେଇ ମାଉସୀ ବି କୁଆଡ଼େ ବାହାଘର ଆଗରୁ ଭୁଲ୍‌ଟାଏ କରି ପକେଇଥିଲେ । ତେବେ ସେକଥା ଏଠି ଅପ୍ରାସଙ୍ଗିକ । କଣ୍ଡୁରୀ ମଉସା ଜଣେ ଉତ୍ତମ ସ୍ୱାସ୍ଥ୍ୟବାନ ଯୁଆନ ଭେଣ୍ଡା ଥିଲେ ଏକଥା ଏକଦା ଗାଁ ଆଖଡ଼ା ଘର (ଯେଉଁଠି ଦୁଇପଟ କାଠଖଣ୍ଡା ପରସ୍ପର ଛନ୍ଦା ହୋଇ ଟଙ୍ଗା ହୋଇଥିଲେ) ଓ ଅଦ୍ୟାବଧି ଗାଆଁ ଯୁବକ ସଂଘ ଘରେ, ବୁଢ଼ିଆଣୀ ବସାର ବ୍ୟୂହ ଭିତରେ ଝୁଲି ରହିଥିବା ସେହି ଫଟୋ ଚିତ୍ରରୁ ଜଣାପଡ଼ିଥାଏ । କିନ୍ତୁ ହାୟ ! ଜୀବନସାରା ରାତିର ପେଟ୍ରୋମାକ୍‌ସ ଲାଇଟ୍‌ ଆଲୁଅରେ ରାଜା, ମହାରାଜା, ବାଦଶାହ, ସମ୍ରାଟ ଓ ଜମିଦାର ଭୂମିକାରେ ଅଭିନୟ କରିଆସିଥିବା ଏହି କଣ୍ଡୁରୀ ମଉସାଙ୍କୁ ତାଙ୍କର ପରିଣତ ବୟସରେ ଅର୍ଦ୍ଧବୁଭୁକ୍ଷୁ ଓ ନିରନ୍ନ ଜୀବନଯାପନ କରିବାକୁ ପଡ଼ିଥିଲା । ତାଙ୍କରୁ ସବୁ ପ୍ରକାର ନାଟକୀୟ ସଂଳାପ କେବଳ ‘ହା-ଅନ୍ନ’ ଭିତରେ ହିଁ ହଜିଯାଇଥିଲା । ସେହି କାରଣରୁ ସମ୍ଭବତଃ ସେ ସେବର୍ଷ କାର୍ତ୍ତିକ ମାସରେ ଘରୁ ଗୋଡ଼ କାଢ଼ି ଚାଲିଯାଇଥିଲେ କଲିକତା- ଆଖଡ଼ା ଘରର ସମସ୍ତ ମୋହମାୟା ତ୍ୟାଗ କରି । ତାପରେ କଥା ନାହିଁ କି ଟଙ୍କା ପଇସାର ଦର୍ଶନ ନାହିଁ । ମାସେ, ଦି ମାସ, ଛ ମାସ ହୋଇ ବରଷେ ଗଲା । ହଠାତ୍‌ ଦିନେ ଦ୍ୱିପ୍ରହରେ ରାଇପୁର ଗାଆଁ ଡାକଘରୁ ପୁନିଆଁ ସାମଲ ସାଇକେଲ୍‌ ପେଲି ପେଲି ଆସି ପହଞ୍ଚିଲା ପିତେଇ ମାଉସୀ ଘର ସାମ୍ନାରେ । ପ୍ରଥମେ ତାକୁ ଦେଖି ଅବଶ୍ୟ ଖୁସି ହୋଇଯାଇଥିଲା ପିତେଇ ମାଉସୀ । ତାର ଆଶା ଥିଲା ନିଶ୍ଚୟ କିଛି ଟଙ୍କା ପଠାଇଥିବେ ମଉସା । ମାତ୍ର ପୁନିଆଁ ସାମଲ ଟଙ୍କା ବଦଳରେ ପିତେଇ ମାଉସୀଙ୍କ ହାତକୁ ଖଣ୍ଡିଏ ନାଲିରଙ୍ଗର ଚଉଭାଙ୍ଗ କାଗଜ ବଢ଼େଇ ଦେଇଥିଲା । ପିତେଇ ମାଉସୀ ସେ କାଗଜ ଖଣ୍ଡିକରେ କଣ ଲେଖା ଅଛି ତାହା ବୁଝିବା ଦୂରେ ଥାଉ, ସେ ଚଉଭାଙ୍ଗ କାଗଜଟାକୁ କେମିତି ଖୋଲିବାକୁ ପଡ଼ିବ ଜାଣିପାରୁ ନ ଥିବାରୁ ନିଜେ ପୁନିଆଁ ସେଇଟିକୁ ପଢ଼ିଥିଲା ଏବଂ ଶେଷରେ ମୁହଁ ଶୁଖେଇ ଏକ ନିର୍ଲିପ୍ତ କଣ୍ଠରେ ଘୋଷଣା କରିଥିଲା ଯେ ‘କଣ୍ଡୁରୀ ମଉସା ଆଉ ଇହଧାମରେ ନାହାନ୍ତି ।’ ଏ ଟେଲିଗ୍ରାମ୍‌ଟି ତାଙ୍କ ମାମୁ ପୁଅ ଭାଇ କରୁଣା ପଠେଇଥିଲା । ତାପରର ଅବସ୍ଥା ସଂପର୍କରେ ଆପଣଙ୍କୁ ଯେତେ ଯାହା କହିଲେ ବି ସେସବୁ ଆପଣ ବିଶ୍ୱାସ କରିବେ ନାହିଁ, କାରଣ ଆପଣମାନେ ପ୍ରତ୍ୟକ୍ଷଦର୍ଶୀ ନୁହନ୍ତି । ପିତେଇ ମାଉସୀ ପ୍ରଥମେ ପୁନିଆଁ, ତାପରେ ତାର ବାପା, ଭାଇ ଏବଂ ସପ୍ତପୁରୁଷଙ୍କ ପ୍ରତି ଅଭିଶାପ ବର୍ଷଣ, କଣ୍ଡୁରୀ ମଉସାଙ୍କ ଗୁଣ ସ୍ମରଣ ଏବଂ ଗାଆଁବାଲାଙ୍କ ଚକ୍ଷୁଃଶୂଳ ନୀତି ଯୋଗୁ ଖୁବ୍‌ ଶୀଘ୍ର ସେମାନଙ୍କ ନର୍କଗତି କାମନାପୂର୍ବକ ରାହାଧରି ବାହୁନିବା ଆରମ୍ଭ କରିଦେଇଥିଲା । ସବାଶେଷରେ ସେ ନିଜର ରାଗ ଓ ଓରିମାନା ମେଣ୍ଟେଇଥିଲା ଦୁଇ ଦିନ ଦୁଇ ରାତି ନିରବଚ୍ଛିନ୍ନ ଭାବରେ ଗାଳିବର୍ଷଣ କରି ଏଇ ଆଖଡ଼ା ଘରଟାକୁ । ସେଦିନ ଏ ଆଖଡ଼ା ଘର କିଛି ପ୍ରତିବାଦ କରି ନ ଥିଲା ।

 

ତାପର ଚରିତ୍ର ହାଉଡ଼ା ଦାଦା । ନାଁ ଯେମିତି, ଗୁଣ ସେମିତି । ହାଉଡ଼ାଟାଏ । ମାତ୍ର ଥିଲାବାଲା ଘରର ପୁଅ । ଅୟସରେ ବଢ଼ିଥିଲେ । ବାପା ଦାଦି ଯେମିତି ‘ହାଉଡ଼ାଟାଏ’ କହି କୌଣସି ଘରସଂସାର ଦାୟିତ୍ୱ ଦେଉ ନ ଥିଲେ ସେ ନିଜେ ବି ନିଜଆଡ଼ୁ କିଛିମାତ୍ର କରିବାକୁ ସେମିତି ଆଗ୍ରହ ଦେଖାଉ ନ ଥିଲେ । ସେଥିପାଇଁ ଅବଶ୍ୟ ତାଙ୍କୁ କନ୍ୟାରତ୍ନଟିଏ ମିଳିବାରେ ବହୁତ ବିଳମ୍ବ ଘଟିଥିଲା । ସମସ୍ତଙ୍କର ଧାରଣା ଥିଲା, ବାହାଘର ପରେ ହାଉଡ଼ାର ମତିଗତି ବଦଳିଯିବ । କିନ୍ତୁ କୁକୁର ଲାଙ୍ଗୁଡ଼କୁ ନଳରେ ପୂରେଇ ସଳଖିଲେ ବି ସେଇ ବଙ୍କା । ଠିକ୍‌ ସେଇଆ ହେଲା ହାଉଡ଼ା ଦାଦାଙ୍କର । ପୂର୍ବ ପରି ସେ ସେହି ଆଖଡ଼ା ଘରକୁ ହିଁ ନିଜର କର୍ମସ୍ଥଳୀ ବୋଲି ଆବୋରି ବସିଲେ । ସେ ଦିଗରୁ କ୍ଷାନ୍ତ ହେବା ପାଇଁ ଅନେକ ତାଙ୍କୁ ଉପଦେଶ ଦେଲେ । ଶେଷକୁ ତାଙ୍କ ବିଳମ୍ବିତ ଜୀବନର ଅଙ୍କଶାୟିନୀ ଲକ୍ଷ୍ମୀ ଖୁଡ଼ୀ ବହୁ ଚେଷ୍ଟା ପରେ ବିଫଳ ହେବାରୁ ନିଜ ବାପଘର ଗାଆଁକୁ ଚାଲିଗଲେ । ଶ୍ୱଶୁରଘରୁ ସ୍ତ୍ରୀଙ୍କୁ ଆଣିବା ନିମନ୍ତେ ହାଉଡ଼ା ଦାଦା କୌଣସି ଦିନ ଯାଇ ନ ଥିଲେ କିମ୍ବା ସେ ବି ଫେରିଆସିଲେ ନାହିଁ । ଲକ୍ଷ୍ମୀ ଖୁଡ଼ୀ ଖୁବ୍‌ ଧୈର୍ଯ୍ୟର ସହିତ ପାଞ୍ଚ ବର୍ଷ କାଳ ଅପେକ୍ଷା କରିବା ପରେ ସା’ପୁରର ରାଧୁ ବିଶୋଇଙ୍କୁ ଦ୍ୱିତୀୟ ହୋଇଗଲେ । ଏ ଘଟଣା ଘଟିବା ପରେ ଆମ ଗାଆଁର ବୁଢ଼ାବୁଢ଼ୀ ଯେତେବେଳେ ହାଉଡ଼ା ଦାଦାଙ୍କୁ ଲକ୍ଷ୍ୟ କରି ‘ମାଇଚିଆ’, ‘ଅଣପୁରୁଷା’, ‘ଦରବୁଢ଼ା’ ଆଦି ନାନାପ୍ରକାର କର୍ଣ୍ଣକଟୁ ମନ୍ତବ୍ୟ ପ୍ରକାଶ କରିଥିଲେ ସେତେବେଳେ ସେସବୁକୁ ନିଦ୍ୱର୍ନ୍ଦ୍ୱରେ ଶୁଣିଯାଇ ହାଉଡ଼ା ଦାଦା କେବଳ ହାଲୁକା ହସଟେ ହସିଦେଉଥିଲେ - ଯେମିତି କିଛି ହୋଇନାହିଁ । ନୀଳକଣ୍ଠ ପରି ଗାଳିଗରଳକୁ ହଜମ କରିଯିବା ନିମନ୍ତେ ସେହି ଆଖଡ଼ା ଘରଟା ବୋଧହୁଏ ତାଙ୍କୁ ସାହସ ଦେଇଥିଲା । ସମସ୍ତେ ଆଖଡ଼ା ଘରକୁ ହାଉଡ଼ା ଦାଦାଙ୍କର ବିପର୍ଯ୍ୟୟ ନିମନ୍ତେ ଦାୟୀ କରୁଥିବାବେଳେ ନିଜେ ସେ କିନ୍ତୁ ତାର ଅନ୍ଧସ୍ତାବକ ସାଜି ବସିଥିଲେ । ଆଖଡ଼ା ଘର ବିରୁଦ୍ଧରେ ତାଙ୍କର ସାମାନ୍ୟତମ ଅଭିଯୋଗ ମଧ୍ୟ ନ ଥିଲା । ସଞ୍ଜବୁଡ଼େ ସେଠି ନାଗରା ବା ମୃଦଙ୍ଗର ଟିପାଶବ୍ଦ ଶୁଭିଲେ ତାଙ୍କ ମନ ଉଚ୍ଚାଟ ହୁଏ, ହାରମୋନିୟମର ସା-ରେ-ଗା-ମା- ଆଳାପ ତାଙ୍କୁ ମୋହନ ବଂଶୀର ମୂର୍ଚ୍ଛନା ପରି ମୁଗ୍‌ଧ କରେ । ଅସମ୍ଭାଳ ଗୋପବଧୂ ପରି ସେ ଘରଧନ୍ଦା ଛାଡ଼ି ଧାଇଁ ଆସନ୍ତି ସେଠିକି ।

 

ପୁଅର ଏ ଦୁର୍ଦ୍ଦଶା ଦେଖି ହାଉଡ଼ା ଦାଦାଙ୍କ ବାପା ସେଦିନ କମ୍‌ ଅଭିଶାପ ଦେଇ ନ ଥିଲେ ଏ ଆଖଡ଼ା ଘରକୁ । ମାତ୍ର ଆଖଡ଼ା ଘର ଏଇମିତି ଛିଡ଼ା ହୋଇଥିଲା ତଳକୁ ମୁହଁ ପୋତି କିଛି ଜାଣି ନ ଥିବା ବଗୁଲିଆ ଶାନ୍ତ ପିଲାଟି ପରି ।

 

ଲେଖକ ହରମାନ ହେସ୍‌ଙ୍କର ‘ସିଦ୍ଧାର୍ଥ’ ଚରିତ୍ର ଜୀବନସାରା ପରମତତ୍ତ୍ୱ ‘ବ୍ରହ୍ମ’କୁ ଖୋଜି ଖୋଜି ଯେପରି ଶେଷକୁ ଆସି ନଈ ପାଖରେ ଡଙ୍ଗାଟିକୁ ସମ୍ବଳ କରି ବଞ୍ଚି ରହିଥିବା ବାସୁଦେବ ପାଖରେ ପହଞ୍ଚି ଯାଇଥିଲେ, ଠିକ୍‌ ସେହିପରି ଦାମଅଜା ତାଙ୍କ ଜୀବନସାରା ପାରିବାରିକ ଶାନ୍ତି ଟିକକ ଖୋଜି ଖୋଜି ଶେଷରେ ଆସି ମାନୀ ଅପା ଖୋଲିଥିବା ଏହି ଆଖଡ଼ା ଘରେ ପହଞ୍ଚି ଯାଇଥିଲେ । କଳିହୁଡ଼ୀ ସ୍ତ୍ରୀର ଅକଥନୀୟ ଦୁର୍ବ୍ୟବହାର, ସଉତୁଣୀ ମାଆର ଧାରାବାହିକ ନିର୍ଯାତନା ଏବଂ ପକ୍ଷାଘାତ ରୋଗାକ୍ରାନ୍ତ ଅଫିମଖୋର ବୁଢ଼ାବାପର ନିୟମିତ ଗଞ୍ଜଣାରୁ ରକ୍ଷା ପାଇବା ନିମନ୍ତେ ଏହି ଆଖଡ଼ା ଘର ତାଙ୍କୁ ସେଦିନ ଅଭୟ ବର ଦେଇଥିଲା । ବହୁ ପୌରାଣିକ ନାଟକରେ ସେ ମଲ୍ଲବୀର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ମହାଭାରତରେ ଭୀମ, ରାମାୟଣରେ ହନୁମାନ, ଦକ୍ଷଯଜ୍ଞରେ ମହାକାଳ ବୀରବାହୁ ଓ କୃଷ୍ଣଲୀଳାରେ ଚାଣୁର ଭୂମିକାରେ ନିଖୁଣ ଭାବରେ ଅଭିନୟ କରିଥିବା ଏହି ଦାମ ଅଜାଙ୍କୁ କିନ୍ତୁ ଶେଷ ଜୀବନରେ ଏକ ପକ୍ଷାଘାତ ରୋଗୀର ଜୀବନ ନେଇ ଯନ୍ତ୍ରଣାମୟ ଦିନଗୁଡ଼ିକ ଅତିବାହିତ କରିବାକୁ ପଡ଼ିଥିଲା । ପେଟ୍ରୋମାକ୍‌ସ ଲାଇଟ୍‌ର ଆଲୁଅରେ ଓ ପାଉଡ଼ରମଖା ମୁହଁରେ ସାରା ଜୀବନ ଦୁର୍ଦ୍ଦାନ୍ତ, ଅପ୍ରତିହତ ଯୋଦ୍ଧାର ଅଭିନୟ କରି ଆସିଥିବା ଏହି ନିର୍ବେଦ ପୁରୁଷଟିକୁ ସେଦିନ ରିକ୍ତ ହସ୍ତରେ ଶୀତଳ ମୃତ୍ୟୁର ଆମନ୍ତ୍ରଣ ରକ୍ଷା କରିବାକୁ ପଡ଼ିଥିଲା । ଶୁଣାଯାଏ, ଶେଷବେଳକୁ ସେ ବିଡ଼ି ଖଣ୍ଡିଏ ପାଇଁ ଘୁଷୁରି ଘୁଷୁରି ବାରଦୁଆର ବୁଲିଥିଲେ । ତାଙ୍କର ଏ ପକ୍ଷାଘାତ ରୋଗର କାରଣ ସମ୍ପର୍କରେ ଆମ ଗାଆଁର ବହୁ ଲୋକ ତାଙ୍କ ତାଙ୍କ ଭିତରେ ଯୁକ୍ତିତର୍କ କରନ୍ତି ଓ ଶେଷକୁ ତାଙ୍କର (ଦାମ ଅଜା) ଗୋସବାପ ନିଜର ମାଆ ଉପରେ ହାତ ଉଠେଇଥିବା କାରଣଟି ଅଧିକ ଯୁକ୍ତିଯୁକ୍ତ ଓ ଗ୍ରହଣୀୟ ବୋଲି ସମସ୍ତେ ମାନି ନିଅନ୍ତି ।

 

ମାତ୍ର ପାଣୁ ସାମଲଙ୍କର ଆଖଡ଼ା ଘର ସହ ସଂପର୍କ ଏମାନଙ୍କଠାରୁ ଭିନ୍ନ ଓ କୌତୁକପ୍ରଦ ଥିଲା । ଯୌବନରେ ସେ କୁଆଡ଼େ ମାନୀ ଅପାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ । ମାନୀ ଅପା ଥିଲେ ତାଙ୍କ ଜୀବନର ପ୍ରେରଣାଦାୟିନୀ । ମାନୀ ଅପାଙ୍କ କଣ୍ଠସ୍ୱର, ନୃତ୍ୟନିପୁଣା ପଦଯୁଗଳର ଛନ୍ଦ, ଯୌବନୋଦ୍ଦୀପ୍ତ ପାଣୁ ସାମଲଙ୍କର ଚହଲା ମନକୁ ଯେ ନିଶ୍ଚିତ ଭାବରେ ଆଲୋଡ଼ିତ କରିଥିବ ଏଥିରେ ଦ୍ୱିମତ ହେବାର ଅବକାଶ ନାହିଁ । ମାତ୍ର କୌଣସିଦିନ ସେ ଏକଥା ମୁହଁ ଖୋଲି ମାନୀ ଅପା ଆଗରେ କହିପାରି ନ ଥିଲେ । ମାନୀ ଅପା ବି କେଜାଣି କାହିଁକି ନିଜର ବିଦଗ୍‌ଧ ପ୍ରଣୟୀଟିର ଅନ୍ତର କଥାକୁ ଥରୁଟିଏ ପାଇଁ ପଢ଼ିବାକୁ ଚେଷ୍ଟା କରି ନ ଥିଲେ । ଜୀବନସାରା ପାଣୁ ସାମଲ ‘ଚିତ୍ରଲେଖା’ ଦରବାରର ମୁନିଶିଷ୍ୟ ହୋଇ ଦିନ କାଟିଥିଲେ । ତାଙ୍କର ଏ ଏକମୁଖୀ ପ୍ରେମିକା ଜୀବନ ଯେ କେତେ ଯନ୍ତ୍ରଣାଦାୟକ ହୋଇଥିବ ତାହା ଅନୁଭବୀ ମାତ୍ରେଇ ବୁଝିପାରିବେ-। ଶୁଣାଯାଏ, ପାଣୁ ସାମଲ ଏହି ମାନୀ ଅପାଙ୍କ ପାଇଁ କୁଆଡ଼େ ଆଜୀବନ ଅଭିଆଡ଼ା ରହିଥିଲେ । ବାପଗୋସାପର ଭିଟାମାଟି ଛାଡ଼ି କାଳିଦାସ ବେଶ୍ୟା ଘରକୁ ଜାବୁଡ଼ି ଧରିବା ପରି ସେ ଏହି ଆଖଡ଼ା ଘରକୁ ଜାବୁଡ଼ି ଧରିଥିଲେ । ଜମିବାଡ଼ି ବିକି ଏହି ଆଖଡ଼ା ଘର ପାଇଁ ସେ ଢୋଲ, ମୃଦଙ୍ଗ, ହାରମୋନିୟମ ଓ ଯାତ୍ରା ପୋଷାକ, ସିନ୍‌ ଆଦି କିଣି ଦେଇଥିଲେ । ନିଜର ଧନ, ଜୀବନ, ଶ୍ରମ ଓ ସମୟ ସବୁକିଛି ସେ ନିଜର ପ୍ରଣୟିନୀର ସୁଖ ପାଇଁ ଉଦାର ଚିତ୍ତରେ ଉତ୍ସର୍ଗ କରିଦେଇଥିଲେ । କେବଳ ପାଣୁ ସାମଲ ଜୀବନକୁ ନେଇ ଲେଖିବସିଲେ ଉପନ୍ୟାସଟିଏ ହେବ । ଏସବୁ ସତ୍ତ୍ୱେ ସେ ମଧ୍ୟ ସମାଲୋଚନାର ଊଦ୍ଧ୍ୱର୍ରେ ରହିପାରିନଥିଲେ । ଉତ୍ତର ଜୀବନରେ ବ୍ୟର୍ଥ ପ୍ରଣୟର ଅବସୋସ ଜନିତ ମର୍ମଦାହକୁ ସେ ନିଜର ଛାତି ଭିତରର ନିବୁଜ ଘରେ ତାଲା ବନ୍ଦ କରି ରୋକିପାରି ନ ଥିଲେ-। ସେଦିନର କେଉଁ ଅଶୁଭ ମୁହୂର୍ତ୍ତରେ ‘ମେଘଦୂତ’ ନାଟକରେ ସେ ଯେତେବେଳେ ଅଭିଶପ୍ତ ଯକ୍ଷ ଭୂମିକାରେ ଅଭିନୟ କରୁଥିଲେ, ସେତିକିବେଳେ ଓ ସେଇ ମଞ୍ଚ ଉପରେ ହିଁ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ । ପାଣୁ ସାମଲଙ୍କ ଜୀବନ ଓ ଏ ଆଖଡ଼ା ଘର ଦୁହେଁ ଥିଲେ ଅଭିନ୍ନ-ପରସ୍ପରର ପରିପୂରକ, ଠିକ୍‌ ଜୋକର ଓ ସର୍କସ ପରି । ସେହିଦିନଠାରୁ କୁଆଡ଼େ ଆଉ କୌଣସି ଦିନ ‘ମେଘଦୂତ’ ନାଟକ ମଞ୍ଚସ୍ଥ ନ କରିବାକୁ ମାନୀ ଅପା ନିର୍ଦ୍ଦେଶ ଦେଇଥିଲେ ।

 

ମାନୀ ଅପାଙ୍କୁ କେନ୍ଦ୍ରକରି ଯେଉଁ ନିର୍ଦ୍ଦିଷ୍ଟ ଚକ୍ରାକାର ଚାରିତ୍ରିକ ବୃତ୍ତଟି ସ୍ୱୟଂ ଆବର୍ତ୍ତିତ ଓ ପ୍ରତ୍ୟାବର୍ତ୍ତିତ ହେଉଥିଲା ସେହି ଚକ୍ରାକାର ପରିଧିର ସର୍ବକନିଷ୍ଠ ଚରିତ୍ର ଥିଲେ ଘୁଣ୍ଡ ନାୟକ । କେତେକ ସାମାଜିକ ନାଟକର ସଂଭ୍ରାନ୍ତ ବଂଶୀୟ ଯୁବକ ଓ ପୌରାଣିକ ନାଟକର ଯୁବରାଜ ଭୂମିକାରେ ଅଭିନୟ କରିବା ଭିନ୍ନ ସେ ପ୍ରାୟ ସମସ୍ତ ଗୀତାଭିନୟରେ ନାୟକ ରୋଲ୍‌ କରୁଥିଲେ । ନାଚଗୀତରେ ତ ଘୁଣ୍ଡ ନାୟକ ଥିଲେ ଓସ୍ତାଦ୍‌ । ସବୁ ପ୍ରକାର ବାଦ୍ୟଯନ୍ତ୍ରରେ ସେ ହାତ ସଳଖିଥିଲେ-। ଏଇଥିପାଇଁ ସେ ଆମ ଗାଆଁ କାହିଁକି, ପାଖଆଖ ଆଠ, ଦଶଖଣ୍ଡି ଗାଆଁରେ ଖୁବ୍‌ ପରିଚିତ ଥିଲେ-। ଯେକୌଣସି ଜାଗାରେ ଗାନ୍‌ଟାନ୍‌ ହେଲେ ଘୁଣ୍ଡ ନାୟକଙ୍କୁ ନିଶ୍ଚିତ ଭାବରେ ଆମନ୍ତ୍ରଣ ଆସୁଥିଲା ଏବଂ ସେ ଆମ ଗାଆଁର ତାନ୍‌ସେନ୍‌ ଥିଲେ ବୋଲି ତାଙ୍କର ନିହାତି ଶତ୍ରୁ ବି ସ୍ୱୀକାର କରୁଥିଲେ ।

 

ମାତ୍ର ଓଦାମାଟିର ବାସ୍ନା ତାଙ୍କୁ ବି ପାଗଳ କରିଥିଲା । ମାନୀ ଅପା ତାଙ୍କ ପାଖରେ ନ ବସିଲେ ସେ ମୂକ, ଅଥର୍ବ ପାଲଟି ଯାଉଥିଲେ । ଅବଶ୍ୟ ବୟସରେ ଯଥେଷ୍ଟ ବଡ଼ ଥିଲେ ମାନୀ ଅପା । ମାତ୍ର ତା ସତ୍ତ୍ୱେ ସେ ଦୁହିଁଙ୍କ ଭିତରେ ଏକ ଘନିଷ୍ଠ ସଂପର୍କ ରହିଥିଲା । ମାନୀ ଅପା ଆସି ତାଙ୍କ ପାଖରେ ବସନ୍ତି, ଆଦରରେ ତାଙ୍କର ମୁଣ୍ଡବାଳ ସାଉଁଳି ଦିଅନ୍ତି ଓ ପିଠି ଥାପୁଡ଼ାନ୍ତି । ବାସ୍‌, ତାପରେ ଘୁଣ୍ଡ ନାୟକର ସମସ୍ତ ଅଙ୍ଗପ୍ରତ୍ୟଙ୍ଗରେ ଓ ଶିରା ଉପ-ଶିରାରେ ଉଷ୍ମ ରକ୍ତପ୍ରବାହ ଚଞ୍ଚଳ ହୋଇଉଠେ । ସେ ପାଲଟିଯାଆନ୍ତି ଗୋଟାଏ ବିଶ୍ରାମହୀନ କଳଗାଉଣା । ଜୀବନର ଶେଷ ପର୍ଯ୍ୟନ୍ତ ଏହି ଘୁଣ୍ଡ ନାୟକ ଥିଲେ ଆଖଡ଼ା ଘରର ତତ୍ତ୍ୱାବଧାରକ । ତାଙ୍କ ସମୟର ସେହି ମହାରଥୀମାନେ ନିଜ ନିଜର ଜୀବନକୁ ଉତ୍ସର୍ଗ କରି ଯେଉଁ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ତହିଁରେ ଘୁଣ୍ଡ ନାୟକ ଥିଲେ ସର୍ବଶେଷ ସ୍ୱାଧୀନ ସମ୍ରାଟ ମୁକୁନ୍ଦଦେବ । କିନ୍ତୁ ମାନୀ ଅପାଙ୍କର ଦେହାନ୍ତ ପରେ ସେ ଆଉ ଆଖଡ଼ା ଘରକୁ ଜାବୁଡ଼ି ଧରି ରଖିପାରି ନ ଥିଲେ । କଳାହରଣ ପରେ ପାର୍ଥଙ୍କର ଦୁରାବସ୍ଥା ପରି ଘୁଣ୍ଡ ନାୟକଙ୍କର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଥିଲା । କେଉଁ ଏକ ଅଜଣା ଓ ଅପ୍ରକାଶ୍ୟ ଅଭାବ ତାଙ୍କୁ ଜୋର୍‌ କରି ଠେଲିଦେଇଥିଲା ଏ ଗାଆଁରୁ ଦୂରକୁ । ଏଯାଏ ମଧ୍ୟ ସେ କୁଆଡ଼େ ବଞ୍ଚିଛନ୍ତି ଓ କେଉଁ ଏକ ନାମ୍‌ଜାଦା ଯାତ୍ରାପାର୍ଟିରେ ଓସ୍ତାଦ୍‌ ଅଛନ୍ତି ବୋଲି କେତେକ କହନ୍ତି । ମାତ୍ର ତାଙ୍କ ପରି ସ୍ନେହକାଙ୍ଗାଳ ମଣିଷଟିଏ ଏତେ ଶୀଘ୍ର ମାନୀ ଅପାଙ୍କୁ ଭୁଲିପାରିଥିବ ବୋଲି ବିଶ୍ୱାସ ହୁଏନା ।

 

ଆଖଡ଼ା ଘରଟା ଥିଲା ଏମାନଙ୍କ ପାଇଁ ସେଇ ଜ୍ଞାନଦାୟିନୀ ତଟିନୀ । ଏଇଠୁ ସେମାନେ ଶୁଣିଥିଲେ ପିତୃସୁଲଭ ଉପଦେଶ, ଜାୟାସୁଲଭ ମଧୁର ପ୍ରୀତିଭାଷା ଓ ଭାଇ, ଭଗିନୀ ସୁଲଭ ଆଦର ସୋହାଗ କଥା । ଏହାର କେଉଁ ଏକ ଅଜଣା ଅନୁଭୂତି ପ୍ରତ୍ୟେକଟି ଚରିତ୍ରଙ୍କୁ ବିଭୋର କରିଥିଲା । ପ୍ରତ୍ୟେକ ଅବା ଥିଲେ ଜଣେ ଜଣେ କସ୍ତୁରୀ ମୃଗ । ନିଜ ନିଜର ନାଭି ପ୍ରଦେଶରେ ଲୁକ୍‌କାୟିତ କସ୍ତୁରୀର ଅନ୍ୱେଷଣ କରୁ କରୁ ସେମାନେ ଶେଷରେ ଢଳି ପଡ଼ିଥିଲେ ଝରାବଉଳ ପରି ।

 

ମାତ୍ର ଏହା ଇତିହାସ ହେଉ ବା କାହାଣୀ ହେଉ ଏହାର ମୁଖ୍ୟ ଚରିତ୍ର ଥିଲେ ମାନୀ ଅପା-। ମାନୀ ଅପାଙ୍କର ଜୀବନଚର୍ଯ୍ୟା ଭିନ୍ନ ଏ କାହାଣୀ ନିଶ୍ଚିତ ଭାବରେ ଅସଂପୂର୍ଣ୍ଣ ରହିଯିବ ।

 

କେଉଁ ଅଭିଶପ୍ତା ଅପ୍‌ସରାର ଜନ୍ମଜାତକ ନେଇ ସେ ଜନ୍ମ ନେଇଥିଲେ କେଜାଣି ଜନ୍ମ ହେବା ପରଠାରୁ ହିଁ ନିୟତି ତାଙ୍କ ସାଙ୍ଗରେ ଦାଉ ସାଧିଥିଲା । ଜଣଙ୍କ ପରେ ଜଣେ ହୋଇ ବାପା ଓ ମାଆ ସେପୁରକୁ ଚାଲିଯାଇଥିଲେ ତାଙ୍କୁ ଛେଉଣ୍ଡ କରି । ଖୁବ୍‌ ବଡ଼ ଲୋକର ଝିଅ ଥିଲେ ସେ । ମାତ୍ର ବାପାଙ୍କ ଅନ୍ତେ ତାଙ୍କୁ ଚାରିଆଡ଼ ଅନ୍ଧକାର ଦିଶିଲା । ଶୈଶବଟା କୌଣସିମତେ ମାମୁଘରେ ତାଙ୍କୁ ବିତେଇବାକୁ ପଡ଼ିଥିଲା ।

 

ମାନୀ ଅପା ଥିଲେ ଏ ଗାଆଁର ପ୍ରଥମ ଝିଅ ଯିଏ କି ଦଶ କିଲୋମିଟର ଦୂରରେ ଥିବା ମାଇନର ସ୍କୁଲ ଯାଇ ପ୍ରଥମେ ପଢ଼ିଥିଲେ । ଫକୀରମୋହନଙ୍କ ‘ରେବତୀ’ ପରି ମାନୀ ଅପାକୁ ବି ଏହି ପାଠପଢ଼ା ପାଇଁ ଅନେକ କିଛି ତ୍ୟାଗ ସ୍ୱୀକାର କରିବାକୁ ପଡ଼ିଥିଲା । ଯେଉଁଦିନ ସେ ମାଟ୍ରିକ୍‌ ପାସ୍‌ କଲେ ସେହିଦିନ ତାଙ୍କର ମାଈଁ ଓ ମାମୁ ସେପୁରକୁ ଚାଲିଗଲେ ଏ ଗାଆଁର ବୁଢ଼ାବୁଢ଼ୀଙ୍କୁ ଅନେକ କିଛି ସମାଲୋଚନା କରିବାର ସୁଯୋଗ ଦେଇ । ପାଠ ପଢ଼ୁଥିବା ପ୍ରତ୍ୟେକ ଝିଅ ଯେ ଗୋଟିଏ ଗୋଟିଏ ଅଭିଶପ୍ତ ନଷ୍ଟଜାତକା, ଏଥିରେ ଆଉ କାହାରି ସନ୍ଦେହ ରହିଲା ନାହିଁ ଏବଂ ବୋଧହୁଏ ସେହି କାରଣରୁ ଏ ଦୁଇଖଣ୍ଡି ଗାଆଁର ଅନ୍ୟ କେହି ନିଜ ଝିଅକୁ ପାଠ ପଢ଼େଇବାକୁ ଚାହିଁନାହାନ୍ତି ଏଯାଏ ।

 

ମାନୀ ଅପା କିନ୍ତୁ ଥିଲେ ଏକ ବିରାଟ ବ୍ୟତିକ୍ରମ । ତାଙ୍କ ମାଆ ବାପା କିମ୍ବା ମାମୁଙ୍କର ଅକାଳ ବିୟୋଗ ନିମନ୍ତେ ତାଙ୍କ ପାଠପଢ଼ା ଯେ ଦାୟୀ ଏକଥାକୁ ସେ ଆଦୌ ଗ୍ରହଣ କରିନଥିଲେ, ବରଂ ନିର୍ବିକାର ଭାବରେ ସେ ଏସବୁ ଗାଳି ଭର୍ତ୍ସନା ଓ ମନ୍ତବ୍ୟକୁ ନିଜ ଦେହର ପତଳା ଚମ ଦେଇ ଶୋଷି ନେଇଥିଲେ ବ୍ଲଟିଂ ପେପର ସ୍ୟାହି ଶୋଷିନେଲା ପରି ।

 

ପ୍ରଥମରୁ ମୁଁ କହିଛି ଯେ ମୁଁ ମାନୀ ଅପାଙ୍କୁ ଦେଖିନାହିଁ । ତଥାପି ତାଙ୍କର ରୂପ ଓ ଶାରୀରିକ ଗଢ଼ଣ ସଂପର୍କରେ ଯେତିକି ଶୁଣିଛି ସେତିକିରୁ ଅନୁମାନ କରିଛି ତାଙ୍କର ରୂପ ଲାବଣ୍ୟ । ମୋର ସେହି କଳ୍ପିତ ମାନୀ ଅପାଙ୍କ କଥା ମନରେ ପଡ଼ିଲେ ଆଖି ସାମ୍ନାରେ ଭାସିବୁଲେ ଏକ ଦୁଧ ଅଳତା ରଙ୍ଗର ଝିଅଟିଏ । ଆଖିଯୋଡ଼ିକ ଟଣା ଟଣା, ବେକ ପାଖରୁ ପୁଣି ଗୋଡ଼ ଗୋଇଠି ପର୍ଯ୍ୟନ୍ତ କେମିତି ଏକ ଅଜନ୍ତା ଆର୍ଟର ଅପୂର୍ବ ଭଙ୍ଗୀ ।

 

ବାପା ଓ ମାଆ ସେପୁରକୁ ଚାଲିଯିବା ପରେ ଦାଦା, ଖୁଡ଼ୀଙ୍କର ବିଷଦୃଷ୍ଟିରୁ ନିଜକୁ ରକ୍ଷା କରିବା ପାଇଁ ମାମୁଘରକୁ ସେ ଚାଲିଯାଇଥିଲେ । କିନ୍ତୁ ଆକର୍ଷଣୀୟ ରୂପ ନେଇ ଜନ୍ମ ହୋଇଥିବା ପ୍ରତ୍ୟେକଟି ଝିଅ ପରି ମାନୀ ଅପା ମଧ୍ୟ ଦୁର୍ଦ୍ଦଶାରୁ ମୁକ୍ତିଲାଭ କରିପାରି ନ ଥିଲେ । ବହୁ କଷ୍ଟରେ ସବୁ ବରଦାସ୍ତ କରି ମାନୀ ଅପା ପାଠ ପଢ଼ିଥିଲେ । ଆମ ଗାଁ, ମାମୁଘର ଗାଁ ଓ କଲେଜର ପାଖାପାଖି ଅଞ୍ଚଳରେ ଉପହସିତ ଏହି ଝିଅଟିର ସତେ କି ଅସୀମ ଧୈର୍ଯ୍ୟ !

 

ବି.ଏ. ପାସ୍‌ କରି ମାନୀ ଅପା ପୁଣି ଫେରି ଆସିଥିଲେ ଆମ ଗାଆଁକୁ । ଦାଦାଙ୍କ ବିରୋଧରେ କୋର୍ଟରେ ନାଲିସ କରି ସେ ନିଜର ପୈତୃକ ସମ୍ପତ୍ତିର ଦଖଲ ହାତକୁ ନେଇଥିଲେ । ବାହା ହେଲେ ନାହିଁ । ପୂର୍ବୋକ୍ତ ଚରିତ୍ରମାନଙ୍କୁ ନେଇ ସେ ଆରମ୍ଭ କଲେ ଏଇ ଆଖଡ଼ା ଘରେ ତାଙ୍କର ଥିଏଟର ପାର୍ଟି । ଏହାର ପ୍ରତିକ୍ରିୟା ସ୍ୱରୂପ ମାନୀ ଅପାଙ୍କୁ ଗାଆଁଦାଣ୍ଡ ବାସନ୍ଦ କରାଗଲା, ଦେବ ମନ୍ଦିର ବାସନ୍ଦ କରାଗଲା ଓ ପୋଖରୀର ପାଣି ଛୁଇଁବାକୁ ମନା କରାଗଲା । ମାତ୍ର ମାନୀ ଅପା ଥିଲେ ଅପ୍ରତିହତ । କଣ୍ଡୁରୀ ମଉସା, ପାଣୁ ସାମଲ, ଦାମ ଅଜା ଓ ଘୁଣ୍ଡ ନାୟକଙ୍କୁ ନେଇ ତାଙ୍କର ଥିଏଟର ପାର୍ଟି ଚାଲିଥିଲା । ବାହାର ଗାଆଁରୁ ଆସି ଆହୁରି କେତେଜଣ ମିଶିଥିଲେ । ମାତ୍ର ସେମାନଙ୍କର ଏହି ପତଙ୍ଗ-ଆଗମନ ପଛରେ ମାନୀ ଅପାଙ୍କ ଆଉଟା ସୁନା ରଙ୍ଗର ରୂପଲାବଣ୍ୟ ହିଁ ବଳିଷ୍ଠ କାରଣ ଥିଲା । ପାଖକୁ ଆସିବା ପରେ ସେମାନେ ମାନୀ ଅପାଙ୍କ ରୂପ ଅନଳ ଭିତରକୁ ପଶିବା ତ ଦୂରର କଥା ତାର ଛାଇ ସୁଦ୍ଧା ମାଡ଼ିବାକୁ ସାହସ କରିପାରି ନ ଥିଲେ । ସେମାନଙ୍କ ମଧ୍ୟରୁ କେତେକ ନିରାଶ ହୋଇ ଫେରିଗଲାବେଳେ ମାନୀ ଅପା ସଂପର୍କରେ ମନ୍ତବ୍ୟ ଦେଇଥିଲେ- ଅଣ୍ଡିରାଚଣ୍ଡୀ, ଚରିତ୍ରହୀନା ।

 

ମାନୀ ଅପା କିନ୍ତୁ ସ୍ଥିର, ସ୍ଥିତପ୍ରଜ୍ଞ, ଅଟଳ, ଅଚଳ ମହାମେରୁ ପରି ନିଜ ଆସନରେ ଦୃଢ଼ ହୋଇ ରହିଥିଲେ । ଜମିବାଡ଼ି ବିକି ସେ ନିଜ ଘରକୁ ଆଖଡ଼ା ଘରରେ ରୂପାନ୍ତରିତ କରିଥିଲେ । ଦେଶ ବିଦେଶର କାହାଣୀ କହି ଏବଂ ସେସବୁ ଦେଶର ଝିଅମାନେ କେତେ ଆଗକୁ ଗଲେଣି ତାର ସଦୃଷ୍ଟାନ୍ତ ବିବରଣୀ ଦେଇ ସେ ଏମାନଙ୍କୁ ସଙ୍ଗଠିତ କରିଥିଲେ । ନିଜେ ଜଣେ ସଂସ୍କାରକର ଭୂମିକା ଗ୍ରହଣ କରି ସେ ଏ ଗାଆଁର ଅନ୍ଧବିଶ୍ୱାସ, ସଂକୀର୍ଣ୍ଣ ମନୋଭାବ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ଏ ଗାଆଁରେ ସାଂସ୍କୃତିକ ବିପ୍ଳବର ପ୍ରଥମ ମଶାଲ ଜାଳିଥିଲେ ନିଜ ଜୀବନକୁ ଇନ୍ଧନ ସଜାଡ଼ି ।

 

ଭିତରେ ଭିତରେ ସମସ୍ତେ ଦାନ୍ତ ରଗଡ଼ୁଥିଲେ ବି ମୁହଁ ଉପରେ ମାନୀ ଅପାଙ୍କୁ କେହି କିଛି କହିପାରୁ ନ ଥିଲେ । ତାଙ୍କ ଆଖି ସାମ୍‌ନାରେ ସେମାନେ ଦେଖିଥିଲେ ଯେ ମାନୀ ଅପା ନିଜ ଦାଦା ଖୁଡ଼ୀଙ୍କୁ କଚେରିକୁ ଘୋଷାରି ନିଜର ନ୍ୟାଯ୍ୟ ଦାବି ସେମାନଙ୍କ ଠାରୁ ଛଡ଼େଇ ନେଇଥିଲେ । ତାର ରୁଚି ଓ ପାଠପଢ଼ା ପ୍ରତି ଗାଆଁବାଲାଙ୍କର ଚରମ ବିଶ୍ରଦ୍ଧା ଥିଲେ ବି ମନ ଭିତରେ କେମିତି ଏକ କୋକୁଆ ଭୟ ଥିଲା ସେମାନଙ୍କର ।

 

ଏହି ଆଖଡ଼ା ଘରକୁ କେନ୍ଦ୍ର କରି ଏ ଗାଆଁର ପ୍ରତିକୂଳ ପରିବେଶ ଭିତରେ ଯେଉଁ କେତୋଟି ସ୍ୱାଧୀନଚେତା ଯୁବକ ଓ ମାନୀ ଅପା ଖତଗଦାର ପଦ୍ମଫୁଲ ପରି ମୁଣ୍ଡଟେକି ଉଠିଥିଲେ, ସେମାନଙ୍କର ବ୍ୟର୍ଥ ଜୀବନ କାହାଣୀ ଶୁଣିବା ପରେ ଆଉ କିଛି ଶୁଣିବାର ଧୈର୍ଯ୍ୟ ହୁଏତ ଅନେକ ହରେଇ ବସିବେଣି । ମାତ୍ର ଏଇଠି ଏ କାହାଣୀର ସମାପ୍ତି ନୁହେଁ ।

 

ଆମ ଗାଆଁର ସଂକ୍ଷିପ୍ତ ଇତିହାସରେ ଅନେକଥର ବହୁ ଅପ୍ରୀତିକର ଦଙ୍ଗାହଙ୍ଗାମା, ହଣାକଟା, ଧର୍ଷଣ ଓ ଚୋରି ଡକେଇତି ମଧ୍ୟ ହୋଇଛି । ମାତ୍ର ଆଶ୍ଚର୍ଯ୍ୟଜନକ ଭାବରେ ସତ୍ୟ ଯେ ଏହି ଆଖଡ଼ା ଘର ସହିତ ସଂପୃକ୍ତ ଚରିତ୍ରମାନଙ୍କ ମଧ୍ୟରୁ କେହି ସେସବୁଥିରେ ସଂଶ୍ଳିଷ୍ଟ ନ ଥିଲେ । କେହି ମଧ୍ୟ ସେମାନଙ୍କୁ ସାକ୍ଷୀ ପ୍ରମାଣ ପାଇଁ ଡାକୁ ନ ଥିଲେ । ବୋଧହୁଏ ସମସ୍ତଙ୍କର ଧାରଣା ଥିଲା ଯେ ଏ ଗୋଠଖଣ୍ଡିଆଙ୍କ ଦ୍ୱାରା କିଛି ହୋଇପାରିବ ନାହିଁ ।

 

ମାତ୍ର ଏ ସବୁର ଅନ୍ତରାଳରେ ଥିଲା ଏକ ସ୍ନେହଶୀଳା ହୃଦୟ, ସହାନୁଭୂତିଶୀଳ ମନ । ସେ ମାନୀ ଅପା । କେହି ଚାହୁଁ ନ ଥିଲେ ବି ସେ ଗାଆଁର ପ୍ରତ୍ୟେକଟି ଘଟଣା ସହ ନିଜକୁ ସାମିଲ କରିଦେଉଥିଲେ । ଆଖଡ଼ା ଟୋକାଙ୍କର ବାହୁବଳ ଓ ମାନୀ ଅପାଙ୍କ ବିଦ୍ୟାବୁଦ୍ଧି ଏ ଗାଆଁବାଲାଙ୍କୁ ଯେ ଅନେକ ବିବଦମାନ ପରିସ୍ଥିତିରୁ ନିଷ୍କୃତି ଦେଇଛି ଏକଥା ଆଜି ମଧ୍ୟ କେହି କେହି ସ୍ୱୀକାର କରନ୍ତି ।

 

ପ୍ରତିବର୍ଷ ପୁନିଅଁ ପରବକୁ ଆଖଡ଼ାଦଳ ଆମ ଗାଆଁର ମେଲଣ ପଡ଼ିଆରେ ଯାତ୍ରା, ଥିଏଟର କରୁଥିଲେ । କୁଆଁର ପୂନେଇଁ ପରଠାରୁ ସେମାନେ ଗାଆଁ ଛାଡ଼ି ବାହାରକୁ ଯାଉଥିଲେ, ସତେ ଅବା ଓଡ଼ିଆ ବଣିକ ! ସୁନା, ରୁପା ବଦଳରେ ସେମାନେ ନେଇ ଫେରୁଥିଲେ ଆମ ଗାଆଁର ବଡ଼ପଣ ଓ ସେମାନଙ୍କ ପୌରୁଷ, କଳାପ୍ରିୟତାର ଉଚ୍ଛ୍ୱସିତ ପ୍ରଶଂସା । ମାନୀ ଅପାଙ୍କର ସେହି ଅଶ୍ରୁଳ ଇତିହାସ ଉପରେ ଆଜି ରଙ୍ଗିନ ପ୍ରଚ୍ଛଦପଟ ସଜେଇ ଏ ଗାଆଁର ରଘୁନାଥ ମିଶ୍ରଙ୍କ ଝିଅ ଓ ମିଷ୍ଟର ମହାନ୍ତିଙ୍କ ପୁଅ ଯେ ଓଡ଼ିଆ ସିନେମାରେ ପାର୍ଟ କରିବାକୁ ବାହାରିଗଲେଣି ଏକଥା ଅଭିନେତା ଓ ଅଭିନେତ୍ରୀ ଦି ଜଣ ଯାକ ସ୍ୱୀକାର କରନ୍ତି ।

 

ମାତ୍ର ଆଖଡ଼ା ଘରର ପ୍ରଶଂସା ଓ ମାନୀ ଅପାଙ୍କ ଗୁଣଗରିମା ଗାନର ବହୁ ବିଳମ୍ବିତ ଦିବସରେ ଆଜି ବସ୍ତୁତଃ ଏହାର କୌଣସି ପ୍ରୟୋଜନୀୟତା ନାହିଁ । ଜୀବଦ୍ଦଶା ଭିତରେ ଅନ୍ତତଃ ‘ଆହା’ ପଦଟିଏ ଯଦି ମାନୀ ଅପା ଶୁଣିଥାଆନ୍ତେ, ତାହାହେଲେ ହୁଏତ ତାଙ୍କର ବ୍ୟର୍ଥ ଜୀବନ ସଫଳ ହୋଇଥାଆନ୍ତା । ସେକଥା ଆଉ ହେଲା ନାହିଁ । ବତିଖୁଣ୍ଟ ପରି ନିଜେ ଚାରିଆଡ଼େ ଆଲୁଅ ବିଛାଡ଼ି ଦେଇଥିଲେ ବି ସେଇ ଆଲୁଅରେ ନିଜେ ଆଲୋକିତ ହୋଇପାରି ନ ଥିଲେ ମାନୀ ଅପା ।

 

ଏ ଗାଆଁର ମାଇନର ସ୍କୁଲ୍‌, ଯୁବକସଂଘ ଓ ଲାଇବ୍ରେରି ଆଦି ସଦର୍ପରେ ମୁଣ୍ଡ ଟେକି ଠିଆ ହୋଇଛନ୍ତି ସେହି ଅଭିଶପ୍ତ ଅପ୍‌ସରାର ଅର୍ଥ ଓ ସହଯୋଗରେ ଏବଂ ମାନୀ ଅପା ପ୍ରତିଷ୍ଠିତ ସେହି ମାଇନର ସ୍କୁଲ୍‌ର ସାହିତ୍ୟ ଶିକ୍ଷକ ରୂପେ ତାଙ୍କର ଅମରଆତ୍ମା ସମ୍ମୁଖରେ ମୁଣ୍ଡ ନ ନୁଆଁଇ ମୁଁ ରହିପାରୁ ନାହିଁ ।

 

ମାନୀ ଅପାଙ୍କ ଜୀବନଟା ଏକ ସ୍ୱୟଂସଂପୂର୍ଣ୍ଣ ଅଶ୍ରୁଳ ନାଟକ । କେଉଁ ଝିଅ ଭଲା ଏତେ ଦୁଃଖରେ ବଞ୍ଚି ରହି ପାରିଥାନ୍ତେ ? ମାତ୍ର ମାନୀ ଅପା ଅସମ୍ଭବକୁ ସମ୍ଭବ କରିଥିଲେ । ଭବିଷ୍ୟତରେ କେଉଁ ଏକ ଉଜ୍ଜ୍ୱଳ ସମ୍ଭାବନାରେ ସେ ସବୁକିଛି ଦୁଃଖ ଓ ନିର୍ଯାତନାକୁ ଭୁଲିଯାଉଥିଲେ । ସେ ଭୁଲିଯାଇଥିଲେ ନିଜର ବ୍ୟକ୍ତିଗତ ସୁଖସ୍ୱାଚ୍ଛନ୍ଦ୍ୟ, ନିଜର ଭବିଷ୍ୟତ ଘରକରଣା, ସ୍ୱାମୀ-ଶ୍ୱଶୁର, କୋଠାବାଡ଼ି ଇତ୍ୟାଦି ।

 

ଆଷାଢ଼ ବର୍ଷାରେ ଭିଜି ଭିଜି ସେ ବୁଲୁଥିଲେ କେଉଁ କଳ୍ପିତ ଉପତ୍ୟକାରେ । ଓଦାମାଟିର ବାସ୍ନା ତାଙ୍କୁ ପାଗଳୀ କରିଥିଲା । ମାତ୍ର ପାଣୁ ସାମଲଙ୍କର ଦେହାନ୍ତ ପରେ ମାନୀ ଅପା ଯଥେଷ୍ଟ ସାହସ ହରେଇ ବସିଥିଲେ । ତାଙ୍କରି ଆଖି ଆଗରେ ଗୋଟି ଗୋଟି କରି ସମସ୍ତ ଚରିତ୍ର ରଙ୍ଗମଞ୍ଚର ପର୍ଦ୍ଦା ଉପରୁ ଅନ୍ତର୍ହିତ ହୋଇଗଲା ପରି ଆଖି ସାମ୍ନାରୁ ଅନ୍ତର୍ହିତ ହୋଇଯାଉଥିଲେ । ତାଙ୍କ ନାଆଁରେ ରହିଥିବା ମିଶ୍ର ସମାଲୋଚନାର ଶରବ୍ୟ ହେବାକୁ ତାଙ୍କର ସାହସ ଆଉ ନ ଥିଲା । କାହାକୁ ନେଇ ସେ ଯୁଝିବେ ? ନିଜ ଆଖି ସାମ୍ନାରେ ସେ ନିଜ ସାମ୍ରାଜ୍ୟର ପତନ ଦେଖୁଥିଲେ । ଆଉ ବେଶୀଦିନ ସେ ବଞ୍ଚିରହି ପାରି ନ ଥିଲେ ଏତେ ଦୁଃଖ ଓ ଯନ୍ତ୍ରଣାକୁ ଛାତି ଭିତରେ ଲୁଚାଇ ରଖି । ଶେଷରେ ଏମିତି ଏକ ଶୀତ ପାହାନ୍ତିରେ ସେ ସବୁଦିନ ପାଇଁ ଶୋଇଯାଇଥିଲେ ଶେଷ ନିଦ୍ରାରେ ।

 

ମାନୀ ଅପାଙ୍କ ପିତୃପୁରୁଷର ସେଇ ଘରଟା ଆଜି ଜୀର୍ଣ୍ଣକାୟ ଆଖଡ଼ା ଘର । ସେଠି ଆଉ ସଞ୍ଜପହରରେ ନାଗରାର ଟିପାଧ୍ୱନି ବା ହାରମୋନିୟମର ସା-ରେ-ଗା-ମା- ମଧୁର ଆଳାପ ଗୁଞ୍ଜରିତ ହେଉନାହିଁ । ଏକ ଅଭିଯୁକ୍ତ ଆସାମୀ କାଠଗଡ଼ା ଭିତରେ ମୁହଁ ପୋତି ଛିଡ଼ାହେବା ପରି ସେଇ ଆଖଡ଼ାଘରଟା ମଧ୍ୟ ତଳକୁ ମୁହଁପୋତି ଛିଡ଼ା ହୋଇଛି; ନିରୁତ୍ତର ଭାବରେ ନିଜର ଅତୀତକୁ ଜାବୁଡ଼ି ଧରି ।

 

ମାନୀ ଅପାଙ୍କ ଦେହାନ୍ତ ପରେ ଏ ଗାଆଁର ମାମଲତକାରମାନେ ଆଖଡ଼ା ଘରକୁ ଭାଙ୍ଗି ମାଟିରେ ମିଶାଇ ଦେବା ପାଇଁ ପ୍ରାଣାନ୍ତକ ଉଦ୍ୟମ କରିଥିଲେ ବି କୃତକାର୍ଯ୍ୟ ହୋଇପାରି ନ ଥିଲେ-। କେମିତି ବା ପାରିଥାନ୍ତେ ? ମାଟିଘଟ ଚାଲିଯାଇଥିଲେ ବି ପାଣୁ ସାମଲ, ଦାମ ଅଜା ଓ ଘୁଣ୍ଡ ନାୟକଙ୍କର ଆତ୍ମା ଯେ ସେଇଠି ଲୁଚି ରହିଛି ! ସେମାନେ ଅପ୍ରତିହତ, ଦୁର୍ଦ୍ଦାନ୍ତ । କୋଡ଼ିକୋଦାଳ ନେଇ ଯାଇଥିବା ଲୋକମାନେ ଭୂତ ଦେଖି ଫେରିଆସିବା ପରେ ଆଉ କେହି ସେ ଘରକୁ ଭାଙ୍ଗିବା କଥା ଦ୍ୱିତୀୟ ବାର ଉଠେଇ ନ ଥିଲେ ।

 

ଏବେ ବି ବେଳେବେଳେ ଗାଆଁଲୋକେ କୁହାକୁହି ହୁଅନ୍ତି ଯେ ଖରାଦିନିଆ ସଞ୍ଜପହରରେ ସେଠି ଘୁଙ୍ଗୁର ଓ ବାଂଶୁରୀର ଆଳାପ ଶୁଭେ । ଦକ୍ଷିଣା ପବନର ସ୍ପର୍ଶରେ ଗଛପତ୍ରର ସାଇଁସାଇଁ ଶବ୍ଦ କରି ସେଠି ରାତ୍ରିର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଏ ଆବାଜ ଅନେକ ଶୁଣିଛନ୍ତି । ହୋଇପାରେ, ଏ ପ୍ରକାର ଚିନ୍ତାଧାରା ମାନସିକ ବିକୃତିର ପରିଣାମ । ମାତ୍ର ଆତ୍ମା ଯଦି ଅବିନଶ୍ୱର, ତେବେ ସେହି ଅଭିଶପ୍ତ ଚରିତ୍ରମାନଙ୍କର ଆତ୍ମା ଯେ ଏଇଠି ଲୁଚିରହିଥିବ ଏଥିରେ ସନ୍ଦେହ ନାହିଁ ।

Image

 

ସଂଳାପ ଭୁଲିଥିବା ନାୟକଟିର ଅସହାୟତାରେ

 

ମାତ୍ର ଅଧଘଣ୍ଟା ବ୍ୟବଧାନରେ ଆଗପଛ ହୋଇ ଆସି ପହଞ୍ଚିଥିବା ଦୁଇଟି ଯାକ ଟେଲିଗ୍ରାମ୍‌ ପଡ଼ିରହିଥିଲା ଆପାତତଃ ନିର୍ବିକାର ଭାବରେ ଟେବୁଲ୍‌ ଉପରେ । ଏତେ ଗୁରୁତ୍ୱପୂର୍ଣ୍ଣ ସମ୍ବାଦମାନ ନେଇ ପହଞ୍ଚିଥିବା ନିର୍ଜୀବ କାଗଜ ଯୋଡ଼ାକର ଏଇ “ଆମେ କିଛି ଜାଣିନୁ” ଭାବ ତାଙ୍କୁ ଅଧିକ ବିବ୍ରତ କରୁଥିଲା । ଅତି ସୁଖରେ ବା ଅତି ଦୁଃଖରେ ମଣିଷ ନାଚି ଉଠିବାକୁ ଚାହୁଁଥିବାବେଳେ ଅଥବା ମୁଣ୍ଡକୋଡ଼ି ଭୂଇଁରେ ଲୋଟିଯିବାକୁ ମନ କରୁଥିବା ବେଳେ ସେହି ସୁଖ ଅବା ଦୁଃଖରେ ଭାଗ ବସେଇବା ପାଇଁ ପାଖରେ କେହି ନ ଥିଲେ ପରିସ୍ଥିତି ଏଇମିତି ଅଯଥା ଯନ୍ତ୍ରଣାଦାୟକ ହୋଇପଡ଼େ । କେହି ଜଣେ ସିନା ପାଖରେ ଥାଆନ୍ତା, ଯିଏ କି ତାଙ୍କର ସୁଖଦୁଃଖରେ ଭାଗୀଦାର ହୁଅନ୍ତା, ସାନ୍ତ୍ୱନା ଦିଅନ୍ତା ।

ନା, ସେମିତି କେହି ନାହାନ୍ତି ତାଙ୍କର । ଅନ୍ତତଃ ଆଖିପହଞ୍ଚ ଇଲାକା ଭିତରେ । ନିଜର ପରିଚିତ ସାମ୍ରାଜ୍ୟର ସର୍ବଶେଷ ମଣିଷଟିର ଅଭିନୟ ସରିଥିବା ସମ୍ବାଦ କଡ଼ ଲେଉଟଉଛି ଟେଲିଗ୍ରାମ୍‌ର ନିର୍ଜୀବ ଖୋଳପା ଭିତରେ ।

ତାଙ୍କର କାନ୍ଦିବାକୁ ଇଚ୍ଛା ହେଲା ।

ଖୁବ୍‌ ଜୋର୍‌ରେ, ରାହାଧରି, ପାଟିମେଲେଇ ।

ମାତ୍ର ସାନ୍ତ୍ୱନା ଦେବାକୁ ପାଖରେ କେହି ନ ଥିଲେ ସେପରି କାନ୍ଦିବାର କିଛି ମୂଲ୍ୟ ନ ଥାଏ ।

ହଜିଗଲେ ଖୋଜି ଆଣିବାର ବା ଭାଙ୍ଗିଯାଇଥିଲେ ଗଢ଼ିଦେବାର ବିଶ୍ୱସ୍ତ ପ୍ରତିଶ୍ରୁତି ଦେଲାବାଲାଟିଏ ପାଖରେ ନ ଥିଲେ ସେପରି ପାଣିଚିଆ ଅଭିମାନର କିଛି ଅର୍ଥ ରହେନା ।

ଜୀବନସାରା ସେ କେବଳ ଅଭିନୟ କରିଛନ୍ତି ।

ଗାଆଁ ଦାଣ୍ଡରୁ ଥିଏଟର ହଲ୍‌, ତାପରେ ପ୍ରେକ୍ଷାଳୟ ଓ ସବାଶେଷରେ ଚଳଚ୍ଚିତ୍ରର ଛାଇଛାଇଆ ପରଦା ଉପରେ ।

ତାଙ୍କ ଅଭିନୟର ଇଲାକା ବିସ୍ତୃତ ଓ ବ୍ୟାପକ ।

ଜୀବନରେ ସେ ବହୁପ୍ରକାର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଅପେରା ମଞ୍ଚର ଯୁଦ୍ଧ ପରେ ଖଣ୍ଡା, ତଲୱାର ଗୋଟାଇ ନେବା, ମନ୍ଦିର ଭିତରେ ପୂଜା ହେବାର ଦୃଶ୍ୟର ପ୍ରାକ୍‌ମୁହୂର୍ତ୍ତରେ ଗୋଟାଏ କାଠଚଉକି ଉପରେ ଧଳା ଲୁଗାଟିଏ ପକେଇ ଦୁର୍ଗା କିମ୍ବା କାଳୀଙ୍କର ଫଟୋଟିଏ ଥୋଇବା ଭୂମିକାରୁ ଆରମ୍ଭ କରି ସେ ହୋଇଛନ୍ତି ସମ୍ରାଟ ଆକ୍‌ବର ଓ ସଦ୍ୟ ମୁକ୍ତିପ୍ରାପ୍ତ ଚଳଚ୍ଚିତ୍ରର ଅପ୍ରତିଦ୍ୱନ୍ଦ୍ୱୀ ସୁପରଷ୍ଟାର ।

ସେ ରାଜା ହୋଇଛନ୍ତି କଟୁଆଳ ବି ।

ସେ ଯୁବରାଜ ହେଇଛନ୍ତି ପୁଣି ଫୁଟ୍‌ପାଥ୍‌ର ଭିକାରି ।

ସିଏ ରାମ ହେଇଛନ୍ତି ପୁଣି ରାମା ଭଣ୍ଡାରୀ ।

ତାଙ୍କ ଅଭିନୟର ଖିଅ ଲମ୍ବିଛି ହେଇ କେତେ ଦୂରରୁ, ଚାହିଁଲେ ଆଖି ପାଉନାହିଁ ।

 

ମନେପଡ଼ୁଛି ପିଲାଦିନର କଥା - ଟିଉସନ୍‌କୁ ପଢ଼ିବା ପାଇଁ ଯାଉଛି କହି ସେ ଯେଉଁଦିନ ଲୁଚି ଲୁଚି ପଶିଥିଲେ ଆଖଡ଼ାଘରେ, ମାସକ ପରେ ଗାଆଁରେ ମଞ୍ଚସ୍ଥ ହେବାକୁ ଥିବା ‘କର୍ଣ୍ଣବଧ’ ଗୀତିନାଟ୍ୟର ରିହର୍ଲସଲ୍‌ ଦେଖିବାର ଲୋଭ ସମ୍ବରଣ କରିନପାରି । ରିହର୍ଲସଲ୍‌ ଦେଖିବା ପରଠାରୁ ହିଁ ସେ ପାଲଟି ଯାଇଥିଲେ ଏକ ଭିନ୍ନ ମଣିଷ । ତାଙ୍କ ଦେହର ପ୍ରତିଟି ଲୋମକୂପରେ ଭରିଯାଇଥିଲା ଏକ ଅଦମନୀୟ ବ୍ୟଗ୍ରତା, ଉଦ୍ଦାମତା । ଆଖଡ଼ା ଘରର କାଠଖଣ୍ଡାର ଖଟ୍‌ଖଟ୍‌ ଶବ୍ଦ, ନାଗରାର ଟିପାଧ୍ୱନି ତାଙ୍କୁ ମତେଇ ଥିଲା, ତତେଇ ଥିଲା, ଗୀତେଇ ଥିଲା ଓ ଶେଷରେ ଅର୍ଦ୍ଧସୁପ୍ତ ଏକ ଅଭିନେତାର ଆତ୍ମାକୁ ଚେତାଇ ଦେଇଥିଲା ।

 

ସେ ଭୁଲିଗଲେ ଡାଳମାଙ୍କୁଡ଼ିର ମୋହ ।

 

ଭୁଲିଗଲେ ଟିଉସନ୍‌ ମାଷ୍ଟ୍ରଙ୍କର ନହକା ବେତର ଭୟ ।

 

ଭୁଲିଗଲେ ବାପାଙ୍କର ଯେତେସବୁ ବର୍ଣ୍ଣହୀନ ସ୍ୱପ୍ନ ଓ ମାଆ କୋଳର ଆକର୍ଷଣ ।

 

ତାଙ୍କୁ ଭଲ ଲାଗିଲା ନକଲି ପାଉଡର, ନକଲି ନିଶଦାଢ଼ି, ନକଲି ରାଜା ପୋଷାକ, ନକଲି ଖଣ୍ଡା ତଲୱାର ।

 

ସେଇ ରାତିକ ଭିତରେ ସେ ବୟସ୍କ ପାଲଟିଗଲେ । ପନ୍ଦରଦିନଯାକ ଲୁଚି ଲୁଚି ସେ ରିହର୍ଲସଲ୍‌ରେ ପାର୍ଟ କରିଥିଲେ ବି ଯାତ୍ରା ଦିନ ସେ ବାପାଙ୍କ ପାଖରୁ ନିଜକୁ ଗୋପନୀୟ ରଖିପାରି ନ ଥିଲେ । ରଙ୍ଗମଖା ନିଶଦାଢ଼ି ଓ ସାରଥୀର ଜରିମଡ଼ା ପୋଷାକ ଆଢୁଆଳରୁ ତାଙ୍କର ନିଜସ୍ୱ ରୂପଟି ଚଟ୍‌କିନା ଧରାପଡ଼ି ଯାଇଥିଲା । ବିନିଦ୍ର ରଜନୀର ଡିଆଁକୁଦା ପରେ ସକାଳେ ସେ ଯେତେବେଳେ ଘରକୁ ଫେରିଥିଲେ, ସେତିକିବେଳେ ସେ ପ୍ରଥମଥର ପାଇଁ ବାପାଙ୍କର ଦ୍ୱିତୀୟ ରୂପଟି ଆବିଷ୍କାର କରିଥିଲେ ।

 

ବେତ୍ରାହତ ହୋଇଥିଲେ ସେ ସେଦିନ ।

 

ଅଭିଧାନ ବହିର୍ଭୂତ ଯେତେସବୁ ମାରାତ୍ମକ ଶବ୍ଦର ନିରବ ଓ ପ୍ରତିକ୍ରିୟାହୀନ ଶ୍ରୋତାଟିଏ ସାଜିଥିଲେ ସେ । ରୋଷେଇବାସ ବନ୍ଦ, ସ୍କୁଲ୍‌ ଯିବା ବନ୍ଦ, ବିଲ ଯିବା ବନ୍ଦ ଓ ତାଙ୍କ ପାଇଁ ସାନଭାଇର ବାଗୁଡ଼ି ଖେଳ ବି ବନ୍ଦ ହୋଇଥିଲା ଦୁଇଦିନ ।

 

କିନ୍ତୁ ନଈକୁ କଣ ମନା କରି ରୋକିହେବ, “ନଈ ରେ ! ତୁ ସେ ସାଗରର ପ୍ରେମରେ ମଜ୍ଜିଯାଇ ତା ସାଙ୍ଗରେ ନିଜକୁ ମିଶେଇ ଦେଏନା, ମିଶେଇ ଦେଏନା...”

 

ବସନ୍ତ ଆସିବା ପରେ ଓ ଆମ୍ବଗଛରେ ଆମ୍ବ ବଉଳିବା ପରେ କୋଇଲିକୁ କଣ ମନାକରି ହେବ, “କୋଇଲି ରେ ! ଦକ୍ଷିଣାପବନ ଯେତେ ବହୁ ପଛକେ ତୁ ତାର ମତୁଆଲା ଶିହରଣରେ ଶିହରିଯାଇ ଗୀତ ଗାଆନା, ଗୀତ ଗାଆନା...”

 

ଅଥବା କଣ ପଦ୍ମତୋଳାର ରାଗିଣୀ ଶୁଣିବା ପରେ ମଣିନାଗକୁ ମନାକରି ହେବ, “ମଣିନାଗ ରେ! ପଦ୍ମତୋଳାର ସୁର ଭିତରେ ତୋତେ ବାନ୍ଧି ରଖିବାର ଯେଉଁ ପ୍ରଚ୍ଛନ୍ନ ଚକ୍ରବ୍ୟୂହ ରହିଛି, ତା ଭିତରକୁ ତୁ ଯାଆନା, ଚାଲିଯାଆନା...”

 

ସିଏ ବି ସେମିତି ଏକ ଅମାନିଆ ନଈ ।

 

ଏକ ଅମାନିଆ ଖିଆଲୀ କୋଇଲି ।

 

ଏକ ଅବାଧ୍ୟ ମଣିନାଗ ।

 

କୁଆଡ଼େ ଗଲା ପାଠପଢ଼ି ହାକିମ ହେବାର ସ୍ୱପ୍ନ ?

 

ମାଟିଘର ଭାଙ୍ଗି ପ୍ରାସାଦ ଗଢ଼ିବାର ନିଶା ?

 

ବୁଢ଼ୀମାଆର ଦୁଃଖରେ ସମବେଦନା ଜଣାଇ ମରିବା ପୂର୍ବରୁ ଫୁଲନୋଳ ପିନ୍ଧିବାର ଯେତେସବୁ ବିଶ୍ୱସ୍ତ ପ୍ରତିଶ୍ରୁତି ?

 

ପ୍ରଥମଥର ଘର ଛାଡ଼ି ଆସିବା ପରେ ଦୁଇବର୍ଷ ସେ ରହିଥିଲେ ଭିନ୍ନ ସହରରେ ଅଜ୍ଞାତ ବନବାସ କରୁଥିବା ଅର୍ଜ୍ଜୁନଙ୍କ ପରି । ମାତ୍ର ନିଜର ଶତ ପ୍ରଚେଷ୍ଟା ସତ୍ତ୍ୱେ ପ୍ରକୃତ ପରିଚୟକୁ ଗୋପନ ରଖି ପାରି ନ ଥିଲେ ସେ ।

 

ବୋଉ ଚାଲିଗଲା ଫୁଲନୋଳ ଦେଖିବାର ଆଶାକୁ ପଣତକାନିରେ ବାନ୍ଧିରଖି । ସେ ବାହାହେଇ ପାରିଲେନି । ତାପରେ ଚାଲି ଆସିଥିଲେ ଏଇ ସହରକୁ । ଦୀର୍ଘ ଦଶବର୍ଷ ତଳେ ପ୍ରଥମ ପଦପାତ ହୋଇଥିଲା ତାଙ୍କର ଏ ସହରରେ ।

 

ସେଦିନ ଓ ଆଜି ଭିତରେ କେତେ ତଫାତ୍‌ !

 

ଆଜି ସେ ପ୍ରତିଷ୍ଠିତ ଅଭିନେତା ଓ ନିର୍ଦ୍ଦେଶକ ।

 

ତାଙ୍କର ଭଡ଼ାଘର ରୂପାନ୍ତରିତ ଦ୍ୱିତଳ ପ୍ରାସାଦରେ ।

 

ତାଙ୍କର ସେକେଣ୍ଡହ୍ୟାଣ୍ଡ୍‌ ହରକୁଲେସ୍‌ ସାଇକେଲ୍‌ ରୂପାନ୍ତରିତ ସୁଦୃଶ୍ୟ କାର୍‌ରେ ଓ ତାଙ୍କର ଖାଦ୍ୟ, ପାନୀୟ ସବୁକିଛି ରୂପାନ୍ତରିତ ବିଦେଶୀ ବିଳାସରେ ।

 

ପ୍ରଚୁର ଅର୍ଥ ଉପାର୍ଜନ କରି ଅଭିନେତା ଓ ନିର୍ଦ୍ଦେଶକ ରୂପେ ଖୁବ୍‌ ପ୍ରତିଷ୍ଠା ଅର୍ଜ୍ଜନ କରିସାରିବା ପରେ ଏବଂ ସିଏ ସହରର କେଉଁ ଏକ ଅଜ୍ଞାତକୁଳଶୀଳା ରମଣୀକୁ ରକ୍ଷିତା ରୂପେ ରଖିଥିବାର ଗୁଜବକୁ ସଂପୂର୍ଣ୍ଣ ରୂପେ ଖଣ୍ଡନ କରିସାରିବା ପରେ ମଧ୍ୟ ସେ କେତେଥର ଗାଆଁକୁ ଯାଇଛନ୍ତି । ତାଙ୍କ ପାଇଁ ଗାଆଁରେ ଫାଟକ ସଜାହେଇଛି, ସ୍କୁଲ୍‌ ହତାରେ ସଭା ହୋଇଛି ଓ ଖବରକାଗଜରେ ଫଟୋ ବାହାରିଛି । ତାଙ୍କର ପଦାଙ୍କରେ ଅନୁସୃତ ତଥା ଅନୁପ୍ରାଣିତ ହେବା ଉଦ୍ଦେଶ୍ୟ ରଖି ଗାଆଁର ଯୁବକ ସଂଘ ତାଙ୍କୁ ଆଜୀବନ ପୃଷ୍ଠପୋଷକ ରୂପେ ଗ୍ରହଣ କରିଛି । ସ୍ଥାନୀୟ କଲେଜରେ ତାଙ୍କ ନାଆଁରେ ପୁରସ୍କାରଟିଏ ପ୍ରତିବର୍ଷ ଶ୍ରେଷ୍ଠ ଛାତ୍ର ଅଭିନେତା ବା ଅଭିନେତ୍ରୀଙ୍କୁ ପ୍ରଦତ୍ତ ହେବ ବୋଲି ସାଧାରଣ ସଭାରେ ଖୋଦ୍‌ ଅଧ୍ୟକ୍ଷ ଘୋଷଣା କରିଛନ୍ତି ଓ ସିଏ ମରିଗଲା ପରେ ମଧ୍ୟ ଶହ ଶହ ସ୍ମୃତିରେ ଅମର ରହିବେ ବୋଲି ରାଜ୍ୟର ବହୁଳ ସଂପ୍ରସାରିତ ଦୈନିକ ସମ୍ବାଦପତ୍ରରେ ମନ୍ତବ୍ୟ ପ୍ରକାଶ ପାଇଛି ଓ ସର୍ବୋପରି ରାଜ୍ୟରେ ସବୁଠୁ ପ୍ରାଚୀନ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀରେ ବିଭୂଷିତ ମଧ୍ୟ କରାଯାଇଛି । ମାତ୍ର ଏସବୁ ସତ୍ତ୍ୱେ ତାଙ୍କର ‘ବାପା’ ନାମକ ସେଇ ଏକ୍‌ଜିଦିଆ ଲୋକଟି ଖୁସି ହେଇପାରି ନାହାନ୍ତି-। ତାଙ୍କର କଳ୍ପିତ ହାକିମ ଚାକିରି (ଯାହାର ପ୍ରକୃତ ସଂଜ୍ଞା ଓ ସ୍ୱରୂପ ଅଦ୍ୟାବଧି ତାଙ୍କ ନିକଟରେ ଅସ୍ପଷ୍ଟ) ପାଖରେ ଏତେଗୁଡ଼ିଏ ତଥ୍ୟ, ପୁରସ୍କାର, ପ୍ରଶଂସା ଓ ସ୍ମୃତିଚାରଣ କୁଆଡ଼େ ଦୟନୀୟ ଭାବରେ ନ୍ୟୂନ ମୂଲ୍ୟ ଓ ହୀନପ୍ରଭ ! ଥରଟିଏ ପାଇଁ ଯଦି ସେ ଜନତାର କରତାଳି ସାଙ୍ଗରେ ତାଳଦେଇ ତାଳିଟିଏ ଦେଇଥାଆନ୍ତେ ନିଜ ପୁଅର ଉଚ୍ଛ୍ୱସିତ ପ୍ରଶଂସାରେ...

 

ପଦୁଟିଏ ହେଉ ପଛକେ ଯଦି ସେ କେବେ କହିଥାଆନ୍ତେ, ଦେଖ ଆଜି ମୋ ପୁଅ କେତେ ବଡ଼ !

 

ମୁହୂର୍ତ୍ତଟିଏ ପାଇଁ ହେଉ ପଛକେ ଯଦି ସେ କେବେ ବିଭୋର ହୋଇଥାଆନ୍ତେ ନିଜ ପୁଅର ଦେଶବ୍ୟାପୀ ଗୌରବ ମହକରେ ।

 

ନା, ଚିରଦିନ ସେ କେବଳ ସେଇ ‘ବାପା’ ହୋଇ ରହିଗଲେ । ସେଇ ବାପା - ଯିଏ ଖାଲି କହିବେ, ମନଦେଇ ପାଠ ପଢ଼ିବୁ, ଖରାବେଳେ ନ ବୁଲି ଶୋଇବୁ, ଖରାପ ଲୋକଙ୍କ ସାଙ୍ଗରେ ମିଶିବୁ ନାହିଁ, ପାନ, ବିଡ଼ି ଅମଳ କରିବୁ ନାହିଁ କି ଯାତ୍ରା ଥିଏଟରରେ ମିଶିବୁ ନାହିଁ ।

 

ହିସାବ ନାହିଁ କେତେ ହଜାର ଥର ସେ ନିଜ ବାପାଙ୍କର ଏହି ଅସୂୟାପଣ ଯୋଗୁଁ ବିରକ୍ତ ହୋଇଛନ୍ତି ।

 

ହିସାବ ନାହିଁ, କେତେ ଲକ୍ଷ ଥର ବାପାଙ୍କର ଏଇ ଉଦାସୀନତା ପାଇଁ ସେ ଘରଯିବା ବନ୍ଦ କରିଦେବାର ଧମକ ଦେଇ ଚିଠି ଲେଖିଛନ୍ତି ।

 

ମାପି ହେବ ନାହିଁ, ବାପାଙ୍କର ଏଇ ରକ୍ଷଣଶୀଳ ମନୋବୃତ୍ତି ଯୋଗୁଁ ତାଙ୍କ ହୃଦୟରେ କେତେ ଗଭୀର ଯନ୍ତ୍ରଣାର କ୍ଷତ ସୃଷ୍ଟି ହୋଇଛି ।

 

ଆଃ, କେତେ ଜ୍ୱଳନ ! କେତେ ଯନ୍ତ୍ରଣା, କେତେ ଅବସୋସ ! ଅଥଚ; ବାପା କେବେ ଥରୁଟିଏ ତାଙ୍କ ମତରୁ ଓହରି ଆସିନାହାନ୍ତି । ଏବେ ମଧ୍ୟ ସେ ପରିଣତ ବୟସରେ ପହଞ୍ଚି କେତେଥର ସାଙ୍ଗସାଥୀ ଓ ମଧ୍ୟସ୍ଥ ଜରିଆରେ ବିବାହ ନିମନ୍ତେ ପ୍ରବର୍ତ୍ତାଇବାର ଚେଷ୍ଟାରୁ ନିବୃତ୍ତ ହୋଇନାହାନ୍ତି । ଏତେ ପ୍ରଶଂସା, ଏତେ ଗୌରବ ସତ୍ତ୍ୱେ ଦେହପା’କୁ ଜଗି ଚଳିବା ପରି ଅବାଞ୍ଛିତ ପରାମର୍ଶ ଦେବାରୁ ସେ ବିରତ ନୁହନ୍ତି ।

 

ସିଏ ଖାଲି ବାପା, ବାପାଟିଏ ।

 

ମାତ୍ର ସତରେ କଣ ସେ ସେଇମିତିକା, ଯେମିତିକା ସେ ଦୁଶନ୍ତି ବା ମନେ ହୁଅନ୍ତି ଅଥବା ସେ ବାପା ଭୂମିକାରେ ପାର୍ଟ କରୁଥିବା କୁଶଳୀ ଅଭିନେତାଟିଏ ?

 

ଟେବୁଲ୍‌ ଉପରେ ପଡ଼ିରହିଛି ଦୁଇଟିଯାକ ଟେଲିଗ୍ରାମ୍‌ । ଗୋଟିକରେ ଜୀବନବ୍ୟାପୀ ସାଧନାର ଚୂଡ଼ାନ୍ତ ସ୍ୱାକ୍ଷର । ସେ ସ୍ୱର୍ଣ୍ଣକମଳ ବିଜେତା, ତାଙ୍କୁ ଦିଲ୍ଲୀ ଯିବାକୁ ପଡ଼ିବ । ଆର ଗୋଟାକରେ ତାଙ୍କ ବାପାଙ୍କର ପରଲୋକ ହୋଇଥିବା ଖବର ।

 

ଏତେ ସୁଖ ଆଉ ପୁଣି ଏତେ ଦୁଃଖ ଏକାସାଙ୍ଗରେ ! ତାଙ୍କ ହାତପାଆନ୍ତାରେ ସୁଖ ଥିବା ସତ୍ତ୍ୱେ ସେ ହସି ପାରୁନାହାନ୍ତି । ଏତେ ଦୁଃଖରେ ବି ସେ ମୁହଁ ଖୋଲି କାନ୍ଦିପାରୁ ନାହାନ୍ତି ।

 

ତେବେ କୁଆଡ଼େ ଗଲା କଳାକାର ଜୀବନର ଦକ୍ଷତା, ହସକାନ୍ଦକୁ କରାୟତ୍ତ କରିପାରିଥିବାର ସଦର୍ପ ଆସ୍ଫାଳନ ? କାହିଁ, ସେ ତ ଏଇ ମୁହୂର୍ତ୍ତରେ ହସିପାରୁ ନାହାନ୍ତି ରଙ୍ଗମଞ୍ଚର ସେ ଏକଛତ୍ର ସମ୍ରାଟଟିଏ ପରି ।

 

ଅଥଚ କାହିଁ, ସେ ତ କାନ୍ଦି ପାରୁନାହାନ୍ତି ବେକାର ଯୁବକଟିର ଅସହାୟ ପିତା ପରି ।

 

ସେ ହସୁଛନ୍ତି ଓ କାନ୍ଦୁଛନ୍ତି ।

 

ସେ କାନ୍ଦୁଛନ୍ତି ଓ ହସୁଛନ୍ତି ।

 

ସେ ହସିବା ପାଇଁ ଚାହିଁବା ମୁହୂର୍ତ୍ତରେ ହିଁ କିଏ ଜଣେ ତାଙ୍କୁ ଅତ୍ୟନ୍ତ ଅସହାୟ ଭାବରେ କନ୍ଦେଇ ଦେଉଛି ଓ କାନ୍ଦିବା ପାଇଁ ଚାହିଁବା ମୁହୂର୍ତ୍ତରେ ହିଁ କିଏ ଜଣେ ତାଙ୍କୁ ଅତ୍ୟନ୍ତ ନିର୍ଲଜ୍ଜ ଭାବରେ ହସେଇ ଦେଉଛି ।

Image

 

ସେଇ ଭାଦ୍ରବର ସ୍ମୃତି

 

ଗାଡ଼ି ଗଡ଼ି ଚାଲିଥିଲା ।

 

କାର୍‌ର ସାମ୍ନା ସିଟ୍‌ରେ ମୁଁ, ମୋର ବାଁ ପଟକୁ ଭାଇ ଓ ମୋର ଡାହାଣ ପଟକୁ ଡ୍ରାଇଭର ବିଜୟ । କଟକରୁ ଭଦ୍ରକ ପର୍ଯ୍ୟନ୍ତ ରାସ୍ତା ବେଶ୍‌ ଚଉଡ଼ା । ପାଞ୍ଚ ନମ୍ବର ଜାତୀୟ ରାଜପଥ । ଏ ଲାଇନ୍‌ରେ ଚାଲୁଥିବା ବସ୍‌ଗୁଡ଼ାକରେ ଖୁବ୍‌ ଭିଡ଼ । ମଣିଷକୁ ଅଟା କି ଚାଉଳର ବସ୍ତା ପରି ବୋହି ନିଅନ୍ତି । ସିଟ୍‌ଟାଏ ତ କେବେ ମିଳେନି ! ଭାଗ୍ୟରେ ଥିଲେ ଯଦି ଦୈବାତ୍‌ ବାଟରେ କେହି ଓହ୍ଲାନ୍ତି ତେବେ କଥା ଅଲଗା । କିନ୍ତୁ ଆଜି ଆଉ ସେ ପ୍ରକାର ଅବସ୍ଥାରେ ମୁଁ ଯାଉନି । କାର୍‌ଟାର ପଛ ସିଟ୍‌ ପୂରା ଫାଙ୍କା । ଇଚ୍ଛା କଲେ ଯେକୌଣସି ମୁହୂର୍ତ୍ତରେ ଯାଇ ଆରାମରେ ମୁଁ ଶୋଇପାରିବି ।

 

କିନ୍ତୁ ଗାଡ଼ି ଭିତରେ ଶୋଇ ଶୋଇ ଗଲେ ଲଙ୍ଗ୍‌ଜର୍ଣ୍ଣିର ମଜା ମିଳେନା ।

 

ଆଜି ପଣା ସଂକ୍ରାନ୍ତି । ତୁଚ୍ଛାଟାରେ କଣ କରିଥାଆନ୍ତି କଟକରେ ? କାମ ନ ଥିଲେ ବି ଭାଇ ଗାଡ଼ି ନେଇ ଯାଉଛନ୍ତି ଶୁଣି ଭଦ୍ରକ ବାହାରିପଡ଼ିଥିଲି । ସକାଳ ସାତଟା ବାଜିଥାଏ । ଟାଣ ଖରା ନାହିଁ, ସୁଲୁସୁଲିଆ ପବନ କାଚ ଝର୍କା ଡେଇଁ କାନ ପାଖରେ ଗୀତ ଗାଉଥାଏ । ବେଶ୍‌ ସୁନ୍ଦର ଗୀତ । ବାଳଗୁଡ଼ିକ ଉଡ଼ିଆସି ଆଖି ଭିତରେ ପଶିଯାଉଥାଏ । ବିରକ୍ତିକର ! ତଥାପି ଭଲ ଲାଗୁଥାଏ ।

 

ବଡ଼ଚଣା ପାଖେଇ ଆସୁଥିଲା...

 

ସବୁଥର ପରି ଏଥର ବି ଏଇ ଜାଗାଟାକୁ ଏଡ଼େଇ ଯିବା ପାଇଁ ଶୋଇପଡ଼ିବାର ଛଳନା କଲି । ଭାଇ କିନ୍ତୁ ଝର୍କା ଦେଇ ବାହାରକୁ ଚାହିଁଥାଆନ୍ତି ପ୍ରକୃତିପ୍ରେମୀ କବିଟିଏ ପରି । ଆଖିରେ ତାଙ୍କର ପଲକ ପଡ଼ୁ ନ ଥାଏ । ସମୟେ ସମୟେ ଗୋପବନ୍ଧୁଙ୍କର ‘ଜାରାକବିତା’ରୁ ପଦେ ଅଧେ ବୋଲି ଦେଉଥାନ୍ତି ବେସୁରା ରାଗିଣୀରେ ।

 

ବଡ଼ଚଣା ।

 

ଠିକ୍‌ ଜାଗାରେ ଭାଇ ମୋତେ ହଲେଇ ଦେଇ କହିଲେ, “ଏ...ଇ ! ଦେଖ୍‌ ଦେଖ୍‌ - ଏ ଯେଉଁ ବରଗଛଟା ଦେଖୁଛୁ... । ଦେଖିଲୁ ତ ?”

 

ସେତେବେଳକୁ ଗାଡ଼ି ବରଗଛ ଡେଇଁ ଯାଇଥାଏ - ପୋଲଟାକୁ ବି ।

 

ଭାଇ କହି ଚାଲିଥାଆନ୍ତି- “ଜାଣିଛୁ ସେ ପୋଲ କଥା ?”

 

ମୁଁ କିଛି ଉତ୍ତର ଦେଲି ନାହିଁ ।

 

“ଆଗେ ସେଠି ବହୁତ ଆକ୍‌ସିଡେଣ୍ଟ୍‌ ହେଉଥିଲା - ଏବେ କିନ୍ତୁ ଆଉ ହେଉନି । ଜଣେ ସାଧକ ଆସି... ।”

 

ତାଙ୍କ କଥାକୁ ସଂପୂର୍ଣ୍ଣ କରିବାକୁ ନ ଦେଇ ମୁଁ ହଠାତ୍‌ ପଚାରିଲି, “ଟାଇମ୍‌ କେତେ ହେଲାଣି ?”

 

“ସାଢ଼େ ଆଠଟା ।”

 

“ଓଃ! ଏତେ ଡେରି ! ଏ ବିଜୟ ! ଟିକେ ସ୍ପିଡ୍‌ରେ ଗାଡ଼ି ଚଲା । ପହଞ୍ଚୁ ପହଞ୍ଚୁ ତ ବାରଟା ବାଜିଯିବ ।”

 

ମୋର ଉଦ୍ଦେଶ୍ୟ ଚରିତାର୍ଥ ହୋଇ ସାରିଥିଲା । ଭାଇ ପୋଲ, ବରଗଛ ଓ ବାବାଜି ପ୍ରସଙ୍ଗ ଭୁଲିଯାଇଥିଲେ । ପୂର୍ବ ପରି ସେ ବାହାରକୁ ଚାହିଁ ପାହାଡ଼ର ବିସ୍ତୀର୍ଣ୍ଣତା କଳୁଥିଲେ ।

 

ବିଜୟର ତୀକ୍ଷ୍‌ଣ ଆଖିଯୋଡ଼ାକ ପିଚୁ ରାସ୍ତାର ସର୍ପିଳ ଦେହରେ ନିବଦ୍ଧ । ହାତଯୋଡ଼ିକ ଷ୍ଟିୟରିଂ ଉପରେ ।

 

କାହିଁକି କେଜାଣି ସମୟେ ସମୟେ ଅଲୋଡ଼ା ସ୍ମୃତିଗୁଡ଼ାକ ମନେପଡ଼ିଯାଆନ୍ତି ଅନିଚ୍ଛାକୃତ ଭାବରେ । ପୁରୁଣା ଜଖମରେ ଚୋଟ ଲାଗେ । ଶିର୍‌ଶିରେଇ ଉଠେ ଦେହମୁଣ୍ଡ ।

 

ଊଣେଇଶ ବାସ୍ତରୀରୁ ଊଣେଇଶ ବୟାଅଶୀ - ଠିକ୍‌ ଦଶ ବର୍ଷ । ଏଇ ଦଶ ବର୍ଷ ଭିତରେ କେଜାଣି କେତେ କଣ ପରିବର୍ତ୍ତନ ହେଲାଣି ଏତେ ବଡ଼ ଦୁନିଆଟାରେ । ସ୍ମୃତିର ସଙ୍କେତ କିନ୍ତୁ ପୂର୍ବ ପରି ଅପରିବର୍ତ୍ତିତ ରହିଯାଇଛି ।

 

ଝଡ଼ ଯାଇଛି, ଧ୍ୱସ୍ତବିଧ୍ୱସ୍ତର ଚିହ୍ନ କିନ୍ତୁ ରଖିଯାଇଛି ଭାଙ୍ଗିପଡ଼ିଥିବା କୋଠା ଓ ନଇଁପଡ଼ିଥିବା ଟେଲିଫୋନ୍‌ ଖୁଣ୍ଟି ଦେହରେ ।

 

ସତର ବର୍ଷର ପୋଥିଘୋଷା ଛାତ୍ର ଜୀବନ ପରେ ମୁଁ ନୂଆ ଚାକିରି କରିଥାଏ ଖାଦ୍ୟଯୋଗାଣ ବିଭାଗରେ । ଭଲ ଚାକିରି । ଦ୍ୱୀପ ତେଜିଲେ ହାତ ଚିକ୍‌କଣ । ଆଗରୁ କେବଳ ଏ ଚାକିରିଟାର କରାମତି କାନରେ ଶୁଣିଥିଲି । ଅଙ୍ଗେ ନିଭେଇଲି । ଅନୁଭବ କଲି କଥାଗୁଡ଼ାକର ସତ୍ୟତା । ଏ ଚାକିରି ପାଖରେ ଇନ୍ଦ୍ରପଦ ବି ତୁଚ୍ଛ ! କଲେଜ ଜୀବନର ‘ବୋରଡମ୍‌’ରୁ ଏକାବେଳକେ ମୁକ୍ତି ।

 

ସେଥର ଭଦ୍ରକରେ ଦିଲ୍ଲୀପ ଘରେ ମୁଁ ଅତିଥି ହୋଇଥିଲି । ଦିଲ୍ଲୀପ ନୂଆ ବାହା ହୋଇଥାଏ । ଯୌତୁକ ବି ପାଇଥାଏ ପ୍ରଚୁର । ପରମ ଆଗ୍ରହରେ ଶ୍ୱଶୁର ଘରୁ ପାଇଥିବା ଜିନିଷମାନ ଦେଖାଉଥାଏ ମୋତେ । ଫ୍ରିଜ୍‌, ଟେପ୍‌ରେକର୍ଡର, ବାଜାଜ୍‌ ସ୍କୁଟର, ସୋଫା... । ଖାଇବା ପିଇବାର ବ୍ୟବସ୍ଥା କଲା । ବନ୍ଧୁପତ୍ନୀଙ୍କ ସାଙ୍ଗରେ ବି ଖୁବ୍‌ ଆଳାପ ହେଲା । ଠିକ୍‌ କଲୁ ତା ପରଦିନ କଟକ ଆସିବୁ । ସେମାନେ ମୋ ବସା ବୁଲିଯିବେ । ଫିଲ୍ମ ଦେଖି, ବୁଲାବୁଲି କରି ପୁଣି ଫେରିଯିବେ ସେମାନେ ।

 

ସକାଳ ଦଶଟାବେଳେ ଆମେ ଭଦ୍ରକ ଛାଡ଼ିଲୁ । ସେକେଣ୍ଡ୍‌ ସଟରଡେ, ସନ୍‌ଡେ ଓ ତା ପରଦିନ ଗଣେଶ ଚତୁର୍ଥୀ ପଡ଼ୁଥିବାରୁ ବସ୍‌ ଗୁଡ଼ାକରେ ସେତେ ଭିଡ଼ ନ ଥାଏ । ତିନିଜଣିଆ ସିଟ୍‌ଟାକୁ ଯାଇ ମୁଁ ଆଗତୁରା ଆବୋରି ବସିଲି ।

 

ଗାଡ଼ି ଛାଡ଼ିଲା । ବାଟସାରା ଆମେ ତିନିହେଁ ଗପି ଗପି ଆସୁଥାଉ । ଢେଙ୍କାନାଳରୁ ଢେଙ୍କିଶାଳ ଯାଏ ଅସରନ୍ତି ଗପ !!

 

ବଡ଼ଚଣା ପାଖେଇ ଆସୁଥାଏ । ଠିକ୍‌ ସେଇ ପୋଲଟା ପାଖରେ କଣ ହେଲା ଜଣା ନାହିଁ, ହଠାତ୍‌ ଗାଡ଼ିଟା ଓଲଟି ପଡ଼ିଲା । ସମସ୍ତେ ଚିତ୍କାର କରି ଉଠିଲୁ । ଉପରେ ଥୁଆ ହୋଇଥିବା ଆଟାଚି, ବ୍ୟାଗ୍‌ ପ୍ରଭୃତି ଦୁଲ୍‌ଦାଲ୍‌ ତଳକୁ ଖସିପଡ଼ିଲା । ତାପରର ଅବସ୍ଥା ଜାଣିବା ପାଇଁ ମୋର ହୋସ୍‌ ନ ଥାଏ ।

 

ରାତି ପ୍ରାୟ ନଅଟା ବେଳକୁ ମୁଁ ସଂଜ୍ଞା ଫେରିପାଇଲି । ନିଜକୁ ଆବିଷ୍କାର କଲି କଟକ ମେଡିକାଲ୍‌ର ଏମରଜେନ୍‌ସି ୱାର୍ଡ ଭିତରେ । ହାତ ଗୋଡ଼କୁ ଚାହିଁଲି । ଦେହସାରା ବ୍ୟାଣ୍ଡେଜ୍‌ ବନ୍ଧା ହୋଇଛି । ଉଠି ହେଉ ନ ଥାଏ ବିଛଣାରୁ । ମୋର ମନେପଡ଼ିଲା ଦିଲ୍ଲୀପ ଓ ମିତାଙ୍କ କଥା । ମୁଁ ଅବସନ୍ନ ଆଖିଯୋଡ଼ିକ ମେଲି ଚାରିଆଡ଼କୁ ଚାହିଁଲି । ଘରଟାର ଏକଦମ୍‌ ସେ କୋଣରେ ଦିଲ୍ଲୀପ ଅଧାଶୁଆ ହୋଇ ବସିଥାଏ ତକିଆକୁ ଆଉଜି । ବେଶୀ ଆଘାତ ଲାଗି ନ ଥାଏ ତା ଦେହରେ ।

 

ଦିଲ୍ଲୀପ ମୋ ଆଡ଼କୁ ଚାହିଁ ରହିଥାଏ ଏକଲୟରେ । ମୋ ଆଖିଯୋଡ଼ାକ ତା ଆଖି ସାଙ୍ଗରେ ମିଲିଲାକ୍ଷଣି ସେ ମୁହଁତଳକୁ ପୋତିଦେଲା । ମୁଁ କିଛି ବୁଝିପାରିଲି ନାହିଁ । ଧୀରେ ଧୀରେ ସେ ତା ବେଡ୍‌ ଛାଡ଼ି ମୋ ପାଖକୁ ଆସିଲା । ମୁଣ୍ଡକୁ ମୋ ଛାତି ଉପରେ ଅଜାଡ଼ି ଦେଇ ଅପରାଧୀଟିଏ ପରି ଛିଡ଼ା ହେଲା ।

 

ମୁଁ ପଚାରିଲି, “କଣ ହେଲା ? ମିତା କାହିଁ ?”

 

ହଠାତ୍‌ ଅସ୍ୱାଭାବିକ ଭାବରେ ହସିଉଠିଲା ଦିଲ୍ଲୀପ । ତାର ଏ ହସ ଶୁଣି ନର୍ସ, ଡକ୍ଟର ଧାଇଁ ଆସିଲେ । ଧରାଧରି କରି ସେମାନେ ତାକୁ ବେଡ୍‌କୁ ନେଇ ଜବରଦସ୍ତ ଶୁଆଇଦେଲେ । ଡାକ୍ତର ଇଞ୍ଜେକ୍‌ସନ୍‌ ଦେଲେ । ଦିଲ୍ଲୀପ ଶୋଇପଡ଼ିଲା ।

ମୋର ଜାଣିବାକୁ ଆଉ କିଛି ବାକି ନ ଥିଲେ ବି ନର୍ସଟି ନିଜଆଡ଼ୁ ଆସି ମିତାର ଆକସ୍ମିକ ମୃତ୍ୟୁ ସମ୍ବାଦ ଶୁଣେଇ ଦେଇ ଚାଲିଗଲା । ଏକଥା ବି କହିଲା ଯେ ଦିଲ୍ଲୀପ ମାନସିକ ଭାରସାମ୍ୟ ହରେଇଥିଲା ।

ସଂପୂର୍ଣ୍ଣ ଭାବରେ ସୁସ୍ଥ ହେବାପାଇଁ ମୋତେ ଆଉରି ପନ୍ଦର ଦିନ ଲାଗିଗଲା । ଦିଲ୍ଲୀପକୁ ତା ମାମୁଙ୍କ ସାଙ୍ଗରେ ଭଦ୍ରକ ପଠେଇ ଦିଆଯାଇଥିଲା । ଭଦ୍ରକର ଡାକ୍ତର ମିଶ୍ର ତା ମାମୁ । ସେ ନିଜେ ଟ୍ରିଟ୍‌ମେଣ୍ଟ୍‌ କରୁଥାଆନ୍ତି ଦିଲ୍ଲୀପର ।

ମୁଁ ଦୂର ନବରଙ୍ଗପୁରକୁ ବଦଳି କରାଇ ନେଲି ନିଜେ ଉଦ୍ୟମ କରି । ଦିଲ୍ଲୀପ ଠାରୁ ଦୂରରେ ରହିବା ହିଁ ମୋର ଥିଲା ଏକମାତ୍ର ଉଦ୍ଦେଶ୍ୟ ।

ଦିଲ୍ଲୀପ ଖୁବ୍‌ ଭାବପ୍ରବଣ । ଜୀବନରେ ଅଭାବ, ଅସୁବିଧା କଣ ଜାଣେନି । ଯାହା ଯେତେବେଳେ ଚାହିଁଛି ତା ପାଇଛି ! କିନ୍ତୁ ଏଇ ଗୋଟାଏ ଅଭାବକୁ ତାର କେହି ପୂରଣ କରିଦେଇ ପାରିଲେ ନାହିଁ । ଦିନେ ଖବରକାଗଜରୁ ପଢ଼ିଲି ଦିଲ୍ଲୀପ ନିରୁଦ୍ଦିଷ୍ଟ । ଖୁବ୍‌ ଅଧୈର୍ଯ୍ୟ ହୋଇପଡ଼ି ତା ବାପା ଖବରକାଗଜରେ ବିଜ୍ଞାପନଟିଏ ପ୍ରକାଶ କରିଥାଆନ୍ତି ।

ଏ ଘଟଣାର ଦୁଇ ମାସ ପରେ ସେହି ପୋଲ ଉପରେ ଆଉ ଗୋଟାଏ ବସ୍‌ ଦୁର୍ଘଟଣା ହେଲା । ପ୍ରାୟ ପଚାଶ ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟା ଭୁବନେଶ୍ୱର ଯାଉଥିଲା । ମାତ୍ର ଆଶ୍ଚର୍ଯ୍ୟ, ଏମାନଙ୍କ ମଧ୍ୟରୁ କେବଳ ଜଣଙ୍କର ହିଁ ମୃତ୍ୟୁ ହୋଇଥିଲା । ସେ ପୁଣି ଜଣେ ସ୍ତ୍ରୀ, ନବବିବାହିତା ।

ପୋଲଟା ମୋତେ କେମିତି ରହସ୍ୟମୟ ଲାଗିଲା । ମୋର ସନ୍ଦେହ ଓ ସଂଶୟ ଦ୍ୱିଗୁଣିତ ହୋଇଗଲା । ତୃତୀୟ ଥର ପାଇଁ ଜିପ୍‌ ଦୁର୍ଘଟଣାଟାଏ ଘଟିଗଲା ସେ ପୋଲ ଉପରେ ୧୯୭୩ ଜାନୁଆରି ପହିଲା ଦିନ । ଏଥରକ ବି ଜଣେ ତରୁଣୀର ଜୀବନ ବଳିପଡ଼ିଲା । ସେ ଥିଲେ ଜଣେ ଡି.ଏଫ୍‌.ଓ.ଙ୍କ ସହଧର୍ମିଣୀ ।

କି ବିପଦଜ୍ଜନକ ପୋଲଟା ସେ ? କାହିଁକି ସେଠି ଏମିତି ଗୋଟାଏ ପରେ ଗୋଟାଏ ଦୁର୍ଘଟଣା ଘଟୁଛି ! ବସ୍‌ ଡ୍ରାଇଭରମାନେ ସେ ପୋଲ ଉପରେ ଗାଡ଼ି ଚଳାଇବାକୁ ରାଜି ହେଲେ ନାହିଁ । ସମସ୍ତଙ୍କ ମନ ଭିତରେ କୋକୁଆ ଭୟ । ଶେଷରେ ଏମିତି ହେଲା, ପୋଲ ପାଖରେ ବସ୍‌ ବା ଟ୍ରେକର ପହଞ୍ଚିବା ମାତ୍ରେ ଯାତ୍ରୀମାନେ ଓହ୍ଲାଇ ଚାଲି ଚାଲି ପୋଲ ପାରି ହେଉଥିଲେ ଓ ଗାଡ଼ିକୁ ପେଲି ପେଲି ଏପାଖରେ ପହଞ୍ଚାଇବା ପରେ ପୁଣି ଯାଇ ଭିତରେ ବସୁଥିଲେ ।

ଏମିତି ପ୍ରାୟ ଛଅ ମାସ ବିତିଗଲା, ଆଉ କିଛି ଆକ୍‌ସିଡେଣ୍ଟ୍‌ ହେଲା ନାହିଁ ସେ ଜାଗାରେ-। କ୍ରମଶଃ ପୋଲଟାର ଲୋମହର୍ଷକ ରହସ୍ୟ ବିସ୍ମୃତ ହୋଇଆସୁଥିଲା ।

ସେ ବର୍ଷ ପୂଜା ସମୟରେ ଜଣେ କଣ୍ଟ୍ରାକ୍ଟର ତାଙ୍କ ସ୍ତ୍ରୀଙ୍କୁ ନେଇ ଛତିଆରୁ ଭଦ୍ରକ ଯାଉଥିବାବେଳେ ସେଇ ପୋଲ ଉପରେ ପୁଣି ଆକ୍‌ସିଡେଣ୍ଟ୍‌ ହେଲା । ମଟର ସାଇକେଲ୍‌ରେ ସେ ଦୁହେଁ ଯାଉଥିଲେ । କିଛି ନ ଥିଲା, ହଠାତ୍‌ ଆଗ ଚକ ସ୍ଲିପ୍‌ କରିଗଲା । ଗାଡ଼ି ଅଲଗା, ଏ ଦୁହେଁ ଅଲଗା । ପ୍ରକାଶ୍ୟ ଦିବାଲୋକରେ ହିଁ ଏ ବିପଜ୍ଜନକ ପୋଲଟାରେ ବଳିପଡ଼ିଲେ କଣ୍ଟ୍ରାକ୍ଟର୍‌ଙ୍କ ସହଧର୍ମିଣୀ ।

ଗୋଟାଏ ବର୍ଷ ଭିତରେ ଚାରିଟା ଆକ୍‌ସିଡେଣ୍ଟ୍‌ । ସେଇ ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ । ଚାରି ଚାରିଟି ଅମୂଲ୍ୟ ଜୀବନର ଅକାଳ ଅବସାନ । କେହି କେହି କହିଲେ, ପୋଲଟା ପାଖରେ କିଛି ଗୋଟିଏ ପ୍ରେତ ଫ୍ରେତ ଅଛି । ପୁଣି କେହି କହିଲେ, ନାଇଁ, ବୋଧହୁଏ ପ୍ରେତିନୀ ଥିବ । ବିଚାରୀ ବୋଧହୁଏ ଜୀବନରେ ବହୁ ଯନ୍ତ୍ରଣାର ଶିକାର ପାଲଟି ଏଇଠି ମରିଛି । ତାର ଅତୃପ୍ତ ଆତ୍ମା ଅନ୍ୟମାନଙ୍କ ଉପରେ ଦାଉ ସାଧୁଛି ।

ଏ ଘଟଣାର କିଛିଦିନ ପରେ ଜଣେ ଜଟାଜୂଟଧାରୀ ସାଧୁଙ୍କର ସେଠି ଆବିର୍ଭାବ ହେବାର ସମ୍ବାଦ ଖବରକାଗଜରେ ବାହାରିଲା । ପରମ ଆଗ୍ରହରେ ମୁଁ ସମ୍ବାଦକୁ ପଢ଼ିଲି । ମନେ ମନେ ଧନ୍ୟବାଦଟିଏ ଜଣାଇବା ସଙ୍ଗେ ସଙ୍ଗେ ସାଧୁଙ୍କର ସାଧନା ଫଳବତୀ ହେଉ ବୋଲି କାମନା କଲି-

ସାଧୁଜଣକ ପୋଲ ପାଖରେ ବରଗଛଟାଏ ଓ ଓସ୍ତଗଛଟାଏ ଲଗେଇଲେ । ପାଖରେ ଛୋଟିଆ କୁଡ଼ିଆ ଖଣ୍ଡେ ତିଆରି କଲେ । ବାଟଚଲା ଡ୍ରାଇଭର, ଯାତ୍ରୀ ଓ ଗାଆଁବାଲା ମିଳିମିଶି ଛାତିଏ ଉଚ୍ଚର ମନ୍ଦିରଟାଏ ତୋଳେଇ ଦେଲେ । ତାରି ଭିତରେ ସବୁବେଳେ ସାଧୁଜଣକ ବସି ରୁହନ୍ତି । କାହାରିକୁ କିଛି କହନ୍ତି ନାହିଁ । ସ୍ୱତଃପ୍ରବୃତ୍ତ ହୋଇ କେହି କିଛି ଦାନ ଦେଲେ ସେ ଗ୍ରହଣ କରନ୍ତି ।

ସାଧନା ତାଙ୍କର ଫଳବତୀ ହୋଇଥିଲା । ଆଉ ତେଣିକି କୌଣସି ଆକସ୍ମିକ ଦୁର୍ଘଟଣା ସେଇ ପୋଲ ଉପରେ ଘଟିବାର ଶୁଣାଗଲା ନାହିଁ ।

ଗଲାବର୍ଷ ଗଣେଶ ଚତୁର୍ଥୀକୁ ମୁଁ ଗାଆଁକୁ ଯାଇଥାଏ । ଗାଆଁ ଖବରଅନ୍ତର ବୁଝି ସହରରେ ଆସି ପହଞ୍ଚୁ ପହଞ୍ଚୁ ଚାରିଟା ବାଜିଗଲାଣି । ଭଦ୍ରକରୁ ବସ୍‌ରେ ବସିଲି । ବସ୍‌ ଠିକ୍‌ ସେହି ଜାଗାରେ ପହଞ୍ଚିଲା ବେଳକୁ ମାଛିଅନ୍ଧାର ହୋଇଆସିଲାଣି । ମୁଁ ସାମ୍ନାପଟ ସିଟ୍‌ରେ ବସିଥାଏ ଡ୍ରାଇଭରକୁ ଲାଗି । ସେଇ ପୋଲଟା ପାଖ ହେଲାକ୍ଷଣି ଡ୍ରାଇଭର ଗାଡ଼ି ଅଟକାଇଦେଲା । ମୁଁ ତାକୁ ଲକ୍ଷ୍ୟ କଲି । ବରଗଛ ତଳେ ଥୁଆ ହୋଇଥିବା ଗୋଟାଏ କାଠବାକ୍‌ସ ଭିତରେ ଆଠଣିଟିଏ ଗଳେଇ ଦେଇ ଆସିଲା କ୍ଲିନର । ଡ୍ରାଇଭର ଗାଡ଼ି ଷ୍ଟାର୍ଟ କରିବା ପୂର୍ବରୁ ମୁଁ ତାଙ୍କୁ ପଚାରିଲି, “ଏ ସାଧୁ ବାବାଙ୍କ ସମ୍ବନ୍ଧରେ କିଛି ଜାଣିଛ କି ?”

ସେ ମୁଣ୍ଡ ହଲେଇ ନାହିଁ କଲା ।

ମନଭିତରେ ମୋର କୌତୂହଳ ବଢ଼ିଲା । ବହୁଦିନ ହେଲାଣି ଦିଲ୍ଲୀପର ଦୁର୍ଘଟଣା ପ୍ରସଙ୍ଗ-। ତଥାପି ସେ ଜାଗାଟାକୁ ଦେଖିଦେଲାକ୍ଷଣି ମୋ ମନରେ ଆତଙ୍କଟାଏ ଖେଳିଗଲା । ମୁଁ କଣ୍ଡକ୍ଟରକୁ କିଛି ନ କହି ନିଃଶବ୍ଦରେ ଗାଡ଼ି ଭିତରୁ ଓହ୍ଲେଇଗଲି । କ୍ଲିନର୍‌ ମୁରବି ସ୍ୱରରେ କହିଲା, “ଶୀଘ୍ର ଆସନ୍ତୁ, ଗାଡ଼ି ଛାଡ଼ିଦେବ ।”

ମୁଁ ମଥା ହଲେଇ ନାହିଁ କଲି । କହିଲି, “ତମେ ଯାଅ, ମୁଁ ପଛ ଗାଡ଼ିରେ ଯିବି ।”

ବସ୍‌ ଛାଡ଼ିଦେଲା ।

ମୋ ସାମ୍ନାରେ ଛୋଟ ମନ୍ଦିରଟାଏ । ବରଗଛଟା ବେଶ୍‌ ଝଙ୍କାଳିଆ ହେଇଗଲାଣି । ତାରି ମୂଳରେ କାଠବାକ୍‌ସଟିଏ ବନ୍ଧାହୋଇଛି । ମୁଁ ମନ୍ଦିର ଭିତରକୁ ଚାହିଁଲି । ଗେରୁଆ ବସ୍ତ୍ର ପରିହିତ ଶ୍ମଶ୍ରୁଧାରୀ ସନ୍ନ୍ୟାସୀ ଜଣକ ବୋଧହୁଏ ଆଳତିର ପ୍ରସ୍ତୁତ କରୁଥାଆନ୍ତି ।

ସେ ମୋ ପାଦଶବ୍ଦ ଶୁଣିପାରିଥିଲେ । ଧୀର ଗଳାରେ କହିଲେ, “ଆସ ବାବା ! ଭିତରକୁ ଆସ !”

ପ୍ରଥମେ ମୁଁ ଚମକିପଡ଼ିଲି । କିନ୍ତୁ ନିଜକୁ ସଂଯତ କଲି । ଏ କଣ୍ଠସ୍ୱର ମୋତେ ଚିହ୍ନା ଚିହ୍ନା ଲାଗୁଥିଲା । ଆଗରୁ କେଉଁଠି ଏ ସ୍ୱର ସହିତ କେବେ ପରିଚିତ ହୋଇନି ତ !

ମୋର ଏ ହତବାକ୍‌ ଅବସ୍ଥାକୁ ସେ ଅନୁଧ୍ୟାନ କରିପାରିଲେ । ଆଳତି ଦୀପଟିଏ ତଳେ ଥୋଇ ସେ ବାହାରକୁ ଚାଲି ଆସିଲେ । ଅଧା ଆଲୁଅ ଓ ଅଧା ଅନ୍ଧାର ଭିତରେ ବି ମୋ ଆଖିଯୋଡ଼ାକ ମୋତେ ଠକିପାରିଲେ ନାହିଁ । ଗହଳ ଦାଢ଼ି, ରୁକ୍ଷ କଠିଣ ମୁହଁ, ଦୀପ୍ତିହୀନ ଚକ୍ଷୁ, କୋଟରଗତ ଗଣ୍ଡଦେଶ ଓ ରକ୍ତସିନ୍ଦୂର ଲେପିତ କପାଳ ଭିତରୁ ମୁଁ ଚିହ୍ନିପାରିଥିଲି ସେ ସନ୍ନ୍ୟାସୀଙ୍କୁ-। ସ୍ଥାନ, କାଳ ଭୁଲି ମୁଁ ଚିତ୍କାର କରି ଉଠିଲି, “ଦିଲ୍ଲୀପ !”

ନିଜ କଣ୍ଠସ୍ୱରର ଶବ୍ଦରେ ନିଜେ ଆଶ୍ଚର୍ଯ୍ୟ ହେଲି ମୁଁ । ଦିଲ୍ଲୀପ ମୋର ହାତ ଧରି ତାର ମନ୍ଦିର ଭିତରକୁ ଟାଣିନେଲା । ମୋତେ ପାଟି ନ କରିବାକୁ ଇଙ୍ଗିତ କରି ସେ କହିଲା, “ଦିଲ୍ଲୀପ ? କିଏ ଦିଲ୍ଲୀପ ? ସେ ତ ବହୁଦିନରୁ ମରିଯାଇଛି । ମୁଁ କେବଳ ଜଣେ ସନ୍ନ୍ୟାସୀ - ମୋର ପରିଚୟ କେବଳ ସାଧୁବାବା ।”

କଣ୍ଠରେ ତାର ଭାବାତିଶଯ୍ୟର ସ୍ପର୍ଶ । ଆଖିରେ ଦୁଇବୁନ୍ଦା ଅଶ୍ରୁ । ସେ ଅଶ୍ରୁ ଆନନ୍ଦର, ବିଷାଦର ବା ଆଶ୍ଚର୍ଯ୍ୟ ନିର୍ଲିପ୍ତତାର ତାହା ତାକୁହିଁ ଜଣା ।

ଦିଅଁଙ୍କ ଆସ୍ଥାନ ଉପରେ ବଡ଼ ହୋଇ ଫଟୋଟାଏ । ନାଲିରଙ୍ଗର କରିଆ ଖଣ୍ଡେ ଗୁଡ଼ା ହୋଇଛି ଫଟୋର ଅଧଯାକେ । ମନ୍ଦାରଫୁଲର ହାରଟିଏ ବେଢ଼େଇ ଦେଇଛି ସେଥିରେ ଦିଲ୍ଲୀପ । ସିନ୍ଦୂର, ଚନ୍ଦନ ଲେପାହୋଇ ଫଟୋ ବି କିପରି ବିଚିତ୍ର ହେଇଯାଇଛି । କିଛି ସମୟ ନିରୀକ୍ଷଣ କଲି ଦିଲ୍ଲୀପର ଆରାଧ୍ୟ ପ୍ରତିମାଙ୍କୁ । ଦିଲ୍ଲୀପ ଫଟୋଟିକୁ ଆସ୍ଥାନ ଉପରୁ ଆଣି କରିଆ ଖଣ୍ଡିକ ଖୋଲିଦେଲା । ନିଜର କାନ୍ଧ ଗାମୁଛାରେ ଫଟୋ ଉପରୁ ସିନ୍ଦୂର ଚନ୍ଦନତକ ପୋଛିଦେଇ ମୋ ହାତକୁ ବଢ଼େଇ ଦେଲା ।

ହଠାତ୍‌ ମୋ ସାମ୍ନାରେ ଦଂଶନୋଦ୍ୟତ ତମ୍ପଟାଏ ଦେଖିଥିଲେ ବି ମୁଁ ଏତେ ଆଶ୍ଚର୍ଯ୍ୟ ହୋଇଯାଇନଥା’ନ୍ତି । ବିସ୍ମୟ ବିସ୍ଫାରିତ ଆଖିରେ ମୁଁ କେବଳ ଦିଲ୍ଲୀପ ଆଡ଼େ ଚାହିଁଲି । ମୋ ପାଟିରୁ କିଛି କଥା ଲେଉଟିଲା ନାହିଁ ।

ଦିଲ୍ଲୀପ କହିଲା, “ହଁ - ତୋର ଅନୁମାନ ଠିକ୍‌ । ଏ ଫଟୋ ଦୁର୍ଗା, କାଳୀ କିମ୍ବା ଚଣ୍ଡୀଙ୍କର ନୁହେଁ - ଏ ମିତାର ଫଟୋ ।”

 

ଏତେ ସମୟ ପରେ ମୁଁ ଦେଖିଲି ପ୍ରକୃତରେ ଦିଲ୍ଲୀପ କାନ୍ଦୁଛି । ଆନନ୍ଦରେ ନୁହେଁ ଦୁଃଖରେ, ଗଭୀର ଦୁଃଖରେ ।

 

ମୋ ଦେହ ଭିତରେ କିଏ ଯେପରି ଛୁରୀଟିଏ ଧରି କଣ ସବୁ କାଟି ଚାଲିଯାଉଛି ଅତ୍ୟନ୍ତ ନିଷ୍ଠୁର ଭାବରେ ।

 

ମନେପଡ଼ୁଥିଲା ଦଶ ବର୍ଷ ତଳର ସେଇ ଅଶୁଭ ମଧ୍ୟାହ୍ନର ସ୍ମୃତି ।

 

ମୁଁ ଦୁଇପାହୁଣ୍ଡ ଆଗେଇ ଯାଇ ଦିଲ୍ଲୀପକୁ ଭିଡ଼ିଧରିଲି । ତାର ଦୀପ୍ତିହୀନ ଆଖିଯୋଡ଼ାକରୁ ଲୁହ ପୋଛିଦେଇ କହିଲି, “ଏ କଣ ହେଲାରେ ଦିଲ୍ଲୀପ ? ଭଗବାନ ତୋ ପାଇଁ ଏଡ଼ିକି ନିଷ୍ଠୁର ହୋଇଗଲେ ।”

 

ସେ କିନ୍ତୁ ଆଉ ବିଚଳିତ ହୋଇ ପଡ଼ୁନଥିଲା । ଅତ୍ୟନ୍ତ ଧୈର୍ଯ୍ୟର ସହିତ କହିଲା, “ତୁ ଜାଣିଛୁ, ଏଇ ପୋଲ ଉପରେ ମିତା ପରି କେତେ ନାରୀଙ୍କ ଜୀବନର ପୂର୍ଣ୍ଣାହୁତି ହୋଇଛି ।”

 

ମୁଁ ନିଃଶବ୍ଦରେ ସମ୍ମତି ଜଣାଇଲି ।

 

“ମୁଁ ମିତାର ଆରାଧନା କରୁନି । ମୁଁ କରୁଚି ସେଇ ନାରୀର, ଯେଉଁ ନାରୀ ଜୀବନର ପ୍ରଥମ ପ୍ରଭାତରେ ମଣିଷକୁ ଦିଏ ସଂବେଦନଶୀଳ ମାତୃତ୍ୱର ସ୍ନେହ, ଯୌବନରେ ଆଣିଦିଏ ଏକ ଜ୍ୟୋତିର୍ମୟୀ ଦେବୀର ପ୍ରେରଣା, ପୁଣି ମଣିଷର ପ୍ରତିଟି ଉଠାପକା ବନ୍ଧୁର ରାସ୍ତାରେ ସହକର୍ମିଣୀର ସାନ୍ନିଧ୍ୟ - ମୁଁ ସେହି ନାରୀର ଆରାଧନା କରୁଛି ।”

 

ମୁଁ ଦିଲ୍ଲୀପକୁ ବୁଝିପାରୁନଥିଲି । ତାର ଏ ଯୁକ୍ତି, ଏ ଭାବପ୍ରଣତା, ଆଦର୍ଶବୋଧ କିମ୍ବା ଯୁକ୍ତିନିଷ୍ଠ ଦର୍ଶନ କୌଣସିଟିକୁ ମୁଁ ବୁଝିପାରୁ ନ ଥିଲି ।

 

ସଞ୍ଜ ନଇଁ ଆସୁଥିଲା ଦୂର ପାହାଡ଼ର ମୁଣ୍ଡ ଉପରେ ।

 

ମୁଁ ଶେଷ ପ୍ରଶ୍ନ ପଚାରିଲି ଦିଲ୍ଲୀପକୁ, “ତୁ କଣ ସବୁଦିନ ଏମିତି ରହିଯିବାକୁ ନିଷ୍ପତ୍ତି କରିନେଲୁ ସତେ?”

 

ଦିଲ୍ଲୀପ ହସିଲା, ସଂପୂର୍ଣ୍ଣ ଛଳନାଶୂନ୍ୟ ସେ ହସ ଶିଶୁ ଅଧରର ପ୍ରଥମ ହସପରି । ବୁଝାଇବା ଢଙ୍ଗରେ ସେ ମୋତେ କହିଲା, “କିଏ ଜାଣେ ଆଉ କେତେ ଜଣ ମିତା ଏଇଠି ଜୀବନ ହରେଇଥା’ନ୍ତେ । ମୁଁ ତାନ୍ତ୍ରିକ ନୁହେଁ, ସାଧକ ନୁହେଁ, କି ଗୁଣିଆ ନୁହେଁ, ତୁ ଜାଣୁ । ତଥାପି ମୋ ଉପରେ ଅନେକ ଭରସା ଏ ରାସ୍ତାରେ ଗାଡ଼ି ନେଇ ଯାଉଥିବା ହଜାର ହଜାର ମଣିଷଙ୍କର । ଏସବୁ ମାୟା ମମତାକୁ କାଟି ମୁଁ କଣ ଯାଇପାରିବି କୌଣସି ଦିନ ?”

 

ବାହାରେ କେହି ଜଣେ ଆସିବାର ଶବ୍ଦ ଶୁଭିଲା । ଦିଲ୍ଲୀପ ମୋ ହାତରୁ ଫଟୋଟାକୁ ଝିଙ୍କିନେଲା ଓ ପୂର୍ବପରି ଲୁଗା ଗୁଡ଼େଇ ଦେଇ ଆସ୍ଥାନ ଉପରେ ରଖିଦେଲା ।

 

ରାସ୍ତା ଉପରେ ବସ୍‌ଟାଏ ଠିଆ ହୋଇଥିଲା । କ୍ଲିନର୍‌ ପିଲାଟି ସମ୍ଭବତଃ କିଛି ଦାନ ଦେବା ପାଇଁ ଓହ୍ଲେଇ ଆସିଥିଲା ।

 

ମୁଁ ବାହାରି ଆସିଲି ପଦାକୁ । ମନ ଚାହୁଁ ନ ଥିଲେ ବି ହାତଟା ଆପଣ ଛାଏଁ ଛାଏଁ ପକେଟ୍‌କୁ ଚାଲିଗଲା - ନୋଟ୍‌ଟାଏ ବାହାର କରି ମୁଁ ସେ ବାକ୍‌ସରେ ଗଳେଇ ଦେଲି ନିଜ ଅଜାଣତରେ ।

 

ବସ୍‌ ଛାଡ଼ିବା ପୂର୍ବରୁ ମୁଁ ଚଢ଼ିଗଲି ଭିତରକୁ । ବସ୍‌ ଫାଙ୍କରୁ ଚାହିଁଥିଲି ଦିଲ୍ଲୀପର ମନ୍ଦିର ଓ କୁଡ଼ିଆକୁ । ଦିଲ୍ଲୀପ ଛିଡ଼ା ହୋଇଥିଲା ସ୍ଥାଣୁ ମୂର୍ତ୍ତିଟିଏ ପରି ।

 

ତା ପରଠାରୁ ଆଉ କୌଣସି ଦିନ ଏ ବାଟଦେଇ ଗଲାବେଳେ ସେଆଡ଼କୁ ଚାହିଁନି । କିନ୍ତୁ ଆଜି ଆଉ ମୁଁ ଏଡ଼େଇ ଯାଇପାରିଲି ନାହିଁ, ସେ ଦରଜଳା ସ୍ମୃତିକୁ । ଡାକିହାକି ସେ ସ୍ମୃତିଟା ମୋତେ ମନେ ପକେଇଦେଲା ଯେମିତି । ଭାଇ ମୋର ମନେ ପକେଇଦେଇଥିଲେ ଠିକ୍‌ ଜାଗାରେ । ସେ ବା କିମିତି ଜାଣନ୍ତେ ସେ ପୋଲ ଓ ବରଗଛ ତଳ ଛାତିଏ ଉଚ୍ଚାର ମନ୍ଦିର ସହିତ ମୋର ସଂପର୍କ କେବଳ ବାଟଚଲା ଲୋକଟିର ବତିଖୁଣ୍ଟ ସହ ସଂପର୍କ ନୁହେଁ ।

 

ହଠାତ୍‌ ମୁଁ ପ୍ରକୃତିସ୍ଥ ହେଲି । ଭାଇ କହିଲେ, “କିରେ ଶୋଇପଡ଼ିଥିଲୁ କି ?” ତାପରେ ତାଙ୍କର ଦୃଷ୍ଟି ପଡ଼ିଗଲା ମୋ ମୁହଁ ଉପରେ । ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଏ କଣ, ତୁ କାନ୍ଦୁଛୁ ନା କଣ? କଣ ହେଲା କି ?”

 

ମୁଁ କହିଲି, “ଆଖିରେ ଧୂଳିଟାଏ ପଡ଼ିଗଲା ।”

 

ପକେଟ୍‌ରୁ ରୁମାଲ ବାହାର କରି ଭାଇ ମୋତେ ବଢ଼େଇଦେଲେ । ତାଙ୍କ ହାତର ରୁମାଲଟାରେ ଆଖି ଲୁହ ପୋଛାଯାଇ ପାରିବ ସିନା, ସ୍ମୃତି ସବୁ ତ ପୋଛାଯାଇ ପାରେନା ସେଥିରେ ।

Image

 

ଆଉ ଜଣେ ଭୀଷ୍ମ

 

ଏମିତି କେତେକ ଭାବନା ଅଛି ଯାହାକୁ ନେଇ ଭାବିବସିଲେ ମୁହୂର୍ତ୍ତମାନ କଅଁଳା ବାଛୁରୀ ପରି ଧାଇଁ ପଳେଇ ଯାଆନ୍ତି, ସେଗୁଡ଼ିକୁ ଧରିହୁଏ ନାହିଁ । ଏଇ ଯେମିତି ହାତରେ ଲଟେରି ଟିକଟଟିଏ ଧରି ପ୍ରଥମ ପୁରସ୍କାର ପାଇଯିବା ପରର ଘଟଣାସବୁ ସଂପର୍କରେ ଭାବିବସିବା । କୋଟିଏ ଟଙ୍କା ପୁରସ୍କାର ମିଳିଗଲେ କଣ କରିବି - ବେପାର କରିବି କି ବ୍ୟାଙ୍କରେ ରଖିଦେବି, ସିନେମା ହଲ୍‌ କରିବି ନା ହସ୍‌ପିଟାଲ୍‌ କରିବି, ଏଇମିତି ନାନାଦି ଅଜବ ପ୍ରସଙ୍ଗ ସବୁ ଲାଇନ ବାନ୍ଧିଦେବେ ମୁଣ୍ଡ ଭିତରେ । ଠିକ୍‌ ସେମିତି ଅତୀତର ରୋମନ୍ଥନ ମଧ୍ୟ ସମୟ ହତ୍ୟାର ଏକ ମଧୁର ପନ୍ଥା । ବାସ୍‌, କେବଳ ଅତୀତ ଆଉ ଅତୀତ । ଭାବିବସିଲେ ରାତି ପାହିଯିବ, କିନ୍ତୁ ଭାବନା ଶେଷ ହେବ ନାହିଁ ।

 

ତେବେ ଏ ପ୍ରକାର କଳ୍ପନାବିଳାସ ଓ ସ୍ମୃତିଚାରଣ ସବୁ କମ୍ରେଡ୍‌ ଦାସଗୁପ୍ତାଙ୍କ ପରି ବାସ୍ତବବାଦୀ ମଣିଷମାନଙ୍କ ପାଇଁ ଗ୍ରହଣୀୟ ନୁହେଁ । ତାଙ୍କ ପାଖରେ ପ୍ରତିଟି ମୁହୂର୍ତ୍ତ ମୂଲ୍ୟବାନ । ପ୍ରତି ମୁହୂର୍ତ୍ତର ଦାମ୍‌ ଅଛି ଓ ସେସବୁକୁ ଏଭଳି ତୁଚ୍ଛା କାମରେ ବିନର୍ବ୍ୟୟ କରାଯାଇପାରେ ନାହିଁ ।

 

ଆଜୀବନ କେବଳ ବାସ୍ତବ ବସ୍ତୁବାଦ ଭିତରେ ଜୀବନ ବିତେଇ ଆସିଥିବା କମ୍ରେଡ୍‌ ଦାସଗୁପ୍ତାଙ୍କ ମନରେ ଆଜି ହଠାତ୍‌ ପରିବର୍ତ୍ତନ । ଯେମିତି ବାଟବଣା ବାଟୋଇଟିକୁ କିଏ ମନେପକେଇ ଦେଇଛି ତାର ଘରର ଠିକଣା ।

 

ଅଥଚ ଏସବୁ ଘଟଣାର ମୂଳ ଉତ୍ସ ଚୁପ୍‌ଚାପ୍‌ ରହିଛି ତାଙ୍କର ଖୁବ୍‌ ନିକଟରେ । ତା ଆଡ଼କୁ ଚାହିଁବାମାତ୍ରେ ସର୍ବାଙ୍ଗରେ ସଞ୍ଚରି ଯାଉଛି ବିଷାକ୍ତ ଦଂଶନର ଜ୍ୱାଳା । ହଳଦିଆ ରଙ୍ଗର ସାପଟିଏ ଅବା ଫଣା ହଲେଇ ଫୁତ୍କାର କରୁଛି । ତାଙ୍କର ସମସ୍ତ ପ୍ରତିଜ୍ଞା ଓ ସାଙ୍ଗଠନିକ ନେତୃତ୍ୱକୁ ଉପହାସ କରୁଛି । ନା, ସେ ତାର ସାମ୍ନା କରିପାରୁ ନାହାନ୍ତି । ବାରମ୍ବାର ତେଣୁ ଦୃଷ୍ଟି ଫେରେଇ ଆଣି ଚାହୁଁଛନ୍ତି ଝରକା ସେପାଖର ଥୁଣ୍ଟା କୃଷ୍ଣଚୂଡ଼ା ଗଛଟିକୁ ।

 

ଗଛଟା ସଂପୂର୍ଣ୍ଣ ପତ୍ରଝଡ଼ା ଦେଇସାରିଛି । ହଜିଯାଇଛି ତାର ସବୁଜିମା । ଥୁଣ୍ଟା ଡାଳଟି ଉପରେ ଚୁପ୍‌ଚାପ୍‌ ବସିଛନ୍ତି ଦିଓଟି ବଣିଚଢ଼େଇ । ନିର୍ନିମେଷ ନୟନରେ ଆକାଶକୁ ଚାହିଁ ହୁଏତ ଭବିଷ୍ୟତ ସଂପର୍କରେ ଚିନ୍ତା କରୁଛନ୍ତି ।

 

କମ୍ରେଡ୍‌ ଦାସଗୁପ୍ତା ଆଜକୁ ତେରଦିନ ହେଲା ମେଡିକାଲ୍‌ର ଏହି ୱାର୍ଡରେ ପଡ଼ିରହିଛନ୍ତି-। ଦୁରାରୋଗ୍ୟ ବ୍ୟାଧିର ଶିକାର । କେହି କିଛି ନ କହିଲେ ବି ସେ ଜାଣିପାରୁଛନ୍ତି ତାଙ୍କ ଜୀବନର ଅବଶିଷ୍ଟ ଦିନଗୁଡ଼ିକ ଅଙ୍ଗୁଳିମେୟ । ହାତ ଗୋଡ଼ ଠିକ୍‌ ଭାବରେ ସଳଖି ହେଉନାହିଁ-। ଛାତି, ପିଠିରେ ଅସମ୍ଭବ ଭାବରେ ଯନ୍ତ୍ରଣା । କିନ୍ତୁ ସେ ଭାଙ୍ଗିପଡ଼ୁନାହାନ୍ତି । ଅନେକ କାମ ଅଛି ସାରିବାକୁ-। ତାଙ୍କୁ ସେସବୁ ଶେଷ କରିବାକୁ ହେବ ।

 

ଖୁବ୍‌ ସ୍ୱାଭାବିକ ଭାବରେ ସେ ଅନେକ କିଛି ଭାବୁଥିଲେ । ଅଥଚ ଏଇ ହଳଦୀରଙ୍ଗର ସାପଟିକୁ ଦେଖିବାବେଳଠୁ ତାଙ୍କ ଚିନ୍ତାଧାରା ସବୁ ଗୋଳମାଳ ହେଇଯାଇଛି । ସବୁ ଭୁଲ୍‌ ହୋଇଯାଇଛି ଅଜାଣତରେ ।

 

କମ୍ରେଡ୍‌ ପୁଣିଥରେ ଅତୀତକୁ ଫେରିଗଲେ । ମାନସିକ ଅଶାନ୍ତିରୁ ନିଷ୍କୃତି ଲାଭ ନିମନ୍ତେ ତାଙ୍କ ହାତପାଆନ୍ତାରେ ଏଇଟି ହିଁ ଥିଲା ଶେଷ ଉପାୟ ।

 

ଆଜି ରହି ରହି ମନେପଡ଼ୁଛି ଦୂର ଅତୀତ... ଶୈଶବ ଓ କୈଶୋର । ଏ ଦେଶର ଭୌଗୋଳିକ ମାନଚିତ୍ରରେ ବିନ୍ଦୁର ଜ୍ୟାମିତିକ ସ୍ଥିତି ପରି ସେହି ତାଙ୍କ ଗାଆଁର ସ୍ଥିତି, ଯେଉଁଠି ସେ ହସିକାନ୍ଦି ଅନେକ ଗ୍ରୀଷ୍ମ ଅପରାହ୍‌ଣ ଓ ବର୍ଷାଭିଜା ସକାଳ ବିତେଇଛନ୍ତି ସାଇସଙ୍ଗାତଙ୍କ ମେଳରେ-। ବରକୋଳି ଓ କଣ୍ଟାବଇଁଚ ତୋଳି ଲମ୍ବା ମଧ୍ୟାହ୍ନ ସବୁକୁ କଟାଇଛନ୍ତି ମୁହୂର୍ତ୍ତମାନଙ୍କ ପରି-

 

ମନେପଡ଼ୁଛି ତାଙ୍କ ଗାଆଁ । ଗାଆଁ କହିଲେ ଯେମିତିକା ତାଳତମାଳ ଘେରା ଶାନ୍ତ ଶୀତଳ ପରିବେଶଟିଏ ବୁଝାପଡ଼େ ଠିକ୍‌ ସେଇମିତିକା ଗାଆଁ । ସହରର ପୋଡ଼ା ମୋବିଲ ବା ପେଟ୍ରୋଲର ଗନ୍ଧ ସେଠି ସ୍ୱପ୍ନ । ଫ୍ୟାକ୍ଟ୍ରିର ସାଇରନ୍‌ ବଦଳରେ ସେଠି ମନ୍ଦିରର ଶଙ୍ଖ, ଘଣ୍ଟାର ଶବ୍ଦ ଶୁଭେ । ମନେପଡ଼ୁଛି ବୋଉ ହାତର କଞ୍ଚନଫୁଲ ରାଇତା, ପିତାଗମା ଶାଗପୋଡ଼ା, କଳମ, ସୁନସୁନିଆ ଶାଗଭଜା ସାଙ୍ଗକୁ ବାସି ପଖାଳ । କିନ୍ତୁ କେଡ଼େ ସଅଳ ସେ ଦିନ ସବୁ ଚାଲିଗଲା ପୁଷମାସ ଦ୍ୱିପ୍ରହର ପରି !

 

ଗାଆଁ କଥା ମନେପଡ଼ିଲେ ହିଁ ପହିଲେ ମନେପଡ଼େ ବୋଉ କଥା । କେତେ ଆଶା ବୋଉ କରି ନ ଥିଲା ତାର ପୁଅଟିକୁ ନେଇ ! କେତେ କଳ୍ପନାର ଜାଲ ସେ ବୁଣି ନ ଥିଲା ତାର ଗେଲବସରର ଛୁଆଟିକୁ କେନ୍ଦ୍ର କରି । ଅଭାବୀ ପରିବେଶର ସମସ୍ତ ତାଡ଼ନା ଓ ଯାତନାକୁ ସେ ନିର୍ବିକାର ଭାବରେ ସହିଯାଉଥିଲା ଭବିଷ୍ୟତର କେଉଁ ଏକ ସୁନ୍ଦର ସ୍ୱପ୍ନ ଦେଖି । କିନ୍ତୁ ସ୍ୱପ୍ନସବୁ ତାର ଅଧୁରା ରହିଗଲା ।

କମ୍ରେଡ୍‌ ଦାସଗୁପ୍ତା ସଚେତନ ହେଲେ । ଆଜି ଏ ଅହେତୁକ ଦୁର୍ବଳତା କାହିଁକି ତାଙ୍କୁ ଆବୋରି ବସୁଛି ? ଦିନେ ନାହିଁ କାଳେ ନାହିଁ ଏପ୍ରକାର ଚିନ୍ତା ଓ ଭାବନା ଆସି କାହିଁକି ତାଙ୍କ ପାଖରେ ଭିଡ଼ ଜମଉଛନ୍ତି ?

ନା, ସେ କେବଳ ପୁଅଟିଏ ନୁହଁନ୍ତି, ଆଉରି ଅଧିକ କିଛି । ତାଙ୍କର ପରିଚୟ କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ଭିତରେ ସୀମାବଦ୍ଧ ନୁହେଁ । ଆଜି ସେ ଅନେକଙ୍କର ଅନେକ । ଅନେକ ସର୍ବହରା ମଣିଷଙ୍କର ଆଶାର ଦୀପଶିଖା ।

ସେଇ ଯେ ସେଦିନ ରାତି ଅନ୍ଧାରରେ ଘରୁ ଗୋଡ଼ କାଢ଼ି ଚାଲିଆସିଥିଲେ, ଆଉଥରେ ମୁହଁ ଫେରେଇ ଚାହିଁନାହାନ୍ତି ପଛକୁ । ଏମିତି ଗୋଟାଏ ଗୋଟାଏ ରାତି ଆସେ କେତେକଙ୍କ ପାଇଁ ଯେଉଁମାନେ କେବେ ବି ପଛକୁ ଫେରିଯାଇ ପାରନ୍ତି ନାହିଁ । ସିଏ ବି ସେମିତି ଏକ ଅଫେରା ଯାତ୍ରୀ-। ଯାଯାବର ଜୀବନ ନେଇ ଘୂରି ବୁଲୁଛନ୍ତି ଗାଆଁରୁ ଗାଆଁ, ସହରରୁ ସହର ଶ୍ରେଣୀହୀନ, ଶୋଷଣମୁକ୍ତ ସମାଜର ଇସ୍ତାହାର ବାଣ୍ଟି ବାଣ୍ଟି । କିଏ ଜାଣେ, କେବେ ସେ କାମ ସରିବ, ସେ ପୁଣି ଫେରିଯିବେ ନିଜ ଗାଁକୁ !

ମାତ୍ର ଏ ହଳଦୀ ଗରଗର ସାପଟି ଯେ ତାଙ୍କୁ ଛାଡ଼ିଯିବାକୁ ଆଦୌ ପ୍ରସ୍ତୁତ ନୁହେଁ । ୟା’ କବଳରୁ ତାଙ୍କର ଯେମିତି ଆଉ ନିଷ୍କୃତି ନାହିଁ । ଏଇ ମୁହୂର୍ତ୍ତରେ ମନେହେଉଛି ତାଙ୍କର ସବୁ ସାଧନା ବ୍ୟର୍ଥ ଓ ସବୁ ଉଦ୍ୟମ ନିଷ୍ଫଳ ହୋଇଛି ।

କିନ୍ତୁ କିଏ ସେ ଭୀରୁ, ଦୁର୍ବଳ ବିଶ୍ୱାସଘାତକ ? ଏ କାଳ-ସର୍ପର ଆବାହକ ?

କିଏ... ?

କମ୍ରେଡ୍‌ ଦାସଗୁପ୍ତା ନିଜ ଛାତିରେ ଅନୁଭବ କରୁଥିଲେ ଅସହ୍ୟ ଯନ୍ତ୍ରଣା । ନିଃଶ୍ୱାସ ପ୍ରଶ୍ୱାସ ନେବାରେ ବଡ଼ କଷ୍ଟ ହେଉଥିଲା । କଡ଼ ଲେଉଟାଇ ଶୋଇବାକୁ ଚେଷ୍ଟା କରି ବିଫଳ ହେଉଥିଲେ ସେ ।

ଖୁବ୍‌ ନିକଟରେ ବିପ୍ଳବ ବସିଛନ୍ତି । ତାଙ୍କର ଅନୁଗତ ପାର୍ଟି କର୍ମୀ । ଖୁବ୍‌ ମନୋଯୋଗ ସହକାରେ ବୁଲେଟିନ୍‌ ଉପରେ ଆଖି ବୁଲେଇ ଆଣୁଛନ୍ତି ସେ । କମ୍ରେଡ୍‌ ଦାସଗୁପ୍ତା ତାଙ୍କୁ ପାଖକୁ ଡାକି ଅଣ୍ଟାପାଖ ତକିଆଟି ସଳଖେଇ ଦେବାକୁ ଅନୁରୋଧ କଲେ । ବିପ୍ଳବ ବ୍ୟସ୍ତ ହୋଇପଡ଼ିଲେ କମ୍ରେଡ୍‌ଙ୍କର ଅସହାୟତା ଉପଲବ୍‌ଧି କରି ।

ତକିଆଟି ସଳଖି ଦେଇ ବିପ୍ଳବ ଫେରିଯାଉଥିଲେ ନିଜ ଚଉକିକୁ, କମ୍ରେଡ୍‌ ଦାସଗୁପ୍ତା ପଛରୁ ଡାକିଲେ । ବେଡ୍‌ ସେପାଖକୁ ଥିବା ରାକ୍‌ ଉପରର ବିଷଧର ସର୍ପପ୍ରାୟ ଦିଶୁଥିବା ସେଇ ପୋଷ୍ଟକାର୍ଡ ଚିଠିଟିକୁ ପଢ଼ିବା ପାଇଁ ଇଙ୍ଗିତ ଦେଲେ ସେ ।

ବିପ୍ଳବ ଚିଠିଟି ପଢ଼ୁଥିଲେ । କମ୍ରେଡ୍‌ ଦାସଗୁପ୍ତାଙ୍କ ବୋଉ ଲେଖିଛନ୍ତି ଚିଠିଟି । “ତୋ ପଠେଇଥିବା ପଚାଶ ଟଙ୍କା ପାଇଛି । ଏମିତି ମାସକୁ ମାସ ପଚାଶଟି ଟଙ୍କା ପଠାଇଦେଲେ ଘର କଣ ଚଳିବ ? ଆଗ ମାସଠାରୁ ଶହେଟଙ୍କା ପଠେଇବୁ ।” ଚିଠିଟି ଶେଷକରି ବିପ୍ଳବ ସେଇଟିକୁ ରାକ୍‌ ଉପରେ ଥୋଇ ଦେଉଥିଲେ । କମ୍ରେଡ୍‌ ଦାସଗୁପ୍ତା କିନ୍ତୁ ବାରଣ କଲେ । “ନା, ସେ ଚିଠିକୁ ତୁମେ ଏଠୁ ନେଇଯାଅ ।”

ବିପ୍ଳବ ଲକ୍ଷ୍ୟ କରିପାରୁଥିଲେ କମ୍ରେଡ୍‌ଙ୍କ ଭାବାନ୍ତର । ମାତ୍ର ଏହି ମାମୁଲି ଚିଠିଟିକୁ ନେଇ ଏତେ ବ୍ୟସ୍ତ ହେଇପଡ଼ିବା ମଣିଷ କମ୍ରେଡ୍‌ ଦାସଗୁପ୍ତା ତ ନୁହଁନ୍ତି !

 

“ଶୁଣ ବିପ୍ଳବ, ଏ ଚିଠିଟି ଆସିଛି ମୋ ଘରୁ, ବୋଉ ପାଖରୁ । ସେଥିରେ ଲେଖାଅଛି ପଚାଶ ଟଙ୍କା କରି ପଠେଇବା କଥା । ଅଛି ନା ? ବେଶ୍‌ ମୁଁ ସେଇଆ ଜାଣିବାକୁ ଚାହୁଁଛି । କିଏ ସେହି ଅଜ୍ଞାତ ଦରଦୀ ଶୁଭାକାଂକ୍ଷୀ ଯିଏ ମୋ ନାଆଁରେ ମୋ ଘରକୁ ଏହି ମାସିକ ଆର୍ଥିକ ସାହାଯ୍ୟ ପଠେଇ ଆସୁଛନ୍ତି ?”

 

ପ୍ରଶ୍ନଟି ଏପରି ଥିଲା ଯେ କ୍ଷଣକ ପାଇଁ ବିପ୍ଳବ ମନେକଲେ ବୋଧହୁଏ ତାଙ୍କୁ ହିଁ ଉପଲକ୍ଷ୍ୟ କରି ସେ ଏ ପ୍ରଶ୍ନ ପଚାରୁଛନ୍ତି । ସେ ତେଣୁ ଟିକିଏ ବିବ୍ରତ ହୋଇପଡ଼ୁଥିଲେ । ସେ ଜାଣନ୍ତି କମ୍ରେଡ୍‌ ଦାସଗୁପ୍ତା ଖୁବ୍‌ କଡ଼ା ମିଜାଜ୍‌ର ଲୋକ ।

 

“ଶୁଣୁଛ ବିପ୍ଳବ, ତମେ ଶୁଣୁଛ ? ମୁଁ ହାରିଗଲି । ମୋରି ଲୋକମାନେ ମୋ ସହ ବିଶ୍ୱାସଘାତକତା କଲେ । ସେମାନଙ୍କୁ ମୁଁ ବୁଝି ନାହିଁ ଠିକ୍‌ ଭାବରେ । ଇଚ୍ଛା ଥିଲା ଆଉ କିଛିଦିନ ତମମାନଙ୍କ ଗହଣରେ କଟେଇଦେବାକୁ । କିନ୍ତୁ ନା, ତା ଆଉ ସମ୍ଭବ ନୁହେଁ ।”

 

ଭାବପ୍ରବଣ କମ୍ରେଡ୍‌ ଦାସଗୁପ୍ତା । ଏକଥା ଠିକ୍‌ ବୁଝିପାରିଥିଲେ ବିପ୍ଳବ । ସାନ୍ତ୍ୱନାର ବାଣୀ ଶୁଣେଇବାକୁ ଯାଇ ସେ କହିଲେ, “ନା କମ୍ରେଡ୍‌, ଡାକ୍ତରମାନେ ଆପଣଙ୍କ ସମ୍ପର୍କରେ ବେଶ୍‌ ଆସ୍ଥାବାନ । ଆପଣ ଖୁବ୍‌ ଶୀଘ୍ର ସୁସ୍ଥ ହୋଇ ଉଠିବେ ।”

 

“ମୁଁ ସେ ଅସୁସ୍ଥତା କଥା କହୁନି ବିପ୍ଳବ । ସେ ସବୁ ଦେଖିବା ପାଇଁ ତ ତମେମାନେ ଅଛ-। କିନ୍ତୁ ଏଇ ପୋଷ୍ଟକାର୍ଡ ଚିଠିଟି ଭିତରେ ହିଁ ମୋ ମରଣର ୱାରେଣ୍ଟ୍‌ ଲିପିବଦ୍ଧ । ମୁଁ ହାରିଯାଇଛି ଶୋଚନୀୟ ଭାବରେ । ଏ ମରଣରୁ ରକ୍ଷା ପାଇବାର ସମସ୍ତ ପଥ ଅବରୁଦ୍ଧ ।

 

ତମେ ମୋ ପାଇଁ ଗୋଟାଏ କାମ କରିବ ବିପ୍ଳବ । କାଲି ସକାଳ ଭିତରେ ଚେଷ୍ଟା କରିବ ସେହି ମଣିଷଟିର ପରିଚୟ ଉଦ୍‌ଘାଟନ ପାଇଁ, ଯିଏ ବନ୍ଧୁତ୍ୱର ଦ୍ୱାହି ଦେଇ ମୋ ବିଶ୍ୱାସ ମୂଳରେ ଆଘାତ କରିଛନ୍ତି, ଯିଏ ଜାଣିଶୁଣି ମୋତେ ପଙ୍ଗୁ ଦୁର୍ବଳ କରିଦେବା ପାଇଁ ଚେଷ୍ଟା କରୁଛନ୍ତି । ଏବେ ତମେ ଆସିପାର ।”

 

ଏ ନିର୍ଦ୍ଦେଶ ପରେ ଆଉ ବସିରହିବାର ସ୍ପୃହା ନ ଥିଲା ବିପ୍ଳବଙ୍କର । ମାତ୍ର ଯିବା ପୂର୍ବରୁ ସେ ପୁଣିଥରେ ସ୍ମରଣ କରାଇଦେବାକୁ ଚାହୁଁଥିଲେ ଯେ କମ୍ରେଡ୍‌ ଆଜି ସକାଳୁ କିଛି ଖାଇନାହାନ୍ତି । ଯଦି ଚାହାନ୍ତି ସେ ଯିବା ପୂର୍ବରୁ ହର୍ଲିକ୍‌ସ ଟିକିଏ ପିଆଇ ଦେଇ ଯିବେ ।

 

ମାତ୍ର ଏ ପ୍ରସ୍ତାବରେ ଖୁସି ହେଲେ ନାହିଁ କମ୍ରେଡ୍‌ ଦାସଗୁପ୍ତା । ସେହିପରି ଅବିଚଳିତ ଭାବରେ ସେ କହିଲେ, “ନା ବିପ୍ଳବ, ମୋତେ ବେଶ୍‌ ଭଲ ଲାଗୁଛି । ଆପାତତଃ କିଛି ଖାଇବାକୁ ଇଚ୍ଛା ନାହିଁ । କଣ ହେବ ଏ ଅଙ୍ଗୁର, ଆପେଲ୍‌ ଓ ହର୍ଲିକ୍‌ସ ? ଆମେ ପରା ଗରିବ, ମଜଦୁରଙ୍କ ପାଇଁ କାମ କରୁଛେ । କମ୍ରେଡ୍‌ର ପୋଷାକ ପିନ୍ଧି ଏ ପ୍ରକାର ବିଳାସୀ ଜୀବନ କାଟିବାକୁ ସଂକୋଚ ଆସୁଛି । ଏବେବି ବହୁ ଶିଶୁ କ୍ଷୀରମିଶା ପାଣି ଟୋପାଏ ନ ପାଇ ଚିତ୍କାର କରୁଛନ୍ତି । ସେମାନଙ୍କ ତୁଳନାରେ ମୋ ଅବସ୍ଥା ତ ବେଶ୍‌ ଭଲ ଅଛି । ତମେ ଯାଅ । ମୁଁ ନିଜେ ଖାଇନେବି ।”

 

ସେ ରାତ୍ରିଟି ବିତିଥିଲା ସଂପୂର୍ଣ୍ଣ ଉନ୍ନିଦ୍ର ଭାବରେ କମ୍ରେଡ୍‌ ଦାସଗୁପ୍ତାଙ୍କର । ଜୀବନରେ ବହୁ ବହୁ ରାତ୍ରି ତାଙ୍କୁ ବିତେଇବାକୁ ପଡ଼ିଛି କମ୍ୟୁନ୍‌ର ଅନ୍ଧାରୀ ପରିବେଶ ଭିତରେ, ଅଣ୍ଡର ଗ୍ରାଉଣ୍ଡର ଶ୍ୱାସରୁଦ୍ଧ ପରିବେଷ୍ଟନୀ ମଧ୍ୟରେ ବହୁ ଆଶଙ୍କା ଉଦ୍‌ବେଗକୁ ଛାତି ଭିତରେ ଲୁଚେଇ ରଖି-। ସେତେବେଳେ କିନ୍ତୁ ଏମିତି ସେ ଦୁର୍ବଳ ହୋଇ ପଡ଼ିନାହାନ୍ତି । ମାତ୍ର ଆଜିର ଏ ରାତ୍ରି ତାଙ୍କୁ ବିଚିତ୍ର ଲାଗୁଛି ।

 

କମ୍ରେଡ୍‌ ଜାଣିଥିଲେ ତାଙ୍କର ଦିନ ଶେଷ ହୋଇ ଆସୁଛି । ଏ ଦୁରାରୋଗ୍ୟ ବ୍ୟାଧି କବଳରୁ ତାଙ୍କର ଖର୍ବକାୟ ଦେହଟିକୁ ବଞ୍ଚେଇ ରଖିବା ବିଜ୍ଞାନର ଶକ୍ତିସୀମା ବହିର୍ଭୂତ । ଏ ଜୀବନ ପ୍ରତି ବିଦାୟ ଜଣାଇବାର ସମୟ ଆସନ୍ନ । ମରଣ କିନ୍ତୁ କୌଣସି ଦିନ ତାଙ୍କୁ ଭୟଙ୍କର ବୋଧ ହୋଇନି । ଜେଲ୍‌ର ରୁଦ୍ଧ କୋଠରି ଭିତରେ, ଲାଠିଚାର୍ଜର ଆତଙ୍କପୂର୍ଣ୍ଣ ପରିବେଷ୍ଟନୀ ଭିତରେ ମରଣକୁ ଖୁବ୍‌ ନିକଟରୁ ଦେଖିଛନ୍ତି ସେ । ମନେପଡ଼ିଛି ଖୁଦୀରାମ ଓ ଭଗତ ସିଂହଙ୍କ ରକ୍ତଭିଜା ଜୀବନ କାହାଣୀ । ମରଣର ଭୟ ତୁଟିଯାଇଛି ଛାଏଁ ଛାଏଁ ।

 

ପ୍ରଭାତରେ ଆସିଥିଲେ ବିପ୍ଳବ ସାଥିରେ କମ୍ରେଡ୍‌ ବର୍ମାଙ୍କୁ ଧରି । କମ୍ରେଡ୍‌ ବର୍ମାଙ୍କୁ ପ୍ରଥମେ ଦେଖି ଦାସଗୁପ୍ତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

 

ଜୀବନ ବର୍ମା ନିକଟକୁ ଆସି ସହାସ୍ୟ ବଦନରେ କହିଥିଲେ, “ଗୁଡ୍‌ ମର୍ଣ୍ଣିଂ କମ୍ରେଡ୍‌ ଦାସଗୁପ୍ତା ।”

 

“ଗୁଡ୍‌ ମର୍ଣ୍ଣିଂ ।”

 

“ଆପଣଙ୍କ ବିଷୟରେ କାଲି ବହୁତ କିଛି ଶୁଣିବାକୁ ମିଳିଲା ବିପ୍ଳବଠାରୁ । ଘରୁ ଚିଠି ଆସିଛି, ନୁହେଁ ? ଆପଣ ତାଙ୍କୁ କହିଥିଲେ ଘରକୁ ଆପଣଙ୍କର ମାସକୁ ମାସ ଟଙ୍କା ପଠଉଥିବା ମଣିଷଟିକୁ ଖୋଜି ବାହାର କରିବା ପାଇଁ ।”

 

“ହଁ କହିଥିଲି । କିନ୍ତୁ ଆପଣ ଏସବୁ ପଚାରୁଛନ୍ତି କାହିଁକି ?”

 

“ଆରେ, ମୁଁ ପଚାରିବିନି ? ମୁଁ ତ ସେଇ ଲୋକ । ବାସ୍‌, ଆପଣଙ୍କ ସାମ୍ନାରେ ମୁଁ ଠିଆ ହେଇଛି । ଯାହା ବିଚାର କରିବେ ଏଥର କରନ୍ତୁ ।”

 

କମ୍ରେଡ୍‌ ଦାସଗୁପ୍ତା ଯଥେଷ୍ଟ ଆଶ୍ଚର୍ଯ୍ୟ ହେଲେ । ଇଏ ସେ କଣ ଶୁଣୁଛନ୍ତି ? କମ୍ରେଡ୍‌ ବର୍ମା ହିଁ ତାଙ୍କର ଅଶାନ୍ତ ଯଜ୍ଞର ଉଦ୍‌ଗାତା ? ଅଥଚ ଏଇ କମ୍ରେଡ୍‌ ବର୍ମା ଜମିଦାର ପରିବାରର ସମସ୍ତ ମୋହ ତୁଟେଇ ଦିନେ ଚାଲି ଆସିଥିଲେ । ଚାହିଁଥିଲେ ହୁଏତ ଏଇନେ ସେ ଜୀବନସାରା ବିଳାସୀ ଜୀବନଯାପନ କରିପାରୁଥା’ନ୍ତେ । ଯିଏ ନିଜର ପିତାମାତାଙ୍କ ମୃତ୍ୟୁ ସମ୍ବାଦ ପାଇ ଦିନଟାଏ ପାଇଁ ଘରଆଡ଼େ ବୁଲିଯିବାକୁ ଚାହିଁ ନ ଥିଲେ, ସେଇ କମ୍ରେଡ୍‌ ବର୍ମାଙ୍କ ମନ ଭିତରେ ଏତେ ଦୁର୍ବଳତା !

 

କମ୍ରେଡ୍‌ ବର୍ମା ତାଙ୍କ ପାର୍ଟିର ସବୁଠୁ ସକ୍ରିୟ କର୍ମୀ । ଆଜୀବନ ସଂଗ୍ରାମୀ ମଣିଷ ।

 

ନା, ସିଏ କମ୍ରେଡ୍‌ ବର୍ମା ବା ଆଉ ଯିଏ ହୁଅନ୍ତୁ ନା କାହିଁକି ତାଙ୍କ ବିଚାରରେ ସେ ଭୁଲ୍‌ କରିଛନ୍ତି । ଝରକା ଆଡ଼ୁ ମୁହଁ ଫେରେଇ ଆଣି ସେ ଏଥର ଚାହିଁଲେ କମ୍ରେଡ୍‌ ବର୍ମାଙ୍କ ଆଡ଼େ । ଆଉ ଖୁବ୍‌ ଗମ୍ଭୀର କଣ୍ଠରେ କହିଲେ –

 

“କମ୍ରେଡ୍‌ ବର୍ମା, ଆପଣଙ୍କ କଥା ଶୁଣି ମୋତେ ଆଜି ଉଭୟ ଦୁଃଖ ଲାଗୁଛି ଓ ଆନନ୍ଦ ବି ଲାଗୁଛି । ଦୁଃଖ ଲାଗୁଛି ଏଇଥିପାଇଁ ଯେ ଜଣେ ବିପ୍ଳବୀ କମ୍ରେଡ୍‌ ଆଉ ଜଣେ କମ୍ରେଡ୍‌ର ବିଶ୍ୱାସ ସହ ଖେଳ ଖେଳିଛନ୍ତି । ଆଉ ଆନନ୍ଦ ଲାଗୁଛି ଏଇଥିପାଇଁ ଯେ ଆପଣଙ୍କ ପରି ଜଣେ ବନ୍ଧୁ ମୋର ଅଛନ୍ତି । କିନ୍ତୁ କହିପାରିବେ କମ୍ରେଡ୍‌ ବର୍ମା- ଆମେ ସବୁ ଘର, ଦ୍ୱାର, ଚାକିରି, କ୍ୟାରିୟର ଛାଡ଼ି ଆସିଥିଲେ କାହିଁକି ?”

 

“ନା, କିଛି କହିବା ଦରକାର ନାହିଁ । ମୁଁ କହୁଛି, ଆମେ ସବୁ ଘର ଛାଡ଼ିଥିଲେ ଆଉ ଏକ ଦୁରନ୍ତ ସ୍ୱପ୍ନର ସଫଳ ରୂପାୟନ ପାଇଁ । ମାତ୍ର ଏ ଭୁଲ୍‌ ଆପଣ କିପରି କଲେ ?”

 

“ଭୁଲ୍‌ ? କି ଭୁଲ୍‌ ମୁଁ କରିଛି କମ୍ରେଡ୍‌ ? ଗୋଟାଏ ଅସହାୟା ମାଆକୁ ସାହାଯ୍ୟ କରିବା କଣ ଭୁଲ୍‌ ? ଜଣେ ବନ୍ଧୁର ପରିବାରକୁ ଦୁର୍ଦ୍ଦିନରେ ସାହାଯ୍ୟ କରିବା କଣ ଭୁଲ୍‌ ?”

 

ହସିଲେ କମ୍ରେଡ୍‌ ଦାସଗୁପ୍ତା । ବଡ଼ ଅର୍ଥପୂର୍ଣ୍ଣ ସେ ହସ । “କିନ୍ତୁ କହିପାରିବେ କମ୍ରେଡ୍‌, ଆମ ପାର୍ଟିରେ ଯୋଗଦେଇଥିବା ଆଉ କେତେଜଣ କମ୍ରେଡ୍‌ଙ୍କର ଅସହାୟ ମାଆ ଏବେ ବି ସେମାନଙ୍କର ଫେରିବା ପଥକୁ ଚାହିଁ ବସିଛନ୍ତି ?”

 

“ନା, ଆପଣ କହିପାରିବେ ନାହିଁ । ଶହ ଶହ ହେବ ସେମାନଙ୍କର ସଂଖ୍ୟା । ହଜାର ହଜାର ବି ହୋଇପାରେ । ଯେଉଁମାନଙ୍କ ଘରେ ଆଜି ବି ଚୁଲୀ ଜଳି ନ ଥିବ । ଲକ୍ଷ ଲକ୍ଷ ହେବ ସେମାନଙ୍କ ସଂଖ୍ୟା, ଯେଉଁମାନେ ନିଜ ନିଜର ଉଚ୍ଚଶିକ୍ଷିତ ଉପାର୍ଜନକ୍ଷମ ପୁଅମାନଙ୍କ ଉପରେ ଆଶା ରଖି ଏବେ ବି ଦିନ ବିତଉଥିବେ । ସେମାନଙ୍କ କଥା ଆପଣ କେବେ ବୁଝିଛନ୍ତି ?

 

“ମୁଁ ଆଦର୍ଶ କଥା କହୁନାହିଁ କମ୍ରେଡ୍‌, ମୁଁ କହୁଛି ସେହି କଥା, ଯେଉଁଥିପାଇଁ ଏ ଦେଶର ବହୁ ବିପ୍ଳବ ଉଦ୍ଦେଶ୍ୟହୀନ ଭାବରେ ବିଫଳ ହୋଇ ପଡ଼ିଛି ଅତୀତରେ । ଆପଣଙ୍କର ଏକ ବିଶେଷ ବନ୍ଧୁ ପ୍ରତି ଦରଦ ରହିଛି, ଏକ ବିଶେଷ ମାଆ ପ୍ରତି ସହାନୁଭୂତି ରହିଛି । ମାତ୍ର ମାତୃତ୍ୱ, ବନ୍ଧୁତ୍ୱ ପାଇଁ ସାମଗ୍ରିକ ଭାବରେ ଆପଣ କଣ କରିପାରିଛନ୍ତି ? ଏହାଦ୍ୱାରା ଆପଣ ହଜାର ହଜାର ବିଶ୍ୱାସ ସହ ଖେଳ ଖେଳିନାହାନ୍ତି କି ?

 

“କମ୍ରେଡ୍‌?”

 

“ହଁ କମ୍ରେଡ୍‌, ଆପଣଙ୍କୁ ମୁଁ ଏ ସମ୍ପର୍କରେ ବେଶୀ କିଛି କହିବା ଅନୁଚିତ । ଆପଣ ମୋ’ଠାରୁ ବେଶୀ ଜାଣନ୍ତି । ଅନୁଭୂତି ଓ ଅଭିଜ୍ଞତାରେ ଆପଣ ମୋ ଠାରୁ ଢେର୍‌ ଆଗରେ । ତେବେ କୁହନ୍ତୁ ଦିନେ ଶ୍ରେଣୀ ସଚେତନତା ସୃଷ୍ଟି ପାଇଁ, ଏକ ଶୋଷଣମୁକ୍ତ ସମାଜ ଗଠନ ପାଇଁ ଆମେ ସବୁ ଘର ଛାଡ଼ି ବାହାରି ଆସିଥିଲେ । ସେମିତି ବି ଆସିଛନ୍ତି ଓ ଆସିବେ ଆହୁରି ଅନେକ । ତାଙ୍କ ପଛରେ ପଡ଼ିରହିଛି ଏଇମିତି ଅନେକ ଅସହାୟତା, ଅନେକ ନିର୍ଭରଶୀଳତା । ସେମାନେ ଏବେ ପଚାରି ବସିବେ ପ୍ରଶ୍ନ, କୁହ କମ୍ରେଡ୍‌, ତମର ସିନା ବନ୍ଧୁ ଅଛନ୍ତି, ତମ ଅନୁପସ୍ଥିତିରେ ତମ ପରିବାର କଥା ବୁଝିବାକୁ, କିନ୍ତୁ ଆମର ଯେ କେହି ନାହାନ୍ତି । ଆମେ କିମିତି ତମ କଥାରେ ନିଆଁକୁ ଡେଇଁ ପଡ଼ିବୁ ? ସେତେବେଳେ କି ଜବାବ ମୁଁ ଦେବି ସେମାନଙ୍କୁ ?

 

“ମୁଁ ଜାଣିଛି ଆପଣ ଏହାକୁ କହିବେ କୁଚ୍ଛ୍ର ସାଧନା । ଏ ମୁଷ୍ଟିମେୟ କର୍ମୀଙ୍କୁ ନେଇ ସଂଗଠନ ତାର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ ନାହିଁ । ନ ପହଞ୍ଚୁ । ଗୋଲ୍‌ପୋଷ୍ଟ୍‌ ଭିତରେ ବଲ୍‌ଟିକୁ ଭର୍ତ୍ତି କରିବା ପୂର୍ବରୁ ବଲ୍‌ଟିକୁ ଗଡ଼େଇ ରଖିବାକୁ ହେବ । କିଏ ଗୋଲ୍‌ପୋଷ୍ଟକୁ ବଲ୍‌ କିକ୍‌ କରିବ ତାହା ଆଦୌ ବଡ଼ କଥା ନୁହେଁ । ମାତ୍ର ବଲ୍‌ ଗଡ଼ିବ । ଗଡ଼େଇ ରଖିବାକୁ ହେବ । କିନ୍ତୁ ମୋ ମନରେ ଆଜି ସେଇ ପୁରୁଣା ପ୍ରଶ୍ନ, ପୁରୁଣା ସନ୍ଦେହ । ଏଇ ପ୍ରକାର ଦୁର୍ବଳତା, ଆତ୍ମକୈନ୍ଦ୍ରିକତା ନେଇ ଏ ବିପ୍ଳବ ସଫଳ ହେବ କେମିତି ? ଗୋଟାଏ ମାଆର ଅଶ୍ରୁ, ଗୋଟାଏ ବନ୍ଧୁର ଅସହାୟତା କଣ ଗୋଟାଏ ଜାତିର ଅଶ୍ରୁ ଓ ଅସହାୟତା ତୁଳନାରେ ଏଡ଼େ ବଡ଼ ?”

 

ଉତ୍ତେଜିତ ହେଇପଡ଼ୁଥିଲେ କମ୍ରେଡ୍‌ ଦାସଗୁପ୍ତା । ରୋକିବାକୁ ପଡ଼ିବ ତାଙ୍କୁ । ତେଣୁ ଯୁକ୍ତି ନ କରି କମ୍ରେଡ୍‌ ବର୍ମା କହିଲେ, “ମୁଁ ଭୁଲ୍‌ କରିଛି । ସେ ପାଇଁ ମୁଁ ଅନୁତପ୍ତ ।”

 

“ଭୁଲ୍‌ ? ଅନୁତପ୍ତ ? ଏସବୁ କଣ କହୁଛନ୍ତି ଆପଣ ? ଏସବୁ ସେଇମାନଙ୍କ ମୁହଁରେ ଶୋଭାପାଏ, ଯେଉଁମାନେ ବିପ୍ଳବକୁ, ସ୍ୱାଧୀନତା ସଂଗ୍ରାମକୁ ପ୍ରଫେସନ୍‌ ରୂପେ, ଜୀବିକା ରୂପେ ଗ୍ରହଣ କରିଥାଆନ୍ତି । ୧୯୪୭ ପୂର୍ବରୁ ଯେତେ ଚୋର, ଡକେଇତ, ବଦମାସ ଜେଲ୍‌ ଯାଇଥିଲେ ସେମାନେ ମଧ୍ୟ ସ୍ୱାଧୀନତା ପରେ ନିଜକୁ ସ୍ୱାଧୀନତା ସଂଗ୍ରାମୀ ବୋଲି ପରିଚୟ ଦେଉଛନ୍ତି । ସେଇମାନେ କେବଳ ଏ ପ୍ରକାର କହିପାରନ୍ତି । କିନ୍ତୁ ବିପ୍ଳବ ଆମର ଜୀବିକା, ନୁହେଁ, ଏହା ଆମର ଜୀବନ । ବିପ୍ଳବୀ ଅନେକ ଆସିବେ, ଅନେକ ଝରିପଡ଼ିବେ ଜେଲ୍‌ର ରୁଦ୍ଧ କକ୍ଷ ଭିତରେ, ଟଳିପଡ଼ିବେ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ର ବାଓନେଟ୍‌ ସାମ୍ନାରେ । ମାତ୍ର ବିପ୍ଳବର ଅନୁତାପ ନାହିଁ, ଅନୁଶୋଚନା ମଧ୍ୟ ନାହିଁ ।”

 

ଶେଷ ଆଡ଼କୁ ତାଙ୍କର କଣ୍ଠସ୍ୱର ଓଜନିଆ ହୋଇ ଆସୁଥିଲା । ୱାର୍ଡ ଡ୍ୟୁଟିରେ ଥିବା ଡାକ୍ତର ଓ ନର୍ସ ଧାଇଁ ଆସିଲେ ।

 

“ମୋର କିଛି ହୋଇନି ଡାକ୍ତର । କିଛି ହେଇନି । ଆପଣମାନେ ମୋତେ ଦୁର୍ବଳ କରି ଦେଉଛନ୍ତି ସହାୟତାର ହାତ ବଢ଼େଇ । କାନ୍ଥ ପାଖରେ ସେ ରୋଗୀଟିର କେହି ଆଟେଣ୍ଡାଣ୍ଟ୍‌ ଆସି ନାହାନ୍ତି ଅନ୍ତତଃ ଗତ ଦିଦିନ ଭିତରେ । ଯାଆନ୍ତୁ, ତା ଖବର ଆଗେ ବୁଝନ୍ତୁ । ମୁଁ ଠିକ୍‌ ଅଛି ।”

 

“ହଁ ଦେଖ ବିପ୍ଳବ, ଦେଖ ସେଇ କୃଷ୍ଣଚୂଡ଼ା ଗଛକୁ । ରୁକ୍ଷ, ଶ୍ରୀହୀନ ଅଥଚ ତାର ରୁକ୍ଷ ଶାଖାଗୁଡ଼ିକ ବି ଅନାଗତ ଭବିଷ୍ୟତର ଉଜ୍ଜ୍ୱଳ ସମ୍ଭାବନାରେ ବେଶ୍‌ ସତେଜ ଦିଶୁଛନ୍ତି । ତେଣୁ ଆମର ଭାଙ୍ଗିପଡ଼ିବାର କିଛି ନାହିଁ । ଗୋଟାଏ ମାଆ, ଗୋଟାଏ ପରିବାର, ଗୋଟାଏ ବନ୍ଧୁ - ଏସବୁ ଚିନ୍ତା ଭୁଲିଯିବାକୁ ହେବ । ଯେଉଁଦିନ ଆମର ସ୍ୱପ୍ନ ସଫଳ ହେବ ଓ ତାହା ହେବାକୁ ବାଧ୍ୟ, ସେଦିନ କାହାରିକୁ କାହାର ଚିନ୍ତା କରିବାକୁ ପଡ଼ିବ ନାହିଁ । ଆମକୁ ସେପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ।

 

“ଆପଣ ଯାଆନ୍ତୁ କମ୍ରେଡ୍‌ ବର୍ମା, କହୁ କହୁ ଅନେକ କଥା କହିଗଲି । ମୁଁ ରହେ ବା ନ ରହେ ସେଥିପାଇଁ ବିଚଳିତ ହେବାର କିଛି ନାହିଁ । ମୋର ବହୁତ ବିଶ୍ୱାସ ଅଛି ଆପଣଙ୍କ ଉପରେ । ବନ୍ଧୁ ହିସାବରେ ମୁଁ ଅନୁରୋଧ କରିବି ମୋର ସେ ବିଶ୍ୱାସର ଅମାନତ ଆପଣ ସୁରକ୍ଷିତ ରଖିବେ-।”

 

କମ୍ରେଡ୍‌ ବର୍ମା ଓ ବିପ୍ଳବ ମୁହଁବୁଲେଇ ଏପର୍ଯ୍ୟନ୍ତ ଚାହିଁରହିଥିଲେ ଝରକା ସେପଟର ଥୁଣ୍ଟା ଗଛଟି ଆଡ଼େ । ଏବେ ସେମାନେ କିନ୍ତୁ ଫେରି ଚାହୁଁଥିଲେ ଖର୍ବକାୟ ରୁଗ୍‌ଣ କମ୍ରେଡ୍‌ ଦାସଗୁପ୍ତାଙ୍କ ଆଡ଼େ । ତାଙ୍କ ମୁଖମଣ୍ଡଳରେ ଯେମିତି ଅପୂର୍ବ ଜ୍ୟୋତି ଫୁଟି ଉଠୁଥିଲା ।

Image

 

ପରେ କଥା ହେବା

 

ତନ୍ମୟ ତାର ଜଣେ ସାଙ୍ଗ ପାଇଁ ଭଡ଼ାଘରଟିଏ ଖୋଜି ସେଦିନ ଫେରୁଥିଲା । ଭୁବନେଶ୍ୱରରେ ଭଡ଼ାଘର ସମସ୍ୟା ସଂପର୍କରେ ତାର ୟା’ ଆଗରୁ ପ୍ରତ୍ୟକ୍ଷ ଧାରଣା ନ ଥିଲା । ଦିନତମାମ ବାଣୀବିହାରରୁ ସାମନ୍ତରାପୁର ଓ ଲକ୍ଷ୍ମୀସାଗରରୁ ବରମୁଣ୍ଡା ଯାଏ ସହରଟାକୁ ପାନିଆରେ କୁଣ୍ଡେଇଲା ପରି କୁଣ୍ଡେଇଯାଇଥିଲେ ବି ଘରଟିଏର ସନ୍ଧାନ ନ ପାଇବା ସେ ବେଶ୍‌ ବୁଝିପାରିଥିଲା ଏ ସମସ୍ୟାର ଉତ୍କଟ ଚେହେରା ।

 

ସି.ଆର୍‌.ପି. ଛକ ପାଖରେ ଏବେ ଯେଉଁଠି କିଛିଦିନ ହେବ ବଲ୍ଲରୀ ନାଆଁରେ ନୂଆ ରେସ୍ତୋରାଁଟିଏ ଖୋଲିଛି ସେଇଠି ପହଞ୍ଚିଲା ବେଳକୁ ତାର ମନେହେଲା ଏବେ କିଛି ଜଳଖିଆ ଖାଇନେବା ଆବଶ୍ୟକ । ରାତି ସେତେବେଳକୁ ଆଠଟା ହେଲାଣି । ଏଇ ସମୟଟା ଜଳଖିଆ ପାଇଁ ଯେତିକି ବିଳମ୍ବ ରାତ୍ରିଭୋଜନ ପାଇଁ ସେତିକି ସଅଳ । ତନ୍ମୟର ଆଶଙ୍କା ଠିକ୍‌ । ହୋଟେଲ୍‌ର ପିଲାଟି ଆସି କହିଲା, “ଜଳଖିଆ କିଛି ନାହିଁ । ପାଞ୍ଚ ମିନିଟ୍‌ ବସିବେ ତ ଆମ୍‌ଲେଟ୍‌ ବନେଇ ଦେବି-।”

 

ତନ୍ମୟ ତା ପ୍ରସ୍ତାବରେ ରାଜି ହେଲା । ଫ୍ୟାନ୍‌ ପାଖ ଚୌକିଟେ ଉପରେ ବସିପଡ଼ି ରାସ୍ତାରେ ଯା’ଆସ କରୁଥିବା ଲୋକଙ୍କ ଆଡ଼େ ଅନେଇଲା ସେ । ହୁଏତ ଆଉରି କିଛି ସମୟ ସେଇମିତି ଚାହିଁ ରହିଥାନ୍ତା; ମାତ୍ର ସେତିକିବେଳେ ହୋଟେଲ୍‌ ସାମ୍ନାରେ ଆସି ବ୍ରେକ୍‌ କଷିଲା ଧଳା ଫିଆଟ୍‌ଟିଏ । ନିଜେ ଡ୍ରାଇଭିଂ କରୁଥିବା ଭଦ୍ରଲୋକ ଜଣକ ଓହ୍ଲେଇ ପ୍ରଥମେ ଗାଡ଼ିର କାଚ ଟେକିଦେଇ ଗାଡ଼ି ଲକ୍‌ କଲେ । ତାପରେ ପକେଟ୍‌ରୁ ରୁମାଲ କାଢ଼ି ଚଷମାର କାଚ ପୋଛିଲେ ଓ ନିଜର ଚନ୍ଦାମୁଣ୍ଡଟିକୁ ଅଳ୍ପ ଆଉଁଶି ହୋଟେଲ୍‌ ଭିତରକୁ ପଶି ଆସିଲେ । ଭିତରକୁ ଆସି ସେ ତନ୍ମୟ ବସିଥିବା ଟେବୁଲ୍‌ ପାଖର ଚୌକିଟିଏ ଦଖଲ କରି ବସିପଡ଼ିଲେ ।

 

ତନ୍ମୟ କିଛି ସମୟ ଭଦ୍ରଲୋକଙ୍କୁ ଲକ୍ଷ୍ୟ କଲା । ଆଗରୁ ନିଶ୍ଚୟ ସେ ଏହି ଭଦ୍ରଲୋକଙ୍କୁ କେଉଁଠି ନା କେଉଁଠି ଭେଟିଛି । କେଉଁଠି ଦେଖା ହୋଇଥିଲା ଏବଂ କେଉଁ ପରିପ୍ରେକ୍ଷୀରେ, ସେସବୁ ତାର କିଛି ମନେ ପଡ଼ୁ ନ ଥିଲା । ଏଇମିତି ମନେ ନ ପଡ଼ିବା ବାସ୍ତବିକ ବଡ଼ ଅସ୍ୱସ୍ତିକର ।

 

ଭଦ୍ରଲୋକ ଏଥର ତନ୍ମୟକୁ ଚାହିଁଲେ ଓ ହସିଲେ । ତନ୍ମୟ ଆହୁରି ଅସ୍ୱସ୍ତି ବୋଧ କଲା । ଈଶ୍ୱରଙ୍କୁ ଅଶେଷ ଧନ୍ୟବାଦ, ଠିକ୍‌ ସେତିକିବେଳେ ତାର ମନେପଡ଼ିଲା ଯେ ଭଦ୍ରଲୋକ ଜଣକ ହେଉଛନ୍ତି ଶ୍ରୀଯୁକ୍ତ ଦାସ । ପ୍ରାୟ ସାତ ଆଠ ବର୍ଷ ତଳେ ସେ ତାଙ୍କୁ ଭେଟିଥିଲା ରାଜ୍ୟ କୃଷି ନିର୍ଦ୍ଦେଶାଳୟରେ । ସେତେବେଳେ ଶ୍ରୀଯୁକ୍ତ ଦାସ ସେହି ବିଭାଗର ଉପନିର୍ଦ୍ଦେଶକ ଥିଲେ ।

 

ତନ୍ମୟ ନିଜ ଚୌକିରୁ ଉଠିପଡ଼ି ଭଦ୍ରଲୋକଙ୍କୁ ନମସ୍କାର କଲା । ଭଦ୍ରଲୋକ ଜଣକ ପାଟିରେ ପାଟିଏ ହସ ପୂରେଇ ପ୍ରତିନମସ୍କାର ଜଣେଇଲେ ଓ ବସିବାକୁ ଅନୁରୋଧ କଲେ । ତନ୍ମୟ ପଚାରିଲା “ମୋତେ ଚିହ୍ନିପାରୁଛନ୍ତି ସାର୍‌ ? ମୋ ନାଁ ତନ୍ମୟ ଦାସ ।”

 

“ଆରେ ? ଆପଣ ଏବେ କେଉଁଠି ?” ଶ୍ରୀଯୁକ୍ତ ଦାସ ପ୍ରଶ୍ନ କଲେ ।

 

ସାତ ବର୍ଷ ତଳେ ତନ୍ମୟ ତାର କେତେଜଣ ବନ୍ଧୁଙ୍କ ସହଯୋଗରେ କଟକରୁ ଏକ ସାମୟିକ ପତ୍ରିକା ପ୍ରକାଶ କରୁଥିଲା । ପତ୍ରିକାଟିର ଆର୍ଥିକ ଚାହିଦା ପୂରଣ ନିମନ୍ତେ ତାକୁ ବାରମ୍ବାର ଭୁବନେଶ୍ୱର ଆସିବାକୁ ପଡ଼ୁଥିଲା ସରକାରୀ ବିଜ୍ଞାପନ ପାଇଁ । ସେତେବେଳେ ତନ୍ମୟର ଯେଉଁ ଦୟନୀୟ ପରିସ୍ଥିତି ଆଜି ସେକଥା ଚିନ୍ତା କଲେ ହସ ମାଡ଼େ । ଏ ଅଫିସ୍‌ରୁ ସେ ଅଫିସ୍‌, କର୍ପୋରେସନ୍‌ ଓ ବୋର୍ଡ ଅଫିସ୍‌ ବୁଲି ବୁଲି ସେ ସଂପୃକ୍ତ ଦପ୍ତରର ଲୋକସମ୍ପର୍କ ଅଧିକାରୀ ଓ ବିଭାଗୀୟ କିରାଣିଙ୍କ ପାଖରେ ପହଞ୍ଚେ । ଅନେକ ଅଫିସର ସେମାନଙ୍କ ନିଜ ନିଜର ନିୟମ ଓ ତନ୍ମୟ ସମ୍ପାଦିତ ପତ୍ରିକାର ଚେହେରା, ଉଭୟକୁ ଦେଖି ସାକ୍ଷାତ ନ ଦେବାଟା ହିଁ ବୁଦ୍ଧିମାନର କାମ ବୋଲି ବିଚାରନ୍ତି । ରାଜଧାନୀର ହୋମଡ଼ା ଚୋମଡ଼ା ଅମଲାତନ୍ତ୍ରର ଇଏ ସାଧାରଣ ଦପ୍ତରୀ କାଇଦା ।

 

ସେଇଭଳି ଅବସ୍ଥାରେ ତାର ଦେଖା ହୋଇଥିଲା କୃଷି ବିଭାଗର ତତ୍କାଳୀନ ଉପନିର୍ଦ୍ଦେଶକ ଶ୍ରୀଯୁକ୍ତ ଦାସଙ୍କ ସହ । ଶ୍ରୀ ଦାସ ତାଙ୍କ ବିଭାଗର ଲୋକସଂପର୍କ ଓ ପ୍ରକାଶନ ବିଭାଗ ଦାୟିତ୍ୱରେ ଥାନ୍ତି । ତନ୍ମୟର ମନେପଡ଼ୁଚି, ଗୋଟାଏ ଗ୍ରୀଷ୍ମ ମଧ୍ୟାହ୍ନରେ ସେ କୃଷି ନିର୍ଦ୍ଦେଶାଳୟରେ ପ୍ରଥମ ଥର ପାଇଁ ପହଞ୍ଚିଥିଲା ଓ ଖଣ୍ଡେ ସ୍ଲିପ୍‌ରେ ନିଜ ନାଁ ଲେଖି ଶ୍ରୀଯୁକ୍ତ ଦାସଙ୍କ ସହ ସାକ୍ଷାତ୍‌ କରିବା ପାଇଁ ପିଅନ ହାତରେ ପଠାଇଥିଲା । ଦୀର୍ଘ ବର୍ଷକର ଅଭିଜ୍ଞତାରୁ ସେ ଜାଣିସାରିଥିଲା ଯେ ସ୍ଲିପ୍‌ ପଠାଇବାର ଘଣ୍ଟାଏ ଭିତରେ ବି ଡାକରା ଆସିବାର ପ୍ରଶ୍ନ ଉଠୁ ନାହିଁ । ତେଣୁ ସ୍ଲିପ୍‌ଟି ପଠାଇ ଦେଇ ସେ ଛକ ଦୋକାନ ଆଡ଼କୁ ମୁହାଁଉଥିଲା ଘେରାଏ ବୁଲିଆସିବା ପାଇଁ! ମାତ୍ର ତାକୁ ଆଶ୍ଚର୍ଯ୍ୟାନ୍ୱିତ କରିଦେଇ ପିଅନଟି ପଛରୁ ଡାକିଲା ଓ ଭିତରକୁ ଯିବା ପାଇଁ ଅନୁମତି ମିଳିଥିବା କଥା ଜଣେଇଦେଲା ।

 

ବେଶ୍‌ ସୁନ୍ଦର ସୁସଜ୍ଜିତ କକ୍ଷଟିଏ ଶ୍ରୀଯୁକ୍ତ ଦାସଙ୍କ ଅଫିସ୍‌ ରୁମ୍‌ । ତନ୍ମୟ କାନ୍ଥଆଡ଼େ ଚାହିଁଲା । ଗର୍କୀ, ଶରତଚନ୍ଦ୍ର ଓ ୱାଡସ୍‌ୱର୍ଥଙ୍କ ଠାରୁ ଆରମ୍ଭ କରି ରବୀନ୍ଦ୍ରନାଥଙ୍କ ପର୍ଯ୍ୟନ୍ତ ବଡ଼ ବଡ଼ ସାହିତ୍ୟିକଙ୍କର ଉଦ୍ଧୃତି ସବୁ ସୁନ୍ଦର ହସ୍ତାକ୍ଷରରେ ଲେଖାହୋଇ କାନ୍ଥରେ ଟଙ୍ଗାଯାଇଛି । ଶ୍ରୀଯୁକ୍ତ ଦାସଙ୍କ ପଛପଟେ ବଡ଼ ବୁକ୍‌ ସେଲ୍‌ଫରେ ଥାକ ଥାକ ସଜା ହୋଇଚି ବହି ଓ ପତ୍ରପତ୍ରିକା । ତନ୍ମୟକୁ କିଛି ସମୟ ପାଇଁ ଲାଗିଥିଲା ଯେମିତି ସେ କୌଣସି କଲେଜର ପ୍ରଫେସରଙ୍କ ରୁମ୍‌ରେ ପହଞ୍ଚି ଯାଇଚି । କେବଳ ଶ୍ରୀଯୁକ୍ତ ଦାସଙ୍କ ରୁଚି ବା ଅଫିସ୍‌ ରୁମ୍‌ର ସାଜସଜ୍ଜା ନୁହେଁ, ତାଙ୍କର ବ୍ୟକ୍ତିତ୍ୱ ମଧ୍ୟ ତନ୍ମୟକୁ ମୁଗ୍‌ଧ କରିଥିଲା । ସେଦିନ ତନ୍ମୟ ପରି ଏକ ଛୋଟକାଟିଆ ପତ୍ରିକା ସଂପାଦକକୁ ସେ ଯେଭଳି ସମ୍ବର୍ଦ୍ଧନା ଜଣେଇଥିଲେ ଓ ବନ୍ଧୁତ୍ୱପୂର୍ଣ୍ଣ ଆଳାପ ଆଲୋଚନା କରିଥିଲେ ତାହା ତାର ଏବେ ବି ମନେରହିଚି । ସେଇ ପ୍ରଥମ ସାକ୍ଷାତ୍‌ ପରେ ଆଉ ଥରେ ଦିଥର ସେ ଶ୍ରୀଯୁକ୍ତ ଦାସଙ୍କ ଅଫିସ୍‌କୁ ଯାଇଚି । ସବୁଥର ସେଇ ହସ ହସ କଥା, ଆନ୍ତରିକତାପୂର୍ଣ୍ଣ ନମ୍ର ବ୍ୟବହାର - ସବୁଥର ତାର ମନେ ହେଇଛି ଶ୍ରୀଯୁକ୍ତ ଦାସ ଏକ ପରିପୂର୍ଣ୍ଣ ବ୍ୟକ୍ତିତ୍ୱ ।

 

ଆମ୍‌ଲେଟ୍‌ ଖାଉ ଖାଉ ତନ୍ମୟ କହିଲା, “ଏବେ, ମୁଁ ଏଇ ପାଖ ଖବରକାଗଜ ଅଫିସ୍‌ରେ କାମ କରୁଛି ତିନିବର୍ଷ ହେଲା । ଆଉ, ଆପଣ କଣ ଏବେ ସେଇଠି ?” ନିଜର ରାତି ଖାଇବା ପାଇଁ ଅର୍ଡର ଦେଉ ଦେଉ ଶ୍ରୀଯୁକ୍ତ ଦାସ କହିଲେ, “ମୁଁ ଏବେ ସିଡ୍‌ସ୍‌ କର୍ପୋରେସନ୍‌ର ମ୍ୟାନେଜିଂ ଡାଇରେକ୍ଟର । ଯାହା ହେଉ ବହୁତ ଦିନ ପରେ ଆପଣଙ୍କ ସଂଗେ ଦେଖାହେଲା ।”

 

ତନ୍ମୟ ହସିଲା ଓ କହିଲା, “ଆପଣଙ୍କ ନୂଆ ଦାୟିତ୍ୱ କଥା ମୁଁ ଜାଣି ନ ଥିଲି ।”

 

ଶ୍ରୀଯୁକ୍ତ ଦାସ ତାପରେ ତାଙ୍କର ସ୍ୱଭାବସୁଲଭ ଭଙ୍ଗୀରେ ପଚାରିଲେ, “ଆପଣଙ୍କ ସେ ପତ୍ରିକା ?”

 

“ଆପଣମାନଙ୍କ ପାଖକୁ ଯେ ଆଉ ଯାଉନି, ସେଇଥିରୁ ବୁଝୁଥିବେ” - ତନ୍ମୟ କହିଲା ।

 

ଏତେ ଦିନ ପରେ ଶ୍ରୀଯୁକ୍ତ ଦାସଙ୍କ ସହ ଦେଖା ହୋଇଥିବାରୁ ତାଙ୍କର ପରିବାର, ଘରଦ୍ୱାର ଇତ୍ୟାଦି ସଂପର୍କରେ ଜାଣିବା ପାଇଁ ତନ୍ମୟ କୌତୂହଳୀ ହୋଇ ପଡ଼ୁଥିଲା । ପ୍ରଥମତଃ ଆଗରୁ କେବେ ଏପରି ଏକ ସାଧାରଣ ପରିବେଶରେ ଶ୍ରୀଯୁକ୍ତ ଦାସଙ୍କୁ ସେ ଭେଟି ନ ଥିଲା । ଦ୍ୱିତୀୟତଃ ଶ୍ରୀଯୁକ୍ତ ଦାସଙ୍କ ପ୍ରତି ତାର କୃତଜ୍ଞତା ଭାବକୁ ସେ ଯଥାସମ୍ଭବ ପ୍ରକାଶ କରିବାକୁ ଆଗ୍ରହୀ ହୋଇପଡ଼ିଥିଲା ।

 

“ଆପଣଙ୍କୁ ଏପରି ଏକ ହୋଟେଲ୍‌ରେ ଭେଟିବି ବୋଲି କେବେ ଆଶା କରୁନଥିଲି” - ତନ୍ମୟ କହିଲା ।

 

ଶ୍ରୀଯୁକ୍ତ ଦାସ ନିରୁତ୍ସାହିତ କଣ୍ଠରେ କହିଲେ, “ପାଖାପାଖି ଆଉ ତ ହୋଟେଲ୍‌ ନାହିଁ, ମୁଁ ଆଜିକାଲି ଏଇଠି ପ୍ରତିଦିନ ଖାଉଚି ।”

 

ଖୁବ୍‌ ସହଜ ଭାବରେ ଶ୍ରୀଯୁକ୍ତ ଦାସ କହୁଥିଲେ ତାଙ୍କର କଥା । କିନ୍ତୁ ତାଙ୍କ ପରି ଜଣେ ଆର୍ଥିକ ସ୍ୱଚ୍ଛଳତା ଥିବା ବଡ଼ ଅଫିସର ଯେ ଏ ବୟସରେ କାହିଁକି ପ୍ରତିଦିନ ଏପରି ଏକ ହୋଟେଲ୍‌ରେ ଖାଉଛନ୍ତି, ସେ କଥାଟାକୁ ସହଜ ଭାବରେ ତନ୍ମୟ ଗ୍ରହଣ କରିପାରୁ ନ ଥିଲା । ତା ମନରେ ଆଶଙ୍କା ହଉଥିଲା, ଶ୍ରୀଯୁକ୍ତ ଦାସଙ୍କ ପାରିବାରିକ ଜୀବନ ବିପର୍ଯ୍ୟସ୍ତ କିମ୍ବା ସେମିତି କିଛି ପାରିବାରିକ ଅଶାନ୍ତି ଅଛି, ଯାହା ଯୋଗୁଁ ସେ ଏମିତି ସବୁଦିନ ହୋଟେଲ୍‌ରେ ଖାଉଛନ୍ତି ।

 

ଗୋଟାଏ ଅନୁଚିତ ଅନୁସନ୍ଧିତ୍ସୁ ଭାବ ତନ୍ମୟକୁ କୌତୂହଳୀ କରିଦଉଥିଲା । ସେ ଯଥାସମ୍ଭବ ସତର୍କତାର ସହ ପଚାରିଲା, “କାହିଁକି, ଘରେ କଣ ପୂଜାରୀ ରଖିବାକୁ ଆପଣ ପସନ୍ଦ କରନ୍ତିନି ?”

 

ଶ୍ରୀଯୁକ୍ତ ଦାସ ଚଷମାଟିକୁ ଓହ୍ଲାଇ ଟେବୁଲ୍‌ ଉପରେ ଥୋଇଲେ । ପକେଟ୍‌ରୁ ରୁମାଲ ବାହାର କରି ଚଷମାର କାଚ ପୋଛି ପରିଷ୍କାର କଲାପରେ ପୁଣିଥରେ ପିନ୍ଧିଲେ ଓ ଟେବୁଲ୍‌ ଉପରୁ ପାଣି ଗ୍ଲାସ୍‌ଟା ଉଠେଇ ପାଣି ପିଇସାରିଲା ପରେ ତନ୍ମୟ ଆଡ଼କୁ ଚାହିଁ କହିଲେ, “ହଁ, ପୂଜାରୀଟିଏ ଅଛି । ଟୋକାଟା କିନ୍ତୁ କିଛି କାମକୁ ନୁହେଁ । ତା ଘର ଆନନ୍ଦପୁର । ଦି ବର୍ଷ ହେଲା ରହିଲାଣି ମୋ ପାଖରେ ଏଯାଏ; କିନ୍ତୁ ଭାତ ଆଉ ଆଳୁ ଭରତା ଛଡ଼ା ଅନ୍ୟ କିଛି ତିଆରି କରିବା ଶିଖିପାରିଲା ନାହିଁ । ସବୁଦିନ ତ ସେସବୁ ଖାଇ ହବନି । ତେଣୁ ବାଧ୍ୟ ହୋଇ ହୋଟେଲ୍‌ର ଆଶ୍ରୟ । ଛୁଟିଦିନ, ରବିବାର କିମ୍ବା ଏ ହୋଟେଲ୍‌ ଯେଉଁଦିନ ବନ୍ଦ ଥାଏ ସେଦିନ ମୁଁ ନିଜେ ରୋଷେଇ କରେ ଓ ତାକୁ ପାଖରେ ବସେଇ ସେସବୁ ଶିଖାଏ । କିନ୍ତୁ ଅଙ୍ଗାର ଶତଧୌତେନ... ।”

 

ତନ୍ମୟର କିନ୍ତୁ ରୋଷେୟା ପିଲାର ଯୋଗ୍ୟତା ଅଯୋଗ୍ୟତା ସଂପର୍କରେ ଜାଣିବାର ଆଗ୍ରହ ନ ଥିଲା । ସେ ଜାଣିବାକୁ ଚାହୁଁଥିଲା ଶ୍ରୀଯୁକ୍ତ ଦାସଙ୍କ ମିସେସ୍‌ କଣ ତାଙ୍କ ସାଙ୍ଗରେ ରହୁ ନାହାନ୍ତି ? କିନ୍ତୁ କୌଣସି ଭଦ୍ରଲୋକଙ୍କୁ, ପୁଣି ସେ ଯଦି ବୟସ ଓ ସାମାଜିକ ପ୍ରତିଷ୍ଠା ଉଭୟ ଦୃଷ୍ଟିରୁ ଯଥେଷ୍ଟ ବଡ଼ ହୋଇଥାନ୍ତି, ତାଙ୍କୁ ହଠାତ୍‌ ତାଙ୍କର ମିସେସ୍‌ଙ୍କ ସଂପର୍କରେ ପଚାରିବାକୁ ସଂକୋଚ ଲାଗେ । ତନ୍ମୟ ତେଣୁ ପଚାରିଲା, “ଆପଣଙ୍କ ପରିବାର ?”

 

ଶ୍ରୀଯୁକ୍ତ ଦାସଙ୍କର ମିଲ୍‌ ଆଣିବାକୁ ହୋଟେଲ୍‌ର ପିଲାଟା ଡେରି କରୁଥାଏ । ତନ୍ମୟ ତେଣୁ ତାଙ୍କ ତରଫରୁ କାଉଣ୍ଟରରେ ବସିଥିବା ମ୍ୟାନେଜର ଉଦ୍ଦେଶ୍ୟରେ କହିଲା, “ଏତେ ଡେରି ହଉଚି କାହିଁକି ?” ମାତ୍ର ଶ୍ରୀଯୁକ୍ତ ଦାସ ତନ୍ମୟକୁ ବାରଣ କରି କହିଲେ, “ବ୍ୟସ୍ତ ହୁଅନ୍ତୁ ନାହିଁ, ସେ ଆଣିବ । ନିତିଦିନିଆ ଗ୍ରାହକଙ୍କୁ ଟିକିଏ ଏମିତି ଅପେକ୍ଷା କରିବାକୁ ପଡ଼େ ।”

 

ଶ୍ରୀଯୁକ୍ତ ଦାସଙ୍କର କଥା କହିବାର ଢଙ୍ଗକୁ ମନେ ମନେ ପ୍ରଶଂସା କଲା ତନ୍ମୟ । ଶ୍ରୀଯୁକ୍ତ ଦାସ କହିଲେ, “ହଁ ଆପଣ କଣ କହୁଥିଲେଟି, ପରିବାର କଥା ? ମୋର ଗୋଟିଏ ପୁଅ । କଟକରେ ଡାକ୍ତରୀ ପଢ଼ୁଛି । ଶେଷ ବର୍ଷ ।”

 

ତନ୍ମୟ ଦେଖିଲା ଶ୍ରୀଯୁକ୍ତ ଦାସ ଇଚ୍ଛାକରି ଯେପରି ନିଜ ସ୍ତ୍ରୀଙ୍କ ପ୍ରସଙ୍ଗକୁ ଏଡ଼େଇ ଯାଉଛନ୍ତି । ସେ ନିରାଶ ହେଲା ।

 

ମାତ୍ର ଠିକ୍‌ ସେତିକିବେଳେ ଶ୍ରୀଯୁକ୍ତ ଦାସ ତାଙ୍କ ଆଡ଼ୁ କହିଲେ, “ଆପଣ ମୋ ସ୍ତ୍ରୀଙ୍କ ବିଷୟରେ ଜାଣିବାକୁ ଚାହୁଁଛନ୍ତି ବୋଧହୁଏ ।”

 

ତନ୍ମୟ ଅତି ଆଗ୍ରହର ସହିତ ଶ୍ରୀଯୁକ୍ତ ଦାସଙ୍କ ଆଡ଼କୁ ଝୁଙ୍କିପଡ଼ି କହିଲା, “ହଁ, ତାଙ୍କ ବିଷୟରେ କିଛି କହିଲେନି ତ?”

 

ଶ୍ରୀଯୁକ୍ତ ଦାସ ଆଉଥରେ ଚଷମାଟାକୁ ଓହ୍ଲେଇ ଟେବୁଲ୍‌ ଉପରେ ରଖିଲେ ଓ ଅତ୍ୟନ୍ତ ସ୍ୱାଭାବିକ ଢଙ୍ଗରେ କହିଲେ, “ମୋ ସ୍ତ୍ରୀ ଦୁଇବର୍ଷ ହେଲା ଚାଲିଗଲେଣି ।”

 

ହଠାତ୍‌ ତନ୍ମୟ ଉଚ୍ଚ ଛାତ ଉପରୁ ତଳକୁ ଖସିପଡ଼ିବା ପରି ଅନୁଭବ କଲା ।

 

ତେବେ ଶ୍ରୀଯୁକ୍ତ ଦାସଙ୍କୁ ତାଙ୍କର ସ୍ତ୍ରୀଙ୍କର ପରଲୋକ ପ୍ରସଙ୍ଗଠୁ ଦୂରେଇ ନେବା ଉଚିତ ! ସେ କହିଲା, “ଆପଣ କଣ ଏଠାରେ ନିଜ ଘରେ ରହୁଛନ୍ତି ?”

 

ଶ୍ରୀଯୁକ୍ତ ଦାସ ସେମିତି ସହଜ ଭଙ୍ଗୀରେ ଟେବୁଲ୍‌ ଉପରର ଖାଲି ଗ୍ଲାସ୍‌ଟାକୁ ଏକଡ଼ ସେକଡ଼ କରୁ କରୁ କହିଲେ, “ନା, ସରକାରୀ କ୍ୱାର୍ଟର୍ସରେ ।”

 

-ଘର କରି ନାହାନ୍ତି ?

 

-ଆଉ ସେସବୁ କାହିଁକି ? ଏଥର ଶ୍ରୀଯୁକ୍ତ ଦାସଙ୍କ କଣ୍ଠସ୍ୱର ବେଶ୍‌ ଓଜନିଆ ଲାଗୁଥିଲା ।

 

ତନ୍ମୟ ଆଶ୍ଚର୍ଯ୍ୟ ହେଲା । ଏତେ ବଡ଼ ଅଫିସର । ଢେର୍‌ ଦିନ ହେଲା ଭୁବନେଶ୍ୱରରେ ରହିଲେଣି । ଅଥଚ ଘରଟେ ତୋଳି ନାହାନ୍ତି କେମିତି ? ଭୁବନେଶ୍ୱରର ସବୁ ମନ୍ତ୍ରୀ, ଏମ୍‌.ଏଲ୍‌.ଏ କି ବଡ଼ ବଡ଼ ଅଫିସର ତ ଘର ତୋଳେଇ ସେସବୁକୁ ଭଡ଼ା ଲଗାଇବାକୁ ପ୍ରଥମ କାମ ବୋଲି ବିଚାରନ୍ତି । ଶ୍ରୀଯୁକ୍ତ ଦାସ କାହିଁକି ଘର ତୋଳାଇବା ଦିଗରେ ଏମିତି ଉଦାସୀନ ?

 

ଶ୍ରୀଯୁକ୍ତ ଦାସ କହୁଥିଲେ, “ଘର ଫର ତିଆରି ପରି ବିରକ୍ତିକର ପ୍ରସଙ୍ଗ ପୁଣି ଆଉ କାହିଁକି ତନ୍ମୟ ବାବୁ ? ଥରେ ତ ଘରକରଣା ଉଜୁଡ଼ି ଯାଇଛି । ସେସବୁକୁ ଆଉ ଏବେ ସଜାଡ଼ି ବସିଲେ କଣ ଲାଭ; ବରଂ ଏଇ ଭଲ ।”

 

ତନ୍ମୟ କେବେ ଆଶା କରି ନ ଥିଲା ଯେ ଶ୍ରୀଯୁକ୍ତ ଦାସ ଏପରି ଭାବପ୍ରବଣ ହେଇପାରନ୍ତି-। ସେ କହିଲା, “ଏମିତି କାହିଁକି ଭାବୁଛନ୍ତି ଆଜ୍ଞା?”

 

ଶ୍ରୀଯୁକ୍ତ ଦାସ କହିଲେ, “ଶୁଣନ୍ତୁ, ମୋର ବାହାଘର ବେଳକୁ ମୁଁ ଥିଲି ଜଣେ ଆସିଷ୍ଟାଣ୍ଟ୍‌ ଡାଇରେକ୍ଟର । ଭଲପାଇ ବାହା ହୋଇଥିଲି । ଚାକିରି ଜୀବନରେ ସବୁବେଳେ ପ୍ରମୋସନ୍‌ ଓ ସି.ସି.ଆର୍‌.କୁ ଖୁବ୍‌ ଗୁରୁତ୍ୱ ଦେଇ ଆସିଥିଲି ସ୍ତ୍ରୀ ଓ ପରିବାରଠାରୁ । ଅଫିସ୍‌ ସମୟ ପରେ ମଧ୍ୟ ବହୁତ ସମୟ ଦଉଥିଲି ଅଫିସ୍‌ କାମ ପାଇଁ । ତେଣୁ ସବୁଦିନ ଘରକୁ ଫେରିବାରେ ଡେରି ହୁଏ । ଘରେ ସ୍ତ୍ରୀ କିଛି କହିବସିଲେ ମୁଁ ଜାଣିଶୁଣି ଏଡ଼େଇ ଯାଏ । ‘ପରେ କଥାହେବା’ କହି ନିଜ କାମରେ ବାହାରି ଯାଏ । କୁଆଡ଼େ କିଛି ଗୋଟାଏ ବୁଲି ବାହାରିବାକୁ ମୋ ସ୍ତ୍ରୀ ପ୍ରସ୍ତାବ ଦେଉଥିଲେ ମୁଁ ‘ରବିବାର ଦିନ ଯିବା ବା ନେକ୍‌ସ୍‌ଟ ଛୁଟିରେ ଯିବା’ କହି ତାକୁ ମଧ୍ୟ ଏଡ଼େଇ ଯାଉଥିଲି । ମାତ୍ର କୌଣସି ଦିନ ପ୍ରକୃତରେ କୁଆଡ଼େ ତାଙ୍କୁ ନେଇପାରି ନାହିଁ । ଗୋଟାଏ ରବିବାର ଯାଇ ଆଉ ଗୋଟେ ରବିବାର ଆସେ, ଗୋଟାଏ ଦଶହରା ଯାଇ ଆଉ ଗୋଟାଏ ଦଶହରା; ମାତ୍ର ସ୍ତ୍ରୀଙ୍କର ବ୍ୟକ୍ତିଗତ ସୁଖଦୁଃଖ ପ୍ରତି ଧ୍ୟାନ ଦେଇପାରେ ନାହିଁ । ସେତେବେଳେ ଖାଲି ଗୋଟାଏ ଚିନ୍ତା ଥିଲା ପ୍ରମୋସନ୍‌ । ସୁତରାଂ ମୁଁ ପରିବାର, ଘର ସଂସାର- ଏସବୁକୁ ଆଦୌ ଗମ୍ଭୀର ଭାବେ ନେଉ ନ ଥିଲି ।”

 

ତନ୍ମୟ ନିରବରେ କେବଳ ଶୁଣୁଥିଲା । ଶ୍ରୀଯୁକ୍ତ ଦାସ କହୁଥିଲେ, “ତାପରେ ବିବାହର ଦୀର୍ଘ ପାଞ୍ଚ ବର୍ଷ ପରେ ବାବୁଲାର ଜନ୍ମ । ଦାମ୍ପତ୍ୟ ଜୀବନ ଓ ଘରକରଣାର ଆଉ ଗୋଟିଏ ମୋଡ଼ ପରିବର୍ତ୍ତନ । ସେତେବେଳେ ଆଉ ସ୍ତ୍ରୀଙ୍କ କଥା ଶୁଣିବାକୁ ବେଳ କାହିଁ ? ଆଶା ଥିଲା କୋଡ଼ିଏଟା ବର୍ଷ ଚାଲିଗଲେ ଭଲ୍ୟୁଣ୍ଟାରି ରିଟାୟାରମେଣ୍ଟ୍‌ ନେଇଯିବି । ସେତେବେଳକୁ ଆଉ କିଛି ଜଞ୍ଜାଳ ନ ଥିବ । ପ୍ରଚୁର ସମୟ ମିଳିବ ସ୍ତ୍ରୀଙ୍କ ସାଙ୍ଗେ ଗପିବାକୁ, ବୁଲିବାକୁ । ସେଇକଥା ତାଙ୍କୁ କେତେଥର ମୁଁ କହିଥିଲି ମଧ୍ୟ । ସେସବୁ ଶୁଣିଲେ ସେ ଭାରି ଖୁସି ହୁଅନ୍ତି । ପ୍ରସ୍ତାବକୁ ସମର୍ଥନ ଜଣେଇ ମତେ ଆଗକୁ ଆଗକୁ ମାଡ଼ିଯିବାକୁ ଉତ୍ସାହିତ କରନ୍ତି । ମାତ୍ର ଶେଷ ପର୍ଯ୍ୟନ୍ତ ସେ ଆଶା ତ ଆଶାରେ ହିଁ ରହିଗଲା । ସାରା ଜୀବନ ହାତଧରି ମୋ ସାଙ୍ଗେ ବାଟ ଚାଲିବାର ପ୍ରତିଶ୍ରୁତି ଦେଇଥିବା ମଣିଷଟି କିଛି ନ କହି, ନ ପଚାରି, ଏମିତି ଅଧାବାଟରୁ ହାତଛାଡ଼ି ଯଦି ଚାଲିଗଲା, ତାହେଲେ ମୁଁ ପୁଣିଥରେ କାହିଁକି ସେ ବାଲି, ସିମେଣ୍ଟ, ଲୁହାଛଡ଼, ରାଜମିସ୍ତ୍ରି, କଣ୍ଟ୍ରାକ୍ଟରଙ୍କ ପଛରେ ଦଉଡ଼ିବି ତନ୍ମୟ ବାବୁ ?”

 

: ମାତ୍ର ଆପଣଙ୍କ ପୁଅ ପାଇଁ... ?

 

“ପୁଅ ? ସେ ଏ ବର୍ଷ ଡାକ୍ତରୀ ପାସ୍‌ କରିବ । ଖୁବ୍‌ ଭଲ କ୍ୟାରିୟର ତାର । ପାସ୍‌ କରିବା ପରେ କୁଆଡ଼େ ଗୋଟାଏ ଚାକିରି କରିବ । ସେ କଣ ମୋ ପାଖେ ଏଇ ଭୁବନେଶ୍ୱରରେ ରହିବ ? ତା ଚିନ୍ତା ସେ କରିବ । ମୁଁ ଆହୁରି କିଛି ବର୍ଷ ଏଇମିତି ସରକାରୀ କ୍ୱାର୍ଟର୍ସରେ ରହିବି । ରିଟାୟାର୍‌ମେଣ୍ଟ୍‌ ପରେ ଗାଆଁକୁ ଫେରିଯିବି ।”

 

ହୋଟେଲ୍‌ ପିଲାଟି ଶ୍ରୀଯୁକ୍ତ ଦାସଙ୍କ ଖାଇବା ଆଣି ଟେବୁଲ୍‌ ଉପରେ ପରଶି ଦେଇ ଯାଇଥିଲା ଏ ଭିତରେ । ତନ୍ମୟ ସେଠୁ ବେତ୍ରାହତ ପ୍ରାୟ ଚାଲିଆସିବାକୁ ମନେ ମନେ ଗୋଟାଏ ଉପାୟ ଖୋଜୁଥିଲା ଯେମିତି । ଶ୍ରୀଯୁକ୍ତ ଦାସଙ୍କର ଏଇ ଶେଷକଥା କେଇପଦ ତାକୁ ସାଂଘାତିକ ଭାବରେ ବିଚଳିତ କରିଦେଇଥିଲା ।

 

ସେ ହାତଘଣ୍ଟାକୁ ଚାହିଁ କହିଲା, “ଗୋଟାଏ କାମ ଅଛି । ବହୁତ ଭଲ ହେଲା ଆପଣଙ୍କ ସଙ୍ଗେ ଦେଖା ହେଲା । ପୁଣି ଦେଖାହେବ । ମୁଁ ଆସୁଚି ।”

 

ଶ୍ରୀଯୁକ୍ତ ଦାସ ଖାଇବା ବନ୍ଦ କରି କହିଲେ, “ମୁଁ ଏଇ ପାଖରେ ରହୁଚି । କେବେ ଘରଆଡ଼େ ଆସିବ ନିଶ୍ଚୟ ।”

 

ଘରେ ପହଞ୍ଚୁ ପହଞ୍ଚୁ ତନ୍ମୟ ଗେଟ୍‌ ପାଖରୁ ଡାକ ପକେଇଲା, “ମିତା ମିତା, ଟିକେ ଶୁଣିଲ ଏ ଆଡ଼େ ।”

 

ସ୍ୱାମୀ ନାମକ ଏଇ ମଣିଷଟିର ଏମିତିକା ଚିତ୍କାର ସହ ସମ୍ପୂର୍ଣ୍ଣ ପରିଚିତା ମିତା ନିର୍ଲିପ୍ତ ସ୍ୱରରେ ଉତ୍ତର ଦେଲା, “କଣ ହେଲା କି ? ଯାଉଚି, ଟିକିଏ ରୁହ ।”

 

ତନ୍ମୟ କିନ୍ତୁ ଅଧୈର୍ଯ୍ୟ ହୋଇ ପଡ଼ୁଥାଏ । ଶ୍ରୀଯୁକ୍ତ ଦାସଙ୍କ ସହ ସେଇ କଥାବାର୍ତ୍ତା ପରେ ସେ କେମିତି ଗୋଟାଏ ଅଜଣା ଆଶଙ୍କାରେ ଶିହରି ଉଠୁଥାଏ ମନେ ମନେ । ସେ ବି ଭଲପାଇ ବାହା ହୋଇଥିଲା । ବାହାଘର ଆଗରୁ ମିତା ପାଖେ ସେ ଘଣ୍ଟା ଘଣ୍ଟା ଧରି ବସି ଗପୁଥିଲା । ନିହାତି ଅନାବଶ୍ୟକ ହଉ ପଛେ ସେସବୁ ଉଭୟେ ଉପଭୋଗ କରୁଥିଲେ । ସମୟ ସେତେବେଳେ ଅଣ୍ଟୁ ନ ଥିଲା ସେମାନଙ୍କୁ । ଅଥଚ ବାହାଘର ପରେ ମିତା କେମିତି ଖୁବ୍‌ ମାମୁଲି ହେଇ ପଡ଼ିଥିବା ତନ୍ମୟ ଏଇ ମୁହୂର୍ତ୍ତରେ ଉପଲବ୍‌ଧି କରୁଥିଲା ।

 

ସେ ଆଉ ଥରେ ମିତା ଉଦ୍ଦେଶ୍ୟରେ ବଡ଼ ପାଟିରେ ଡାକ ପକେଇଲା, “ମିତା, ଶୀଘ୍ର ଆସ । ଖୁବ୍‌ ଜରୁରୀ କଥା ଅଛି ପରା !”

 

ତନ୍ମୟର ଏଥରର ଚିତ୍କାର ଥିଲା କେମିତି ଟିକେ ଅସ୍ୱାଭାବିକ । ତେଣୁ ମିତା ରୋଷେଇ ଘରୁ ଧାଇଁଆସି କହିଲା, “ଅଫିସ୍‌ରେ କାହା ସଙ୍ଗେ ଝଗଡ଼ା ହେଲା କି ?”

 

“ନା, ସେମିତି କିଛି ହେଇନି । ତମ ସହ ଗୋଟାଏ ଜରୁରୀ କଥାବାର୍ତ୍ତା ଅଛି । ତମେ ଏଇଠି ବସ । ବସ ଏଇଠି, ଏମିତି ଡବଡବ କରି ଚାହୁଁଚ କଣ ?”

 

ମିତା କହିଲା, “ରୁହ, ତରକାରିଟା ଓହ୍ଲେଇ ଦେଇ ଆସେ । ତମେ ଯେମିତି ବଡ଼ ପାଟିରେ ଡାକିଲ ମୁଁ ତ ଛାନିଆ ହେଇଗଲି ।”

 

“ନାଇଁ ମିତା, ତମେ ବସ । ଆଜି ଆମେ ଖୁବ୍‌ ଗପିବା, ବାହାଘର ଆଗରୁ ଯେମିତି ବହୁତ ସମୟ ଧରି ଗପୁଥିଲେ, ଠିକ୍‌ ସେମିତିକା । ବହୁତ ସମୟ... ।”

 

ମିତା ଆଦୌ ବୁଝିପାରୁ ନ ଥିଲା, ହଠାତ୍‌ ତା ସ୍ୱାମୀର ଏ ଭାବାନ୍ତର କାହିଁକି ? ଦୁଇ ତିନି ବର୍ଷ ସଂସାରୀ ଜୀବନ ତାଠୁ ମଧ୍ୟ ଆବେଗ ଓ ଭାବପ୍ରବଣତା ଛଡ଼େଇ ନେଇଚି । ପାଖକୁ ଲାଗିଆସି କହିଲା, “କଣ ଦେହ ତମର ଭଲଲାଗୁନି କି ?”

 

“ନା, ଦେହ କିଛି ହେଇନି । ତମେ ଆଗ ଏଇଠି ବସିଲ । ବହୁତ କଥା ଅଛି ।”

 

ମିତା ଫିକ୍‌କିନା ହସିଦେଇ ରୋଷେଇ ଘରକୁ ଫେରି ଯାଉ ଯାଉ କହିଲା, “ବହୁତ କାମ ପଡ଼ିଚି । ତମେ ହାତ ଧୁଆଧୋଇ କରି ବସ, ପରେ ଯାହା କହିବାର କଥା କହିବ ।”

 

ଏହାପରେ ତନ୍ମୟ କଣ କହିବ ବୁଝିପାରୁ ନ ଥିଲା ।

Image

 

ଆଖଡ଼ା ଘର

ହସ୍ତାକ୍ଷର

 

“ଭଲ ହେଲା, ଠିକ୍‌ ବେଳେ ତମ ସାଙ୍ଗେ ଦେଖା ହେଇଗଲା । ନ ହେଲେ ଅବିକା କେତେ ଘଣ୍ଟା ମୋତେ ଏଇଠି ଛିଡ଼ାହେବାକୁ ପଡ଼ିଥାନ୍ତା କିଏ ଜାଣେ ? ଓହୋ, ଏତେ ଲମ୍ବା ଧାଡ଼ି ଦେଖି ମୁଁ ତ ଆଜି ସେକ୍ରେଟେରିଏଟ୍‌ ଭିତରକୁ ଯାଇ ହେବ, ଏ ଆଶା ମନରୁ ଛାଡ଼ିଦେଇଥିଲି । ହଁ, ବୁଝିଲ ମୁକୁନ୍ଦ... ।”

 

ନରୋତ୍ତମ ବାବୁ କଥା ସଂପୂର୍ଣ୍ଣ କରିପାରିଲେ ନାହିଁ । ମୁକୁନ୍ଦ ସେତେବେଳକୁ ତାଙ୍କୁ ପଛରେ ପକେଇ ଦଶ ବାର ହାତ ଆଗକୁ ଚାଲିଗଲାଣି । ତାଙ୍କୁ ସିନା ସେକ୍ରେଟେରିଏଟ୍‌ ହତା ଭିତରକୁ ଯିବା ପାଇଁ ଏତେ ଡର; କିନ୍ତୁ ମୁକୁନ୍ଦ ବେଶ୍‌ ନିଃସଙ୍କୋଚରେ, ନିଦକରେ ଡଗଡଗ ହୋଇ ସେଆଡ଼କୁ ଧାଇଁ ଯାଉଛି ।

 

ମୁକୁନ୍ଦ ତାଙ୍କ ଗାଆଁ ସରପଞ୍ଚ ଶ୍ରୀହରି ମହାନ୍ତିଙ୍କ ମଝିଆ ପୁଅ । ଭୁବନେଶ୍ୱରରେ କଣ ଗୋଟାଏ ବେପାର କରୁଛି । ହାଲ୍‌କୁ ଯୁବ କଂଗ୍ରେସ ନେତା ପାଲଟିଛି ସେ । ସେକ୍ରେଟେରିଏଟ୍‌ ହତାକୁ ପଶିବା ତାର ବାଏଁ ହାତ୍‌କା ଖେଲ୍‌ । ମନ୍ତ୍ରୀ, ହାକିମଙ୍କ ଘରକୁ ବି ସେ ସେମାନଙ୍କର ଅତି ନିଘନ ଲୋକପରି ଯେତେବେଳେ ନାହିଁ ସେତେବେଳେ ପଶିଯାଇପାରେ - ଏଇଟା ମୁକୁନ୍ଦର ନିଜ କହିବା କଥା । ବୁଝିଲ ମୁକୁନ୍ଦ, ତମେ ନ ଥିଲେ ମୁଁ ଆଜି ଏକା ବଡ଼ ହଇରାଣରେ ପଡ଼ିଥାନ୍ତି, ନିଜ ତରଫରୁ କୃତଜ୍ଞତା ପ୍ରକାଶ କରିବା ପାଇଁ ନରୋତ୍ତମ ଯେମିତି ଭିତରେ ଭିତରେ ଛାଟିପିଟି ହେଉଥିଲେ । ଅଭ୍ୟର୍ଥନା କାଉଣ୍ଟର ପାଖେ ସେ ଯୋଉ ଭିଡ଼ !

 

ମୁକୁନ୍ଦ ଭାରି ଚାଲାକ । ସିଏ ସବୁବେଳେ ସେକ୍ରେଟାରିଏଟ୍‌ ପଛପଟ ଗେଟ୍‌ବାଟେ ଯା-ଆସ କରେ । ଏପଟେ ପହରା ଟିକେ ଢିଲା । ତେବେ ମୁକୁନ୍ଦ ପଛେ ପଛେ ନରୋତ୍ତମ ଫାଟକ ପାର ହେବାବେଳେ ପହରା ଦେଉଥିବା କନେଷ୍ଟବଳକୁ ଯେମିତି ଚାହିଁଲେ ସେତିକିରେ ସେ ସନ୍ଦେହ କରି ପଚାରିଲା, “କୁଆଡ଼େ ? ପାସ୍‌ ଦେଖାଅ ।”

 

ମୁକୁନ୍ଦ କିଛି ବାଟ ଆଗେଇ ଯାଇଥିଲା । ପଛକୁ ଫେରିଆସି କନେଷ୍ଟବଳକୁ କହିଲା, “ଯୁବ କଂଗ୍ରେସ ।” ବାସ୍‌, କନେଷ୍ଟବଳଟି ସେତିକିରେ ସବୁ ବୁଝିଗଲା ଭଙ୍ଗୀରେ ଅନ୍ୟ ଆଡ଼କୁ ଦୃଷ୍ଟି ଫେରାଇନେଲା ।

 

ମୁକୁନ୍ଦ ନରୋତ୍ତମ ମାଷ୍ଟ୍ରଙ୍କୁ ଶିକ୍ଷାବିଭାଗ ଶାସନ ସଚିବଙ୍କ ଦପ୍ତର ସାମ୍‌ନାରେ ପହଞ୍ଚେଇଦେଇ ନେତୃସୁଲଭ ଭଙ୍ଗୀରେ କହିଲା, “ମୋତେ ଆଜି ସି.ଏମ୍‌.ଙ୍କୁ ଭେଟିବାର ଅଛି । ପରେ ଦେଖାହେବ । ଆସୁଛି ଆଜ୍ଞା ।” ତାପରେ ଚଟି ଘୋଷାରି ଘୋଷାରି ସେ ଚାଲିଗଲା ।

 

ଶ୍ରୀ ସୁଶାନ୍ତ ମହାପାତ୍ର, ଆଇ.ଏ.ଏସ୍‌. ଶାସନ ସଚିବ - ଅନୁଚ୍ଚ କଣ୍ଠରେ ପ୍ରଥମେ ନାମଫଳକଟିକୁ ପଢ଼ିଲେ ନରୋତ୍ତମ । ତାଙ୍କର ଆଖି ଦୁଇଟି ଉଜ୍ଜ୍ୱଳ ହୋଇଉଠିଲା । କ୍ଷଣକ ପାଇଁ ସେ ଆତ୍ମବିସ୍ମୃତ ହେଇଯାଉଥିଲେ । ତାଙ୍କ ଆଖି ଆଗରେ ଡଉଲଡାଉଲ ଗୋରା ତକତକ ଡେଙ୍ଗା ଚେହେରାର କିଶୋରଟିଏର ମୁହଁ ଭାସିଯାଉଥିଲା । ବାର ତେର ବର୍ଷର ହାଫ୍‌ପ୍ୟାଣ୍ଟ୍‌ ପିନ୍ଧା କିଶୋରଟିଏର ସେ ମୁହଁ । ବେତମାଡ଼ ଖାଇବା ଦୂରର କଥା, ବେତ ଉଞ୍ଚେଇଲେ ବି ପାଞ୍ଚ ହାତ ନାଚି ଦଉଡ଼ି ପଳଉଥିବା ଡରକୁଳା କିଶୋରଟିର ଚେହେରା । ସିଏ ସୁଶାନ୍ତ । ତାଙ୍କର ଅତୀତର ଛାତ୍ର । ଏବର ଶିକ୍ଷାବିଭାଗ ଶାସନ ସଚିବ ସୁଶାନ୍ତ ମହାପାତ୍ର, ଆଇ.ଏ.ଏସ୍‌. ।

 

“ଏଠି କାହିଁକି ଛିଡ଼ା ହେଇଚ ହୋ ମଉସା, ଚାଲ ଚାଲ ।”

 

ନରୋତ୍ତମ ନାକ ଉପରୁ ବାରମ୍ବାର ଖସିପଡ଼ୁଥିବା ଚଷମାଟିକୁ ସଜାଡ଼ି ନେଇ ସାମ୍‌ନାକୁ ଚାହିଁଲେ । ଚପରାସୀଟି ତାଙ୍କୁ ପଚାରୁଥିଲା । ନରୋତ୍ତମ ସେତେବେଳକୁ ଏତେ ଖୁସି ହେଇପଡ଼ିଥିଲେ ଯେ, ତାଙ୍କୁ ଲାଗୁଥିଲା ଦୁଇ କାନ୍ଧରେ ଯେପରି ଡେଣା ଲାଗିଯାଇଛି ଏବଂ ସେ ଭୂଇଁଠାରୁ ଅନେକ ଉଚ୍ଚରେ ଉଡ଼ୁଛନ୍ତି । ଚପରାସୀର ଘାଘରା କଣ୍ଠର ଏ ତାଗିଦକୁ ତେଣୁ ସେ ଶୁଣି ନ ଶୁଣିଲା ପରି ଏଡ଼ି ଯିବାକୁ ଚାହୁଁଥିଲେ ।

 

- କିହୋ ମଉସା, ତମକୁ ଶୁଭୁ ନାହିଁ କି ?

 

- ଆଁ, କଣ କହିଲ ?

 

- ଏଠି କାହିଁକି ଛିଡ଼ା ହେଇଚ ?

 

- ମୁଁ ଆସିଛି ଟିକେ ସୁଶାନ୍ତକୁ ଦେଖା କରିବି ।

 

- ସୁଶାନ୍ତ... ସୁଶାନ୍ତ କିଏ ?

 

“ଓହୋ, ଭୁଲ୍‌ ହୋଇଗଲା, ସେକ୍ରେଟେରୀ, ହଁ ହଁ, ମୁଁ ଏଜୁକେସନ୍‌ ସେକ୍ରେଟେରୀଙ୍କୁ ଟିକିଏ ସାକ୍ଷାତ୍‌ କରିବି” - ନିଜ ଭୁଲ୍‌କୁ ସଂଶୋଧନ କରି ନରୋତ୍ତମ କହିଲେ ।

 

“ହଁ, ସେଇକଥା କହୁନ । ମୁଁ ତ ଭାବିଥିଲି ତମେ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ସେକ୍‌ସନ୍‌ର ବଡ଼ ବାବୁ ସୁଶାନ୍ତ ବାବୁଙ୍କ କଥା କହୁଛ । ହେଲା ଯେ, ଏଇନା ତ ସାର୍‌ଙ୍କ ସାଙ୍ଗେ ଦେଖା ହୋଇପାରିବ ନାହିଁ-। ସେ ମିଟିଂରେ ବସିଛନ୍ତି ।”

 

“ସେ କଥା କହନି ପୁଅ । ବହୁତ ଦୂରରୁ ଆସିଛି । ମିଟିଂ କେତେବେଳେ ସରିବ ?”

 

“ଘଣ୍ଟାଏ, ଦେଢ଼ଘଣ୍ଟା ତ ଲାଗିବ ନିଶ୍ଚୟ ।” ଚପରାସୀଟି ସେତେବେଳକୁ ଓଡ଼ିଶା ସରକାରଙ୍କର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବରେ ହିଁ କଥା କହିବାକୁ ଚେଷ୍ଟା କରୁଥିଲା ।

 

“ହଉ, ଘଣ୍ଟେ ଦେଢ଼ଘଣ୍ଟା ତ, ଏଇଠି ବସିଯିବି । ହେଲେ ବାବୁ, ଭିତରକୁ ଖବର ଟିକିଏ କେମିତି ପଠାନ୍ତେ । ମୁଁ ତାଙ୍କ ଗାଆଁରୁ ଆସିଛି ।”

 

ନରୋତ୍ତମଙ୍କର ସରଳ ଚାହାଣି ଓ ବେଶଭୂଷାରୁ ଚପରାସୀଟି ଜାଣିସାରିଥିଲା ଯେ ଏ ଜଣକ କେପିଟାଲ୍‌ରେ ନୂଆ । ସେକ୍ରେଟେରୀଙ୍କ ସାଙ୍ଗେ ଦେଖାକରେଇ ଦେଲେ ଟଙ୍କା ପାଞ୍ଚଟା ତ ନିଶ୍ଚେ ମିଳିଯିବ । ସେ ସଟାକ୍‌କିନା ଖଣ୍ଡିଏ ଧଳା କାଗଜ ଟୁକୁରା କାଗଜ ଗୁନ୍ଥାରୁ ଟାଣିଆଣି ନରୋତ୍ତମଙ୍କୁ ବଢ଼େଇଦେଇ କହିଲା, “ଏଇଥିରେ ନାଆଁ ଗାଆଁ ଲେଖିଦିଅ ମଉସା ।”

 

ନରୋତ୍ତମ ପକେଟ୍‌ରୁ ଫାଉଣ୍ଟେନ୍‌ ପେନ୍‌ ବାହାର କରି ଅଭ୍ୟାସବଶତଃ ପହିଲେ ଥରେ ଦିଥର କାଳି ଛିଞ୍ଚାଡ଼ି ସ୍ଲିପ୍‌ ଉପରେ ଲେଖିଲେ, ନରୋତ୍ତମ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, କଲ୍ୟାଣପୁର ଉ.ପ୍ରା. ବିଦ୍ୟାଳୟ ।

 

ଚପରାସୀ ସ୍ଲିପ୍‌ ଖଣ୍ଡକ ଧରି ଭିତରକୁ ଚାଲିଗଲା । ନରୋତ୍ତମ ସନ୍ତର୍ପଣରେ ଏଆଡ଼େ ସେଆଡ଼େ ଚାହିଁ ଶିକ୍ଷା ବିଭାଗର ଭାଗ୍ୟନିୟନ୍ତାମାନଙ୍କ ନାମଫଳକଗୁଡ଼ାକ ଉପରେ ଆଖି ବୁଲଉଥିଲେ ।

 

ଚପରାସୀଟି ଆସି କହିଲା, “ପି.ଏ.ଙ୍କୁ ସ୍ଲିପ୍‌ଟା ଦେଇଆସିଛି । ତମେ ଯାଅ, ଚା ଫା ଖାଇ ଘଣ୍ଟାଏ ପରେ ଆସିବ । ହଁ, ବେଶୀ ଡେରି କରିବ ନାହିଁ! ନ ହେଲେ ସାହେବ ଲଞ୍ଚ୍‌କୁ ଚାଲିଯିବେ ।”

 

ନରୋତ୍ତମ ନିରୀହ କଣ୍ଠରେ କହିଲେ, “ମୁଁ ଆଉ କୁଆଡ଼େ ଯିବି ବାବୁ ? ଏଠି ଦୋକାନ ବଜାର କେଉଁଠି ଜାଣିନାହିଁ । ଆଉ କେତେ ବା ସମୟ, ବସିଯାଉଛି ।”

 

ଚପରାସୀଟି ନିଜ ଟୁଲ୍‌କୁ ଦେଖେଇ କହିଲା, “ହଉ ହଉ, ଏଇଠି ବସ । ମୋତେ ଦିଇଟା ଟଙ୍କା ଦିଅ, ମୁଁ ତମ ପାଇଁ ପାନ ନେଇ ଆସୁଛି । କି ରକମ ପାନ? ଡିଲକ୍‌ସ ମିଠା ଚଳିବ ?”

 

ନରୋତ୍ତମ ଖୋଷଣିରୁ ଦୁଇଟଙ୍କିଆ ନୋଟ୍‌ଟେ କାଢ଼ି ବଡ଼ ଯତ୍ନରେ ଚପରାସୀ ହାତକୁ ବଢ଼େଇ କହିଲେ, “ଖୁଚୁରା ନାହିଁ, ତମେ ଯା, ଭଙ୍ଗେଇ ଯାହା ଆଣିବ ।”

 

ୟା ଭିତରେ ଟିକିଏ ଛାଇନିଦ ମାଡ଼ିଆସିଥିଲା ନରୋତ୍ତମଙ୍କୁ । କଲିଂବେଲ୍‌ଟା ଟିଂ ଟିଂ ହେଇ ବାଜିଉଠିବାରୁ ସେ ସଳଖ ହେଇ ବସିଲେ । ଚପରାସୀଟି ସେକ୍ରେଟେରୀଙ୍କ କମରା ଭିତରୁ ବାହାରି ଆସି କହିଲା, “ତମର ବେଳ ଭଲ ମଉସା, ସାଇବ ଡାକୁଛନ୍ତି ଯାଅ ।” ନରୋତ୍ତମ ଟିକିଏ ନିଜକୁ ସଜାଡ଼ି ନେଇ ବାହାରେ ଅପେକ୍ଷମାଣ ଲୋକମାନଙ୍କ ଆଡ଼କୁ ଥରେ ଅନେଇ ଭିତରକୁ ପଶିଗଲେ ।

 

ଘର ଭିତରଟା ଏତେ ଥଣ୍ଡା ଲାଗୁଥିବ ବୋଲି କେବେ ବି କଳ୍ପନା କରି ନ ଥିଲେ ନରୋତ୍ତମ । ବଇଶାଖ ମାସ ଦ୍ୱିପ୍ରହରରେ ଘରଟା ଏତେ ଥଣ୍ଡା ଲାଗୁଛି କେମିତି ? ପାଦତଳ କାର୍ପେଟଟା ବି କେତେ ନରମ, ମୁଲାୟମ ।

 

“ଆସନ୍ତୁ ସାର୍‌, ନମସ୍କାର ।” ଶାସନ ସଚିବ ସୁଶାନ୍ତ ମହାପାତ୍ର, ତାଙ୍କର ଅତୀତର ମେଧାବୀ ଛାତ୍ର ସୁଶାନ୍ତ ଗୋଟାଏ ସୁନ୍ଦରିଆ ଚୌକି ଉପରେ ବସି ନରୋତ୍ତମଙ୍କୁ ନମସ୍କାର କରୁଥିଲେ ।

 

“ଦୀର୍ଘଜୀବୀ ହୁଅ ସୁଶାନ୍ତ, ଦୀର୍ଘଜୀବୀ ହୁଅ ।”

 

“ବସନ୍ତୁ । ଆସେଂବ୍ଲି ଚାଲିଛି ତ ! ଆପଣଙ୍କର କଣ ପ୍ରବ୍ଲେମ୍‌ ଥିଲା କି ? କୁହନ୍ତୁ । ମୁଁ ଟିକେ ବ୍ୟସ୍ତ ଅଛି ।”

 

ବଡ଼ ସିଧା ସିଧା କଥାବାର୍ତ୍ତା । ନରୋତ୍ତମଙ୍କୁ ଟିକିଏ ଖଟ୍‌କା ଲାଗିଲା । ପଚିଶ ବର୍ଷ ପରେ ସେ ତାଙ୍କର ପ୍ରିୟ ଛାତ୍ରଟିକୁ ଦେଖୁଛନ୍ତି । ସେଇ ତରତରିଆ, ବ୍ୟସ୍ତ ଭାବ । ଆଉ ଟିକିଏ ଅପେକ୍ଷା କରି ଏ ପ୍ରଶ୍ନ ପଚାରିଥିଲେ ଚଳି ନ ଥା’ନ୍ତା !

 

ନରୋତ୍ତମ ଆଗତୁରା ନିଜର ବ୍ୟାଗ୍‌ରୁ ମେଞ୍ଚାଏ କାଗଜ କାଢ଼ି ଟେବୁଲ୍‌ ଉପରେ ସନ୍ତର୍ପଣରେ ଥୋଇଲେ । ଗୁଡ଼ାଏ ଲୋଚାକୋଚା କାଗଜପତ୍ର ଦେଖି ସେକ୍ରେଟେରୀ ମହୋଦୟ ବ୍ୟସ୍ତ ହୋଇପଡ଼ିଲେ । ସେ ଟିକିଏ ଉଷ୍ମ ଗଳାରେ କହିଲେ, “ମୋତେ ପ୍ରବ୍‌ଲେମ୍‌ଟା କୁହନ୍ତୁ । ସେସବୁ ଥାଉ; ପରେ ଦେଖିବି ।”

 

ନରୋତ୍ତମ ଡରିଲା କଣ୍ଠରେ କହିଲେ, “ମୋ ପେନ୍‌ସନ୍‌ କାଗଜପତ୍ର ଗୁଡ଼ାକ... ।”

 

“ଆଚ୍ଛା, ଆଚ୍ଛା- ବସନ୍ତୁ ।” ସେକ୍ରେଟେରୀ କହିଲେ ।

 

ତାପରେ ସେକ୍ରେଟେରୀ ଘିର୍‌କିନା ବୁଲିପଡ଼ି ଟେଲିଫୋନ୍‌ ବଜର୍‌ଟା ଚିପି ପି.ଏ.ଙ୍କୁ ଡାକିଲେ । ପି.ଏ. ତୁରନ୍ତ ଖାତା ପେନ୍‌ସିଲ୍‌ ଧରି ପହଞ୍ଚିବା ପରେ ସେକ୍ରେଟେରୀ ତାଙ୍କୁ କହିଲେ, “ଶୁଣ ରାୟ, ନରୋତ୍ତମ ସାର୍‍‌ଙ୍କର ପେନ୍‌ସନ୍‌ କାଗଜପତ୍ର ନେଇ କିଛି ପ୍ରବ୍‌ଲେମ୍‌ ଅଛି । ତମେ ସେଗୁଡ଼ିକ ତାଙ୍କଠାରୁ ବୁଝିରଖ । ଇଭିନିଂରେ ମୋତେ ମନେ ପକାଇଦେବ ।” ତାପରେ ପୁଣିଥରେ ସାମ୍ନାପଟକୁ ବୁଲିପଡ଼ି ନରୋତ୍ତମଙ୍କ ଉଦ୍ଦେଶ୍ୟରେ କହିଲେ, “ଆପଣ ଯାଆନ୍ତୁ, ମୁଁ ଯାହା କରିବାର କରିବି ।”

 

ନରୋତ୍ତମ ଆଦୌ ବିଶ୍ୱାସ କରି ପାରୁ ନ ଥିଲେ ଯେ, ତାଙ୍କ କଥା କିଛି ନ ଶୁଣି ତାଙ୍କୁ ଏମିତି ଚାଲିଯିବାକୁ କୁହାଯିବ । ତାଙ୍କର ମନ ବୁଝୁ ନ ଥିଲା । ସେ ବଡ଼ ବିକଳରେ କହିଲେ, “କିନ୍ତୁ ମୁଁ ଦୁଇ ବର୍ଷ ହେଲାଣି ଦରଖାସ୍ତ କରି କରି ଥକିଗଲିଣି; ତମେ ଟିକିଏ ଚେଷ୍ଟା ନ କଲେ... ।”

 

“ମୁଁ ବୁଝିବି, ଆପଣ ଯାଆନ୍ତୁ । ବ୍ୟସ୍ତ ହୁଅନ୍ତୁନି ।” - ନିଜର ବ୍ୟକ୍ତିଗତ ସହକାରୀଙ୍କ ଉପସ୍ଥିତିରେ ନରୋତ୍ତମଙ୍କର ଏ ପ୍ରକାର ସମ୍ବୋଧନ ସେକ୍ରେଟେରୀଙ୍କୁ ଅଡ଼ୁଆ ଅଡ଼ୁଆ ଲାଗୁଥିଲା ।

 

ନରୋତ୍ତମ ଉଠିଲେ । କୋଠରି ଭିତରକୁ ପଶିବା ପୂର୍ବର ଆଗ୍ରହ, ଆଶା ଓ ବିଶ୍ୱାସ କିଛି ମାତ୍ରାରେ ନିଷ୍ପ୍ରଭ ହୋଇଯାଇଥିଲା ତାଙ୍କର । ଫେରିଲାବେଳକୁ ସେ କେବଳ ସେଇ ବିରାଟ ଘରଟାର ଦାମୀ ଟେବୁଲ ଉପରେ ଥିବା ମୋଟା ମୋଟା ଫାଇଲ, ଚିକ୍‌ଚିକ୍‌ ମାରୁଥିବା କଲମ ଦାନି ଓ ତା ସେପଟକୁ ବସିଥିବା ସେକ୍ରେଟେରୀଙ୍କୁ ଚାହୁଁଥିଲେ । କବାଟ ଏପଟେ ବସିଥିବା ଚପରାସୀଟି କିନ୍ତୁ ଦ୍ୱିଗୁଣ ଆଗ୍ରହରେ ନରୋତ୍ତମଙ୍କୁ ପଚାରିଲା, “କାମ ହୋଇଗଲା ତ ମଉସା?”

 

ନରୋତ୍ତମ କିଛି କହିବାକୁ ଯାଉଥିଲେ, ପଛରୁ ସେକ୍ରେଟେରୀଙ୍କ ପି.ଏ. ଆସି ତାଙ୍କୁ ଏକରକମ ଟାଣିନେବା ଭଙ୍ଗୀରେ କହିଲେ, “ଆସନ୍ତୁ ନରୋତ୍ତମ ବାବୁ, ଆପଣଙ୍କ ପ୍ରବ୍‌ଲେମ୍‌ ବୁଝିବା ।”

 

ସବୁଦିନ ସକାଳ ଏଗାରଟା ଯାଏ ନରୋତ୍ତମ ଅପେକ୍ଷା କରି ରହନ୍ତି ଗାଆଁର ପୋଷ୍ଟ୍‌ମ୍ୟାନ୍‌କୁ । ଦେଢ଼ମାସ ତଳେ ଭୁବନେଶ୍ୱର ଯାଇ ସେକ୍ରେଟେରୀଙ୍କୁ ଭେଟି ଆସିବା ପରେ ସେ ଘର ଘର ବୁଲି ପ୍ରଚାର କରି ଦେଇଥିଲେ ଗୋଟିଏ କଥା- ତାଙ୍କୁ ଦେଖିବା ମାତ୍ରେ କେମିତି ସୁଶାନ୍ତ ଚଉକିରୁ ଉଠି ସବୁ ଜରୁରୀ କାମ ଛାଡ଼ି ଧାଇଁ ଆସିଲା, ତାଙ୍କ କାମକଥା ତୁରନ୍ତ ବୁଝିବା ପାଇଁ ତା ପି.ଏ.କୁ ତାଗିଦ୍‌ କରିଦେଲା ଇତ୍ୟାଦି । ଯେତେହେଲେ ତାଙ୍କ ଛାତ୍ର ଟି ! ବାହାରକୁ ଏତେସବୁ କଥା କହୁଥିଲେ ବି ନିଜ ମନକୁ ନିଜେ ନରୋତ୍ତମ କିଛି ବୁଝେଇ ପାରନ୍ତି ନାହିଁ । ସତରେ କଣ ତାଙ୍କର ସେହି ଅତୀତର ସୁଧାର ଛାତ୍ରଟି ତାଙ୍କୁ ଦେଖିଲା ମାତ୍ରେ ଚୌକି ଛାଡ଼ି ଉଠି ପଡ଼ିଥିଲା ? ଅନେକ ବର୍ଷ ତଳେ ସେ ସୁଶାନ୍ତର ଶିକ୍ଷକ ଥିଲେ । ସୁଶାନ୍ତର ଅଭାବ କଥା ବୁଝି ତାକୁ ମାଗଣାରେ ଟିଉସନ୍‌ ବ୍ୟବସ୍ଥା କରିଥିଲେ । ମାତ୍ର ସେ ସବୁ ପୁରୁଣା କଥା । ଏବେ ସୁଶାନ୍ତର ପରିଚୟ ନରୋତ୍ତମ ମାଷ୍ଟରଙ୍କ ଛାତ୍ର ଭାବରେ ନୁହେଁ, ଏ ରାଜ୍ୟର ଶିକ୍ଷା ବିଭାଗର ଶାସନ ସଚିବ ଭାବରେ । ସବୁ ଚିହ୍ନା ପରିଚୟ ଲୋକଙ୍କ କଥା ବୁଝିବା ପାଇଁ ତା ପାଖେ ସମୟ ନାହିଁ । ନରୋତ୍ତମ ମନକୁ ମନ ବୁଝାଉଥିଲେ ।

 

ନିଜର ପେନ୍‌ସନ୍‌ କାଗଜପତ୍ର ଠିକ୍‌ଠାକ୍‌ ହେଇପାରୁ ନ ଥିବାରୁ ନରୋତ୍ତମ ବୁଢ଼ାବୟସରେ ପେନ୍‌ସନ୍‌ ଗଣ୍ଡାକ ପାଇପାରୁନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍କୁଲ ଡିପିଆଇ ଓ ସର୍କଲ୍‌ ଇନିସ୍‌ପେକ୍ଟରଙ୍କୁ ସେ ଦରଖାସ୍ତ ଲେଖି ଲେଖି ନୟାନ୍ତ ହୋଇଗଲେଣି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ତାଙ୍କ ଦରଖାସ୍ତର ପ୍ରାପ୍ତିସ୍ୱୀକାର କରି କାର୍ଡଖଣ୍ଡେ ଯାହା ଆସିଥିଲା, ବାସ୍‌ ସେତିକି । ତାପରେ ଆଉ କିଛି ଉତ୍ତର ନାହିଁ ।

 

ସେକ୍ରେଟେରୀଙ୍କୁ ଭେଟି ଓ ତାଙ୍କ ପି.ଏ.ଙ୍କୁ ସବୁକଥା ବୁଝେଇ କହିଆସିବାର ଅନେକ ଦିନ ବିତିଗଲାଣି । ବଡ଼ ଆଶା ନେଇ ଯାଇଥିଲେ ସେ ସେକ୍ରେଟେରୀଙ୍କ ପାଖକୁ । ଅଭାବୀ ଲୋକ ସେ । ପୁଅଟି ବେକାର ହେଇ ଘରେ ବସିଛି । ପଇସା ଅଭାବରୁ ବଢ଼ିଲା ଝିଅର ବାହାଘର ହୋଇପାରୁ ନାହିଁ । ଏସବୁ କଥା ଚେଷ୍ଟା କରି ମଧ୍ୟ ସେକ୍ରେଟେରୀଙ୍କ ପାଖରେ ସେଦିନ ସେ କହିପାରିଲେ ନାହିଁ । କହିବାକୁ ସୁଯୋଗ ମିଳିଥିଲା ବି କେଉଁଠି ?

 

ନରୋତ୍ତମ ଦିନେ ଠିକ୍‌ କଲେ, ଶେଷଥର ପାଇଁ ସେ ଭୁବନେଶ୍ୱର ଯିବେ, ସୁଶାନ୍ତକୁ ଭେଟି ନିଜ ସମସ୍ୟା କଥା କହିବେ । କେଜାଣି, ତା ଦୟା ହେଲେ ହୁଏତ ଏଥର ପେନ୍‌ସନ୍‌ ସମସ୍ୟାର ସମାଧାନ ହୋଇଯାଆନ୍ତା । ନରୋତ୍ତମଙ୍କୁ ସିନା କଥାଟା ଏତେବଡ଼ ଲାଗୁଛି । ସୁଶାନ୍ତ ପାଇଁ ତ ଏ ଦି ମିନିଟ୍‌ର କାମ । ସେଦିନ ବଡ଼ିସକାଳୁ ଅନୁକୂଳ କରି ଇଷ୍ଟଦେବତା ଚନ୍ଦ୍ରଶେଖର ମହାଦେବଙ୍କୁ ପ୍ରଣିପାତ କରି ନରୋତ୍ତମ ରାଜଧାନୀ ବସ୍‌ରେ ଉଠିଗଲେ । ଭୁବନେଶ୍ୱରରେ ଜଲ୍‌ଦି ନ ପହଞ୍ଚିଲେ ଏଣ୍ଟ୍ରି-ପାସ୍‌ ପାଇବାକୁ ଡେରିହେବ । ସେଥର ମୁକୁନ୍ଦ ଦେଖା ହୋଇଥିଲା ବୋଲି ସହଳ ସହଳ କାମ ସରିଥିଲା । ଏଥର ସେ ସୁବିଧା ନାହିଁ ତାଙ୍କର ।

 

ସିନେମା ହଲ୍‌ ହେଉ କି ପୋଷ୍ଟ ଅଫିସ୍‌ ହେଉ, ବସ୍‌ଷ୍ଟାଣ୍ଡ୍‌ ହେଉ କି ସେକ୍ରେଟେରିଏଟ୍‌ର ରିସେପ୍‌ସନ୍‌ କାଉଣ୍ଟର ହେଉ, ସବୁଠି ଟିକେ ଟଣାଓଟରା ଭିଡ଼ଭାଡ଼ ନ ହେଲେ ଯେମିତି ସେଠିକାର ଦୃଶ୍ୟଟା ସଂପୂର୍ଣ୍ଣ ହୁଏ ନାହିଁ । ଲୋକମାନଙ୍କର ଧୈର୍ଯ୍ୟର ଘୋର ଅଭାବ । ଏସବୁ ସଂସ୍କାରର ଅଭାବ; ଘୋର ଅଭାବ - ଶୁଦ୍ଧବାଦୀ ଶିକ୍ଷକ ନରୋତ୍ତମ ରିସେପ୍‌ସନ୍‌ କାଉଣ୍ଟର ସାମ୍ନାରେ ଲମ୍ବିଥିବା ଲୋକମାନଙ୍କ ଧାଡ଼ିକୁ ଲକ୍ଷ୍ୟକରି ମନେ ମନେ ଗୁଣି ହେଉଥିଲେ ।

 

ପୁଣିଥରେ ସେଇ ଚପରାସୀ ସହ ଦେଖାହେଲା ନରୋତ୍ତମଙ୍କର । ହେଲେ ଏଥର ସେ ଟିକିଏ ବେଶୀ ବ୍ୟସ୍ତ ଥିଲା ପରି ଜଣାପଡ଼ୁଥିଲା । ନରୋତ୍ତମ ଧୀରଗଳାରେ ପଚାରିଲେ, “ବାବୁ, ଟିକିଏ ତମ ସେକ୍ରେଟେରୀଙ୍କୁ ଭେଟନ୍ତେ ।” ଚପରାସୀଟି ତାର ଦୁଇ ଓଠ ଉପରେ ଆଙ୍ଗୁଳି ଚାପିରଖି ଇସାରାରେ କହିଲା, “ଚୁଉପ୍‌, ଆସ୍ତେ ଆସ୍ତେ । ଭିତରେ ହାଇ ଲେଭଲ୍‌ ଡିସ୍‌କସନ୍‌ ଚାଲିଛି । ପନ୍ଦର ଦିନ କାଳ ଟୁର୍‌ରେ ଥିଲେ ସାହେବ । ଆଜି ଆଉ ଦେଖା ହୋଇପାରିବ ନାହିଁ । ତମେ ଯାଅ, ପରେ ଆସିବ ।”

 

ନରୋତ୍ତମଙ୍କ ଗୋଡ଼ହାତ ସବୁ ଝାଳେଇଗଲା । ଏତେ ବାଟ ପରିଶ୍ରମ କରି ଆସିଛନ୍ତି, ଫେରିଗଲେ କଣ ଲାଭ ହେବ ? ବୁଡ଼ିଗଲା ଲୋକ କୁଟାଖିଅକୁ ଆଶ୍ରାକଲା ପରି ସେ ଚପରାସୀକୁ ପଚାରିଲେ, “ଆଚ୍ଛା, ସେକ୍ରେଟେରୀଙ୍କ ପି.ଏ.ଙ୍କ ସାଙ୍ଗରେ ଟିକେ ଦେଖା ହୋଇପାରିବ ନାହିଁ ?”

 

ଚପରାସୀ ଏଥର ଇଙ୍ଗିତରେ ପାଖର ଏକ ଛୋଟ ରୁମ୍‌କୁ ଆଙ୍ଗୁଳି ଦେଖାଇଦେଲା ।

 

ପି.ଏ. କହିଲେ, “ମୁଁ ତ ସବୁକଥା ବ୍ରିଫ୍‌ କରିଦେଇଥିଲି ସାହେବଙ୍କୁ । ଆଉ ଅବା ମୁଁ କଣ କରିପାରିବି ? ଆପଣ ଆଜି ଆଉ କଣ ଦେଖା ପାଇବେ ! ଡିସ୍‌କସନ୍‌ ଚାଲିଛି । ୟା’ପରେ ତାଙ୍କର ମିନିଷ୍ଟର୍‌ଙ୍କ ସାଙ୍ଗେ ଆପଏଣ୍ଟମେଣ୍ଟ୍‌ ଅଛି । ସନ୍ଧ୍ୟାବେଳେ ସୂଚନା ଭବନରେ ସାହିତ୍ୟସଭା । ଆଜିକା କାମ ଇଏ ନୁହେଁ । ଆପଣ ଆଉଦିନେ ଆସନ୍ତୁ ।” ତାପରେ ପି.ଏ. ତାଙ୍କ ହାତପାଖରେ ରିଙ୍ଗ୍‌ କରୁଥିବା ଫୋନ୍‌ଟି ଉଠେଇନେବା ସଙ୍ଗେ ସଙ୍ଗେ ନରୋତ୍ତମଙ୍କ ଉପସ୍ଥିତି ସମ୍ପର୍କରେ ବିସ୍ମୃତ ହୋଇଗଲେ ।

 

ନରୋତ୍ତମ ଆଉ ବା କଣ କରନ୍ତେ ? ଏତେ ବାଟ ଆସି ଯଦି ଏଠି ଦେଖା ନ ହେଲା ତାହେଲେ ସୁଶାନ୍ତର ବସାକୁ ଚାଲିଗଲେ ଅନ୍ତତଃ ଦେଖାହେଇପାରିବ । ସେ ଚପରାସୀକୁ ପଚାରି ସେକ୍ରେଟେରୀଙ୍କ କ୍ୱାର୍ଟର୍ସ ଠିକଣାଟା ବୁଝିନେଲେ ।

 

ସେକ୍ରେଟେରୀ ସୁଶାନ୍ତ ମହାପାତ୍ର ଅଫିସ୍‌ କାମ ସାରି କ୍ୱାର୍ଟର୍ସରେ ପହଞ୍ଚିଚଲାବେଳକୁ ପାଞ୍ଚଟା । ଟିକିଏ ଫ୍ରେସ୍‌ ହୋଇ ପୁଣି ମିଟିଂ ଯିବାକୁ ପଡ଼ିବ । ଏ ଯେଉଁ ଗରମ ଆଜିକାଲି ପଡ଼ୁଛି, ବାତାନୁକୂଳିତ ଘରଛଡ଼ା ଅନ୍ୟ କେଉଁଠି ବସାଉଠା କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ।

 

ହଠାତ୍‌ ବାରଣ୍ଡା ଉପରେ ନରୋତ୍ତମ ମାଷ୍ଟ୍ରଙ୍କୁ ଦେଖି ସୁଶାନ୍ତ ବାବୁ ଚମକିପଡ଼ିଲେ । ମନେ ମନେ ଇଂରାଜୀ ମିଶା ଓଡ଼ିଆରେ ଥୋଡ଼ାଏ ବକିଗଲେ । ତାପରେ କଣ୍ଠସ୍ୱରକୁ ଯଥାସମ୍ଭବ ନରମ କରି ନରୋତ୍ତମଙ୍କ ସମସ୍ୟା କଥା ବୁଝିବା ଭଙ୍ଗୀରେ ପଚାରିଲେ, “ଆପଣ ଅଫିସ୍‌କୁ ଗଲେ ନାହିଁ କାହିଁକି ?”

 

: ଅଫିସ୍‌କୁ ଯାଇଥିଲି ବାପା, ହେଲେ ତୁମେ ବେଶୀ ବ୍ୟସ୍ତ ଥିଲ ।

 

: କିନ୍ତୁ ଏଠି ମୁଁ କଣ କରିପାରିବି ? ତାଛଡ଼ା ମୋତେ ସାଙ୍ଗେ ସାଙ୍ଗେ ମିଟିଂକୁ ବାହାରିଯିବାକୁ ପଡ଼ିବ ।

 

: ମୋର ଦୁଇ ମିନିଟ୍‌ର କାମ । ସେଇ ପେନ୍‌ସନ୍‌ କାଗଜପତ୍ର ଗୁଡ଼ାକ ଏଯାଏ ଠିକ୍‌ ହୋଇପାରିଲା ନାହିଁ । ତମକୁ କହି ଯଦି ନହେବ, ଆଉ ତାହେଲେ ମୁଁ କାହାକୁ କହିବି ? ମୋର ବା କିଏ ସାହା ଭରସା ଅଛି ?

 

: ଆଚ୍ଛା, ଆପଣ ଏ ସମ୍ପର୍କରେ ଡିଟେଲ୍‌ସ ଖଣ୍ଡିଏ କାଗଜରେ ଲେଖିଦେଇ ଯାଆନ୍ତୁ । ଏଇଠି ବସି ଲେଖନ୍ତୁ । ମୁଁ ଦଶ ମିନିଟ୍‌ରେ ଭିତରୁ ଆସୁଛି ।

 

ନରୋତ୍ତମ ପୁଣିଥରେ ସୁଶାନ୍ତର ସଫାରି ପିନ୍ଧା ଚେହେରାକୁ ଚାହିଁଲେ । ଗୋଟିଏ ମିନିଟ୍‌ ପାଇଁ ଏକ ହାଫ୍‌ପ୍ୟାଣ୍ଟ୍‌ ପିନ୍ଧା କିଶୋରର ସରଳ ମୁହଁ ପୁଣି ତାଙ୍କ ଆଖି ଆଗରେ ନାଚିଉଠି ଉଭେଇଗଲା ।

 

ସୁଶାନ୍ତ ଝଡ଼ ପରି ଘରୁ ବାହାରି ଗାଡ଼ିରେ ବସିବା ପୂର୍ବରୁ ନରୋତ୍ତମ ମାଷ୍ଟ୍ରଙ୍କୁ କହିଲେ, “ଆଣନ୍ତୁ ଆପଣଙ୍କର ସେ କାଗଜଟା । ମୁଁ ବୁଝିବି । ଆପଣ ଆଜି ଯାଆନ୍ତୁ । ମୁଁ ଖୁବ୍‌ ‘ବିଜି’ ଅଛି ।”

 

ନରୋତ୍ତମ ଅଗତ୍ୟା କାଗଜଖଣ୍ଡକ ସୁଶାନ୍ତକୁ ଧରେଇ ଦେଇ କହିଲେ, “ତମକୁ ଲାଗିଲା ସୁଶାନ୍ତ । ବୁଢ଼ା ମାଷ୍ଟ୍ରଟାକୁ ତମେ ଟିକେ ନ ଚାହିଁଲେ... ।”

 

ତାଙ୍କ ମୁହଁର କଥା ମୁହଁରେ ରହିଗଲା । କାରଣ, ସେତେବେଳକୁ ସେକ୍ରେଟେରୀଙ୍କ ଧଳା ରଙ୍ଗର କାର୍‌ଟା ଗେଟ୍‌ ପାର ହୋଇ ସାରିଲାଣି । ନରୋତ୍ତମ ତୁଚ୍ଛାଟାରେ ସେଠି ଠିଆହୋଇ ଏଗୁଡ଼ା କହୁଥିଲେ ।

 

ଚୌକି ଉପରୁ ଉଠିଲେ ନରୋତ୍ତମ । ସେକ୍ରେଟେରୀଙ୍କ ଅଗଣାରେ ଯେଉଁ ବଡ଼ ଟେବୁଲ୍‌ଟା ପଡ଼ିଛି, ତା ଉପରେ ଚାପା ଦିଆହୋଇ ରହିଛି ଅନେକ ହସ୍ତାକ୍ଷର କାଗଜସ୍ଲିପ୍‌ । ତାଙ୍କ ପରି ଅନ୍ୟ ସାହାଯ୍ୟପ୍ରାର୍ଥୀ ଅବସରପ୍ରାପ୍ତ ଶିକ୍ଷକମାନେ ବୋଧହୁଏ ଏଇଠି ସେମାନଙ୍କ ସମସ୍ୟା ଲେଖିଦେଇଯାଇଛନ୍ତି । ଫ୍ୟାନ୍‌ ପବନରେ ସେ କାଗଜଟୁକୁରା ମଧ୍ୟରୁ ଦୁଇ ଚାରିଖଣ୍ଡ ଉଡ଼ିଯାଇ କୋଉ କୋଣରେ ପଡ଼ିଲାଣି । ହୋଇପାରେ ତାହା ତାଙ୍କ ପରି କେଉଁ ହତଭାଗ୍ୟ ଶିକ୍ଷକର କାଗଜ ଖଣ୍ଡକ ହେଇଥିବ । ଆର କୋଣକୁ ସେ ଲମ୍ବା କାଗଜ ଖଣ୍ଡକ ତାଙ୍କ ନିଜର କାଗଜ ନୁହେଁ ତ ଆଉ-! ନରୋତ୍ତମ ବିସ୍ମୃତ ହୋଇଯାଉଥିଲେ । ନା, ନା, ସେ ତ ଠିକ୍‌ ମନେରଖିଛନ୍ତି, କାଗଜ ଖଣ୍ଡକ ସୁଶାନ୍ତ ହାତକୁ ଦେଲେ । ନରୋତ୍ତମ ଏଣେତେଣେ ପଡ଼ିଥିବା ସେ କାଗଜଗୁଡ଼ାକୁ ଗୋଟେଇ, ଧୂଳିଝାଡ଼ି, ସାଇଜ୍‌ କରି ପେପରୱେଟ୍‌ ତଳେ ଚାପାଦେଇ ରଖିଦେଲେ ।

 

ରାତି ସାତଟା ହେଲାଣି । ନରୋତ୍ତମ ଦିନସାରା ବୁଲି ବୁଲି ନୟାନ୍ତ । ବସ୍‌ଷ୍ଟାଣ୍ଡ୍‌ର ସିମେଣ୍ଟ ବେଞ୍ଚ ଉପରେ ଟିକିଏ ଢଳିପଡ଼ିଥିଲେ । ଛାଇନିଦଟା ମାଡ଼ିଆସିଥିଲା । ଦିନସାରା କିଛି ଖିଆପିଆ ନାହିଁ । ଅସ୍ଥିର ମନ । ଯାହା ହେବାର ହେଲା, ଏଥର ଗାଆଁକୁ ଫେରିବା ବେଳ ।

 

କ୍ଲିନର ଟୋକାଏ ନିଜ ନିଜର ବସ୍‌ ପାଇଁ ଯାତ୍ରୀ ସଂଗ୍ରହ ଦିଗରେ ରୀତିମତ ପ୍ରତିଯୋଗିତା ଆରମ୍ଭ କରିଦେଇଥିଲେ । କଟକ-କଟକ, ପୁରୀ-ପୁରୀ, ବାଲେଶ୍ୱର-ବାଲେଶ୍ୱର ଚିତ୍କାର ଶୁଭୁଥିଲା । ନରୋତ୍ତମ ପୁରୀ ବସ୍‌ ଭିତରକୁ ଉଠିଯାଇ ଝରକା ପାଖ ସିଟ୍‌ଟାଏ ଆବୋରି ବସିଗଲେ ।

 

ବାର୍ଦ୍ଧକ୍ୟ ହେତୁ ନରୋତ୍ତମଙ୍କୁ ଏବେ ସବୁକଥା ଚିଡ଼ିଚିଡ଼ି ଲାଗୁଛି । ଏଇ ଯେମିତି ବସ୍‌ ଭିତରକୁ ଉଠିବାବେଳେ ଅଯଥା ଠେଲାପେଲା । ସେ ଆଖି ଦୁଇଟା ମୁଦିଦେଇ ସିଟ୍‌ ଉପରେ ଆଉଜେଇ ପଡ଼ିଲେ ।

 

ଟିକେଟ୍‌... ଟିକେଟ୍‌... ।

 

ନରୋତ୍ତମ ଚାହିଁଲେ । କଣ୍ଡକ୍ଟର ଯାତ୍ରୀମାନଙ୍କୁ ଟିକେଟ୍‌ ମାସୁଲ ମାଗୁଛି । ସେ ନିଜ କାମିଜ ପକେଟ୍‌ ଅଣ୍ଡାଳିଲେ ଓ ହାତଟାକୁ ଖାଲି ବାହାର କରିଆଣି ଚମକିପଡ଼ିଲେ । ତାଙ୍କର ପୁରୁଣା ପର୍ସଟା କେଉଁଠି ପଡ଼ିଯାଇଛି । ଅନୁଚ୍ଚ କଣ୍ଠରେ ସେ ଦୁଇ ଚାରିଥର ଗୁଣିହେଲେ- ପର୍ସଟା କାହିଁ ?

 

କଣ୍ଟକ୍ଟର ଆଉଥରେ ପାଖେଇ ଆସି ଡାକିଲା, “ଟିକେଟ୍‌, ଟିକେଟ୍‌ ।”

 

ନରୋତ୍ତମ ଉଠିପଡ଼ି ଅନୁନୟ ଭଙ୍ଗୀରେ କହିଲେ, “କଣ୍ଡକ୍ଟର ବାବୁ, ମୋ ପର୍ସଟା ବୋଧେ କେଉଁଠି ପଡ଼ିଯାଇଛି । ବସ୍‌ଷ୍ଟାଣ୍ଡ୍‌ ସିମେଣ୍ଟ ବେଞ୍ଚ ଉପରେ ଟିକିଏ ଶୋଇପଡ଼ିଥିଲି । ସେଇଠି ବୋଧେ ପଡ଼ିଯାଇଥିବ । ତା ଭିତରେ ଦିଇଟା ପାଞ୍ଚଟଙ୍କିଆ ନୋଟ୍‌ ମୋର ଥିଲା ।”

 

କଣ୍ଡକ୍ଟରଟି ଆଉଥରେ ଚାହିଁଲା । ବସ୍‌ର ଝାପ୍‌ସା ଆଲୁଅରେ ସେ ନରୋତ୍ତମଙ୍କୁ ଥରୁଟିଏ ପାଇଁ ଦେଖିନେଇ କହିଲା, “ହଉ, ବସନ୍ତୁ ।”

 

ନରୋତ୍ତମଙ୍କୁ କଣ୍ଡକ୍ଟରର ବ୍ୟବହାର ଟିକିଏ ଆଶ୍ଚର୍ଯ୍ୟ ଲାଗିଲା । ସେ ଆଶଙ୍କା କରିଥିଲେ, ତାଙ୍କର ପର୍ସ ହଜିଯିବା କଥାଟାକୁ ଅବିଶ୍ୱାସ କରି କଣ୍ଡକ୍ଟର ହୁଏତ କଟାଳ କରିବ ଓ ଡ୍ରାଇଭରକୁ ଗାଡ଼ି ବନ୍ଦ କରିବାକୁ କହି ତାଙ୍କ ହାତଧରି ବସ୍‌ରୁ ଓହ୍ଲେଇଦେବ ମଝିରାସ୍ତାରେ । ଅଥଚ ଏ କଣ୍ଡକ୍ଟରଟି ସେପରି କିଛି ନ କରି ଚାଲିଗଲା ଯେ ! ନିଜର ପର୍ସ ହଜିଯିବା ଦୁର୍ଘଟଣା ପରି କଣ୍ଡକ୍ଟରର ଏଇ ଅପ୍ରତ୍ୟାଶିତ ଅନୁଗ୍ରହ ତାଙ୍କୁ ଆଶ୍ଚର୍ଯ୍ୟ କଲା ।

 

ନିଜ ଗାଁ ପାଖ ବସ୍‌ଷ୍ଟାଣ୍ଡ୍‌ରେ ଓହ୍ଲେଇ ପଡ଼ିବା କ୍ଷଣି ନରୋତ୍ତମ ଅସୀମ କୃତଜ୍ଞତାରେ କଣ୍ଡକ୍ଟରକୁ କହିଲେ, “ତମର ବହୁତ ଧର୍ମ ହେବ ପୁଅ । ତମେ ଆଜି ମୋତେ ନ ଆଣିଥିଲେ ମୁଁ ରାତିସାରା ହଇରାଣ ହୋଇଥାନ୍ତି ।”

 

କଣ୍ଡକ୍ଟରଟି ନଇଁପଡ଼ି ନରୋତ୍ତମଙ୍କ ପାଦଛୁଇଁ ପ୍ରଣାମ କରି କହିଲା, “ମୋତେ ଆପଣ ବୋଧେ ଚିହ୍ନିପାରିଲେ ନାହିଁ ସାର୍‌ । ମୁଁ ଅଭୟ । ଅଭୟ ବିଶ୍ୱାଳ । ଆପଣଙ୍କ ପାଖରେ ମାଇନର ସ୍କୁଲରେ ପଢ଼ୁଥିଲି । କୃପାସିନ୍ଧୁ ବିଶ୍ୱାଳଙ୍କ ସାନପୁଅ ।”

 

ନରୋତ୍ତମ ଯୁଗପତ୍‌ ହର୍ଷ ଓ ବିସ୍ମୟରେ ଅଭୟକୁ ଚାହିଁରହିଲେ । କ୍ଲିନର ହ୍ୱିସିଲ୍‌ ଦେବାକୁ ଯାଉଥିଲା, କଣ୍ଡକ୍ଟର ତାକୁ ବାରଣ କରି ନରୋତ୍ତମଙ୍କୁ କହିଲା, “ସାର୍‌, ଆପଣଙ୍କର ମନେଥିବ, ଖରାପ ହସ୍ତାକ୍ଷର ପାଇଁ ମୋତେ ଥରେ ସ୍କୁଲରେ ଢେର୍‌ ମାଡ଼ ଦେଇଥିଲେ । ତାପରେ ମୁଁ ପଢ଼ା ଛାଡ଼ିଦେଇଥିଲି । ମାତ୍ର ସେଇ ଖରାପ ହସ୍ତାକ୍ଷର ଆଜି ମୋତେ ମୋ ପେଟ ପୋଷିବାରେ ଏକପ୍ରକାର ସାହାଯ୍ୟ କରୁଛି ।”

 

: କେମିତିରେ ଅଭୟ ? - ନରୋତ୍ତମ ପଚାରିଲେ ।

 

“ହେଇ ଦେଖୁନାହାନ୍ତି, ଟିକେଟ୍‌ରେ ମୁଁ ପୁରୀ କି ପିପିଲି କଣ ଲେଖୁଛି ତାହା ଆପଣମାନେ ଜାଣିପାରିବେ ନାହିଁ । ଏମିତି ନ କଲେ ଟ୍ରାନ୍‌ସପୋର୍ଟବାଲାଙ୍କଠୁ ଆରମ୍ଭ କରି ଟ୍ରାଫିକ୍‌ବାଲା ଓ ଚାନ୍ଦା ଆଦାୟ କରୁଥିବା ଟୋକାମାନଙ୍କୁ ମୁଁ କିମିତି ସମ୍ଭାଳନ୍ତି ! ଆମର ଯୋଉ ଚାକିରି - ସେଥିରେ ବର୍ଷକରେ ତେରଥର ଛଟେଇ । ମୁଁ ତ ସେତିକିବେଳୁ ଆପଣଙ୍କୁ ଚିହ୍ନିସାରିଥିଲି-। ଟିକଟଗୁଡ଼ା କାଟିବାର ଥିଲା ତ ତେଣୁ ଆପଣ ଓହ୍ଲେଇବାଯାଏ ଅପେକ୍ଷା କରିଥିଲି-। ମୁଁ ରହୁଛି ସାର୍‌, ପୁଣି କେବେ ଦେଖାହେବ ।”

 

ନରୋତ୍ତମ ଆଶୀର୍ବାଦ ଦେବା ଭଙ୍ଗୀରେ ହାତ ଉଠେଇଲେ । ବସ୍‌ ଚାଲିଲା । ଅଭୟର ହାଡ଼ୁଆ ମୁହଁ ଓ ତା ବସ୍‌ର ଦୃଶ୍ୟ ଦୂରେଇଯିବା ଯାଏ ବସ୍‌ଷ୍ଟାଣ୍ଡ୍‌ରେ ଛିଡ଼ାହୋଇ ନରୋତ୍ତମ ଖାଲି ଭାବୁଥିଲେ । ତାଙ୍କ ଆଖି ଆଗରେ ଲାଗଲାଗ ଦୁଇଟି ହାପ୍‌ପ୍ୟାଣ୍ଟ୍‌ ପିନ୍ଧା କିଶୋରଙ୍କର ମୁହଁ ବାରମ୍ବାର ନାଚିଯାଉଥିଲା । ଜଣେ ସୁଧାର, କୃତୀ ଛାତ୍ର, ଚମତ୍କାର ହସ୍ତାକ୍ଷର ଲେଖୁଥିବା ଗୁଡ୍‌ବୟ; ଆଉଜଣେ ଦୁଷ୍ଟ, ପାଠଶାଠ ନ ପଢ଼ି ବୁଲାବୁଲି କରୁଥିବା, ଖରାପ ହସ୍ତାକ୍ଷର ପାଇଁ ପଢ଼ା ଛାଡ଼ି ପଳେଇଥିବା ଅବାଧ୍ୟ ବ୍ୟାଡ୍‌ବୟ । ଜଣକ ହାତରେ ଆଜି ବିରାଟ ଗୋଟାଏ ଶାସନ ବ୍ୟବସ୍ଥା, ଶିକ୍ଷାବିଭାଗର ଦାୟିତ୍ୱ; ଆଉଜଣଙ୍କ ହାତରେ ସାଧାରଣ ବସ୍‌ଟିଏର ଦାୟିତ୍ୱ ।

 

ନରୋତ୍ତମ ମନକୁ ମନ ପଚାରୁଥିଲେ, ‘ସତରେ କଣ ହସ୍ତାକ୍ଷରକୁ ଦେଖି ମଣିଷକୁ ଚିହ୍ନି ହୁଏ !’

Image

 

ସୁଦୃଶ୍ୟ ମରୀଚିକା

 

କ୍ଷଣକରେ ସବୁଯାକ ଅଭିମାନ ଭାଙ୍ଗିଗଲା ଲଳିତାର । ବିଜୟର ପଦେ କଥା ତା ଛାତିଭିତରୁ କ୍ରୋଧ, ଘୃଣା ଓ ଅହଂକାରକୁ ଓହ୍ଲେଇ ନେଇ ସେ ଜାଗାରେ ଭରିଦେଲା ସ୍ନେହ, ପ୍ରେମ ଓ ସ୍ୱପ୍ନର ହୀରା, ନୀଳା, ମୋତିମାଣିକ । ସେ ଆଉଜିପଡ଼ିଲା ବିଜୟର ପ୍ରଶସ୍ତ ଛାତି ଉପରେ, ପରମ ନିଦକରେ । ଏଇ ପୁରୁଷଟିର ଛାତି ଭିନ୍ନ ପୃଥିବୀରେ ଅଧିକ ନିରାପଦ ସ୍ଥାନ ତା ପାଇଁ ନାହିଁ-

ବିଜୟର ଛାତି ଉପରେ ମଥାପୋତି ଲଳିତା ସ୍ୱପ୍ନ ଦେଖୁଥିଲା । କି ଆନନ୍ଦ ଏମିତିକା ସ୍ୱପ୍ନ ଦେଖିବାରେ ! ବିଜୟର କଥା ପଦକୁ ସେ ବାରମ୍ବାର ଦୋହରାଉଥିଲା । “ମୁଁ ତମକୁ ବାହାହେଇ ଆମ ଘରକୁ ନେଇଯିବି କୁଳବଧୂର ସମ୍ମାନ ଦେଇ ।”

ବିଜୟର ଅଭ୍ୟସ୍ତ ହାତ ଆଙ୍ଗୁଳିଗୁଡ଼ିକ ଉଲଗ୍ନ ଲଳିତା ଦେହର ସୀମାରେଖା ମାପି ଚାଲିଥିଲା ଅବିଚାରିତ ଭାବରେ । ଲଳିତା ପାଇଁ ଏହା ନୂଆ ନୁହେଁ । ନିତିଦିନିଆ, ଗତାନୁଗତିକ । ପ୍ରତିଦିନ ବିଜୟ ଆସେ ସଞ୍ଜ ଅନ୍ଧାର ନଇଁ ଆସିଲେ । ବିଳମ୍ବ ଲାଗି ଲଳିତା ରୁଷେ, ଅଭିମାନ କରେ । କିନ୍ତୁ ବିଜୟ ଅମୋଘାସ୍ତ୍ର ପ୍ରୟୋଗ କରେ, ପଦ୍ମତୋଳା ବୋଲେ । ଅଭିମାନର ମେଘନାଦ ପାଚିରି ନିମିଷକେ ଭାଙ୍ଗିଯାଏ ।

ଲଳିତା ତା ଜୀବନ ଆରମ୍ଭ କରି ନ ଥିଲା ଏମିତି ହେବାପାଇଁ, ଯେମିତିକା ସେ ତା ନିଜ ଅଜାଣତରେ ପାଲଟିଯାଇଛି ଆଜି । ଇମିତିକା ଜୀବନ ବିତେଇବାକୁ କଣ କାହାକୁ ସୁଖ ଲାଗେ ? ତାର ବି ଅନେକ ସ୍ୱପ୍ନ ଥିଲା, ଯେମିତି ସବୁ ସତର ଡେଇଁଥିବା ଝିଅମାନେ ସ୍ୱପ୍ନ ଦେଖନ୍ତି । ମାତ୍ର ସ୍ୱପ୍ନ ଯେ କେବଳ ସ୍ୱପ୍ନ ।

ଦିନ ଯାଇ ସଞ୍ଜ ଆସେ । ଲଳିତା ଚହଟି ଉଠେ ନିଶିପଦ୍ମାର ଚମକ ନେଇ । ନିତିପିନ୍ଧା ଲୁଗା ପାଲଟି ଦାମୀ ଶାଢ଼ି ପିନ୍ଧେ । ମୁହଁରେ ସ୍ନୋ, ପାଉଡର୍‌ର ମେକ୍‌-ଅପ୍‌ ନିଏ । ଜୁଡ଼ାରେ ଗଜରା ହାର ଗୁଡ଼େଇ ଦିଏ । ଓଠ ନାଲି ପଡ଼ିଯାଏ ବନାରସୀ ପାନର ଚୂନ ଓ ଖଇର ରଙ୍ଗରେ । ଦର୍ପଣ ସାମ୍ନାରେ ବସି ନିଜକୁ ସଜଉଥିବା ଲଳିତା ନିଜର ରୂପ ଯୌବନ ଦେଖି ଆତ୍ମବିସ୍ମୃତ ହୁଏ । ଆସେ ମୁକ୍ତାର ମିଆଁ, କାଲୁ ସର୍ଦ୍ଦାର, ପେଟୁ ମାରୱାଡ଼ି, କନେଷ୍ଟବଳ ରାମିଆ ଓ ଷ୍ଟେସନାରି ଦୋକାନୀ ହରି ସାହୁ । କିଏ କହେ, “ତୁ ମେରା ଦିଲ୍‌କା ରାନୀ”, କିଏ କହେ, “ମୋର ସରଗର ଚାନ୍ଦ”, କିଏ କହେ, “ମୈନେ ତୁମ୍‌କୋ ମୋହବତ କିୟା ହୈ ।” ସେଇ ଏକା ଉଚ୍ଚାରଣ, ଅନେକ ପରିଭାଷା । ଲଳିତା ବୁଝେ, ଏସବୁ ତୁଚ୍ଛା ମନଭୁଲା କଥା । ପ୍ରତିବାଦ କରେ ନାହିଁ ।

ଏମିତିକା ଜୀବନ ସ୍ୱାଭାବିକ ଭାବରେ ହିଁ ଗଡ଼ି ଚାଲିଥିଲା ସେହି ବଖୁରିଆ ଘରଟି ଭିତରେ । ଦିନକର ମେଘ ଅନ୍ଧାର ରାତିରେ କିନ୍ତୁ ଆସିଥିଲା ବିଜୟ । ବେଶ୍‌ ମୋଟାସୋଟା ଚେହେରା, ଦେହରେ ଧଳା କୁର୍ତ୍ତା, ଧଳା ପାଇଜାମା । ଓଠରେ ସିଗ୍ରେଟ୍‌, ଆଖିରେ ଚଷମା । ସେତେବେଳକୁ ଲଳିତାଠୁ ବିଦାହେଇ ଯାଇସାରିଥିଲେ ପାଞ୍ଚଜଣ । ତାର ଆଉ ଧୈର୍ଯ୍ୟ ନ ଥିଲା ଦୁଆର ଖୋଲିବା ପାଇଁ । ମାତ୍ର ବହୁକାଳ ଧରି ଦରଜାରେ ଆୱାଜ କରିଥିଲା ବିଜୟ । ଶିଥିଳ ଲୁଗାପଟାତକ ସଜାଡ଼ି ନେଉ ନେଉ ଲଳିତା ଖୋଲିଥିଲା ଦରଜା । ଦମକାଏ ବର୍ଷାଭିଜା ଥଣ୍ଡା ପବନ ସାଙ୍ଗରେ ପଶିଆସିଥିଲା ସେ । ବିରକ୍ତିରେ ଲଳିତା କହି ଦେଇଥିଲା, “ଚାଲିଯାଅ ତମେ, ଆଜି ଆଉ ମୁଁ କାହାରି କଥା ରଖିପାରିବି ନାହିଁ ।” ମାତ୍ର ଲଳିତାର ପ୍ରତ୍ୟାଖ୍ୟାନ ବିଜୟକୁ ଆଘାତ ଦେଇପାରି ନ ଥିଲା । ସେ କେବଳ କହିଥିଲା ପଦୁଟିଏ କଥା: “ମୁଁ ତମକୁ ଉପଭୋଗ କରିବାକୁ ଆସିନାହିଁ ଲଳିତା । ମୁଁ ଆସିଛି ତମକୁ ବାହାହେଇ ନେଇଯିବାକୁ, କୁଳବଧୂର ସମ୍ମାନ ଦେଇ ।” ହଠାତ୍‌ କେଉଁ ପାଖଆଖରେ ଅବା ଚଡ଼କଟିଏ ପଡ଼ିଥିଲା । ପୁରୁଷର କଥା ପଦକରେ ପୁଣି ଥାଏ ଏଡ଼ିକି ମାଦକତା ? -ଲଳିତା ଭାବିଥିଲା ।

ଦୁହେଁ ଦୁଇଟି କପ୍‌ରେ ଚା ଧରି ମୁହାଁମୁହିଁ ବସିଥିଲେ ଓ କଥାବାର୍ତ୍ତା ହେଇଥିଲେ ଦୀର୍ଘ ସମୟ । ବିଜୟର ପଦେ ପଦେ କଥା ଲଳିତାର ଲୋମକୂପରେ ଭରି ଦେଉଥିଲା ଅଜସ୍ର କମ୍ପନ ।

ଏହା ଆଗରୁ ଲଳିତା ପର୍ସର ଚେନ୍‌ କେବେ ଖୋଲିଯାଇନଥିଲା କାହାରିକୁ ଟଙ୍କା ଦେବାପାଇଁ । ସିଏ ସମସ୍ତଙ୍କଠାରୁ ଟଙ୍କା ନେଇଥିଲା, ମାତ୍ର ବିଜୟଠାରୁ ନେଇପାରିଲା ନାହିଁ; ବରଂ ସେ ଗଲାବେଳେ ପୁଳାଏ ନୋଟ୍‌ ଜବରଦସ୍ତ ଗୁଞ୍ଜି ଦେଇଥିଲା ତା ପକେଟ୍‌ରେ ।

ବିଜୟ ଚାଲିଯାଇଥିଲା । ମାତ୍ର ତାରି ସ୍ପର୍ଶର ସ୍ମୃତିକୁ ଝୁରି ଝୁରି ସେ ରାତିଟି ଉନ୍ନିଦ୍ର ରହିଥିଲା ଲଳିତା । ତା ଆଖି ଆଗରେ ସପ୍ତବର୍ଣ୍ଣା ଇନ୍ଦ୍ରଧନୁ । ସେ ବେଦୀ ଉପରେ ବସିଛି, ଫୁଲନୋଳ ପିନ୍ଧି ବାସର ଶେଯ ପାତୁଛି ରଜନୀଗନ୍ଧା ବିଛେଇ । ସେ ଆଉ ରୂପଜୀବୀ ବେଶ୍ୟା ନୁହେଁ, କୁଳବଧୂ । ବିଜୟର ଧର୍ମପତ୍ନୀ ।

ତା ପରଦିନଠାରୁ ସେ ଆଉ କାହାରିକୁ ଟିପଛୁଆଇଁ ଦେଇ ନ ଥିଲା ତା ଦେହରେ ।

କାଲୁ ସର୍ଦ୍ଦାର ଓ ମୁକ୍ତାର ଖାଁର ଧମକ, ଗୋପୀ ସାହୁର ଗୋଡ଼ ଧରି ନେହୁରା, କେଉଁଥିରେ ସେ ଭଳି ନ ଥିଲା ଆଉ । ସେ ଆଉ ସେମାନଙ୍କୁ ଦେହଦାନ କରିବ ନାହିଁ । କାରଣ ସେ ବେଶ୍ୟା ନୁହେଁ, ବିଜୟର ବାଗ୍‌ଦତ୍ତା ।

ଆଜିକାଲି ଅନିୟମିତ ଭାବରେ ଆସେ ବିଜୟ ରାତ୍ରିର ବିଳମ୍ବିତ ପ୍ରହରରେ । ନବବିବାହିତା ବଧୂଟେ ପରି ଲଳିତା କିନ୍ତୁ ସାଜସୁଜା ହେଇ ଏପଟ ସେପଟ ହେଉଥାଏ ତାର ପ୍ରତୀକ୍ଷାରେ ।

 

ବିଜୟ କହେ, “ଆଉ କିଛିଦିନ ରୁହ । ବାପାଙ୍କୁ ରାଜି କରାଇବାକୁ ହେବ । ତାପରେ ମୁଁ ତମକୁ ନେଇଯିବି । ତମଠାରୁ ମୋତେ କେହି ଅଲଗା କରିପାରିବେ ନାହିଁ ।” କହୁ କହୁ ବିଜୟ ଲଳିତାର ମୁଣ୍ଡ ଉପରେ ଓଢ଼ଣା ଢାଙ୍କିଦିଏ; ଯେପରି ଏଇ ମୁହୂର୍ତ୍ତରେ ହିଁ ସେ ଲଳିତାକୁ କୁଳବଧୂ କରି ନେଇଯିବ ।

 

ଏବେ ଲଳିତାର ହାତ କିନ୍ତୁ ଫାଙ୍କା ହୋଇଆସିଲାଣି । ତାର ଥିଲା ଘରର କେଉଁ ନା କୋଉ କଣରେ ଅଭାବର ନଖ ଦାନ୍ତ ଦେଖାଗଲାଣି । ବିଜୟକୁ ବା ଏ ବିଷୟରେ କହିବ କିପରି ? କଣ ଭାବିବେ ସେ ? ଅନନ୍ୟୋପାୟ ହୋଇ ଦେହରୁ ଅବଶେଷ ଗହଣା ଖଣ୍ଡମାନ ଓହ୍ଲାଇ ଦିଏ । ଗହଣା ବିକା ପଇସାରେ ସେ ବିଜୟର ଚର୍ଚ୍ଚା କରେ ।

 

ଏତେସବୁ ସତ୍ତ୍ୱେ ସମୟେ ସମୟେ ଲଳିତା ମନରେ ସନ୍ଦେହର ଛୋଟ ଗଛଟି ଚାରା ମେଲେଇବାକୁ ଚେଷ୍ଟା କରେ । ବିଜୟ ତା ସାଙ୍ଗରେ ଅଭିନୟ କରୁନାହିଁ ତ ? ସତରେ ବିଜୟ ବିବାହିତ ନା ଅବିବାହିତ ? ଭାବେ, ଦିନେ ବିଜୟକୁ ନ ଜଣାଇ ତା ଘରେ ଯାଇ ପହଞ୍ଚିଯିବ । କଣ କହିବେ ତାଙ୍କ ବାପା ବୋଉ ? ରାଗିବେ, ଗାଳିଦେବେ, ଦିଅନ୍ତୁ । ସେମାନେ ତ ତାର ପର ନୁହଁନ୍ତି । ତାଙ୍କରି ଗାଳି ମାଡ଼ଖାଇ ତ ତାକୁ ସେଠି ଘର କରିବାକୁ ପଡ଼ିବ; ମାତ୍ର ପାରେ ନାହିଁ । ପରମୁହୂର୍ତ୍ତରେ ସେ ସ୍ଥିର ହୋଇ ଠିଆ ହୋଇ ରହିଯାଏ । କାଳେ ତା ପାଇଁ ବିଜୟକୁ ଅପଦସ୍ଥ ହେବାକୁ ପଡ଼ିବ !

 

ଏବେ ବିଜୟ ଆଉ ସବୁଦିନ ଆସେ ନାହିଁ । ଆସିବା କ୍ଷଣି ଯିବା ପାଇଁ ତରତର ହୁଏ । ଲଳିତା ପାଖରେ ତାର ଯେପରି ଖାଲି ଗୋଟାଏ କାମ । ସେଇତକ ସରିଗଲେ ସେ ଚାଲିଯିବ । ଲଳିତା ସେସବୁ ବୁଝେ । ଦୁଃଖ ଲାଗେ । ଆହତ ଅଭିମାନରେ ଫୁଲି ଫୁଲି ଉଠେ । ତଥାପି ପ୍ରତିବାଦ କରିପାରେ ନାହିଁ । ନିଜ ହାତରେ ନିଜ ଦେହର ଲୁଗାପଟା ଖୋଲିଦିଏ । ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପି ଦିଏ ବିଜୟର ଇଚ୍ଛା ଓ କାମନା ପାଖରେ । ବିଜୟ ଶାନ୍ତ ହୁଏ । ନିଜର ଲୁଗାପଟା ସଜାଡ଼ି ଚାଲିଯାଏ ।

 

ଉଭୟେ ଉଭୟଙ୍କର ପରିଚିତ ହେବାର ବର୍ଷଟେ ଅତିବାହିତ ହୋଇଗଲାଣି ଇତିମଧ୍ୟରେ-

 

ଆଷାଢ଼ର ଏକ ଅପରାହ୍‌ଣ । ଲଳିତା ଚାହିଁଛି ପଶ୍ଚିମକୁ । ବେଳ ବୁଡ଼ିବା ବୁଡ଼ିବା ହେଲାଣି-। ଘରେ କିଛି ନାହିଁ । ସେ ଚାରିଆଡ଼େ ଅଣ୍ଡାଳି ଗଲା । ନା କିଛି ନାହିଁ । ବର୍ଷଟେ ଭିତରେ ତାର ସମସ୍ତ ସଞ୍ଚୟ, ଗହଣାପତ୍ର, ମୂଲ୍ୟବାନ ଆସବାବପତ୍ର ବିକ୍ରି ହୋଇସାରିଛି । ସବୁ କିନ୍ତୁ ଶୂନ୍ୟ ହୋଇଯାଇଛି ତାର ଯୌବନର କ୍ଷୟିଷ୍ଣୁ ସତ୍ତାପରି । କେବଳ ବାକି ରହିଛି ଡାହାଣ ହାତର ପଟେ ସୁନା କାଚ, ଯାହାକୁ ସେ ସଧବାର ସନ୍ତକ ରୂପେ ଭାବି ଆସିଛି ଏତେ କାଳ । ତାକୁ ସେ କଦାପି ହାତଛଡ଼ା କରିପାରିବ ନାହିଁ ।

 

କିନ୍ତୁ ଏଣେ ଯେ ଘରଭଡ଼ା ବାକି, ଦୋକାନରେ ବାକି । ଦୀର୍ଘଶ୍ୱାସ ନେଲା ଲଳିତା । ତାର ମନେପଡ଼ିଲା ଆରବର୍ଷ ଏଇ ଦିନ କଥା । ବିଜୟ ସହ ତାର ହୋଇଥିଲା ପ୍ରଥମ ସାକ୍ଷାତ୍‌ । ସେଇଦିନଠାରୁ କାହିଁ କେବେ ତ କିଛି ବିଜୟ ଦେଇନାହିଁ ଲଳିତାକୁ ! ସେ ନେଉ ନ ନେଉ ବିଜୟ ତ ଯାଚିପାରିଥାନ୍ତା ! ଅଥଚ ତାର ସମଗ୍ର ସଞ୍ଚୟ ତ ବ୍ୟୟିତ ହୋଇଛି କେବଳ ବିଜୟ ପାଇଁ ! ତାର ପରିଚର୍ଯ୍ୟା ପାଇଁ !

 

ବେଳ ଗଡ଼ିଗଲାଣି । ଆଉ କିଛି ଆଶା କି ଭରସା ନାହିଁ ଲଳିତାର, ଏଇ ସୁନା ଚୁଡ଼ିପଟକ ଛଡ଼ା । ସେ ଉଠିଲା । ଆଉ ଟିକକରେ ବିଜୟ ଆସିଯିବେ । ପଅରିଦିନରୁ ଆସି ନାହାନ୍ତି ସେ ।

 

ଦେହ ହାତ ଅବଶ ଲାଗୁଛି ଲଳିତାର । ମୁଣ୍ଡ ବୁଲେଇ ଦେଉଛି । ସେ ଉଠି ଠିଆହେଲା । ହଠାତ୍‌ ତାର ପେଟଟା ମୋଡ଼ିହେଲା ପରି ଲାଗିଲା । ଭକ୍‌ଭକ୍‌ କରି ବାନ୍ତି ହୋଇଗଲା ତାର । କାନ୍ଥରେ ହାତ ଭରାଦେଇ ଉଠି ସୁରେଇ ପାଖକୁ ଗଲା । ପାଣି ଆଣି ମୁନ୍ଦେ ପିଇଲା । ଟିକିଏ ଭଲ ଲାଗିଲା ତାକୁ । କେଉଁ ଏକ ଅଜଣା ଆନନ୍ଦରେ ଆଖି ଦୁଇଟି ତାର ଝଲସି ଉଠିଲା । ମନ ଭିତରେ ଅନେକ ଆଲୋଡ଼ନ । ଆଜି ଆସନ୍ତୁ ସେ । ସବୁ କଥା ଖୋଲି କହିଦେବ । ତାକୁ ସିନା ପ୍ରତ୍ୟାଖ୍ୟାନ କରିଯାଉଥିଲା । ନିଜର ସୃଷ୍ଟିଟିକୁ ତ ସେ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ । ତା ମନରେ ବିଶ୍ୱାସ ଆସିଥିଲା ।

 

ବଜାର ମୋଡ଼ ପାଖରେ ଛିଡ଼ା ହୋଇଗଲା ଲଳିତା । ବାହାଘର ପ୍ରସେସନ୍‌ଟିଏ ଆସୁଛି ସେପଟରୁ । ଶେଷଲଗ୍ନର ବାହାଘର । ବାହାଘର ପ୍ରସେସନ୍‌ ଦେଖିବାକୁ ଖୁବ୍‌ ଖୁସି ଲାଗେ ଲଳିତାକୁ । ତା ମନ ଭିତରେ ଇଚ୍ଛାଟା ଖପ୍‌ କରି ଡେଇଁପଡ଼େ ପଦାକୁ । ପୁଣି ଗଭୀର ଦୀର୍ଘଶ୍ୱାସଟାଏ ବାହାରି ଆସେ ଅନ୍ତର ଭିତରୁ ।

 

ସେଇ ସାହାନାଇ ଓ ବାଜାର ମଧୁର ମୂର୍ଚ୍ଛନା ଭିତରେ ଲଳିତା ଆତ୍ମବିସ୍ମୃତ ହେଇପଡ଼ୁଛି । ସମାଧିସ୍ଥ ହେଇଯାଉଛି ଯେପରି ! ମନେ ମନେ ଆଙ୍କି ଯାଉଛି ତା ବାହାଘରର ଚିତ୍ର । ଖୁବ୍‌ ଖୁସି ଲାଗୁଛି ତାକୁ । ଆଃ, କେବେ ଆସିବ ତାର ସେଇ ଚରମ ସୌଭାଗ୍ୟ, ସେଇ ବହୁ ଆକାଂକ୍ଷିତ ମୁହୂର୍ତ୍ତ !

 

ଭିଡ଼କାଟି ସେପଟକୁ ଚାଲିଯାଉଥିଲା ଲଳିତା । ସଅଳ ଯିବାକୁ ହେବ । କାଳେ ଯଦି ଘର ବନ୍ଦ ହେବା ଦେଖି ବିଜୟ ଫେରିଯାଏ, ତେବେ ଲଳିତା ବହୁତ କଥା କହିପାରିବ ନାହିଁ ଆଜି । ହଠାତ୍‌ ବରଗାଡ଼ି ଭିତରେ ବସିଥିବା ଯୁବକକୁ ଦେଖି ସେ ଚମକିପଡ଼ିଲା । ଆଉ ଛିଡ଼ା ହୋଇପାରିଲା ନାହିଁ ଲଳିତା । ଯେମିତି ଗୋଟାଏ ନିଃଶ୍ୱାସରେ ଧାଇଁ ଯାଇଥିଲା ଏତେ ବାଟ, ଠିକ୍‌ ସେମିତି ବି ଲେଉଟି ଆସିଲା ତାର ସେଇ ବଖୁରିଆ ଘର ଭିତରକୁ ।

 

କେତେ ସମୟ ଅଚେତ ହୋଇ ପଡ଼ିରହିଥିଲା ସେ ଜାଣେ ନାହିଁ ।

 

ଦରଜାରେ କରାଘାତ । ଅବସନ୍ନ ପାଦକୁ ଘୋଷାରି ନେଇ ଦୁଆର ଖୋଲିଲା ଲଳିତା । ବାହାରେ ଛିଡ଼ା ହୋଇଛି ହରି ସାହୁ ବିଦଗ୍‌ଧ ପ୍ରେମିକଟିଏ ପରି । ଲଳିତାର ଦୟା ହେଲା । ଆହା, କେଡ଼େ ଅପଣାର ମଣିଷଟି ଏଇ ହରି ସାହୁ ତାର । ବର୍ଷକ ତଳର ସମ୍ପର୍କକୁ ଭୁଲିନାହିଁ ।

 

ହରି ସାହୁ ଭିତରକୁ ପଶିଆସି ଜୀର୍ଣ୍ଣ ଖଟଟି ଉପରେ ବସିପଡ଼ିଲା । ପକେଟ୍‌ ଭିତରେ ଲୁଚେଇ ରଖିଥିବା ରମ୍‌ ବୋତଲରୁ କିଛି ଢାଳି ଲଳିତା ହାତକୁ ବଢ଼େଇ ଦେଲା ।

 

ଗମ୍ଭୀର ଗଳାରେ କହିଲା, “ତୁ ଚିନ୍ତା କରନା ରାଣୀ, ଦୋସ୍ତମାନଙ୍କୁ କହିଦେଇ ଆସିଛି ସେମାନେ ଆସିବେ । ତୋତେ ଆମେ ପୁଣି ରାଣୀ ବନେଇଦେବୁ ।”

 

ଲଳିତା ଦେଖିପାରୁଥିଲା ହରି ସାହୁ ଆଖିରେ କାମନାର ରଡ଼ ନିଆଁ । ସେ ବି ଜଳୁଛି ଭିତରେ । ସେ ନିଆଁର ଜ୍ୱାଳା ଅସହ୍ୟ ତା ପାଇଁ ।

 

ଲୁଗା କାନିରେ କଣଟାଏ ଲାଗିଗଲା ଉଠି ପଡ଼ୁପଡ଼ୁ । ଝଣ୍‌କରି ପଡ଼ିଗଲା ତଳେ । ସେଇଟିକୁ ଉଠେଇ ନେଉ ନେଉ ଦେଖିନେଲା ବିଜୟର ଫ୍ରେମ୍‌ବନ୍ଧା ଫଟୋଟିଏ । ଆଖି ଦିଇଟା ତାର ଦପ୍‌ ଦପ୍‌ କରିଉଠିଲା । ଘୃଣାରେ ବିଷେଇ ଉଠିଲା ସମୁଦାୟ ମନ । ଦୂରକୁ ଛାଟିଦେଲା ଫଟୋଟାକୁ । କାନ୍ଥରେ ବାଜି ଝଣ୍‌ଝଣ୍‌ ହୋଇ ଭାଙ୍ଗିଗଲା କାଚବନ୍ଧା ଫଟୋଟା ।

 

ମୁଣ୍ଡଟା ଚକ୍କର କାଟୁଥିଲା ଲଳିତାର । ଅବସନ୍ନ ପାଦଯୋଡ଼ିକ ଘୋଷାରି ସେ ଆଗେଇ ଆସିଲା ଓ ଲୋଟିପଡ଼ିଲା ହରି ସାହୁର ଝାଳୁଆ ଛାତି ଉପରେ ।

Image

 

ବିଶ୍ୱାସ

 

ବନ୍ଧୁ କେଉଁଠୁ କେଜାଣି ଶୁଣିଥିଲେ ଏ କଥାଟି, ମୁଁ ଜାଣେନାହିଁ । କିନ୍ତୁ ତାଙ୍କର ଏକା ଜିଦ୍‌, ସେ ଭିଡ଼ ଭିତରେ ପଶି କେବଳ ଗୋଟିଏ ନୁହେଁ ତିନିଟିଯାକ ରଥର ଦଉଡ଼ି ଟାଣିବେ । ସେହିକଥା ସେ ବାଟସାରା କହି କହି ଅବଶ୍ୟ ଆସୁଥିଲେ । ସେତେବେଳେ ମୁଁ ବନ୍ଧୁଙ୍କୁ କିଛି କହି ନ ଥିଲି । ମୋର ବିଶ୍ୱାସ ଥିଲା, କାର୍‌ର ବହଳ ଗଦି ଉପରେ ଆରାମରେ ସମୁଦ୍ରକୂଳ ହାୱା ଖାଇ ଖୁସିଗପ କରୁଥିବା ଏହି ବପୁବନ୍ତ ଲୋକଟି ବଡ଼ଦାଣ୍ଡର ସେ ଭିଡ଼ ଦେଖିଲେ କଦାପି ନିଜର ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଇଚ୍ଛା କରିବ ନାହିଁ । ପ୍ରଥମ ଥର ପାଇଁ ଓଡ଼ିଶା ଆସିଥାନ୍ତି ବନ୍ଧୁଜଣକ । ବୈଷୟିକ ଧାରାର ମଣିଷ ସେ, ବଡ଼ କମ୍ପାନିର ଏକ୍‌ଜିକ୍ୟୁଟିଭ୍‌ । ସେ ସଂସ୍ଥାରେ ମଣିଷ ଅପେକ୍ଷା କମ୍ପ୍ୟୁଟରର ବେଶୀ ଆଦର ।

 

‘ରଥ ଦଉଡ଼ିକୁ ହାତରେ ଭିଡ଼ିବାର ସୁଯୋଗ ପାଇଥିଲେ ଯମ ଦଉଡ଼ି ବି ମଣିଷକୁ ଡରେଇ ପାରିବ ନାହିଁ’, ଏହା ହିଁ ଥିଲା ତାଙ୍କର ଲମ୍ବା ବକ୍ତବ୍ୟର ସାରକଥା । ମୁଁ କିନ୍ତୁ ତାର ପ୍ରତିବାଦ କରି ବଡ଼ଦାଣ୍ଡର ଏ ଧୂଳିଉଡ଼ା ପରିବେଶ, ଠେଲାପେଲା ଭିତରେ ପଶି ତିନି ରଥର ଦଉଡ଼ି ଟାଣିବା ପରି ଆୟାସସାଧ୍ୟ କାମ ଅପେକ୍ଷା କେବଳ ତାଳଧ୍ୱଜ ରଥର ଦଉଡ଼ିଟି ଭିଡ଼ି ମାଉସୀ ମା ମନ୍ଦିର ଦେଇ ସମୁଦ୍ରକୂଳକୁ ଚାଲିଯିବା ପାଇଁ ବାରମ୍ବାର ପ୍ରବର୍ତ୍ତାଉଥିଲି ।

 

ବନ୍ଧୁଙ୍କର କିନ୍ତୁ ଏକା ଜିଦ୍‌- ସେ ଏତେଦୂରରୁ ପୁରୀ ଆସିଛନ୍ତି । ଆଉ କେବେ ଆସିପାରିବେ କି ନାହିଁ ସନ୍ଦେହ । ଯେତେ କଷ୍ଟ ପଡ଼ୁ ପଛକେ ତିନିଟିଯାକ ରଥ ଦଉଡ଼ି ଆପଣା ହାତରେ ଭିଡ଼ିବେ ।

 

ସୁତରାଂ ବନ୍ଧୁଙ୍କୁ ମହାଭାରତର ସେଇ ସପ୍ତରଥୀ ଘେର ଭିତରେ ଅଭିମନ୍ୟୁ ପରି ଛାଡ଼ିଦେଇ ମୁଁ ନିରାପଦ ଜାଗାରେ ଅପେକ୍ଷା କରି ରହିଥିଲି ତାଙ୍କୁ । ପ୍ରତି ବର୍ଷ ସେହି ଅସ୍ୱସ୍ତିକର ଭିଡ଼ ଭିତରେ ଶ୍ୱାସରୁଦ୍ଧ ହେଇ ରଥ ଦଉଡ଼ି ଟାଣିବାର ଆବଶ୍ୟକତା ମୁଁ ଏବର୍ଷ ଆଉ ଅନୁଭବ କରୁନଥିଲି । ସେଇ ଗତାନୁଗତିକ ଔପଚାରିକତା ।

 

ଠିକ୍‌ ପୁରୀ ମହିଳା କଲେଜ ପାଖାପାଖି ଗୋଟାଏ କ୍ୟାବିନ୍‌ ପାଖରେ ମୁଁ ଛିଡ଼ା ହୋଇଥାଏ । ମୋ ଆଗରେ, ପଛରେ, ସାମ୍ନା ଛାତ ଉପରେ ସବୁଠି ଲୋକାରଣ୍ୟ । ଲକ୍ଷ ଲକ୍ଷ ଲୋକଙ୍କର ସମାବେଶ । ସବୁରି ଦୃଷ୍ଟି ବଡ଼ଦାଣ୍ଡ ଉପରେ କେନ୍ଦ୍ରୀଭୂତ । ନାନା ପ୍ରକାର ଶବ୍ଦ-ପ୍ରତିଶବ୍ଦରେ ମୁଖରିତ ବଡ଼ଦାଣ୍ଡ । ରାସ୍ତାପାଖ ସର୍ବତ ଓ ମନୋହରୀ ଦୋକାନର ଫିଲ୍ମ ଗାନା, ତାଳଧ୍ୱଜ ରଥ ସାମ୍ନାରେ ସଂକୀର୍ତ୍ତନ କରି ଯାଉଥିବା ଚୈତନ୍ୟପନ୍ଥୀ ବୈଷ୍ଣବମାନଙ୍କର ଜୟଧ୍ୱନି, ମନ୍ଦିର ହତା ପାଖରୁ ତଥାପି କିଛି କିଛି ଶୁଭୁଥିବା ଧାରାବିବରଣୀର ବିଖଣ୍ଡିତ ଉଚ୍ଚାରଣ, କୁଲି, ହକର, ଭିକାରି, ଭକ୍ତଙ୍କର ଉଚ୍ଚବାଚ୍ଚସବୁ ମିଶିମାଶି ଗୋଟାଏ ବିରାଟ କୋଳାହଳ ।

 

ଭିକାରିଟିଏ ମୋ’ଠାରୁ କିଛି ଦୂରରେ ଛିଡ଼ାହୋଇ ତାର ଟିଣଥାଳିଟି ସାମ୍‌ନାକୁ ବଢ଼େଇ ଦେଇ ସମ୍ପୂର୍ଣ୍ଣ ଅନାସକ୍ତ ଭାବରେ କହୁଥିଲା, ବାବୁ ପଇସାଟିଏ । ମୁଁ କିଛି ସମୟ ପାଇଁ ସାମ୍‌ନାର ଗୋଳଚହଳ, ଚାରିପାଖର ବହୁରଙ୍ଗୀ ପରିବେଶଠାରୁ ନିଜକୁ ମୁକ୍ତ କରି ଆଣି ତାକୁ ଚାହିଁ ଆଖି ବୁଲେଇ ନେଲି । ସେ ମୋର ମନୋଭାବ ସେତିକିରେ ବେଶ୍‌ ବୁଝିଗଲା ଓ ମୋ’ଠୁ ଦୂରେଇ ଯାଇ ରାସ୍ତାକଡ଼ରେ କ୍ୟାବିନ୍‌ଟିକୁ ଭରାଦେଇ ବସିଥିବା ଚାରିପାଞ୍ଚଜଣ ଗାଉଁଲି ସ୍ତ୍ରୀଲୋକଙ୍କ ପାଖରେ ଛିଡ଼ାହେଲା । ସେହି ପ୍ରଫେସନାଲ୍‌ ଭଙ୍ଗୀରେ ସେମାନଙ୍କୁ ମଧ୍ୟ ସେ ପଇସା ମାଗିଲା । ସ୍ତ୍ରୀ ଲୋକସବୁ ନିଶ୍ଚିତ ଭାବରେ କେଉଁ ଦୂର ଗାଆଁର । ସକାଳ ପହରୁ କି ପୂର୍ବ ରାତିରୁ ହେଉ ଟ୍ରେନ୍‌-ବସ୍‌ରେ ଆସିଛନ୍ତି । ସ୍ୱାଭାବିକ କ୍ଳାନ୍ତି ଯୋଗୁ ତାଙ୍କ ଭିତରୁ ଜଣେ ସେଇ ରାସ୍ତା ଉପରେ ନିଜର ଝୁଲାମୁଣିଟିକୁ ମୁଣ୍ଡତଳେ ଥୋଇ ଶୋଇଯାଇଥାଏ ପରମ ଶାନ୍ତିରେ । ଏତେ ଗୋଳଚହଳ ସତ୍ତ୍ୱେ ସେ ଯେମିତି ନିର୍ବିକାର ଭାବରେ ଶୋଇପାରିଥିଲା ତାହା ନ ଦେଖିଲେ ବିଶ୍ୱାସ କରିବାର ନୁହେଁ । ତା ପାଖକୁ ଲାଗି ବସିଥାଏ ଆଉ ଜଣେ । ବୟସ ପଚାଶରୁ ଊଦ୍ଧ୍ୱର୍ ହେବ । ଦାରିଦ୍ର୍ୟ ଅନାହାର କ୍ଳୀଷ୍ଟ, ରୁଗ୍‌ଣ ସ୍ୱାସ୍ଥ୍ୟ ସାଙ୍ଗକୁ ଦିନତମାମର ଖରା ତାତି ତାର ଚେହେରାକୁ ଶୋଚନୀୟ ଭାବରେ ବିଷଣ୍ଣ କରିଦେଇଥାଏ । ଭିକାରିଟି ପୁଣି ଦୋହରାଉଥିଲା, ମା ରଥକୁ ଆସିଛ, ଦଶ ପଇସିଟିଏ ଦେଇଦିଅ, ଧର୍ମ ହେବ... ।

 

ଭିକାରିର ଏହି ବାରମ୍ବାର ମାଗଣରେ କିଛିଟା ବିରକ୍ତ ଜଣାପଡ଼ୁଥିବା ସେହି ଗାଉଁଲି ସ୍ତ୍ରୀଲୋକଙ୍କ ଭିତରୁ ଜଣେ ତାର ମଳିଚିଆ ଲୋଚାକୋଚା ରୁମାଲଟି ଅଣ୍ଟିରୁ ଟାଣି ଆଣିଲା ଓ ପରମୁହୂର୍ତ୍ତରେ ସେଥିରୁ ଦଶପଇସିଟିଏ ବାହାର କରି ଭିକାରିଟିର ଥାଳରେ ପକେଇବାକୁ ଉଦ୍ୟତ ହେଉଥିଲା ।

 

ମଝିରେ ବସିଥିବା ନୁଖୁରା ବୁଢ଼ୀଟି ତା ସାଥୀର ଉଦ୍ୟତ ହାତକୁ ଝିଙ୍କିନେଇ ଭିକାରିଟି ଉଦ୍ଦେଶ୍ୟରେ ଚିତ୍କାର କରିଉଠିଲା, ‘ଭାଗ୍‌ ଭାଗ୍‌, ଏଠୁ । କହିଲା କଣ ନା ଧର୍ମ ହେବ । ପଳା, ପଳା କହୁଛି ଏଠୁ ।’

 

ମୁଁ କିଛିକ୍ଷଣ ଅବାକ୍‌ ହେଇଗଲି ।

 

ସରଳ, ନିରକ୍ଷର ଓ ଅଚିହ୍ନା ମନେହେଉଥିବା ସାଧାରଣ ଓଡ଼ିଆ ମହିଳା ଜଣେ ପୁରୀର ବଡ଼ଦାଣ୍ଡ ଉପରେ ବସି ଭିକାରିଟିକୁ ଏପରି ଧିକ୍କାରୁଥିବା କଥା ମୁଁ ଚିନ୍ତା କରିପାରିଲି ନାହିଁ । କିଛି ସମୟର ଆଶ୍ଚର୍ଯ୍ୟ ଭାବ ଦୂର ହୋଇଗଲା ପରେ ମୁଁ ମୋର କୌତୂହଳୀ କାନଯୋଡ଼ିକୁ ତିଆରି ସେମାନଙ୍କ ବିଷୟରେ ଅଧିକ କିଛି ଜାଣିବାକୁ ଚେଷ୍ଟା କରୁଥିଲି ।

 

ଭିକାରିଟି ନଛୋଡ଼ବନ୍ଦା ଭଙ୍ଗୀରେ ତାର ଶେଷ ଅସ୍ତ୍ର ପ୍ରୟୋଗ କରୁଥାଏ ସେତିକିବେଳେ, “ମା’ ଏ ତୀର୍ଥଜାଗା, ଏଠି ପଇସାଟିଏ ଦେଲେ ଲକ୍ଷେ ଟଙ୍କାର ଧର୍ମ ହେବ, ଇତ୍ୟାଦି... ।”

 

- ଦୂର୍‌ ଦୂର୍‌ । କହିଲା କଣ ନା ଧର୍ମ ହେବ ମୋର । ତାକୁ ନେଇ କଣ ରାନ୍ଧି ଖାଇବି ? ବାଇଶି ବର୍ଷର ଯୁଆନ ପୁଅ ମୋର ମରିଗଲା ଖାମୁକାଟାରେ । ଆହୁରି କଣ ହେବ ଧର୍ମ ? ସେ ଧର୍ମ ଫର୍ମ ତୋ ପାଖେ ଥାଉ ।

 

ଦେଖିଲି ଧୀର ପଦପାତରେ ଭିକାରିଟି ଚାଲିଯାଉଥିଲା ସେଠାରୁ । ନିଜ ପୁଅଟିର ମୃତ୍ୟୁକଥା ମନେପଡ଼ିବା ପରଠାରୁ ଶୋକାତୁରା ମାଆ ତାର କୋହ ଓ ଲୁହଧାରାକୁ ବନ୍ଦ କରିପାରୁ ନ ଥିଲା । ସେ ଲୋଟିଯାଉଥିଲା ବଡ଼ଦାଣ୍ଡର ଧୂଳି ଉପରେ ଓ ଶ୍ରୀମନ୍ଦିର ଆଡ଼େ ଚାହିଁ ଚାହିଁ ଥରିଲା କଣ୍ଠରେ କହୁଥିଲା, “ମୁଁ ତୋର କି ପାପ କରିଥିଲି ରେ କାଳିଆ, ମୋତେ ଏଡ଼େବଡ଼ ଦଣ୍ଡ ଦେଲୁ । ମୁଁ ଆଜି ଧର୍ମ କର୍ମ ପାଇଁ ଆସିନାହିଁ । ଶେଷଥର ପାଇଁ ତୋତେ ଖାଲି ସାମ୍‌ନାରେ ଦେଖି, ଏଇ କଥା ପଚାରିବି ବୋଲି ବଡ଼ଦାଣ୍ଡରେ ବସିଛିରେ... ।”

 

ଏବେ ଆଉ ଚାରିପାଖର କୋଳାହଳ ମୋତେ ଶୁଭୁ ନ ଥିଲା । ଗୋଟାଏ ପୁତ୍ରଶୋକବିଧୁରା ମାଆର କୋହୋଚ୍ଛ୍ୱାସ ମୋ ଚାରିପାଖରେ ଶବ୍ଦଭେଦୀ ବଳୟଟେ ତିଆରି କରିଦେଇଥିଲା ଯେପରି । ମୋ ଆଖି ଆଗର ଜନସମୁଦ୍ର, ବଡ଼ଦାଣ୍ଡରେ ବିଜେ ତିନିରଥ ଓ ସାଇକଲ, ରିକ୍‌ସା, ହାତୀଛତି କିଛି ଦୃଶ୍ୟ ହେଉ ନ ଥିଲେ ।

 

ମୁଁ ମନେ ମନେ ପ୍ରଶ୍ନ କରୁଥିଲି, ‘କେତେ ସରଳ ବିଶ୍ୱାସୀ ଏଇ ମାଆ ଓ ଏଇ ମଣିଷମାନେ । ଯେଉଁ ଠାକୁର ଉପରେ ତାର ଏତେ ମାନ ଓ ଅଭିମାନ, ଯାହାର ନିଷ୍ଠୁର ବିଚାର ପାଇଁ ତାର ଏ ଦୁର୍ଗତି ବୋଲି ଦୃଢ଼ ଧାରଣା, ତାକୁ ହିଁ ଦେଖିବା ପାଇଁ ପୁଣି ସେ ଛୁଟିଆସିଛି କେଉଁ ଦୂର ମଫସଲ ଗାଆଁରୁ ? ରାତି ଅନିଦ୍ରା ଟ୍ରେନ୍‌ କି ବସ୍‌ର ଭିଡ଼ ଠେଲି, ବଡ଼ଦାଣ୍ଡର ଦଳାଚକଟାକୁ ତୁଚ୍ଛମଣି ପଣତକାନି ବିଛେଇ ଦେଇ ଅପେକ୍ଷା କରିଛି ତାକୁ ହିଁ ଦେଖିବା ପାଇଁ ?’

 

ଦୂରାଗତ ବନ୍ଧୁ ମୋର ସେତିକିବେଳେ ଝାଳ ସରସର ହୋଇ ପହଞ୍ଚିଲେ ମୋ ପାଖରେ-। ତାଙ୍କର ସେ ବିପର୍ଯ୍ୟସ୍ତ ବେଶଭୂଷା ଓ କ୍ଳାନ୍ତ ପଦପାତ ଦେଖି ମୋତେ ବୁଝିବାରେ ଆଦୌ ଅସୁବିଧା ହେଲା ନାହିଁ ଯେ, ନିଜର ବିଶ୍ୱାସ ଓ ସ୍ୱପ୍ନକୁ ସାକାର କରିବାକୁ ଯାଇ ତାଙ୍କୁ ବେଶ୍‌ ଶାରୀରିକ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି ।

 

ତଥାପି ଧଇଁସଇଁ ହେଉଥିବା ବନ୍ଧୁ ମୋର ଭଙ୍ଗା ଭଙ୍ଗା ଇଂରାଜୀରେ କହୁଥିଲେ, ‘ଓଃ କି ଭିଡ଼ ହୋଇଛି ! ରଥଦଉଡ଼ି ଟାଣୁ ଟାଣୁ ମୋର ପର୍ସଟା କିଏ ଡେରି କରି ନେଇଗଲା । ଈଶ୍ୱରଙ୍କୁ ଧନ୍ୟବାଦ, ପୈତୃକ ପ୍ରାଣଟା ରହିଗଲା ।’

 

ସେଦିନ ସନ୍ଧ୍ୟାରେ ପୁରୀ ଲେଉଟାଣି ରାସ୍ତାରେ ଫେରିବାବେଳେ ମୋର ମନେ ହେଉଥିଲା, କେଉଁ ମଠାଧୀଶ କି ପଣ୍ଡା ପୂଜାରୀ ନୁହନ୍ତି, ଶିଳ୍ପପତି ବା ଶାସନାଧୀଶ ନୁହନ୍ତି, ଏହି ବନ୍ଧୁଙ୍କ ପରି ‘ରଥ ଦଉଡ଼ି ଟାଣିଲେ ଯମ ଦଉଡ଼ିର ଭୟ ରହିବ ନାହିଁ’ ତତ୍ତ୍ୱରେ ବିଶ୍ୱାସ କରୁଥିବା ଏବଂ କାଳିଆର ଅଭିଶାପ ଯୋଗୁଁ ବାଇଶି ବର୍ଷର ପୁଅ ମରିଯାଇଥିବା ପରି ସରଳ ସିଦ୍ଧାନ୍ତରେ ଉପନୀତ ହୋଇ ଶରଧାବାଲିରେ ଗଡ଼ୁଥିବା ମାଆ ପରି ସରଳବିଶ୍ୱାସୀ ମଣିଷମାନେ ଏ ଧର୍ମ ଓ ସଂସ୍କୃତିକୁ ବଞ୍ଚେଇ ରଖିଛନ୍ତି ।

Image

 

ପିପିଲିର ପିପୀଲିକା

 

ପଉଷର ଏକ ଶୀତଳ ଅପରାହ୍‌ଣ । ବନ୍ଧୁ ପ୍ରସ୍ତାବ ଦେଲେ, “ଚାଲନ୍ତୁ ପିପିଲି ଯାଇ ଘେରାଏ ବୁଲିଆସିବା । ରବିବାର ଅପରାହ୍‌ଣଟା ମିଛରେ ଘରଟାରେ ବସି କାଟିବେ କିଆଁ ?”

 

ତାଙ୍କର ପ୍ରସ୍ତାବଟି ମନ୍ଦ ନ ଥିଲା । ଭୁବନେଶ୍ୱରର ରବିବାରଗୁଡ଼ାକ ଖାଲି ଟି.ଭି. ଦେଖି ବିତୁଛି । ଏମିତି ଏକ ବଦଭ୍ୟାସ ହୋଇଗଲାଣି ଯେ ଟି.ଭି. ସାମ୍ନାରୁ ଯାଇ କିଛି ପଢ଼ାପଢ଼ି କରିବା କଷ୍ଟସାଧ୍ୟ ହୋଇପଡ଼ିଲାଣି । ସକାଳ ତ ଆରମ୍ଭ ହୁଏ ‘ରାମାୟଣ’ ସିରିଏଲ୍‌ରୁ ଯେ ରାତି ଯାଇ ସରେ, ‘ବଡ଼ିଲାଇନ୍‌’ ସିରିଏଲ୍‌ରେ । ସେଇ ଏକାପ୍ରକାରର ଧରାବନ୍ଧା ରୁଟିନ୍‌, ବଡ଼ ବିରକ୍ତି ଆସିଗଲାଣି ।

 

“ହଠାତ୍‌ ପିପିଲି ଯିବାର ପ୍ରୋଗ୍ରାମ୍‌ କାହିଁକି ?” - ପ୍ରଶ୍ନ କଲି ।

 

“ଚାନ୍ଦୁଆ ଆଉ ଘରସଜ୍ଜା ଜିନିଷ କିଛି କିଣିବାର ଅଛି ।” - ବନ୍ଧୁ ଉତ୍ତର ଦେଲେ ।

 

ଘର ସଜାସଜି ବ୍ୟାପାରରେ ବନ୍ଧୁଙ୍କର ବେଶ୍‌ ଦଖଲ ଅଛି । ନିଜ ରହିବା ଘରଟିକୁ ସେ ଏମିତି ସୁନ୍ଦର କରି ସଜାଇ ରଖିଥାନ୍ତି ଯେ ଦେଖିଲେ ଭୁବନେଶ୍ୱରର ଯେ କୌଣସି ଗୃହିଣୀଙ୍କର ଈର୍ଷା ହେବ ।

 

ସ୍କୁଟରରେ ଭୁବନେଶ୍ୱରରୁ ପିପିଲି ମାତ୍ର ଅଧଘଣ୍ଟାକର ବାଟ । ବାଟ ମଝିରେ ତାଙ୍କର ପ୍ରସ୍ତାବିତ ଘରକରଣା ଜିନିଷଗୁଡ଼ିକର ଆବଶ୍ୟକତା ସମ୍ପର୍କରେ ନାତିଦୀର୍ଘ ଭାଷଣଟିଏ ଦେଇ ସେ ଚାଲିଥାନ୍ତି । ପିପିଲିରେ ପହଞ୍ଚିଲୁ । ଓଡ଼ିଶାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ଅନ୍ୟ କୁଆଡ଼କୁ ଯାଆନ୍ତୁ କି ନ ଯାଆନ୍ତୁ, ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ମାନଚିତ୍ରର ସୁବର୍ଣ୍ଣ ତ୍ରିଭୁଜ- ଭୁବନେଶ୍ୱର-ପୁରୀ-କୋଣାର୍କ ଯିବାକୁ କିନ୍ତୁ ଭୁଲନ୍ତି ନାହିଁ । ସେଇ ହେତୁ ପିପିଲିରେ ପ୍ରାୟ ଦେଖିବାକୁ ମିଳେ ଏପରି ବିଦେଶୀ ବିଦେଶିନୀମାନଙ୍କୁ । ସେଦିନ ମଧ୍ୟ ଦୁଇଜଣ ପର୍ଯ୍ୟଟକ ପିପିଲିରେ ସେମାନଙ୍କର ଟ୍ୟାକ୍‌ସି ଅଟକେଇ କିଣାକିଣି କରୁଥାନ୍ତି । ଯୁବକ ଜଣକ ଗୋଟାଏ ଭିଡିଓ କ୍ୟାମେରା ଧରି ପିପିଲିର ଚାନ୍ଦୁଆ ଦୋକାନ ଓ ତାର ପାରିପାଶ୍ୱିର୍କ ଚିତ୍ର ଉତ୍ତୋଳନ କରୁଥାନ୍ତି ବେଶ୍‌ ଆଗ୍ରହରେ ।

 

ଆମେ ଦୁହେଁ ଗୋଟାଏ ଚାନ୍ଦୁଆ ଦୋକାନ ସାମ୍ନାରେ ଛିଡ଼ାହୋଇ ଲକ୍ଷ୍ୟ କରୁଥାଉ । ବିଦେଶୀ ପର୍ଯ୍ୟଟକଙ୍କ ଟ୍ୟାକ୍‌ସି ସାମ୍ନାରେ ଦଳେ ନଙ୍ଗଳା ଓ ଅଧନଙ୍ଗଳା ପିଲାମାନଙ୍କର ଦୃଷ୍ଟିକଟୁ ସମାବେଶ । କାହାରି କାହାରି ମାଗନ୍ତା ହାତ ମଧ୍ୟ ପ୍ରସରି ଆସିଥାଏ ସେମାନଙ୍କ ଆଡ଼କୁ । ଗୋଟାଏ ହାତରେ ନିଜର ବୋତାମ ଛିଣ୍ଡା ପ୍ୟାଣ୍ଟ୍‌କୁ ସଜାଡ଼ୁ ସଜାଡ଼ୁ ଆର ହାତଟି ବଢ଼େଇଦେଇ ଛ-ସାତ ବର୍ଷର ପିଲାଟାଏ ପଇସା ମାଗୁଥାଏ ସେଇ ବିଦେଶିନୀଙ୍କୁ । ସେ ପରମ ଆଗ୍ରହରେ ନିଜର ପର୍ସରୁ କଏନ୍‌ଟିଏ ବାହାର କରି ପିଲାମାନଙ୍କ ଆଡ଼କୁ ଫିଙ୍ଗି ଦେଉଥାନ୍ତି । ସାଙ୍ଗେ ସାଙ୍ଗେ ନଙ୍ଗଳା ପିଲାମାନଙ୍କ ଭିତରେ ଆରମ୍ଭ ହୋଇଯାଉଥାଏ ତୁମୁଳ ପ୍ରତିଯୋଗିତା ।

 

ଇତିମଧ୍ୟରେ ବନ୍ଧୁ ମୋର ଦୋକାନ ଦୋକାନ ବୁଲି ତାଙ୍କର ସରଞ୍ଜାମ କିଣିବାରେ ଲାଗିଥାନ୍ତି । ଉପର ବର୍ଣ୍ଣିତ ଦୃଶ୍ୟଟି ଦେଖିବା ପରେ ଜିନିଷପତ୍ର କିଣିବାର ଆଗ୍ରହ ମୋର ଲୋପ ପାଇଯାଇଥାଏ ।

 

ହଠାତ୍‌ ମୋ ପଛରେ କାହାର ଚିତ୍କାର ଶୁଣି ମୁଁ ବୁଲିପଡ଼ିଲି । ମୁଁ ଛିଡ଼ା ହୋଇଥିଲି ଗୋଟାଏ ବଡ଼ ଚାନ୍ଦୁଆ ଦୋକାନ ସାମ୍ନାରେ । ସେଇ ଦୋକାନର ମାଲିକ ହିଁ ଏପରି ଚିତ୍କାର କରୁଥିଲା । ମୁଁ ନିଜର କୌତୂହଳ ରୋକି ନ ପାରି ତା ଚିତ୍କାରର ହେତୁ ବୁଝିବା ପାଇଁ କାନେଇଲି ।

 

ଦୋକାନୀଟି ଅଣଓଡ଼ିଆ ନିଶ୍ଚୟ । ହିନ୍ଦୀମିଶା ଓଡ଼ିଆରେ ସେ ତା ସାମ୍ନାରେ ଛିଡ଼ା ହୋଇଥିବା ପିଲା ଦିଓଟିଙ୍କୁ ରୀତିମତ ଦୋ-ଅକ୍ଷରୀ ଭାଷାରେ ଗାଳି ଦେଉଥାଏ । ପିଲା ଦିଓଟିଙ୍କ ଭିତରୁ ଜଣେ ଆଠ ନଅ ବର୍ଷର ଝିଅ ଓ ଆଉ ଜଣେ ଚାରିପାଞ୍ଚ ବର୍ଷର ପୁଅ । ବୋଧହୁଏ ଭାଇ ଭଉଣୀ । ନିରବଚ୍ଛିନ୍ନ ଅବହେଳାରୁ ସେମାନଙ୍କ ମୁଣ୍ଡର ବାଳକେରାକ ନୁଖୁରା, ଫୁରୁଫୁରୁ ଦିଶୁଥାଏ-। ପୁଅଟିର ଦେହ ଫୁଙ୍ଗୁଳା । ବେକରେ ଗୋଟାଏ କଳାସୂତାରେ କଉଡ଼ିଟିଏ ବନ୍ଧା ହୋଇ ଝୁଲୁଥାଏ-। ଝିଅଟିଏ ପିନ୍ଧିଥାଏ ଶସ୍ତା ଛିଟକନାର ଫ୍ରକ୍‌ ଖଣ୍ଡେ । ସେଇଟା ପୁଣି ଚାରି ପାଞ୍ଚସିଆଁ-

 

ବେପାରୀ ଦୋକାନ ମାଲିକ ଜଣକ ଡାହାଣ ହାତରେ ଧରିଥିବା ଷ୍ଟିଲ୍‌ ଗିଲାସରୁ ଗରମ ଚା ଢୋକେ ପିଇ ପୁଣିଥରେ ଚିତ୍କାର କଲା, “ଶାଲା, କହୁଚି ଶହେଟା ହାତୀ ଆଣିଛି । ନିକଲ୍‌, ନିକଲ୍‌ ଏଠୁ ! ହମାରା କପ୍‌ଡା କାହାଁ ରଖା ? କୁଚ୍ଛ ନେହିଁ ଦେଙ୍ଗେ, ଫୁଟା କଉଡ଼ି ତକ୍‌ ବି ନେହିଁ ଦେଙ୍ଗେ !”

 

ପିଲାଯୋଡ଼ିକ କାନମୁଣ୍ଡ ଆଉଁଶି ସେଠୁ ଚାଲିଆସିଲେ । ମୁଁ ସେପର୍ଯ୍ୟନ୍ତ ବୁଝିପାରୁ ନ ଥାଏ, କେଉଁ ପ୍ରକାର ଗର୍ହିତ ଅପରାଧ ପାଇଁ ପିଲା ଦୁଇଟିଙ୍କୁ ଏମିତି କଥାସବୁ ଶୁଣିବାକୁ ପଡ଼ୁଛି । ସେମାନେ କିଛି ଦୂର ଗଲାପରେ ମୁଁ ତାଙ୍କ ପଛେ ପଛେ ଯାଇ ବଡ଼ ପିଲାଟିକୁ ଅଟକେଇଲି ।

 

: ତୁମକୁ ସେ ଦୋକାନୀ ଗାଳି ଦେଉଥିଲା କାହିଁକି ?

 

ଉତ୍ତରରେ ସେମାନେ ଯାହା କହିଲେ, ତାହା ଥିଲା ଏହିପରି- ଚାନ୍ଦୁଆ ବେପାରୀ ଜଣକ ଏ ପିଲା ଦିଓଟିଙ୍କୁ କିଛି ହାତୀ ଓ ଚଢ଼େଇ ତିଆରିବାକୁ ବରାଦ ଦେଇଥିଲା । ସାଧାରଣତଃ ପିପିଲିର ଅଧିକାଂଶ ବେପାରୀ ଏହିପରି ସାନ ସାନ ପିଲାଙ୍କୁ ହିଁ କିଛି ନାଲି, ନେଳି କପଡ଼ା ଓ ସେମାନେ ଚାହୁଁଥିବା ହାତୀ, ଘୋଡ଼ା, ଫୁଲ କି ଚଢ଼େଇର ମାପଟିଏ ଦେଇଥାଆନ୍ତି । ଏ ପିଲାମାନେ ସେଗୁଡ଼ିକ ନିଜ ଘରୁ ତିଆରି କରି ଆଣି ଦୋକାନୀଙ୍କୁ ଦିଅନ୍ତି ଓ ସେମାନଙ୍କର ପାରିଶ୍ରମିକ ଭାବରେ କିଛି ଟଙ୍କା ପାଆନ୍ତି । ଆଜି ଏ ଭାଇ ଭଉଣୀ ଯୋଡ଼ିକ ଶହେ ହାତୀ ଓ ପଚାଶ ଚଢ଼େଇ ଆଣି ଦେବାକଥା, ଯାହା ସେମାନେ ଦେଇପାରି ନାହାନ୍ତି । ଦଶ ବାରଟା ହାତୀ ସେମାନଙ୍କର ଊଣା ପଡ଼ିଯାଇଛି । ଦୋକାନୀ ମାଫ୍‌ କରିବାକୁ ନାରାଜ । ପିଲା ଦିଓଟିଙ୍କର ବର୍ତ୍ତମାନ ସମସ୍ୟା ହେଉଛି, ଦୋକାନୀ ତ ମଜୁରି ଦେଲା ନାହିଁ, ସେମାନେ ଏବେ ଯାଇ ଘରେ କଣ କହିବେ ? ଦୋକାନୀ ପାଟିରେ ଖାଲି ଗାଳିଦେଲା, ସେମାନଙ୍କର ବାପା କିନ୍ତୁ କାଠ ଫାଳିଆରେ ପିଟି ପକେଇବ ।

 

ମୁଁ କିଂକର୍ତ୍ତବ୍ୟବିମୂଢ଼ ହୋଇ ସେଇଠି ଛିଡ଼ା ହୋଇଗଲି । ହାଣ ମୁହଁକୁ ଛେଳି ଗଲା ପରି ପିଲାଯୋଡ଼ିକ ଚୁଙ୍ଗୁ ଚୁଙ୍ଗୁ ହୋଇ ଧୀରପାଦରେ ଚାଲୁଥାନ୍ତି ରାସ୍ତା କଡ଼େ କଡ଼େ ।

 

ପଛକୁ ବୁଲି ଦେଖିଲି, ବନ୍ଧୁ ମୋର ଦୁଇଟା ବଡ଼ ବଡ଼ ପ୍ୟାକେଟ୍‌ ଧରି ମୋ ଆଡ଼େ ଆସୁଛନ୍ତି । ପ୍ୟାକେଟ୍‌ରେ ଅଛି ସାନ ଚାନ୍ଦୁଆ ଦୁଇଟା, ଚାରିଟା ଚିତ୍ରିତ ବ୍ୟାଗ୍‌ ଓ ଆଉ କିଛି ସେଇ ରକମର ଜିନିଷ ।

 

: ଆପଣ କୁଆଡ଼େ ରହିଗଲେ ଏଆଡ଼େ ? ମୁଁ ଆପଣଙ୍କୁ ସେପଟେ ଅପେକ୍ଷା କରିଛି । ନିଅନ୍ତୁ ଆପଣଙ୍କର ଜିନିଷ । ଘରେ ଟଙ୍ଗେଇ ଦେଖିବେ, କେତେ ସୁନ୍ଦର ଲାଗିବ । ଯା’ହେଲେ ବି ପିପିଲିର ଚାନ୍ଦୁଆ । ୟାକୁ ଟଙ୍ଗେଇଲେ ଘରଟା ଓଡ଼ିଆ ଓଡ଼ିଆ ଲାଗିବ । ଯେତେହେଲେ ଆମ ଓଡ଼ିଶାର ସଂସ୍କୃତି ପରମ୍ପରା ଏଥିରେ ପୂରି ରହିଛି ନା! - ବନ୍ଧୁ କହୁଥିଲେ ।

 

ମୁଁ କିନ୍ତୁ ନିଶ୍ଚଳ ମୂର୍ତ୍ତିଟେ ପରି ସେଇଠି ଛିଡ଼ା ହୋଇ ରହିଥିଲି । ମୋର ଖାଲି ମନେପଡ଼ୁଥିଲା, ସେଇ ପିଲା ଦିଓଟିଙ୍କର କଥା । ବିଚରା, ଘରେ ସେମାନଙ୍କର ଆଜି କି ଯୋଗ ଅଛି କିଏ ଜାଣେ ?

 

ଭୁବନେଶ୍ୱର ଫେରନ୍ତା ରାସ୍ତାର ମୁଁ ମୋ ବନ୍ଧୁଙ୍କର ଶେଷ କଥା କେଇପଦର ତର୍ଜମା କରୁଥିଲି । ସତରେ କଣ ଏ ଚାନ୍ଦୁଆ ମୁଁ ମୋ ଘରେ ଟଙ୍ଗେଇ ପାରିବି, ଏତେସବୁ କଥା ନିଜ ଆଖିରେ ଦେଖିଲା ପରେ ? ଯେଉଁ ଧୂଳିଘର ଖେଳା ବୟସରେ ଏ ପିଲା ଦୁହେଁ ଖେଳଣା କଣ୍ଢେଇ ନେଇ ଖେଳିବୁଲିବାର କଥା ସେଇ ବୟସରେ ସେମାନେ ବେପାରୀ ବଣିଆର ମୁନାଫା ପାଇଁ ରଙ୍ଗବେରଙ୍ଗୀ କନା-କାଗଜରେ ହାତୀ, ଘୋଡ଼ା, ଚଢ଼େଇ ତିଆରି କରୁଛନ୍ତି ଟଙ୍କାଏ ଦି ଟଙ୍କା ମଜୁରି ପାଇଁ । ସେଇମାନଙ୍କର ଲୁହ ଓ ଝାଳରେ ତିଆରି ଏ ରଙ୍ଗବେରଙ୍ଗୀ ଚାନ୍ଦୁଆଟାକୁ କଣ ମୁଁ ଝୁଲେଇ ପାରିବି ମୋ ଡ୍ରଇଂରୁମ୍‌ କାନ୍ଥରେ ?

Image